Groom Grooming: ବିବାହର ଦିନ ଉଭୟ ବର ଓ କନ୍ୟା ପାଇଁ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଥାଏ ।
ବିବାହ ବନ୍ଧନରେ ଆବଦ୍ଧ ହୋଇ ଜୀବନର ଆଉ ଏକ ପାହାଚରେ ପାଦ ଦେଇଥାନ୍ତି ପୁଅ ଓ ଝିଅ । ଭାରତରେ ବିବାହ ଉତ୍ସବ ବେଶ୍ ଯାକଜମକରେ ପାଳିତ ହୁଏ । ବିବାହ ଉତ୍ସବର ଅବିଚ୍ଛେଦ୍ୟ ଅଂଶ ହେଲା ଗ୍ରୁମିଂ ବା ବରକୁ ସଜେଇ ଧଜେଇ ରଖିବା । ବିବାହର କିଛି ଦିନ ପୂର୍ବରୁ ବରର ସବୁ କ୍ଷେତ୍ରରେ ଯତ୍ନ ନେବା ହିଁ ଗ୍ରୁମିଂ ।
ସାଧାରଣତଃ ଆମେ ବ୍ରାଇଡାଲ ବା କନ୍ୟା ଗ୍ରୁମିଂ କଥା କହିଥାଉ କିନ୍ତୁ, ବରଙ୍କର ବି ଗ୍ରୁମିଂ ହୋଇପାରିବ । ଆଜି ଆମେ ବିବାହ କରିବାକୁ ଥିବା ବର ଓ ସେମାନଙ୍କ ସ୍ୱାସ୍ଥ୍ୟ ସୌନ୍ଦର୍ଯ୍ୟ ପ୍ରସଙ୍ଗ ଅର୍ଥାତ୍ ଗ୍ରୁମ ଗ୍ରୁମିଂ ସଂପର୍କରେ ଆଲୋଚନା କରିବା ।
ବିବାହ ଦିନ ବରମାନେ କେମିତି ଝଲସିବେ ଓ ଏଥିପାଇଁ କଣ କରିବାକୁ ହେବ,ସେ ବାବଦରେ କିଛି ଟିପ୍ସ ନିମ୍ନରେ ଦିଆଗଲା ।
ଫେସ ୱାସ୍ ବ୍ୟବହାର କରନ୍ତୁ
ହୁଏତ ଏହି ଟିପ୍ସ ଖୁବ୍ ସାଧାରଣ ଲାଗିପାରେ । କିନ୍ତୁ, ଯେତେବେଳେ ବରଙ୍କୁ ମୁହଁ ଧୋଇବା କଥା କୁହାଯାଉଛି,ତାହାର ଅର୍ଥ ହେଲା ଯେ, ସେ ଏହାକୁ ନିୟମିତ ଅଭ୍ୟାସରେ ପରିଣତ କରନ୍ତୁ । ବିବାହର କିଛି ସପ୍ତାହ ପୂର୍ବରୁ ଆପଣଙ୍କ ତ୍ୱଚାକୁ ସୁହାଉଥିବା ଫେସ ୱାସ ବ୍ୟବହାର କରି ନିୟମିତ ମୁହଁ ଧୁଅନ୍ତୁ । ଫଳରେ ଆପଣଙ୍କ ମୁହଁ ତୈଳାକ୍ତ ଦିଶିବ ନାହିଁ ।
ପ୍ରଚୁର ପାଣି ପିଅନ୍ତୁ
ତ୍ୱଚା ସୁରକ୍ଷିତ ରଖିବା ପାଇଁ ପ୍ରଚୁର ପାଣି ପିଇବା ଦରକାର । ଏହା ଦ୍ୱାରା ତ୍ୱଚାର କାନ୍ତି ବଜାୟ ରହେ । ପ୍ରତିଦିନ ୮ ଗ୍ଲାସ ପାଣି ପିଅନ୍ତୁ । ଉଚ୍ଚ ଜଳୀୟ ଅଂଶ ଥିବା ଫଳ ଓ ପନିପରିବା ଖାଆନ୍ତୁ । ଏହା ଦ୍ୱାରା ଶରୀରରୁ ବର୍ଜ୍ୟବସ୍ତୁ ବାହାରିଯାଏ ଓ ଆପଣ ସ୍ୱାସ୍ଥ୍ୟବାନ ଓ ସତେଜ ଲାଗିବେ ।
କେଶର ଯତ୍ନ ନିଅନ୍ତୁ
କେଶ, ଦାଢି, ନିଶ ଓ ବଡି ହେୟାରର ନିୟମିତ ଯତ୍ନ ନିଅନ୍ତୁ । ଆପଣଙ୍କୁ ମାନୁଥିବା ଭଳି କେଶ କାଟିବାକୁ ବାରିକଙ୍କୁ କୁହନ୍ତୁ । ଯଦି କେଶ କାଟିବା ଦରକାର ପଡେ,ତାହା ହେଲେ ବିବାହର ବହୁ ଆଗରୁ କାଟନ୍ତୁ । ଯଦି ଆପଣଙ୍କ ଛାତି ଓ ପିଠିରେ ବାଳ ଥାଏ ଓ ଆପଣ ସେଗୁଡିକ ପୋଷାକ ବାହାରୁ ଦିଶୁ ବୋଲି ଚାହୁଁ ନାହାନ୍ତି, ତାହା ହେଲେ ୱାକ୍ସିଂ ପାଇଁ ବିଚାର କରିପାରିବେ । ହେୟାର ଜେଲ୍ ପରିବର୍ତ୍ତେ ହେୟାର ସ୍ପ୍ରେ ବ୍ୟବହାର କରନ୍ତୁ ।
ମାନିକ୍ୟୁର ଓ ପେଡ଼ିକ୍ୟୁର କରନ୍ତୁ
ପେଷାଦାର ମାନିକ୍ୟୁର ଓ ପେଡିକ୍ୟୁର କରିବାକୁ ଭୁଲିବେ ନାହିଁ । ସଂଗୀତ ବେଳେ ଆପଣ ନାଚଗୀତରେ ମସଗୁଲ ରହିବେ । ଆଉ ଯଦି ଆପଣଙ୍କ ପାଦ ଓ ହାତ ଅଙ୍ଗୁଳିର ନଖ ଠିକ୍ ରହି ନଥିବ ତାହା ହେଲେ ଆପଣ ଲଜ୍ଜିତ ହେବେ ନିଶ୍ଚୟ । ତେଣୁ ସୁନ୍ଦରତା ଦୃଷ୍ଟିରୁ ଏ ଦିଗ ପ୍ରତି ବି ଧ୍ୟାନ ଦେବାକୁ ପଡିବ ।
ଦାନ୍ତର ଯତ୍ନ ନିଅନ୍ତୁ
ବିବାହ ଫଟୋଗ୍ରାଫରେ ଆପଣଙ୍କ ବିବର୍ଣ୍ଣ ସ୍ମିତହାସ୍ୟ ଦୃଶ୍ୟମାନ ହେବା , ଆପଣ କେବେ ଚାହିଁବେ ନାହିଁ । ତେଣୁ ଉଜ୍ଜ୍ୱଳ ଦାନ୍ତ ପାଇଁ ଯତ୍ନବାନ ହେବା ଜରୁରୀ । ଯଦି ଆପଣ କଫି ପିଅନ୍ତି ବା ଧୂମପାନ କରନ୍ତି, ତାହା ହେଲେ ଦାନ୍ତ ହଳଦିଆ ହୋଇଯିବ । ତେଣୁ ବିବାହର ଦୁଇ ସପ୍ତାହ ପୂର୍ବରୁ ଟିଥ୍ କ୍ଲିନିଂ ସେସନ କରିବା ଜରୁରୀ ।
ALSO READ: https://purvapaksa.com/vitamin-b/