Greeting Card: ନୂଆ ଆଶା, ଉଦ୍ଦୀପନା ନେଇ ପୁଣି ଆରମ୍ଭ ହେବ ନୂଆ ବର୍ଷ ।
୨୦୨୫କୁ ସ୍ୱାଗତ କରିବା ପାଇଁ ବେଶ ଚଳଚଞ୍ଚଳ ଗାଁଠୁ ସହର। ନୂଆ ବର୍ଷ କହିଲେ ମନେ ପଡ଼ିଯାଏ ସେହି ପୁରୁଣା କଥା । ସ୍କୁଲ କଥା । ମନେ ପଡ଼ିଯାଏ ସେହି ବଜାରରେ ବିକ୍ରି ହେଉଥିବା ରଙ୍ଗବିରଙ୍ଗ, ସୁନ୍ଦର ଫୁଲ, ଠାକୁର, ପସନ୍ଦର ଅଭିନେତା ଓ ଅଭିନେତ୍ରୀ ସହ ଆହୁରି ଅନେକ ପ୍ରକାରର ଗ୍ରୀଟିଙ୍ଗସ କାର୍ଡ଼। ପ୍ରତିଦିନ ସ୍କୁଲ ଯିବାକୁ ଇଛା ହଉ ନଥିଲେ ମଧ୍ୟ ନୂଆ ବର୍ଷରେ ସ୍କୁଲ ଯିବାକୁ ବେଶ ଆଗ୍ରହର ସହ ସକାଳର ଅପେକ୍ଷା କରିଥାଉ।
ସାଙ୍ଗମାନଙ୍କୁ ବଜାରରେ ବିକ୍ରି ହେଉଥିବା ଗ୍ରୀଟିଙ୍ଗସ କାର୍ଡ଼ ଦେଉଥିଲେ ମଧ୍ୟ ଯିଏ ଆମ ସବୁଠାରୁ ଭଲ ସାଙ୍ଗ ତା ପାଇଁ ନିଜ ହାତରେ ତିଆରି କରିଥିବା ସବୁଠାରୁ ସୁନ୍ଦର ଗ୍ରୀଟିଙ୍ଗସ କାର୍ଡ଼ ଦେଉ।କାରଣ ସେହି ସାଙ୍ଗଟା ଆମ ପାଇଁ ସେତେ ହିଁ ସ୍ପେସିଆଲ ହୋଇଥାଏ । ତାପରେ ଟିଉସନ ସାଙ୍ଗ, ଘର ପାଖ ସାଙ୍ଗ, ଛୋଟ ଭାଇ ଓ ଭଉଣୀ ମାନଙ୍କୁ ମଧ୍ୟ ଦେଇଥାଉ।
ଆଉ ଶେଷରେ ରାତିରେ ବସି ଗଣୁ ଏଥର ନୂଆ ବର୍ଷରେ ଆମକୁ କେତୋଟି ଗ୍ରୀଟିଙ୍ଗସ କାର୍ଡ଼ ମିଳିଛି। ଏହି ସବୁ ଦିନ କେତେ ଜଲଦି ଚାଲିଯାଏ ଜଣା ହିଁ ପଡ଼ିନଥାଏ ।
ଗ୍ରୀଟିଙ୍ଗସ କାର୍ଡ଼ ଭିତରେ ଲେଖା ହୋଇଥିବା ଶୁଭେଚ୍ଛା ଅପମାନଙ୍କୁ ମଧ୍ୟ ନିଶ୍ଚୟ ମାନେ ଥିବ । ଏହି ଲେଖା ସାମାନ୍ୟ ଗ୍ରୀଟିଙ୍ଗସ କାର୍ଡ଼କୁ ଆହୁରି ଅଧିକ ସ୍ପେସିଆଲ କରିଥାଏ।ଯେମିତି କି ”ହାତୀ ଚାଲେ ଦମ ଦମ, ସାଙ୍ଗ ତୁମକୁ ୱେଲକମ୍”,
”ବୁଣିଲି ଶୋରିଷ ଉଠିଲା ବିରି, ଛୋଟ ଉପହାର ଭାବି ନଦେବ ଚିରି”, ନୀଳ ନୀଳ ଆକାଶରେ ଫିକା ଫିକା ଚାନ୍ଦିନୀ, ରାଣଦେଇ କହୁଅଛି ସାଙ୍ଗ ମୋତେ ଭୁଲି ଯିବନି”, କାଉ ରାବେ କା କା, ସାଙ୍ଗକୁ ମୋର ଟା ଟା”, ”ଆଗରେ କାର ପଛରେ କାର, ସାଙ୍ଗକୁ ମୋର ନମସ୍କାର”।
ହେଲେ ବର୍ତ୍ତମାନ ଆଉ ସେହି ଗ୍ରୀଟିଙ୍ଗସ କାର୍ଡ଼ର ବ୍ୟବହାର ଏତେ ବିଶେଷ ଦେଖା ଯାଇନାହିଁ । ଏବେ ବଜାରରେ ମଧ୍ୟ ବହୁତ କମ ବିକ୍ରି ହୋଇଥାଏ ଗ୍ରୀଟିଙ୍ଗସ କାର୍ଡ଼ । ଫୋନ, ସୋସିଆଲ ମିଡ଼ିଆ, ଫେସବୁକର ସମୟରେ ବହୁତ ପଛରେ ରହିଯାଇଛି ଗ୍ରୀଟିଙ୍ଗସ କାର୍ଡ଼ । ଆଜି ବି ଯଦି ଆମେ ଆମ ଘରେ ଖୋଜିବା ତେବେ ଅତି କମରେ ୨କିମ୍ବା ୩ଟି କାର୍ଡ଼ ମିଳିଯାଇପାରେ । ଯାହା ଗ୍ରୀଟିଙ୍ଗସ କାର୍ଡ଼ ପ୍ରତି ଥିବା ଆମ ଭଲପାଇବାକୁ ଦର୍ଶାଏ ।
ALSO READ: https://purvapaksa.com/jagannath-temple/