SHG: ଓଡ଼ିଶାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍ଏଚଜି) ପାଇଁ ବିନା ସୁଧରେ ଋଣ ଯୋଜନା ଜାରି ରଖିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅନୁମୋଦନ କରିଛନ୍ତି। ଏହି ଯୋଜନାଦ୍ୱାରା ସେମାନେ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ କରିପାରିବେ।
ଏସ୍ଏଚଜି ଋଣ ଉପରେ ସୁଧ ଛାଡ଼ ସୁବିଧା ପୂର୍ବରୁ ୩୧ମାର୍ଚ୍ଚ, ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ଏବଂ ମୁଖ୍ୟମନ୍ତ୍ରୀଙ୍କ ନୂତନ ଅନୁମୋଦନ ପରେ ୨୦୨୫-୨୬ ଆର୍ଥିକ ବର୍ଷ ଏବଂ ପରବର୍ତ୍ତୀ ବର୍ଷଗୁଡ଼ିକ ପାଇଁ ଏହା ଜାରି ରହିବ ବୋଲି ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି।
ଏହି ଯୋଜନା ମହିଳା ଉଦ୍ୟୋଗୀଙ୍କୁ ସହାୟତା କରିବ ଏବଂ ଓଡ଼ିଶାରେ ଅଧିକ ‘ଲକ୍ଷପତି ଦିଦି’ ସୃଷ୍ଟି କରିବାରେ ସହାୟକ ହେବ ବୋଲି ମାଝୀ କହିଛନ୍ତି। ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ମାଧ୍ୟମରେ ରାଜ୍ୟର ଗ୍ରାମୀଣ ଓ ସହରାଞ୍ଚଳ ଅର୍ଥନୀତିକୁ ସୁଦୃଢ଼ କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି।
୨୦୧୯ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି କାର୍ଯ୍ୟକ୍ରମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ପାଇଁ ଶୂନ ପ୍ରତିଶତ ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ୨୦୨୨ ଏପ୍ରିଲରେ ଏସଏଚଜି ଋଣ ଉପରେ ସୁଧ ଛାଡ଼ ସୁବିଧାକୁ ୫ ଲକ୍ଷ ଟଙ୍କା ଏବଂ ଫେବୃଆରୀ ୨୦୨୪ରେ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା।
୨୫୦୦ ନୂଆ ହୋମଗାର୍ଡ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
ଓଡ଼ିଶାରେ ଆଇନ ପ୍ରବର୍ତ୍ତନ ଓ ଜନସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ୨୫୦୦ ନୂଆ ହୋମଗାର୍ଡ ପଦବୀ ସୃଷ୍ଟି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ଏହି ଅନୁମୋଦନ ରାଜ୍ୟରେ ହୋମଗାର୍ଡଙ୍କ ମଞ୍ଜୁରୀପ୍ରାପ୍ତ କର୍ମଚାରୀଙ୍କ ସଂଖ୍ୟା ୧୭,୬୭୫ରୁ ୨୦,୧୭୫କୁ ବୃଦ୍ଧି ପାଇବ।
ଏପ୍ରିଲ ୯ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ବୈଠକ ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକୁ ଅଧିକ ସୁଦୃଢ଼ କରିବା ଏବଂ ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ଗୃହ ବିଭାଗରେ ଖାଲି ପଡ଼ିଥିବା ୧୨,୦୦୦ରୁ ଅଧିକ ପଦବୀ ପୂରଣ ପାଇଁ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରିସାରିଛନ୍ତି।
ଏହି ନିଯୁକ୍ତି ଅଭିଯାନରେ ଓଡ଼ିଶା ସ୍ପେଶାଲ ଷ୍ଟ୍ରାଇକିଂ ଫୋର୍ସ (୩,୦୦୩), ଓଡ଼ିଶା ଶିଳ୍ପ ସୁରକ୍ଷା ବଳ (୩,୦୦୦), ଟ୍ରାଫିକ୍ ପୋଲିସ (୨,୦୦୦), ହୋମଗାର୍ଡ (୫,୦୦୦), ପବ୍ଲିକ ପ୍ରସିକ୍ୟୁସନ ନିର୍ଦ୍ଦେଶାଳୟ (୨୬୭) ଏବଂ ରାଜ୍ୟ ଫରେନସିକ୍ ବିଜ୍ଞାନ ବିଭାଗ (୨୫୪) ଭଳି ପ୍ରମୁଖ ୟୁନିଟରେ ପଦବୀ ରହିବ।
ରାଜ୍ୟରେ ବଢୁଥିବା ସାଇବର କ୍ରାଇମ ମାମଲାର ମୁକାବିଲା ପାଇଁ ୨୦ଟି ସାଇବର ଥାନା ପ୍ରତିଷ୍ଠା କରିବା ଏବଂ ପ୍ରତ୍ୟେକ ଥାନାରେ କ୍ରାଇମ ସିନ୍ ଅଫିସର ପଦବୀ ପ୍ରଚଳନ କରିବାର ଯୋଜନା ସମ୍ପର୍କରେ ସେ ସୂଚନା ଦେଇଥିଲେ।
ALSO READ: https://purvapaksa.com/sani-initiative-for-beggar-free-capital-bhubaneswar/