Millet Beverage: ରାଜ୍ୟରେ ଏକ ସ୍ୱଚ୍ଛ ଅବକାରୀ ନୀତି ଗ୍ରହଣ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥି ସହ ସମ୍ପୃକ୍ତ ଅଂଶୀଦାରମାନଙ୍କ ସମେତ ରାଜ୍ୟବାସୀ ଉପକୃତ ହୋଇପାରିବେ ଏ ନେଇ ବ୍ୟବସ୍ଥା କରାଯାଉଛି।
ରାଜ୍ୟରେ ମାଣ୍ଡିଆ, ଯଅ, ଓ ବାଜରାଭିତ୍ତିକ ମଦ ପ୍ରସ୍ତୁତି ସହ ବ୍ୟବସାୟିକ ପ୍ରୋତ୍ସାହନ, ମଦ ଅପମିଶ୍ରଣ ରୋକିବା, ବ୍ୟାପକ ସଚେତନତା ନେଇ ଅବକାରୀ ବିଭାଗ ପକ୍ଷରୁ ଆୟୋଜିତ ବୈଠକରେ ଆଲୋଚନା ହୋଇଥିଲା। ସେହିଭଳି ଜନଜାତି ବର୍ଗଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମହୁଲ ଫୁଲର ସଂଗ୍ରହ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତି ଆବଶ୍ୟକୀୟ ଅର୍ଥ ପାଇପାରିବ ଏ ନେଇ ବୈଠକରେ ବ୍ୟାପକଭାବେ ଆଲୋଚନା କରାଯିବା ସହ ସମ୍ପୃକ୍ତ ବିଭାଗଗୁଡ଼ିକ ସେମାନଙ୍କର ମତାମତ ପ୍ରଦାନ କରିଥିଲେ।
ରାଜ୍ୟରେ ଏକ ସ୍ୱଚ୍ଛ ଅବକାରୀ ନୀତି ଗ୍ରହଣ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥି ସହ ସମ୍ପୃକ୍ତ ଅଂଶୀଦାରମାନଙ୍କ ସମେତ ରାଜ୍ୟବାସୀ ଉପକୃତ ହୋଇପାରିବେ ଏ ନେଇ ବ୍ୟବସ୍ଥା କରାଯାଉଛି। ରାଜ୍ୟରେ ଅବକାରୀ ନୀତି ୨୦୨୫-୨୬ ପ୍ରଣୟନ ପାଇଁ ଚିଠା ପ୍ରସ୍ତାବ ଉପରେ ଅଂଶୀଦାରମାନଙ୍କ ମତାମତ ସମ୍ପର୍କିତ ଏକ ବୈଠକ ରାଜ୍ୟ ଅତିଥି ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଧ୍ୟକ୍ଷତା କରିଥିବାବେଳେ ବିଭାଗୀୟ କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ଏବଂ ଅବକାରୀ କମିଶନର ନରସିଂହ ଭୋଳ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟରେ କୌଣସି ନୀତି ପ୍ରଣୟନ ପୂର୍ବରୁ ଜନସାଧାରଣ ଓ ଅଂଶୀଦାରମାନଙ୍କ ମତାମତ ଗ୍ରହଣ କରାଗଲେ ସମ୍ପୃକ୍ତ ଆଇନ ଗ୍ରହଣୀୟ ହୋଇଥାଏ। ଏକ ଆଇନରେ ସମସ୍ତଙ୍କର ମତାମତ ସ୍ଥାନ ପାଇଲେ ଏହା ଉଭୟ ସରକାର ଓ ଜନସାଧାରଣଙ୍କ ପାଇଁ ଉତ୍ସାହପ୍ରଦ ହୋଇଥାଏ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଥିଲେ।
ବୈଠକ ପ୍ରାରମ୍ଭରେ କମିଶନର ତଥା ଶାସନ ସଚିବ ଅବକାରୀ ନୀତି ସମ୍ପର୍କରେ ଉପସ୍ଥାପନା ରଖିଥିଲେ। ଏହି ଅବକାରୀ ନୀତି ରାଜ୍ୟରେ ନୂତନ ପୁଞ୍ଜିନିବେଶ, ଇଜ୍ ଅଫ୍ ଡୁଇଂ ବିଜିନେସ୍, ବ୍ୟବସ୍ଥାରେ ସ୍ୱଚ୍ଛତା, ମିଲେଟ୍ଭିତ୍ତିକ ପାନୀୟ ପ୍ରସ୍ତୁତ, ଉତ୍କର୍ଷ ଓଡ଼ିଶା ଅନୁପାଳନକୁ ପ୍ରୋତ୍ସାହନ ଦେବା ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା।
ଏଥିରେ ମଦ ପ୍ରସ୍ତୁତକାରୀ କମ୍ପାନୀର ପ୍ରତିନିଧି, ହୋଟେଲ ଓ ରେସ୍ତୋରାଁ ସଂଘର କର୍ମକର୍ତ୍ତା, ଲାଇସେନ୍ସ ପ୍ରାପ୍ତ ଖୁଚୁରା ବ୍ୟବସାୟୀ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଶିଳ୍ପ, ଅର୍ଥ, ଜଙ୍ଗଲ ଓ ପଞ୍ଚାୟତିରାଜ ବିଭାଗର ଅଧିକାରୀମାନଙ୍କ ସହ ପର୍ଯ୍ୟାୟଭିତ୍ତିକ ଆଲୋଚନା କରାଯାଇ ସେମାନଙ୍କର ମତାମତ ଲୋଡ଼ା ଯାଇଥିଲା।