Scientists:ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଅଧିକାଂଶ ଲୋକ ଏବେବି ବୈଜ୍ଞାନିକଙ୍କୁ ବିଶ୍ୱାସ କରନ୍ତି। ଯଦିଓ ଏହି ବିଶ୍ୱାସ ବିଭିନ୍ନ ଦେଶରେ ସାମାନ୍ୟ କମ୍ କିମ୍ବା କମ୍ ହୋଇପାରେ। ନେଚର ପତ୍ରିକାରେ ପ୍ରକାଶିତ ଏହି ଗବେଷଣା ୬୮ଟି ଦେଶରେ ହୋଇଥିବା ଏକ ବିଶ୍ୱସ୍ତରୀୟ ସର୍ଭେ ଉପରେ ଆଧାରିତ। ଆସନ୍ତୁ ଜାଣିବା ଏ ବିଷୟରେ ବିସ୍ତୃତଭାବେ…
ବୈଜ୍ଞାନିକମାନଙ୍କ ଭୂମିକା ଆମ ଜୀବନରେ ଏକ ଅଦୃଶ୍ୟ ଶକ୍ତି ପରି– ତେଣିକି ତାହା ନୂତନ ଔଷଧ ଆବିଷ୍କାର ହେଉ, ଜଳବାୟୁ ପରିବର୍ତ୍ତନର ମୁକାବିଲା ହେଉ କିମ୍ବା ଟେକ୍ନୋଲୋଜି ଯାହା ଆମର ଦୈନନ୍ଦିନ କାର୍ଯ୍ୟକୁ ସହଜ କରିଥାଏ। କିନ୍ତୁ ଆମ ଭବିଷ୍ୟତ ଗଠନ କରୁଥିବା ବୈଜ୍ଞାନିକମାନଙ୍କ ଉପରେ ଲୋକମାନେ ବିଶ୍ୱାସ କରନ୍ତି କି?
ବିଗତ କିଛିବର୍ଷ ହେବ ବିଜ୍ଞାନ ଓ ବୈଜ୍ଞାନିକ ଗବେଷଣା ଉପରେ ଜନସାଧାରଣଙ୍କ ବିଶ୍ୱାସ ହ୍ରାସ ପାଉଥିବାରୁ ଚିନ୍ତା ବଢ଼ିବାରେ ଲାଗିଛି। ତେବେ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ଅଧିକାଂଶ ଲୋକ ଏବେବି ବୈଜ୍ଞାନିକମାନଙ୍କୁ ବିଶ୍ୱାସ କରନ୍ତି, ଯଦିଓ ବିଭିନ୍ନ ଦେଶରେ ଏହି ବିଶ୍ୱାସ ସାମାନ୍ୟ ଅଧିକ କିମ୍ବା କମ୍ ହୋଇପାରେ। ଆସନ୍ତୁ ଜାଣିବା ଏହା ବିଷୟରେ ବିସ୍ତୃତ ଭାବେ।
ଗବେଷଣା କ‘ଣ କହୁଛି?
ନେଚର ପତ୍ରିକାରେ ପ୍ରକାଶିତ ଏହି ରିପୋର୍ଚ ଅନୁସାରେ ୬୮ଟି ଦେଶର ୭୧,୯୨୨ ଜଣଙ୍କୁ ଏହି ଗବେଷଣାରେ ସାମିଲ କରାଯାଇଥିଲା। ୨୪୧ ଗବେଷକଙ୍କ ଏକ ଅନ୍ତର୍ଜାତୀୟ ଟିମ୍ ସହଯୋଗରେ ଇଟିଏଚ୍ ଜୁରିକ୍ ଏବଂ ଜୁରିକ୍ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହି ଅଧ୍ୟୟନ କରିଥିଲେ। ଅଧ୍ୟୟନରୁ ଜଣାପଡିଛି ଯେ ଅଧିକାଂଶ ଲୋକ ବୈଜ୍ଞାନିକମାନଙ୍କୁ ସଚ୍ଚୋଟ, ସକ୍ଷମ ଏବଂ ସମାଜର ମଙ୍ଗଳ ପାଇଁ କାର୍ଯ୍ୟ କରୁଥିବା ବ୍ୟକ୍ତି ଭାବେ ଗଣନା କରନ୍ତି।
ବୈଜ୍ଞାନିକମାନେ ହାରାହାରି ୫ରୁ ୩.୬୨ ନମ୍ବର ରଖିଛନ୍ତି। ଏହା ଦର୍ଶାଉଛି ଯେ ବୈଜ୍ଞାନିକମାନଙ୍କ ଉପରେ ବିଶ୍ୱାସ କମିନାହିଁ। ୭୮ ପ୍ରତିଶତ ବୈଜ୍ଞାନିକ ଗୁରୁତ୍ୱପୂର୍ଣ୍ଣ ଗବେଷଣା କରିବାରେ ସକ୍ଷମ ଅଟନ୍ତି ବୋଲି କହିଥିବାବେଳେ ୫୭ ପ୍ରତିଶତ ସେମାନଙ୍କ ସଚ୍ଚୋଟତାକୁ ପ୍ରଶଂସା କରିଛନ୍ତି।
ବିଭିନ୍ନ ଦେଶର ସ୍ଥିତି କ‘ଣ?
ଡେନମାର୍କ, ଫିନଲ୍ୟାଣ୍ଡ ଓ ସ୍ୱିଡେନ ଭଳି ଦେଶରେ ବୈଜ୍ଞାନିକଙ୍କ ଉପରେ ଭରସା ଅଧିକ ରହିଛି। ଡେନମାର୍କରେ ଲୋକମାନେ ବୈଜ୍ଞାନିକଙ୍କ ସଚ୍ଚୋଟତା ଏବଂ ଦକ୍ଷତା ଉପରେ ବିଶ୍ୱାସ କରନ୍ତି । ଫିନଲ୍ୟାଣ୍ଡରେ ସ୍ୱଚ୍ଛତା ଏବଂ ସ୍ୱିଡେନରେ ପ୍ରମାଣ ଭିତ୍ତିକ ନୀତି ନିର୍ଦ୍ଧାରଣକୁ ପସନ୍ଦ କରାଯାଏ।
ଜର୍ମାନୀରେ ଲୋକମାନେ ଉଦ୍ଭାବନ ପ୍ରତି ସକାରାତ୍ମକ ମନୋଭାବ ରଖୁଥିବାବେଳେ କାନାଡାରେ ବୈଜ୍ଞାନିକମାନଙ୍କୁ ଦୟାଳୁ ଏବଂ ସହଯୋଗୀ ଭାବରେ ଦେଖାଯାଏ । ଅଷ୍ଟ୍ରେଲିଆରେ ବୈଜ୍ଞାନିକ ଗବେଷଣା ଉପରେ ବିଶ୍ୱାସ ଶୀର୍ଷରେ ରହିଛି।
ରୁଷରେ ବୈଜ୍ଞାନିକଙ୍କୁ ନେଇ ରହିଛି ବିଶ୍ୱାସର ଅଭାବ
ଅପରପକ୍ଷରେ ରୁଷ, କାଜାଖସ୍ତାନ ଓ ବେଲାରୁସ୍ ଭଳି ଦେଶରେ ବୈଜ୍ଞାନିକଙ୍କ ଉପରେ ଅପେକ୍ଷାକୃତ କମ୍ ବିଶ୍ୱାସ ଦେଖିବାକୁ ମିଳିଥିଲା। ରୁଷିଆରେ ଅନୁଷ୍ଠାନିକ ବିଜ୍ଞାନ ଉପରେ ଅବିଶ୍ୱାସ ରହିଛି। ଏହାପଛରେ ସୋଭିଏତ ଅମଳର ମିଥ୍ୟା ସରକାରୀ ପ୍ରଚାର ଗୋଟିଏ କାରଣ ହୋଇପାରେ। ଅନ୍ୟପକ୍ଷରେ ଗୋଟିଏ ସମୟରେ ସୋଭିଏତ ସଂଘରେ ସାମିଲ ଥିବା କାଜାଖସ୍ତାନରେ ଏବେ ମଧ୍ୟ ବୈଜ୍ଞାନିକଙ୍କୁ ନେଇ ସନ୍ଦେହ ରହିଛି। ବେଲାରୁସରେ ସ୍ୱଚ୍ଛତାର ଅଭାବ ଯୋଗୁଁ ବିଶ୍ୱାସର ଅଭାବ ରହିଛି।
ଭାରତରେ ବୈଜ୍ଞାନିକଙ୍କୁ ନେଇ ବିଶ୍ୱାସ ରହିଛି କି?
ଏହି ମାମଲାରେ ଭାରତକୁ ‘ସାମାନ୍ୟ ଉଚ୍ଚ ବିଶ୍ୱାସ’ ଶ୍ରେଣୀରେ ରଖାଯାଇଛି। ଭାରତୀୟମାନେ ସାଧାରଣତଃ ବୈଜ୍ଞାନିକମାନଙ୍କ ଦକ୍ଷତା ଏବଂ ସମାଜ କଲ୍ୟାଣରେ ସେମାନଙ୍କ ଅବଦାନକୁ ସକାରାତ୍ମକ ଦୃଷ୍ଟିରେ ଦେଖନ୍ତି। ତେବେ ଶିକ୍ଷା, ଆୟ ଓ ସହରାଞ୍ଚଳ-ଗ୍ରାମୀଣ ବିଭାଜନ ଭଳି କାରଣ ଲୋକଙ୍କ ବିଶ୍ୱାସକୁ ପ୍ରଭାବିତ କରିଥାଏ।
ବୈଜ୍ଞାନିକଙ୍କଠାରୁ ଲୋକେ କ‘ଣ ଚାହୁଁଛନ୍ତି?
ଗବେଷଣାରୁ ଏହା ମଧ୍ୟ ଜଣାପଡ଼ିଛି ଯେ ପୁରୁଷ ଏବଂ ଯୁବକଙ୍କ ଅପେକ୍ଷା ମହିଳା ଏବଂ ବୟସ୍କମାନେ ବୈଜ୍ଞାନିକମାନଙ୍କୁ ଅଧିକ ବିଶ୍ୱାସ କରନ୍ତି। ସେହିପରି ସହରାଞ୍ଚଳ, ଶିକ୍ଷିତ ଓ ଅର୍ଥନୈତିକ ଦୃଷ୍ଟିରୁ ସମୃଦ୍ଧ ଲୋକମାନେ ବୈଜ୍ଞାନିକଙ୍କ ଉପରେ ଅଧିକ ଭରସା କରନ୍ତି। ନୀତି ପ୍ରସ୍ତୁତିରେ ବୈଜ୍ଞାନିକମାନେ ଅଧିକ ସକ୍ରିୟ ଭୂମିକା ଗ୍ରହଣ କରନ୍ତୁ ବୋଲି ଜନସାଧାରଣଙ୍କ ମୁଖ୍ୟ ଆଶା। କିନ୍ତୁ ଯଦି ଲୋକମାନେ ଅନୁଭବ କରନ୍ତି ଯେ ବୈଜ୍ଞାନିକମାନେ ସେମାନଙ୍କ ସମସ୍ୟା ଏବଂ ପ୍ରାଥମିକତା ପ୍ରତି ଧ୍ୟାନ ଦେଉନାହାଁନ୍ତି, ତେବେ ସେମାନଙ୍କ ବିଶ୍ୱାସ ଦୁର୍ବଳ ହୋଇପାରେ।
ବିଶ୍ୱାସ କିପରି ବଜାୟ ରଖାଯାଇପାରିବ?
ଯଦିଓ ସାମଗ୍ରିକଭାବେ ବୈଜ୍ଞାନିକଙ୍କ ଉପରେ ବିଶ୍ୱାସ ଦୃଢ଼ ରହିଛି, ତଥାପି ବଜାୟ ରଖିବା ପାଇଁ କିଛି ଚ୍ୟାଲେଞ୍ଜ ରହିଛି। ପୂର୍ବର କିଛି ଅନୈତିକ ମାମଲା କେତେକ ସମ୍ପ୍ରଦାୟ ମଧ୍ୟରେ ବିଶ୍ୱାସ ହ୍ରାସ କରିଛି। ଏହାବ୍ୟତୀତ ଭୁଲ ସୂଚନା ଏବଂ ‘ବିଜ୍ଞାନ ଲୋକପ୍ରିୟତା’ ଭଳି ଧାରା ବୈଜ୍ଞାନିକମାନଙ୍କ ବିଶ୍ୱସନୀୟତାକୁ କ୍ଷତି ପହଞ୍ଚାଇପାରେ।
ଏହି ଗବେଷଣାରୁ ଏହା ପ୍ରମାଣିତ ହୋଇଛି ଯେ ବୈଜ୍ଞାନିକମାନଙ୍କ ଉପରେ ବିଶ୍ୱାସ ଦୃଢ଼ ରହିଛି, କିନ୍ତୁ ସ୍ୱଚ୍ଛତା, ଆଲୋଚନା ଏବଂ ଜନସାଧାରଣଙ୍କ ପ୍ରାଥମିକତା ପ୍ରତି ଧ୍ୟାନ ବଜାୟ ରଖିବା ଜରୁରୀ । ବୈଜ୍ଞାନିକମାନଙ୍କୁ ବିଭିନ୍ନ ଦେଶ ଓ ସମୁଦାୟରେ ଥିବା ଆହ୍ୱାନକୁ ବୁଝି ନିଜ ଭୂମିକାକୁ ସୁଦୃଢ଼ କରିବାକୁ ପଡ଼ିବ।
