ଗାନ୍ଧୀ ହତ୍ୟାକାଣ୍ଡ ପରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଉପରେ ପ୍ରତିବନ୍ଧକ ସମୟରେ ଏକ ସମାନ ବିଚାରଧାରାର ରାଜନୈତିକ ଦଳର ଆବଶ୍ୟକତା ଅନୁଭବ ହେଉଥିଲା, ଯାହା ସଂସଦ ଓ ବାହାରେ ସଂଘର ପକ୍ଷକୁ ଦୃଢ଼ତାର ସହ ଉପସ୍ଥାପନ କରିପାରିବ। ୧୫ ଅପ୍ରେଲ ୧୯୫୦ରେ ପଣ୍ଡିତ ନେହୁରୁଙ୍କ ମନ୍ତ୍ରିମଣ୍ଡଳରୁ ଶ୍ୟାମା ପ୍ରସାଦ ମୁଖର୍ଜୀଙ୍କ ଇସ୍ତଫା ପରେ ସଂଘ ଓ ତାହାର ଶୁଭଚିନ୍ତକମାନେ ତାଙ୍କର ସାର୍ବଜନୀନ ଅଭିନନ୍ଦନ କରିଥିଲେ। ସେତେବେଳେ ସୁଦ୍ଧା ମୁଖର୍ଜୀଙ୍କର ହିନ୍ଦୁ ମହାସଭା ସହ ଦୂରତ୍ୱ ବହୁତ ବଢ଼ି ଯାଇଥିଲା।
ସଂଘର ସହଯୋଗରେ ଏକ ନୂଆ ଦଳ ଗଠନ ପାଇଁ ସେ ପ୍ରୟାସ କରୁଥିଲେ। ସଂଘର ଅନେକ ପଦାଧିକାରୀ ମଧ୍ୟ ଏହାକୁ ନେଇ ଉତ୍ସାହିତ ଥିଲେ। କିନ୍ତୁ ସଂଘ ମୁଖ୍ୟ ଗୋଲୱାଲକର କୌଣସି ରାଜନୈତିକ ଦଳ ସହ ସଂଘର ସମ୍ପର୍କ ନେଇ ଦ୍ୱିଧାରେ ଥିଲେ। ପ୍ରଥମ ସାଧାରଣ ନିର୍ବାଚନ ନିକଟବର୍ତୀ ଥିଲା। ମୁଖର୍ଜୀ ଅପେକ୍ଷା କରିବାକୁ ପ୍ରସ୍ତୁତ ନ ଥିଲେ। ତାଙ୍କ ସମର୍ଥକମାନେ ଓଡ଼ିଶାରେ “ଗଣତନ୍ତ୍ର ପରିଷଦ” ନାମକ ଏକ ନୂଆ ଦଳର ଘୋଷଣା କରି ଦେଇଥିଲେ।
ଗଣତନ୍ତ୍ର ପରିଷଦ ନିର୍ବାଚନ ଚିହ୍ନ
ଏହା ସହିତ, ମୁଖର୍ଜୀ ବଙ୍ଗାଳକୁ ଫେରିଯାଇ “ଇଣ୍ଡିଆନ ପିପୁଲ୍ସ ପାର୍ଟି” ନାମକ ଏକ ନୂଆ ଦଳ ଗଠନ କରିଥିଲେ। ଏହି ମୁହୂର୍ତ୍ତରେ ସଂଘକୁ ଅନୁଭବ ହେଲା ଯେ ଆଉ ବିଳମ୍ବ କଲେ ଡକ୍ଟର ଶ୍ୟାମା ପ୍ରସାଦ ମୁଖର୍ଜୀଙ୍କ ନେତୃତ୍ୱରୁ ବଞ୍ଚିତ ହେବାକୁ ପଡ଼ିବ। ତା’ପରେ ସଂଘ ରାଜି ହେଲା। ମୁଖର୍ଜୀଙ୍କ ନେତୃତ୍ୱରେ ଭାରତୀୟ ଜନସଂଘର ଗଠନ ଘୋଷଣା ହେଲା। ତାଙ୍କର “ଇଣ୍ଡିଆନ ପିପୁଲ୍ସ ପାର୍ଟି” ଜନସଂଘରେ ବିଲୀନ ହେଲା।
୮ ଅପ୍ରେଲ ୧୯୫୦ରେ ଦିଲ୍ଲୀରେ ନେହୁରୁ-ଲିୟାକତ ଚୁକ୍ତିକୁ ଡକ୍ଟର ଶ୍ୟାମା ପ୍ରସାଦ ମୁଖର୍ଜୀ ବଙ୍ଗାଳର ହିନ୍ଦୁମାନଙ୍କ ସହ ବିଶ୍ୱାସଘାତକତା ବୋଲି ଅଭିହିତ କରିଥିଲେ। ଏହାର ବିରୋଧରେ ହିଁ ୧୫ ଅପ୍ରେଲ ୧୯୫୦ରେ ସେ ନେହୁରୁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିଲେ। ସରଦାର ପଟେଲଙ୍କର ୧୫ ଡିସେମ୍ବର ୧୯୫୦ରେ ମୃତ୍ୟୁ ହୋଇଯାଇଥିଲା। ପଟେଲଙ୍କ ମୃତ୍ୟୁ ପରେ କଂଗ୍ରେସ ଅଧ୍ୟକ୍ଷ ପୁରୁଷୋତ୍ତମ ଦାସ ଟଣ୍ଡନ ପଣ୍ଡିତ ନେହୁରୁଙ୍କ ଚାପରେ ପଦରୁ ଇସ୍ତଫା ଦେଇଥିଲେ। ପ୍ରାରମ୍ଭରେ ଟଣ୍ଡନଙ୍କଠାରୁ ଉତ୍ସାହିତ ଥିବା ସଂଘ ତାଙ୍କଠାରୁ ନିରାଶ ହୋଇଥିଲା। ସଂଘକୁ ଏବେ ମୁଖର୍ଜୀଙ୍କଠାରୁ ଆଶା ଥିଲା।
ମୁଖର୍ଜୀଙ୍କୁ ମଧ୍ୟ ଏକ ନୂଆ ରାଜନୈତିକ ଦଳ ପାଇଁ ଏକ ସଶକ୍ତ ସଂଗଠନର ସହଯୋଗ ଆବଶ୍ୟକ ଥିଲା। ଉଭୟେ ପରସ୍ପରକୁ ଆକର୍ଷିତ କରୁଥିଲେ। ଗୁରୁଜୀ ଗୋଲୱାଲକରଙ୍କ ସହ ମୁଖର୍ଜୀଙ୍କର ସାକ୍ଷାତ୍ ହୋଇଥିଲା। ସହଯୋଗୀ ରାଜନୈତିକ ଦଳର ଆବଶ୍ୟକତା ଅନୁଭବ କରୁଥିବା ସତ୍ତ୍ୱେ ଗୁରୁଜୀଙ୍କୁ ଚିନ୍ତା ଥିଲା ଯେ ରାଜନୈତିକ କ୍ଷମତାର ଆକର୍ଷଣ କେଉଁଠି ସଂଘର ସ୍ୱୟଂସେବକମାନଙ୍କୁ ଉଦ୍ଦେଶ୍ୟରୁ ବିଚ୍ୟୁତ ନ କରେ।
ଗାନ୍ଧୀ ହତ୍ୟାକାଣ୍ଡ ପରେ ପ୍ରତିବନ୍ଧକ ସମୟରେ ସଂଘକୁ ବିଶେଷତଃ ସଂସଦରେ ତା’ର ବିଚାରଧାରାର ସାଂସଦଙ୍କ ଅଭାବ ଅନୁଭବ ହୋଇଥିଲା। ସେଠାରେ ତା’ର ପକ୍ଷ ରଖିବାକୁ କେହି ନ ଥିଲେ। ୧୧ ଜୁଲାଇ ୧୯୪୯ରେ ପ୍ରତିବନ୍ଧକ ଉଠିବା ପରେ ସଂଘର ଅଗ୍ରଣୀ ଶ୍ରେଣୀର ଏକ ବଡ଼ ଅଂଶ ଏକ ଅନୁକୂଳ ରାଜନୈତିକ ଦଳ ଗଠନର ପକ୍ଷରେ ସକ୍ରିୟ ଥିଲା। ସଂଘ ମୁଖ୍ୟ ଗୁରୁଜୀ ମଧ୍ୟ ଏହାର ବିରୋଧୀ ନ ଥିଲେ। କିନ୍ତୁ ବୈଚାରିକ ସମର୍ଥନ ପାଇଁ ସେ ସଂଘକୁ ଗୋଟିଏ ଦଳ ପର୍ଯ୍ୟନ୍ତ ସୀମିତ ନ କରି ପ୍ରତ୍ୟେକ ଦଳରେ ସଂଘ ସମର୍ଥକଙ୍କ ଗୋଷ୍ଠୀର ପକ୍ଷପାତୀ ଥିଲେ।
ଦତ୍ତୋପନ୍ତ ଠେଙ୍ଗଡ଼ୀଙ୍କ ଅନୁଯାୟୀ, “ଗୁରୁଜୀ ଅନୁଭବ କରୁଥିଲେ ଯେ ହିନ୍ଦୁ ହିତକୁ ଗୋଟିଏ ଦଳ ସହ ସଂଯୁକ୍ତ କଲେ ତାହା ସଙ୍କୁଚିତ ହୋଇଯିବ। ତାହାର ଚାପ ସୃଷ୍ଟି କରିବାର କ୍ଷମତା କମିଯିବ। ଯଦି ହିନ୍ଦୁ ହିତର ପ୍ରବକ୍ତା ସମସ୍ତ ଦଳରେ ରହିବେ, ତେବେ ଚାପ ସୃଷ୍ଟି କରିବାର କ୍ଷମତା ଅଧିକ ରହିବ। ଅଖିଲ ଭାରତୀୟ ସ୍ତରରେ କ୍ଷମତା ପାଇଁ ରାଜନୈତିକ ଦଳ ଗଠନ ଆମକୁ ହିନ୍ଦୁ ହିତରୁ ବିମୁଖ କରିପାରେ। ସେ ରାଜନୀତିରେ ହିନ୍ଦୁ ସଂଗଠନକୁ ଏକ ଚାପ ସୃଷ୍ଟିକାରୀ ଗୋଷ୍ଠୀର ଭୂମିକାରେ ଦେଖିବାକୁ ଚାହୁଁଥିଲେ। ହାତୀ ହେବା ବଦଳରେ ହାତୀ ଉପରେ ଅଙ୍କୁଶ ଲଗାଇବାର ଭୂମିକାରେ।”
ଭାରତୀୟ ଜନସଂଘର ପ୍ରତିଷ୍ଠାତାମାନଙ୍କ ମଧ୍ୟରେ ଥିବା ବଲରାଜ ମାଧୋକଙ୍କ ଅନୁଯାୟୀ, ପ୍ରଥମ ସାଧାରଣ ନିର୍ବାଚନ ନିକଟବର୍ତ୍ତୀ ଥିଲା। କମ ସମୟ ମଧ୍ୟରେ ନୂଆ ଦଳକୁ ନିର୍ବାଚନରେ ନିଜର ପ୍ରଭାବଶାଳୀ ଉପସ୍ଥିତି ପ୍ରମାଣ କରିବାରେ ବେଶ ଚ୍ୟାଲେଞ୍ଜ ଥିଲା। ମୁଖର୍ଜୀଙ୍କୁ ଏହାର ଅନୁଭବ ଥିଲା। ସେ ଅଧିକ ଦିନ ଅପେକ୍ଷା କରିପାରୁନଥିଲେ। ସଂଘର ଅନେକ ନେତା ନୂଆ ଦଳ ନେଇ ଉତ୍ସାହିତ ଥିଲେ। କିନ୍ତୁ ସଂଘ ମୁଖ୍ୟ ଗୁରୁଜୀଙ୍କ ସହମତି ବାକି ଥିଲା।
ବଳରାଜ ମାଧୋକ ତାଙ୍କ ଆତ୍ମଜୀବନୀରେ ଲେଖିଛନ୍ତି, “ଦଳର ଘୋଷଣାପତ୍ର ପ୍ରସ୍ତୁତ ହୋଇଯାଇଥିଲା, କିନ୍ତୁ ସଂଘ ନେତୃତ୍ୱ ଏବେ ମଧ୍ୟ ପ୍ରସ୍ତାବିତ ଦଳର ଭୂମିକା ସମ୍ପର୍କରେ କୌଣସି ନିଶ୍ଚିତ ମତ ଗଠନ କରିପାରିନଥିଲେ। ସେ ଡକ୍ଟର ମୁଖର୍ଜୀଙ୍କୁ ଆଉ କିଛି ସମୟ ଅପେକ୍ଷା କରିବାକୁ କହୁଥିଲେ। କିନ୍ତୁ ଡକ୍ଟର ମୁଖର୍ଜୀ ରାଜନୀତିରେ ସମୟର ମହତ୍ତ୍ୱ ବୁଝୁଥିଲେ। ସେ ନିର୍ବାଚନ ପୂର୍ବରୁ ପ୍ରସ୍ତାବିତ ଦଳର ସାଂଗଠନିକ ଢାଞ୍ଚା ପ୍ରସ୍ତୁତ କରିବାକୁ ଚାହୁଁଥିଲେ। ଓଡ଼ିଶାରେ ତାଙ୍କ ସହଯୋଗୀମାନେ ଅଧିକ ଅପେକ୍ଷା କରିବା ଉଚିତ ନୁହେଁ ବୋଲି ଭାବି “ଗଣତନ୍ତ୍ର ପରିଷଦ” ନାମକ ନିଜର ଅଲଗା ଦଳ ଗଠନ କରି ନେଇଥିଲେ। ତେଣୁ ସେ ବଙ୍ଗାଳକୁ ଫେରିଯାଇ “ଇଣ୍ଡିଆନ ପିପୁଲ୍ସ ପାର୍ଟି” ନାମକ ନିଜର ରାଜନୈତିକ ସଂଗଠନର ଘୋଷଣା କରିଥିଲେ।”
ଏହା ଥିଲା ସେହି ମୁହୂର୍ତ୍ତ ଯେତେବେଳେ ସଂଘକୁ ଅନୁଭବ ହେଲା ଯେ ଯଦି ମୁଖର୍ଜୀଙ୍କ ନେତୃତ୍ୱ ଆବଶ୍ୟକ, ତେବେ ଦଳ ସମ୍ପର୍କରେ ଶୀଘ୍ର ନିଷ୍ପତ୍ତି ନେବାକୁ ହେବ। ମାଧୋକଙ୍କ ଅନୁଯାୟୀ, “୧୯୫୧ର ଆରମ୍ଭରେ ସଂଘ ତରଫରୁ ଦିଲ୍ଲୀର ସଂଘଚାଳକ ହଂସରାଜ ଗୁପ୍ତ, ପ୍ରାନ୍ତ ସଂଘଚାଳକ ବସନ୍ତ ରାଓ ଓକ ଏବଂ ମୁଁ ଡକ୍ଟର ମୁଖର୍ଜୀଙ୍କୁ ତାଙ୍କ ପୁସା ରୋଡ଼ସ୍ଥିତ ବାସଭବନରେ ଭେଟି ଅଖିଲ ଭାରତୀୟ ରାଜନୈତିକ ଦଳ ଗଠନରେ ତାଙ୍କ ନେତୃତ୍ୱରେ ପୂର୍ଣ୍ଣ ସହଯୋଗର ଆଶ୍ୱାସନ ଦେଇଥିଲୁ। କିଛିଦିନ ପରେ ମୁଖର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହେଲା ଯେ ପ୍ରସ୍ତାବିତ ଦଳର ନାମ ଭାରତୀୟ ଜନସଂଘ ରଖାଯିବ। ଏହା ମଧ୍ୟ ନିଷ୍ପତ୍ତି ହେଲା ଯେ ଅଖିଲ ଭାରତୀୟ ସ୍ତରରେ ଜନସଂଘର ଔପଚାରିକ ପ୍ରତିଷ୍ଠା ପୂର୍ବରୁ କିଛି ରାଜ୍ୟରେ ଜନସଂଘର ଶାଖା ଗଠନ କରାଯିବ।”
ଭାରତୀୟ ଜନସଂଘର ପ୍ରତିଷ୍ଠାରେ ଦିଲ୍ଲୀ ପ୍ରାନ୍ତ ସଂଘଚାଳକ ଲାଲା ହଂସରାଜ ଗୁପ୍ତ, ଦିଲ୍ଲୀ ପ୍ରାନ୍ତ ପ୍ରଚାରକ ବସନ୍ତରାଓ ଓକ , ପଞ୍ଜାବ ପ୍ରାନ୍ତ କାର୍ଯ୍ୟବାହ ଧର୍ମବୀର, ବଲରାଜ ମାଧୋକ ଏବଂ ଭାଇ ମହାବୀର ପ୍ରମୁଖ ଭୂମିକାରେ ଥିଲେ। ବିଭିନ୍ନ ପ୍ରଦେଶରେ ଯେଉଁମାନଙ୍କୁ ଏହି ଦାୟିତ୍ୱ ଦିଆଯାଇଥିଲା, ସେମାନେ ହେଲେ ଉତ୍ତର ପ୍ରଦେଶରେ ଦୀନଦୟାଳ ଉପାଧ୍ୟାୟ ଓ ନାନାଜୀ ଦେଶମୁଖ, ମଧ୍ୟଭାରତରେ ମନୋହର ରାଓ ମୋଘେ, ରାଜସ୍ଥାନରେ ସୁନ୍ଦର ସିଂହ ଭଣ୍ଡାରୀ, ବିହାରରେ ଠାକୁର ପ୍ରସାଦ ଆଦି।
୨୧ ଅକ୍ଟୋବର ୧୯୫୧ରେ ଦିଲ୍ଲୀର ଆର୍ଯ୍ୟ କନ୍ୟା ଉଚ୍ଚତର ମାଧ୍ୟମିକ ବିଦ୍ୟାଳୟରେ ଅନୁଷ୍ଠିତ ରାଷ୍ଟ୍ରୀୟ ସମ୍ମେଳନରେ ଡକ୍ଟର ଶ୍ୟାମା ପ୍ରସାଦ ମୁଖର୍ଜୀଙ୍କ ଅଧ୍ୟକ୍ଷତାରେ ଭାରତୀୟ ଜନସଂଘର ପ୍ରତିଷ୍ଠା ହେଲା। ଭାଇ ମହାବୀରଙ୍କୁ ମହାମନ୍ତ୍ରୀ କରାଗଲା। ଏହି ଅବସରରେ ମୁଖର୍ଜୀ କହିଥିଲେ, “ଆମେ ଭାରତର ପୁନର୍ଜାଗରଣ ଓ ପୁନର୍ନିର୍ମାଣ ପାଇଁ ପ୍ରତିବଦ୍ଧ। ନିଜର ବର୍ଗ, ଜାତି ଓ ଧର୍ମର ଭେଦଭାବକୁ ଭୁଲି ଭାରତମାତାର ସେବାରେ ଲାଗନ୍ତୁ। ବର୍ତ୍ତମାନ ଯେତେ ଅନ୍ଧକାରମୟ ହେଉନା କାହାରୁ, ଭବିଷ୍ୟତ ଉଜ୍ଜ୍ୱଳ। ଆମ ଦଳର ପ୍ରତୀକ ଚିହ୍ନ ଦୀପକ। ଏହା ଆଶା, ଐକ୍ୟ, ପ୍ରତିବଦ୍ଧତା ଓ ସାହସର ଆଲୋକ ବିସ୍ତାର କରୁଛି।”
Also readhttps://purvapaksa.com/aparajita-sarangis-aspiration/
Aparajita Sarangi’s aspiration II ଅପରାଜିତାଙ୍କ ମହତ୍ତ୍ୱାକାଂକ୍ଷା
