ନିକଟରେ ଅନେକ ଯୁବ ଖେଳାଳିଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି। କିଛି ଖେଳାଳି ଦମ୍ଦାର ପ୍ରଦର୍ଶନ ବଳରେ ଅଗଣିତ ପ୍ରଶଂସକ ସୃଷ୍ଟି କରିସାରିଛନ୍ତି। ଆଉ କିଛି ଖେଳାଳି ଅନ୍ତର୍ଜାତୀୟ କ୍ରିକେଟର ଅଭିଜ୍ଞତା ସାଉଁଠୁଛନ୍ତି। ଆଗାମୀ ଦିନରେ ଏମାନେ ଭାରତୀୟ କ୍ରିକେଟକୁ ବହୁ ଆଗକୁ ନେଇପାରିବେ ବୋଲି ବିଶ୍ୱାସ ରହିଛି। ଚୟନକର୍ତ୍ତା ସେମାନଙ୍କ ଉପରେ ଭରସା ରଖିଛନ୍ତି। ଯୁବ ବ୍ୟାଟର ଶୁଭମନ ଗିଲ୍ ଓ ଯଶସ୍ୱ ଜୈସ୍ୱାଲଙ୍କୁ ଭାରତୀୟ କ୍ରିକେଟର ବିସ୍ମୟ ଭାବେ ଗଣନା କରାଯାଉଛି। କିନ୍ତୁ ତିଳକ ବର୍ମା, ସର୍ଫରାଜ ଖାନ, ସାଇ ସୁଦର୍ଶନଙ୍କ ଭଳି କିଛି ଯୁବ ଖେଳାଳି ଆଗାମୀ ଦିନରେ ଅନ୍ତର୍ଜାତୀୟ କ୍ରିକେଟରେ ରାଜ କରିବେ ବୋଲି ବହୁ ପୂର୍ବତନ କ୍ରିକେଟର ଭବିଷ୍ୟବାଣୀ କରିଛନ୍ତି।
ଶୁଭମନ ଗିଲ୍
୨୩ ବର୍ଷିୟ ଶୁଭମନ ଗିଲ ସମ୍ପ୍ରତି ଭାରତୀୟ କ୍ରିକେଟରେ ବିସ୍ମୟ ଭାବେ ଗଣା ହେଉଛନ୍ତି । ଟେଷ୍ଟ କ୍ରିକେଟରେ ପ୍ରସିଦ୍ଧ ବ୍ୟାଟର ବିରାଟ କୋହଲି, କେନ୍ ୱିଲିୟମସନ, ଜୋ ରୁଟ୍ ଓ ଷ୍ଟିଭେନ ସ୍ମିଥଙ୍କ ସମୟ ଶେଷ ହେବା ପରେ ଗିଲ୍ ବିଶ୍ୱ କ୍ରିକେଟରେ ରାଜୁତି କରିବେ ବୋଲି ବହୁ ପୂର୍ବତନ କ୍ରିକେଟ୍ ଖେଳାଳି ମତ ଦେଇଛନ୍ତି । ସେ ବର୍ତ୍ତମାନ ଭାରତୀୟ ଦଳର ନିୟମିତ ସଦସ୍ୟ ଓ ଓପନର । ସେ ଇତି ମଧ୍ୟରେ ୨୯ଟି ଟେଷ୍ଟ ଖେଳି ୩୬.୭୩ ହାରରେ ୧୮୦୦ ରନ୍ ସଂଗ୍ରହ କରିସାରିଛନ୍ତି । ଟେଷ୍ଟ କ୍ରିକେଟରେ ୫ଟି ଶତକ ଓ ୭ଟି ଅର୍ଦ୍ଧଶତକ ଅର୍ଜନ କରିସାରିଥିବାବେଳେ ଦିନିକିଆ କ୍ରିକେଟରେ ୫୮.୨୦ ହାରରେ ମୋଟ ୨୩୨ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ଗୋଟିଏ ଦ୍ୱିଶତକ, ୫ଟି ଶତକ ରହିଛି। ଗିଲ୍ ଆଗାମୀ ଦିନରେ ଭାରତୀୟ ଦଳର ବ୍ୟାଟିଂ ବିଭାଗ ସମ୍ଭାଳିବେ । ଅଭିଜ୍ଞତା ବଢିବା ସହ ସେ ଆଗାମୀ ଦିନରେ ବୋଲରଙ୍କ ନିଦ ହଜାଇ ଦେବେ ବୋଲି ଅନୁମାନ କରାଯାଉଛି ।
ଯଶସ୍ୱୀ ଜୈସ୍ୱାଲ
ବୟସ ମାତ୍ର ୨୨ ବର୍ଷ। ଏତେ କମ୍ ବୟସରେ ସେ ଭାରତୀୟ ଦଳର ନିମିତ ସଦସ୍ୟ ହୋଇସାରିଛନ୍ତି। ୧୪ଟି ଟେଷ୍ଟ ଖେଳି ସେ ୫୬.୨୮ ହାରରେ ୧୪୦୭ ରନ୍ ସଂଗ୍ରହ କରିସାରିଛନ୍ତି। ଏଥିରେ ୩ଟି ଶତକ ଓ ୮ଟି ଅର୍ଦ୍ଧ ଶତକ ରହିଛି। ସେହିପରି ୨୩ଟି ଟି-ଟ୍ୱେଣ୍ଟି ଖେଳି ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ବଳରେ ୩୬.୧୫ ହାରରେ ସେ ୭୨୩ ରନ ସଂଗ୍ରହ କରିଛନ୍ତି।
୧୯ବର୍ଷରୁ କମ୍ ବିଶ୍ୱକପ ଖେଳିବା ଦିନଠୁ ଜୈସ୍ୱାଲ ଚର୍ଚ୍ଚାରେ ରହିଥିଲେ । ଘରୋଇ କ୍ରିକେଟରେ ବ୍ୟାଟିଂ ଦକ୍ଷତା ଦେଖାଇ ସାରିଥିଲେ । ମାତ୍ର ଆଇପିଏଲ୍ ଜରିଆରେ ସେ ଚୟନକର୍ତ୍ତାଙ୍କୁ ବାଧ୍ୟ କରିଦେଇଥିଲେ । ଏଥର ସେ ଦ୍ରୁତତମ ଅର୍ଦ୍ଧଶତକ, ବିସ୍ଫୋରକ ଶତକ ଅର୍ଜନ କରି ସିନିୟର ସ୍ତରରେ ଖେଳିବା ପାଇଁ ପ୍ରସ୍ତୁତ ହୋଇସାରିଥିବା ପ୍ରମାଣ କରିଦେଇଥିଲେ । ସେ ମୁମ୍ବାଇ ପକ୍ଷରୁ ୩୦ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୧୨ଟି ଶତକ ସହ ୬୫.୨ ହାରରେ ୩୨୯୧ ରନ୍ ସଂଗ୍ରହ କରିଛନ୍ତି ।
ଋତୁରାଜ ଗାଏକୱାଡ୍
ଚେନ୍ନାଇ ସୁପରକିଙ୍ଗସ ପକ୍ଷରୁ ଖେଳୁଥିବା ମହାରାଷ୍ଟ୍ର ଓପନର ଋତୁରାଜ ଗାଏକଓ୍ୱାଡ ଖୁବ୍ ଶୀଘ୍ର ଭାରତୀୟ ଦଳର ସ୍ଥାୟୀ ସଦସ୍ୟ ହେବେ। ସେ ଭାରତ ଏ ଦଳର ନିୟମିତ ସଦସ୍ୟ। ଘେରାଇ କ୍ରିକେଟରେ ଦମ୍ଦାର ପ୍ରଦର୍ଶନ ଜାରି ରଖିଛନ୍ତି। ଏପର୍ଯ୍ୟନ୍ତ ଟେଷ୍ଟ ପଦାର୍ପଣ କରିନଥିଲେ ମଧ୍ୟ ସୀମିତ ଓଭର କ୍ରିକେଟରେ ତାଙ୍କ ପ୍ରଦର୍ଶନ ବେଶ ଉନ୍ନତ ରହିଛି। ୬ଟି ଦିନିକିଆ ଖେଳି ସେ ୧୧୫(ସର୍ବାଧିକ ୭୧) ଓ ୨୩ଟି ଟି-ଟ୍ୱେଣ୍ଟି ଖେଳି ୬୩୩ ରନ୍ ସଂଗ୍ରହ କରିଛନ୍ତି।
ଟେକ୍ନିକ୍, ଫୁଟୱାର୍କ ଓ ସହଳ ଲେଙ୍ଗଥକୁ ପରଖିବାର କ୍ଷମତା ବଳରେ ସେ ଟେଷ୍ଟ କ୍ରିକେଟ୍ ପାଇଁ ପ୍ରବଳ ଦାବିଦାର ରହିଛନ୍ତି । ବର୍ତ୍ତମାନ ଟେଷ୍ଟ ଦଳରେ ଗହଳି ଲାଗି ରହିଛି। ତାଙ୍କୁ ଆଗାମୀ ଦିନର ଓପନର ଭାବେ ସାଇତି ରଖାଯାଇଛି। ରୋହିତ ଶର୍ମା ଅବସର ନେବା ପରେ ଋତୁରାଜ ତାଙ୍କ ସ୍ଥାନ ସମ୍ଭାଳିବେ। ମହାରାଷ୍ଟ୍ର ପକ୍ଷରୁ ୭୭ଟି ମ୍ୟାଚ୍ ଖେଳି ୫୮.୧୬ ହାରରେ ସେ ୪୧୩୦ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୭ଟି ଶତକ ଓ ୧୩ଟି ଅର୍ଦ୍ଧଶତକ ରହିଛି।
ଅଭିମନ୍ୟୁ ଈଶ୍ୱରନ
ବେଙ୍ଗଲ୍ର ଏହି ଯୁବ ଓପନର ଭାରତ ଏ’ ଦଳର ନିୟମିତ ସଦସ୍ୟ । ୨୦୧୩ରେ ରଣଜୀ ପଦାପର୍ଣ କରିଥିବା ଈଶ୍ୱରନ୍ ୧୦୧ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ୪୮.୮୭ ହାରରେ ମୋଟ ୭୬୭୪ ରନ୍ ସଂଗ୍ରହ କରିସାରିଛନ୍ତି। ଏଥିରେ ୨୭ଟି ଶତକ ଓ ୨୯ଟି ଅର୍ଦ୍ଧଶତକ ରହିଛି । ଘରୋଇ କ୍ରିକେଟରେ ଅଭିଜ୍ଞତା ଓ ସଫଳତା ବଳରେ ଈଶ୍ୱରନ ସିନିୟର ଦଳ ପାଇଁ ପ୍ରମୁଖ ଦାବିଦାର ରୂପେ ଉଭା ହୋଇଛନ୍ତି । ସେ ଭାରତୀୟ ଦଳରେ ସ୍ଥାନ ପାଇ ବର୍ଡର-ଗାଭାସ୍କର ଟ୍ରଫି ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି
ତିଳକ ବର୍ମା
ଭାରତୀୟ ଟି-ଟ୍ୱେଣ୍ଟି ଦଳର ସଦସ୍ୟ ତିଳକ ବର୍ମା ସମ୍ପ୍ରତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛନ୍ତି। ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ସେ କ୍ରମାନ୍ୱୟରେ ୨ଟି ଶତକ ଅର୍ଜନ କରି ଅନେକ ରେକର୍ଡ ଭଙ୍ଗ କରିଥିଲେ। ସବୁ ଫର୍ମାଟ୍ରେ ସଫଳ ହେବା ଭଳି ଖେଳ ତାଙ୍କ ନିକଟରେ ରହିଛି। ହାଇଦ୍ରାବାଦ ପକ୍ଷରୁ ଘରୋଇ କ୍ରିକେଟ୍ ଖେଳୁଥିବା ଏହି ବାମ ହାତି ବ୍ୟାଟରଙ୍କୁ ଆଗାମୀ ଦିନର ଷ୍ଟାର୍ ରୂପେ ବିବେଚନା କରାଯାଉଛି । ମୁଖ୍ୟତଃ ସେ ବାମ ହାତି ବ୍ୟାଟର ଓ ମଧ୍ୟ କ୍ରମରେ ଖେଳିବାକୁ ପସନ୍ଦ କରନ୍ତି । ଭାରତୀୟ ଦଳରେ ବାମ ହାତି ବ୍ୟାଟରଙ୍କ ସଂଖ୍ୟା ଖୁବ୍ କମ । ମଧ୍ୟ କ୍ରମ ସମ୍ଭାଳିବା ପାଇଁ ବାମ ହାତି ବ୍ୟାଟରଙ୍କ ଆବଶ୍ୟକତା ରହିଛି । ଆଇପିଏଲରେ ଅପାର ସଫଳତା ହାସଲ କରିସାରିଥିବା ତିଳକଙ୍କ ନିକଟରେ ଲମ୍ବା ଇନିଂସ ଖେଳିବା ଭଳି ଟେକନିକ୍ ରହିଛି । ସେ ଘରୋଇ ପ୍ରଥମ ଶ୍ରଣୀ କ୍ରିକେଟରେ ୧୮ଟି ମ୍ୟାଚ୍ ଖେଳି ୫୦.୧୬ ହାରରେ ୧୨୦୪ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୫ଶତକ ଓ ୪ଅର୍ଦ୍ଧଶତକ ରହିଛି। ସେହିପରି ୨୦ଟି ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟ ଖେଳି ୨ଶତକ ସହ ୫୧.୩୩ ହାରରେ ୬୧୬ ରନ୍ ସଂଗ୍ରହ କରିଛନ୍ତି। ଲିଷ୍ଟ ଏ’ରେ ମଧ୍ୟ ତାଙ୍କ ନାମରେ ୫ଟି ଶତକ ରହିଛି। ଦକ୍ଷିଣ ଆଫ୍ରିକାରେ ୨ଟି ଶତକ ପରେ ତିଳକ ପୁନର୍ବାର ଦିନିକିଆ ଦଳକୁ ପ୍ରତ୍ୟାବର୍ତନ କରିବା ଆଶା କରାଯାଉଛି। ଅବଶ୍ୟ ଟେଷ୍ଟ ଦଳ ପାଇଁ ତାଙ୍କୁ ମସୟ ଲାଗିବ।
ସର୍ଫରାଜ ଖାନ
ଗତ ନ୍ୟୁଜିଲାଣ୍ଡ ବିପକ୍ଷ ଘେରାଇ ଟେଷ୍ଟ ସିରିଜରେ ଏକ ଶତକ ଅର୍ଜନ କରି ସର୍ଫରାଜ ଖାନ ଦକ୍ଷତା ପ୍ରମାଣିତ କରିସାରିଛନ୍ତି। ସମ୍ପ୍ରତି ସେ ବର୍ଡର-ଗାଭାସ୍କର ଟ୍ରଫି ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ରହିଛନ୍ତି। ସ୍କୁଲ୍ କ୍ରିକେଟରୁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିବା ସର୍ଫରାଜ ଗତ ୩ଟି ରଣଜୀ ସିଜନରେ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ୨୦୨୦ରୁ ଇତି ମଧ୍ୟରେ ସେ କେବଳ ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ୧୦୬.୦୭ ହାରରେ ରନ୍ ସଂଗ୍ରହ କରିଛନ୍ତି । ପ୍ରଥମ ଶ୍ରେଣୀ କ୍ରିକେଟ୍ରେ ୪୫୯୩ ରନ୍ କରିଥିବା ସର୍ଫରାଜ ମୁଖ୍ୟତଃ ମଧ୍ୟକ୍ରମରେ ବ୍ୟାଟିଂ କରନ୍ତି। ତେଣୁ ଟେଷ୍ଟ ଦଳରେ ତାଙ୍କ ସ୍ଥାନ ସୁରକ୍ଷିତ। ପ୍ରଥମ ଶ୍ରଣୀ କ୍ରିକେଟରେ ସେ ୬୫.୬୧ ହାରରେ ରନ୍ ସଂଗ୍ରହ କରିଛନ୍ତି ଓ ଏଥିରେ ୧୬ଟି ଶତକ ରହିଛି।
ରଜତ ପାତିଦାର
ମଧ୍ୟ ପ୍ରଦେଶ ପକ୍ଷରୁ ଘରୋଇ କ୍ରିକେଟ ଖେଳୁଥିବା ମଧ୍ୟ କ୍ରମ ବ୍ୟାଟର ରଜତ ପାତିଦାର ଇତି ମଧ୍ୟରେ ୩ଟି ଟେଷ୍ଟ ଓ ଗୋଟିଏ ଦିନିକିଆ ଖେଳିଥିଲେ ହେଁ କମଲ ଦେଖାଇ ପାରିନାହାନ୍ତି। ମାତ୍ର ତାଙ୍କ ନିକଟରେ ଭରପୁର ଦକ୍ଷତା ରହିଛି। ଘରୋଇ ପ୍ରଥମ ଶ୍ରେଣୀ କ୍ରିକେଟରେ ତାଙ୍କ ପ୍ରଦର୍ଶନ ବେଶ ଚମତ୍କାର ରହିଛି। ସେ ୪୩.୩୨ ହାରରେ ୪୬୩୬ ରନ୍ ସଂଗ୍ରହ କରିସାରିଛନ୍ତି। ଏଥିରେ ୧୩ଟି ଶତକ ଓ ୨୩ଟି ଅର୍ଦ୍ଧ ଶତକ ରହିଛି। ଖୁବ ଶୀଘ୍ର ସେ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା କରାଯାଉଛି।
ଦେବଦତ୍ତ ପାଡ଼ିକଲ
କର୍ଣ୍ଣାଟକ ପକ୍ଷରୁ ଘରୋଇ କ୍ରିକେଟ ଖେଳୁଥିବା ପାଡ଼ିକଲ ସମ୍ପ୍ରତି ବର୍ଡର-ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଗତ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ସେ ପଦାର୍ପଣ କରି ୬୫ ରନ୍ ସଂଗ୍ରହ କରିଥିଲେ। ଖୁବ୍ ଶୀଘ୍ର ସେ ଭାରତୀୟ ଦଳର ସ୍ଥାୟୀ ସଦସ୍ୟ ହେବେ। ୪୦ଟି ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳି ସେ ୪୨.୪୯ ହାରରେ ୨୬୭୭ ରନ୍ ସଂଗ୍ରହ କରିଛନ୍ତି। ଏଥିରେ ୬ଶତକ ଓ ୧୭ଅର୍ଦ୍ଧଶତକ ରହିଛି।
ନୀତୀଶ କୁମାର ରେଡ୍ଡୀ
ଆନ୍ଧ୍ରରୁ ଖେଳୁଥିବା ଯୁବ ଅଲ୍ରାଉଣ୍ଡର ନୀତୀଶ ସମ୍ପ୍ରତି ଟେଷ୍ଟ ଦଳରେ ସ୍ଥାନ ପାଇ ବର୍ଡର-ଗାଭାସ୍କର ଟ୍ରଫି ଖେଳିବାକୁ ଅଷ୍ଟ୍ରେଲିଆ ଗସ୍ତ କରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ବାରମ୍ବାର ଆହତ ହେଉଥିବାରୁ ତାଙ୍କ ବିକଳ୍ପ ପ୍ରସ୍ତୁତ କରିବା ପାଇଁ ବିସିସିଆଇ ଚିନ୍ତା କରୁଥିଲା। ସଠିକ ସମୟରେ ନୀତୀଶ ଆଇପିଏଲ୍ ଜରିଆରେ ପଦାର୍ପଣ କରିଥିଲେ। ମାତ୍ର ଗୋଟିଏ ସିଜନ ମଧ୍ୟରେ ସେ ଟେଷ୍ଟ ଦଳରେ ସ୍ଥାନ ହାସଲ କରିଛନ୍ତି। ହୁଏତ ୨୨ ତାରିଖରେ ସେ ପର୍ଥ ଟେଷ୍ଟରେ ପଦାର୍ପଣ କରିପାରନ୍ତି।
୨୦୧୭/୧୮ ସିଜନ ବିଜୟ ମର୍ଚ୍ଚାଣ୍ଟ ଟ୍ରଫିରେ ନୀତୀଶଙ୍କ ପ୍ରଦର୍ଶନ ଏବେବି ରେକର୍ଡ ହୋଇ ରହିଛି। ସେ ନାଗାଲାଣ୍ଡ ବିପକ୍ଷରେ ୩୪୫ଟି ବଲ୍ରୁ ୪୪୧ ରନ୍ର ଇନିଂସ ଖେଳି ପ୍ରଥମେ ଚର୍ଚ୍ଚାକୁ ଆସିଥିଲେ। ଉକ୍ତ ସିଜନରେ ସେ ୧୭୬.୪୧ ହାରରେ ୧୨୩୭ ରନ୍ ସଂଗ୍ରହ କରିଥିଲେ। ବିସିସିଆଇ ପକ୍ଷରୁ ତାଙ୍କୁ ୧୬ବର୍ଷରୁ କମ୍ ବୟସ ବର୍ଗରେ ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୨୦ରେ ସେ ରଣଜୀ ଟ୍ରଫି ପଦାର୍ପଣ ପରିଥିଲେ। ଇତି ମଧ୍ୟରେ ସେ ୨୩ଟି ମ୍ୟାଚ୍ ଖେଳି ୭୭୯ ରନ୍ ସଂଗ୍ରହ କରିଛନ୍ତି ଓ ୫୬ଟି ୱିକେଟ ଅକ୍ତିଆର କରିଛନ୍ତି।
previous article:https://purvapaksa.com/anshul-kamboj-becomes-third-bowler-to-take-all-ten-wickets-in-an-innings-in-ranji-trophy/
