ଭଦ୍ରକରୁ ଆସିଛି ଚାଞ୍ଚଲ୍ୟକର ଖବର। ଜିଲ୍ଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ବୈତରଣୀ ନଦୀକୂଳ ନିକଟ ମଣିନାଥପୁର ଶ୍ମଶାନରୁ ଦୁଇ ମହିଳାଙ୍କ ସମେତ ଚାରିଟି ମୃତଦେହ ନିଖୋଜ ହୋଇଥିବା ଅଭିଯୋଗ ହୋଇଛି । ନିଖୋଜ ମୃତଦେହଗୁଡ଼ିକ ହେଉଛି ଲକ୍ଷ୍ମୀପ୍ରିୟା ବେହେରା, ସତ୍ୟଭାମା ପରିଡା, ଶତ୍ରୁଘ୍ନ ଦାସ ଏବଂ ପ୍ରମିଳା ଦାସଙ୍କର ବୋଲି କୁହାଯାଉଛି, ଯେଉଁମାନଙ୍କୁ ଗତ କିଛି ମାସ ମଧ୍ୟରେ ପ୍ରାକୃତିକ ଭାବେ ମୄତ୍ୟୁ ହେବା ପରେ ମାଟିରେ ପୋତି ଶବ ସଂସ୍କାର କରାଯାଇଥିଲା।
ଏହି ଘଟଣାକୁ ମିଶାଇ ୨୦୧୭ ମସିହାରୁ ଏବେ ପର୍ଯ୍ୟନ୍ତ ଶ୍ମଶାନରୁ ନିଖୋଜ ମୃତଦେହ ସଂଖ୍ୟା ୧୫ ରୁ ଅଧିକ ହେଲାଣି। ବର୍ଷ ବର୍ଷ ଧରି ଏନେଇ ଭଣ୍ଡାରିପୋଖରୀ ପୋଲିସ ଷ୍ଟେସନରେ ଅନେକ ଅଭିଯୋଗ ଦାଖଲ ହୋଇଥିଲେ ମଧ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି ହୋଇନାହିଁ ଵୋଲି ଅଭିଯୋଗ ହୋଇଛି। ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ ଶବ ପୋତା ଯାଇଥିବା ସ୍ଥାନଗୁଡିକ ବିକୃତ କରାଯାଇଛି ଏବଂ ଅବଶେଷ କୌଣସି ସ୍ଥାନରେ ମିଳୁନାହିଁ, ଯାହା ଫଳରେ ସେମାନେ ଏକ ଅଙ୍ଗ ତସ୍କରୀ ରାକେଟ ବୋଲି ସନ୍ଦେହ କରୁଛନ୍ତି। କେହି କେହି ଏହାକୁ ଗୁଣିଗାରେଡି ସହ ମଧ୍ୟ ଯୋଡୁଛନ୍ତି। ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି “ନଦୀ ଆଡକୁ ଯିବା ସମୟରେ, ମୁଁ ଦେଖିଲି ଯେ ମୋ ମାଉସୀଙ୍କ ସମାଧି ସମେତ ଚାରୋଟି ସମାଧି ଖୋଳାଯାଇଥିଲା ଏବଂ ମୃତଦେହ ନିଖୋଜ ଥିଲା। ଏହା ଆମ ଅଞ୍ଚଳରେ ଏକ ଚିନ୍ତାଜନକ ଧାରା ପାଲଟିଛି। ଆମେ ଏହାର ସମ୍ପୂର୍ଣ୍ଣ ତଦନ୍ତ ଦାବି କରୁଛୁ”।
ଅନ୍ୟ ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ତାଙ୍କ ମା’ଙ୍କ ମୃତଦେହ ପୋତିବାର ୧୦ ଦିନ ପରେ ନିଖୋଜ ହୋଇଯାଇଥିଲା ଏବଂ ସେ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିଥିଲେ। ଏପରି ଘଟଣା ଆଗକୁ ନ ଘଟିବା ପାଇଁ ସ୍ଥାନୀୟ ବାସିନ୍ଦା ଉଚ୍ଚସ୍ତରୀୟ ତଦନ୍ତ ଏବଂ ଶ୍ମଶାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଦାବି କରୁଛନ୍ତି। ଭଣ୍ଡାରିପୋଖରୀ ଥାନା ଭାରପ୍ରାପ୍ତ ଇନ୍ସପେକ୍ଟର କମଳାକାନ୍ତ ନାୟକ କହିଛନ୍ତି ଯେ ଏବେ ତଦନ୍ତ ଜାରି ରହିଛି, ଶୀଘ୍ର ଘଟଣା ଉପରୁ ପରଦା ଉଠିବ ବୋଲି ସେ ଆଶ୍ଵସ୍ତି ଦେଇଛନ୍ତି।
