ନିଜର ପ୍ରଥମ ବର୍ଷ ପୂର୍ତ୍ତିକୁ ସ୍ମରଣୀୟ କରିବାକୁ ଚାହିଁଛନ୍ତି ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ତାଙ୍କ ଟିମ୍। ଏଥିଲାଗି ବିଭିନ୍ନ ମନ୍ତ୍ରୀ ସେମାନଙ୍କ ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି। ଏହି ରିପୋର୍ଟ କାର୍ଡକୁ ନେଇ ଉତ୍ସବ ଆୟୋଜନ କରାଯାଇଛି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଆସିବେ ଆଉ ଭିଜନ୍ ଓଡ଼ିଶା ଡକ୍ୟୁମେଣ୍ଟ ଉନ୍ମୋଚନ କରିବେ। କିନ୍ତୁ ପ୍ରଶ୍ନ ଉଠେ କ’ଣ ପାଇଁ ଏ ବର୍ଷ ମନରେ ରହିବ? କେତେ ଭଲ ଆଉ କେତେ ଖରାପ ହେବ ମୋହନଙ୍କ ପ୍ରଥମ ବର୍ଷର ସରକାର?
ମୋହନ ଚରଣ ମାଝୀଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ପ୍ରଥମ ବର୍ଷର ଶାସନ ଶେଷ ହୋଇଛି। ସବୁବେଳେ ପ୍ରଥମ ଦେଖା ହିଁ ସ୍ମରଣୀୟ ହୋଇ ରହେ। ସେ ପ୍ରେମିକା ହେଉ ବା ପ୍ରଥମ ଚାକିରି ଅଥବା ପୁଣି ପ୍ରଥମ ଚାକିରିର ସ୍ଥାନ ଓ କାଳ ଓ ପାତ୍ର- ସବୁଥିରେ ଏ ଉକ୍ତିଟି ଗ୍ରହଣୀୟ। ସେଥିଲାଗି କହନ୍ତି ଲଭ୍ ଆଟ୍ ଫାଷ୍ଟ ସାଇଟ୍ ବା ପ୍ରଥମ ଦେଖାରେ ପ୍ରେମ। ହେଲେ ମୋହନଙ୍କ ପ୍ରଥମ ସରକାର ସମୟରେ କାହାକୁ କେମିତି ପ୍ରେମ ହୋଇଛି। ମୋହନଙ୍କୁ କୁର୍ସିର ନା ଜନସାଧାରଣଙ୍କୁ ମୋହନଙ୍କ ଶାସନର। ଏ ବିଷୟକୁ ଉତ୍ଥାପନ କରିବା ଲାଗି ଆଜିର ଏହି ଅଧ୍ୟାୟ। କିଛି ନିର୍ଦ୍ଦିଷ୍ଟି ବିନ୍ଦୁରେ ମୁଁ ଏ ଅଧ୍ୟାୟର ବିଷୟବସ୍ତୁକୁ ରଖିବାକୁ ଚାହିଁବି, କାରଣ ପ୍ରଥମରୁ ମୋହନଙ୍କ ସରକାରର ଦୋଷ ତ୍ରୁଟିକୁ ଶୈଶବ ତ୍ରୁଟି ବୋଲି କହି ଲୋକ ଭୁଲି ଯାଇଥିଲେ। ଏହାପରେ ସଚିବ ଓ ଅଧିକାରୀଙ୍କ ଉପରେ ଦୋଷ ଲଦାଯାଇ ବଦଳି, କେନ୍ଦ୍ରୀୟ ଡେପ୍ୟୁଟେସନ୍ ଲାଗୁ କରାଯାଇଥିଲା। ଆଉ କିଛି ତ୍ରୁଟି ପାଇଁ ପୂର୍ବତନ ସରକାର ଦାୟୀ ବୋଲି ଘୋଷଣା କରାଯାଇଥିଲା। ଏହାକୁ ବି ଜନସାଧାରଣ ଗ୍ରହଣ କରିଥିଲେ। କିନ୍ତୁ ପ୍ରଥମ ବର୍ଷର ଶେଷ ଏବଂ ଦ୍ୱିତୀୟ ବର୍ଷର ଆରମ୍ଭରୁ ଆରମ୍ଭ ହୋଇଯାଇଛି ଅନେକ ଚର୍ଚ୍ଚା। ଅନେକ ଘଟଣା ମୋହନଙ୍କ ଶାସନ କେମିତି ତାହାକୁ ପଦାରେ ପକାଇଛି।
ଏ ଭିତରୁ ପ୍ରଥମ ହେଉଛି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି। କିଛିଦିନ ହେଲା ରାଜ୍ୟରେ ଗଣଧର୍ଷଣ ଖବର ଟିଭିରେ ଦେଖିବାକୁ ମିଳୁନଥିଲା। ହେଲେ ମୋହନ ସରକାରଙ୍କ ବର୍ଷଶେଷ ଆଡ଼କୁ ତିନିଟି ଘଟଣା ଅନେକ ଚର୍ଚ୍ଚିତ ହୋଇଛି। ଗୋପାଳପୁର ଭଳି ପର୍ଯ୍ୟଟନ କ୍ଷେତ୍ର ଅସୁରକ୍ଷିତ ରହିବା ସରକାରୀ ବ୍ୟବସ୍ଥା ଉପରକୁ ଲୋକଙ୍କ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ମୟୁରଭଞ୍ଜରେ ଜଣେ ବିବାହିତା ମହିଳାଙ୍କୁ ଘରୁ ଟେକିନେଇ ଦୁର୍ବୃତ୍ତ ଗଣ ବଳାତ୍କାର କରିବା ଏବଂ କେନ୍ଦୁଝରରେ ଆଦିବାସୀ ଝିଅଟିଏ ଏପରି ଦୁଷ୍କର୍ମର ଶିକାର ହେବା ରାଜ୍ୟ ଶାସନରେ ଲଜ୍ଜାଛଡ଼ା ଆଉ କୌଣସି ଅଧ୍ୟାୟକୁ ଯୋଡ଼ୁ ନାହିଁ। ଏହି ସରକାରୀ ଦଳ ଯେତେବଳେ ବିରୋଧୀ ଦଳରେ ଥିଲା ସେତେବେଳେ ମହିଳାଙ୍କ ସୁରକ୍ଷା ନେଇ ବିଜେଡି ସରକାରଙ୍କୁ ଘେରୁଥିଲା। ‘ଲଜ୍ଜା’ ବୋଲି କହି ଫଟୋଚିତ୍ର ବୁଲାଉଥିଲା। ହେଲେ ଆଜି ସରକାର, କ୍ଷମତା ଓ ଆଦେଶ ସବୁକିଛି ମୁହଁରେ ରହିଛି। ପୁଣି ବିଭାଗ ବି ରହିଛି ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ହାତରେ। କାହିଁକି ସରକାର ଏପରି ଅବ୍ୟବସ୍ଥାକୁ ଅଣଦେଖା କରୁଛନ୍ତି? ଗଣମାଧ୍ୟମରେ ଚର୍ଚ୍ଚାପରେ ଅବଶ୍ୟ ମୁଖ୍ୟମନ୍ତ୍ରୀ ମୁହଁ ଖୋଲିଛନ୍ତି କିନ୍ତୁ ଗୋପାଳପୁର କଥାରେ ତାଙ୍କ ନିର୍ଦ୍ଦେଶ ସୀମିତ ରହିଛି।
ସେଇ ମୁଖ୍ୟମନ୍ତ୍ରୀଙ୍କ ହାତରେ ରହିଛି ଆଇନ ଶୃଙ୍ଖଳା ନିୟନ୍ତ୍ରଣ ବିଭାଗ। ଅର୍ଥାତ୍ ଗୃହ ବିଭାଗ। ହେଲେ ରାଜ୍ୟରେ ଦିନ ଦ୍ୱିପ୍ରହରରେ ଭୁବନେଶ୍ୱର ଓ କଟକର ଜନଗହଳିପୂର୍ଣ୍ଣ ସ୍ଥାନରେ ଲୋକଙ୍କୁ କାଟି ଦିଆଯାଉଛି। ଏହା କ’ଣ ଏକ ସୁଶାସନର ଅଧ୍ୟାୟ? ନକ୍ସଲ ନିୟନ୍ତ୍ରଣରେ ଯେଉଁ ରାଜ୍ୟ ସର୍ବଭାରତୀୟ ସ୍ତରରେ ନାଁ କରିଥିଲା ସେହି ରାଜ୍ୟରେ ନକ୍ସଲଙ୍କୁ ଯୋଗାଇବାକୁ ୫ ଟନ୍ ବିସ୍ଫୋରକ ଲୁଟ୍ ହେଲା। ଅବଶ୍ୟ ପୁଲିସ ତାକୁ ଉଦ୍ଧାର କରିଛି କିନ୍ତୁ ଏହା କି ପ୍ରକାର ଶାସନ କଥା କହୁଛି? ମୋହନଙ୍କ ସରଳ ଭାବମୂର୍ତ୍ତିରେ ଏହା ଢିଲା ଶାସନର ନମୁନା ନୁହେଁତ? ଏହା କ’ଣ ଏକ ଲୋକଙ୍କ ସରକାରରେ ପ୍ରଶାସନିକ ନିପୁଣତାର ପରିଚୟ?
ଏକବିଂଶ ଶତାବ୍ଦୀରେ ଡାଇରିଆ ୧୫ ଦିନ ଧରି ଏକ ରାଜ୍ୟରେ କାୟା ବିସ୍ତାର କରି ରହିବା ଲଜ୍ଜା ଛଡ଼ା ଆଉ କ’ଣ ହୋଇପାରେ? ଯେଉଁ ରାଜ୍ୟ ପ୍ରତି ବର୍ଷାଋତୁ ଆର୍ଭରେ ବିଭିନ୍ନ ସଂକ୍ରମଣର ଇତିହାସ ରକ୍ଷା କରିଛି ତାହାକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଚାର କରାଯାଉଛି ସେଠାରେ ଲୋକଙ୍କୁ ଶୁଦ୍ଧ ପାଣି ନ ମିଳିବା କ’ଣ ଅପାରଗତା ନୁହେଁ। ଏହା କିପରି ଭାବେ ଏକ ଲୋକଙ୍କ ସରକାରର ଶାସନ ହେବ?
ରାଜ୍ୟରେ ଦୁର୍ନୀତି, ଲାଞ୍ଚ କାରବାର କଥା ଆଲୋଚନା କରାଯାଉ। ପ୍ରତିଦିନ ରାଜ୍ୟ ଭିଜିଲାନ୍ସ ଲାଞ୍ଚୁଆ ଅଧିକାରୀଙ୍କୁ ଗିରଫ କରୁଛନ୍ତି। ଏଠାରେ ଟ୍ରେନି ଅଫିସରଟିଏ ଗାଡ଼ିରେ ହୋର୍ଡିଂ ଭଳି ବୋର୍ଡ ଲଗାଇ ବୁଲୁଛନ୍ତି। ଇଞ୍ଜିନିୟରଠାରୁ ଆଇଏଏସ୍ ଆଉ ପିଅନଠୁ କିରାଣୀ ଯାଏ ସବୁଆଡ଼େ ଲାଞ୍ଚ କାରବାର ଉତ୍କଟ ହୋଇଥିବା ଏହା ପ୍ରମାଣିତ କରୁଛି। ସରକାର କହିପାରନ୍ତି ସେକାଳ ପଖାଳ ନାହିଁ। ଦୁର୍ନୀତିକୁ ପ୍ରଶ୍ରୟ ଦିଆଯାଉନାହିଁ। ଚଢ଼ଉ କଡ଼ାକଡ଼ି କରାଯାଉଥିବାରୁ ଅଧିକ ଅଫିସର ଗିରଫ ହେଉଛନ୍ତି। କିନ୍ତୁ ସରକାର ବାରମ୍ବାର ଅଫିସରଙ୍କୁ ଲୋକାଭିମୁଖୀ ହେବାକୁ ପରାମର୍ଶ ଦେଉଛନ୍ତି, ଏ ପରାମର୍ଶରେ ଚେତାବନୀ ବି ରହୁଛି। କିନ୍ତୁ ସେଥିପ୍ରତି କାହିଁକି ସଚେତନ ହେଉ ନାହାନ୍ତି ପ୍ରଶାସକ। ଏହା କ’ଣ ଢିଲା ଶାସନ ଆଉ ଏକ ପ୍ରମାଣ?
ଧାର୍ମିକ ଓ ସାଂସ୍କୃତିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ବିଜେପି ସରକାର ବିଭିନ୍ନ ରାଜ୍ୟରେ ଅନେକ ପଦକ୍ଷେପ ନେଇଛି। ସେଥିଲାଗି ଏହା ଭିନ୍ନ ଭିନ୍ନ ସମ୍ପ୍ରଦାୟରେ ଆଦରର ପାତ୍ର ବି ହୋଇଛି। ଓଡ଼ିଶାରେ ଏଥିଲାଗି ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ଗୋଟିଏ ରଥଯାତ୍ରା ଯାଇ ଆଉ ଗୋଟିଏ ରଥଯାତ୍ରା ଆସିବାକୁ ହେଲାଣି କିନ୍ତୁ ସେ ପ୍ରତିଶ୍ରୁତି ଗଲା କୁଆଡ଼େ? ଶ୍ରୀମନ୍ଦିରର ରତ୍ନ ଭଣ୍ଡାରରେ ଶ୍ରୀ ଜଗନ୍ନାଥଙ୍କ ସମ୍ପତ୍ତି ସୁରକ୍ଷିତ ରହିଛି କି ନା ତାହାର ଉତ୍କଣ୍ଠା ଏଯାଏ ସମାଧାନ ହେଲା ନାହିଁ। ଶ୍ରୀମନ୍ଦିରରେ ଶୃଙ୍ଖଳିତ ଭାବେ ଦର୍ଶନ କରିବା ଭକ୍ତଙ୍କ ପାଇଁ ସମ୍ଭ ହୋଇପାରୁନାହିଁ। ଶ୍ରୀମନ୍ଦିରେ ଯଦି ଏତେ ଅବ୍ୟବସ୍ଥା ରାଜ୍ୟର ଅନ୍ୟ ଧର୍ମାନୁଷ୍ଠାନରେ କି ଅବସ୍ଥା ତାହା ଆକଳନ କରନ୍ତୁ।
ହଁ ଏ ସରକାର କିଛି ନୀତି ଘୋଷଣା କରିଛନ୍ତି ଯେଉଁଥିରେ ରାଜ୍ୟର କିଛି ମହିଳା ଉପକୃତ ହୋଇଛନ୍ତି। ସୁଭଦ୍ରା ଯୋଜନାରେ ମହିଳାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଏକ ବର୍ଷର ଅର୍ଥ ପ୍ରଦାନ କରାଯାଇଛି। କିନ୍ତୁ ପ୍ରଶ୍ନ ଉଠେ ରାଜ୍ୟ ତହବିଲରୁ ଟଙ୍କା ବାଣ୍ଟିବା କ’ଣ ସରକାରଙ୍କ କାମ? କେବଳ ଏହି ଅର୍ଥ କ’ଣ ୨୦୨୯ରେ ବିଜେପିରେ ମୋହନଙ୍କ ନେତୃତ୍ୱକୁ ଲୋକାଭିମୁଖୀ କରିପାରିବ?
ଯେଉଁ କାର୍ଯ୍ୟଗୁଡ଼ିକୁ ସରକାର ପ୍ରଶଂସା ସାଉଁଟିବା ଲାଗି ପ୍ରଚାର କରୁଛନ୍ତି ତାହା ରାଜ୍ୟ ବିକାଶରେ ସଫ୍ଟ ଭୂମିକା ନେଇପାରେ। ଏଗୁଡ଼ିକ ରାଜ୍ୟବାସୀଙ୍କ ମାନସିକତାକୁ ପରିବର୍ତ୍ତନ କରିବାରେ ଦୀର୍ଘକାଳ ନେଇପାରେ କିନ୍ତୁ ଯେଉଁ ଅପରାଧ, ଦୁର୍ନୀତି, ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ସ୍ୱାସ୍ଥ୍ୟସେବା ବିଷୟକୁ ବିରୋଧୀ ଅସ୍ତ୍ର କରୁଛନ୍ତି ତାହା ଜନସାଧାରଣଙ୍କ ଉପରେ ତତ୍କ୍ଷଣାତ୍ ପ୍ରଭାବ ପକାଇବ। ଏହାକୁ କିପରି ମୁକାବିଲା କରିବେ ମୋହନ ସରକାର?
ଗୋଟିଏ ବାକ୍ୟରେ କହିବାକୁ ଗଲେ ମୋହନଙ୍କ ଏକ ବର୍ଷର ସରକାରର ତୁଳନା ଓଡ଼ିଆ ଉପାଖ୍ୟାନ ‘କମ୍ବଳଜାକ ବାଳ’ ସଦୃଶ। ଏବେ କେମିତି କମ୍ବଳ ସଫା କରିବେ ତାହା ଆପଣ ଚିନ୍ତା କରନ୍ତୁ।
