ଦୁନିଆ ଆଧୁନିକ ହେଉଛି ଆଉ ମଣିଷ ପଶୁ ପାଲଟି ଯାଉଛି। ଜଙ୍ଗଲର ପଶୁଠାରୁ ଆହୁରି ହିଂସ୍ର ହେଉଛି ଅବିବେକୀ ହେଉଛି ମଣିଷ। ଡାହାଣୀଠୁ ବଳେଇଲାଣି ମଣିଷ, ଡାହାଣୀ ୭ ଘର ଛାଡି ଆକ୍ରମଣ କରେ ବୋଲି କୁହାଯାଏ ହେଲେ ମଣିଷ ନିଜ ଘର କଣ ନିଜ ରକ୍ତ ସମ୍ପର୍କକୁ ବି ଛାଡ଼ୁନି। ଆମେ ଏମିତି କାହିଁକି କହୁଛୁ ଏହି ନିନ୍ଦନୀୟ ଘଟଣାଟି ପଢିଲେ ଆପଣ ଜାଣି ପାରିବେ। ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଅଞ୍ଚଳରେ ଏକ ଲଜ୍ଜ୍ୟାଜନକ ଘଟଣା ଘଟିଛି, ତାକୁ ଯିଏ ଶୁଣୁଛି ସିଏ କହୁଛି ଛି କି ଯୁଗ ହେଲା।
ଦିଗପହଣ୍ଡିରେ ଜଣେ ୧୬ ବର୍ଷୀୟା ଝିଅଙ୍କୁ ତାଙ୍କ ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିବା ବେଳେ ଝିଅଟି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଜଣା ପଡିଛି। ଏହି ମାମଲାରେ ରାକ୍ଷସ ବାପା ତଥା ଅଭିଯୁକ୍ତ ଭୀମା ପ୍ରଧାନ (୪୩)ଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରିଛି। ପାପୀ ବାପାର ନରାକୀୟ କାଣ୍ଡ ପରେ ନାବାଳିକା ଜଣଙ୍କ ପାଖାପାଖି ୧୦ଟି ନିଦ ବଟିକା ଖାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିବା ଜଣା ପଡିଥିବା ବେଳେ ଏବେ ପୀଡିତା ଜଣଙ୍କ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଦିଗପହଣ୍ଡି ଆଇଆଇସି ପ୍ରଶାନ୍ତ ପାତ୍ର କହିଛନ୍ତି ଯେ ଜୁନ ୧୩ ତାରିଖରେ ଝିଅଟିର ମା’ ପୋଲିସରେ ଅଭିଯୋଗ କରିଥିଲେ ଯେ ତାଙ୍କର ଏବଂ ତାଙ୍କ ସ୍ୱାମୀଙ୍କର ଚାରିଟି ସନ୍ତାନ ଅଛନ୍ତି, ଯେଉଁଥିରୁ ପୀଡିତା ହେଉଛନ୍ତି ବଡ଼ ଝିଅ । ତାଙ୍କ ସ୍ୱାମୀ ଭୀମା ଅନ୍ୟ ରାଜ୍ୟରେ କାମ କରୁଥିଲେ ଏବଂ ଗତ ସପ୍ତାହରେ ସେ ଗାଁକୁ ଫେରିଥିଲେ। ଅଭିଯୁକ୍ତ ସବୁବେଳେ ମଦ ନିଶାରେ ଚୁର ହେଉଥିଲା ଏବଂ ପରିବାର ପାଇଁ କେବେ ଟଙ୍କା ଟିଏ ଖର୍ଚ୍ଚ କରୁ ନଥିଲା କି କୌଣସି ଦାୟିତ୍ବ ନେଉ ନଥିଲା। ତାଙ୍କ ସ୍ତ୍ରୀ ଦିନ ମଜୁରିଆ ଭାବରେ କାମ କରି ଘର ଚଳାଉଥିଲେ।
ଆଇଆଇସି କହିଛନ୍ତି ଯେ, ଜୁନ ୧୧ ତାରିଖରେ ପୀଡ଼ିତାଙ୍କ ମା’ କାମକୁ ଯାଇଥିଲେ ଏବଂ ପୀଡିତାଙ୍କୁ ଘରେ ଏକା ଛାଡି ଦେଇଥିଲେ, ଯେତେବେଳେ କି ତାଙ୍କର ଅନ୍ୟ ତିନି ପିଲା ବାହାରେ ଖେଳୁଥିଲେ। ଭୀମ ନିଶାସକ୍ତ ଅବସ୍ଥାରେ ଘରେ ପ୍ରବେଶ କରି ଝିଅକୁ ଆକ୍ରମଣ କରିଥିଲା। ତାଙ୍କ ଝିଅକୁ ଭୟଙ୍କର ପରିଣାମ କରିଦେବ କହି ଧମକ ଦେବା ସହ ଘରୁ ବାହାରି ଯିବା ପୂର୍ବରୁ ସେ ତାଙ୍କୁ ବଳ ପୂର୍ବକ ଦୁଷ୍କର୍ମ କରିଥିଲା। ଘଟଣା ପରେ ଝିଅଟି ଲଜ୍ଜ୍ୟାରେ ମୁଠାଏ ନିଦ ବଟିକା ଖାଇ ଅସୁସ୍ଥ ହୋଇ ପଡ଼ିଥିଲା। ଯେତେବେଳେ ମା’ ଘରକୁ ଫେରିଲା, ସେ ଝିଅକୁ ବେହୋସ ଅବସ୍ଥାରେ ପାଇ ଦିଗପହଣ୍ଡି ଡାକ୍ତରଖାନାକୁ ନେଇଯାଇଥିଲେ। ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରତର ଥିବାରୁ ସେଠାରୁ ତାଙ୍କୁ ଏମକେସିଜି ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଥିଲା।
ଜୁନ୍ ୧୩ ତାରିଖରେ ଝିଅଟି ଆଂଶିକ ଭାବରେ ସୁସ୍ଥ ହୋଇ ତାଙ୍କ ମା’ଙ୍କୁ ସମସ୍ତ ଘଟଣା ବିଷୟରେ ଜଣାଇଥିଲା, ଯାହା ପରେ ପୀଡ଼ିତାଙ୍କ ମା’ ନିଜ ସ୍ବାମୀ ବିରୋଧରେ ଏକ ଅଭିଯୋଗ ଦାଖଲ କରିଥିଲେ ବୋଲି ଦିଗପହଣ୍ଡି ଆଇଆଇସି ଶ୍ରୀ ପାତ୍ର କହିଛନ୍ତି। ଅଭିଯୋଗ ଆଧାରରେ, ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତଦନ୍ତ ଅଧିକାରୀ ଏସଆଇ ସୋଫିଆ ମିଶ୍ର ଶନିବାର ପୀଡିତାଙ୍କ ବୟାନ ରେକର୍ଡ କରିଛନ୍ତି। ଗାଁରେ ଏହି ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଲୋକମାନେ ଭୀମାଙ୍କୁ ଧରି ମାଡ଼ ମାରିଥିବା ଜଣା ପଡିଛି। ରବିବାର ତାଙ୍କୁ ଗିରଫ କରିବାକୁ ଗାଁକୁ ଯାଇଥିବା ଆଇଓ ତାଙ୍କୁ ଉଦ୍ଧାର କରିଥିଲେ ବୋଲି ଆଇଆଇସି କହିଛନ୍ତି। ଏମକେସିଜି ମେଡିକାଲ କଲେଜରେ ଭୀମା ଏବଂ ତାଙ୍କ ଝିଅର ଡାକ୍ତରୀ ପରୀକ୍ଷା କରାଯାଇଥିବା ପୋଲିସ ସୂଚନା ଦେଇଛି। ଅଭିଯୁକ୍ତଙ୍କୁ ବ୍ରହ୍ମପୁରର ପୋସ୍କ (POCSO) କୋର୍ଟରେ ହାଜର କରାଯିବା ସହ ନ୍ୟାୟିକ ହେପାଜତକୁ ପଠାଯାଇଛି। ପୀଡିତାଙ୍କୁ ଏବେ ଚିକିତ୍ସା କରାଯାଉଛି, ତେବେ ପୀଡ଼ିତା ନିଦ ବଟିକା କେଉଁଠାରୁ ପାଇଲେ ତାହା ଜାଣିବା ପାଇଁ ପୋଲିସ ତଦନ୍ତ କରୁଛି। ପାପୀ ବାପାର ନରାକୀୟ କାଣ୍ଡ ବିଷୟରେ ଯିଏ ଶୁଣୁଛି ସିଏ ଛି ଛି କରୁଛି… କିଏ କହୁଛି କଳିଯୁଗ ସରି ସରି ଆସୁଛି ତେଣୁ ଏଭଳି ଘଟଣା ଘଟୁଛି। ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ରକ୍ଷକ ଭକ୍ଷକ ସାଜିବ ତାହାଲେ ଝିଅମାନଙ୍କୁ ସୁରକ୍ଷା କିଏ ଦେବ? ଝିଅଟିଏ ଯଦି ନିଜ ଘରେ ସୁରକ୍ଷିତ ନୁହନ୍ତି ତାହାଲେ ଅନ୍ୟସ୍ଥାନରେ ସେମାନଙ୍କ ଅବସ୍ଥା କଣ ହେବ?
