ସାର ପାଇଁ ସାରା ରାଜ୍ୟରେ ଭୟାବହ ସ୍ଥିତି ଉପୁଜଛି। ଅଧିକାଂଶ ଜିଲ୍ଲାରେ ଚାଷୀଙ୍କୁ ସାର ମିଳୁନି। ଏଣୁ ସୋସାଇଟି ସମ୍ମୁଖରେ ଚାଷୀ ଧାରଣା ଦେଲା ଭଳି ଦିନ ରାତି ବସୁଛନ୍ତି। ସୋସାଇଟି କର୍ମଚାରୀ ସାର ଦେବେ କଣ ଓଲଟା କବାଟ ବନ୍ଦ କରି ଦେଉଛନ୍ତି। ଅନୁଗୁଳ, ସମ୍ବଲପୁର, କୋରାପୁଟ, ନବରଙ୍ଗପୁର, କନ୍ଧମାଳ ପ୍ରଭୃତି ଜିଲ୍ଳାରେ ସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇଛି। ମାଲକାନଗିରିରେ ଚାଷୀମାନେ ହରତାଳକୁ ଓହ୍ଲାଇଛନ୍ତି । ଏହି ସମୟରେ ଫାଇଦା ଉଠାଉଛନ୍ତି କଳାବଜାରୀ। ଚୋରାରେ ଦୁଇଗୁଣା ଟଙ୍କାରେ ସାର ବିକ୍ରି କରୁଥିବା ବେଳେ ଏହା ମଧ୍ୟରୁ ଅଧିକାଂଶ ସାର ନକଲି ବୋଲି ଅଭିଯୋଗ ହୋଇଛି।
ଚଳିତ ବର୍ଷ ଆଗୁଆ ମୌସୁମୀ ଆସିଥିଲା। ପ୍ରକୃତି ଚାଷୀଙ୍କ ପାଇଁ ମନ ଖୋଲା ବର୍ଷା ହୋଇଥିଲା, ଏହାରି ଭିତରେ ସରକାର ସାର ଯୋଗାଇବାରେ ହାତକୁ ଚାପି ଦେଲେ। ଏହାକୁ ନେଇ ଚାଷୀ ସଂଗଠନ ଗୁଡ଼ିକ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଉଛି। ବିଭିନ୍ନ ସୋସାଇଟି ପକ୍ଷରୁ ସାର ନେବା ପାଇଁ ଚାଷୀଙ୍କୁ ଟୋକନ ଦିଆଯାଇଛି। ଟୋକନ ପାଇ ଚାଷୀ ଦିନ ଦିନ ଧରି ଧାଡିରେ ଛିଡା ହେଉଛନ୍ତି। ରାତି ଅନିନ୍ଦ୍ରା ହୋଇ ୪ ଦିନ ଧାଡ଼ିରେ ଛିଡା ହେବା ପରେ ବି ସାର ମିଳୁନି। ଯେଉଁଥିପାଇଁ ମାଲକାନଗିରି ମାଥିଲିରେ ୩୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଚାଷୀ। ଆଗକୁ ପରିଣାମ ଆହୁରି ଭୟାବହ ହେବ ବୋଲି ଆନ୍ଦୋଳନକୁ ଓହ୍ଲାଇଥିବା ଚାଷୀ ସଂଗଠନ ଚେତାବନୀ ଦେଇଛି।
ସାର ନ ମିଳିବାରୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଥିଲା ବେଳେ କଳାବଜାରୀ ବ୍ୟବସାୟୀଙ୍କ ପାଇଁ ଏଭଳି ସ୍ଥିତି ମୋଟା ଅଙ୍କର ମୁନାଫା କମାଇବାକୁ ଏକ ଅବସର ସୃଷ୍ଟି କରିଛି। କଳାବଜାରୀ ବ୍ୟବସାୟୀ ମାନେ ସାର ପାଇଁ ଚାଷୀଙ୍କ ଠାରୁ ମନଇଚ୍ଛା ଟଙ୍କା ନେଉଛନ୍ତି। ସମସ୍ତ ଜିଲ୍ଲାରେ ବ୍ୟବସାୟୀ ୟୁରିଆ, ଗ୍ରୋମର, ପଟାସ ଏବଂ ଡିଏପିର ଦାମ୍ ବୃଦ୍ଧି କରିଛନ୍ତି। ୟୁରିଆ ମୂଲ୍ୟ ୨୩୩ଟଙ୍କା ଥିବା ବେଳେ ୫୬୦ଟଙ୍କାରୁ ୭ଶହ ମଧ୍ୟରେ ବିକ୍ରି କରାଯାଉଛି। ରାଜ୍ୟ ସାରା ଏଭଳି କାରବାର ଚାଲିଥିଲା ବେଳେ ସରକାର ମାତ୍ର ୫୬ଜଣଙ୍କ ଡିଲରସିପ୍କୁ ରଦ୍ଦ କରିଛନ୍ତି ।
ଅନ୍ୟପକ୍ଷରେ ସାର ଅଭାବୀ ସମୟରେ ବଜାରରେ ନକଲି ସାରକୁ ନେଇ ଚାଷୀମାନେ ଭୟଭୀତ ଅଛନ୍ତି। କୋରାପୁଟ ଜିଲ୍ଲା ଜୟପୁର ସହରରେ ନକଲି ପଟାସ ସାର ମିଳୁଛି। ବାଲିରେ ରଙ୍ଗ ମିଶାଇ ଏଭଳି ନକଲି ପଟାସ ପ୍ରସ୍ତୁତ କରାଯାଉଛି। ଏହି ସାରକୁ ବିଲରେ ପକାଇଲା ବେଳକୁ ରଙ୍ଗ ପାଣିରେ ଭାସୁଛି କେବଳ ବାଲି ରହିଯାଉଛି ବୋଲି ଅଭିଯୋଗ ହେଉଛି। ମାତ୍ର ପ୍ରଶାସନ ଏଭଳି ଅଭିଯୋଗକୁ ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ ହେଉଛି।
Also Read https://purvapaksa.com/reasons-for-the-rise-in-cost-of-education-in-india/
