ଖ୍ରୀଷ୍ଟ ଜନ୍ମର ୬୪ ବର୍ଷ ପରର କଥା। ଖ୍ରୀଷ୍ଠଧର୍ମର ଅନ୍ୟତମ ପେଣ୍ଠସ୍ଥଳ ରୋମ୍ ସାମ୍ରାଜ୍ୟରେ ନିଆଁ ଲାଗିଥାଏ। ସମ୍ରାଟ ଥାଆନ୍ତି ନେରୋ। ଦେଶର ହାହାକାର ପଡ଼ିଥାଏ। ଲୋକେ ଉଦବେଳିତ ହେଉଥାଆନ୍ତି। ସମ୍ରାଟଙ୍କୁ ଗୁହାରି କରୁଥାଆନ୍ତି। ସମ୍ରାଟ ତାଙ୍କ ଦୁଃଖ ଶୁଣିବେ। କିନ୍ତୁ ସମ୍ରାଟ ନେରୋ ବଡ଼ ଆନନ୍ଦରେ ନିଜ ରାଜପ୍ରାସାଦ ଭିତରେ ମତୁଆଲା ହୋଇ ରହିଥିଲେ। ବୀଣା ଭଳି ଏକ ପାଶ୍ଚାତ୍ୟ ବାଦ୍ୟଯନ୍ତ୍ର ଲାଏର ବଜାଇବାରେ ମସଗୁଲ୍ ଥିଲେ। ଏପଟେ ରୋମ୍ ଜଳୁଥିଲା। ଏ କାହାଣୀ ସମ୍ପୂର୍ଣ୍ଣରୂପେ ତଥ୍ୟ ଆଧାରିତ ଥିଲା। କିନ୍ତୁ ଆଜି ଯାଏ ଯେଉଁଠି ବି ବିପତ୍ତି ଆସୁଛି ଆଉ ରାଜା ନିଜ ଦୁନିଆରେ କ୍ଷମତା ଭିତରେ ଉନ୍ମାଦିତ ହେଉଥାନ୍ତି ସେଠାରେ ଏ କାହାଣୀ ଉଦାହରଣ ଦିଆଯାଇ ଆସୁଛି।
ଆଜି ଓଡ଼ିଶାରେ ମଧ୍ୟ ଏବେକାର ରାଜା ତଥା ସରକାରର ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ପ୍ରତି ଏ କାହାଣୀ ଏଠାରେ ଉଦ୍ଧାର କରାଯାଇପାରେ। ଯେତେବେଳେ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦର ଜଣେ ସଦସ୍ୟ ତଥା ବାଲେଶ୍ୱରର ଫକୀରମୋହନ କଲେଜର ଛାତ୍ରୀଟି ନିଜ ପ୍ରତି ହୋଇଥିବା ଅତ୍ୟାଚାର ବିରୁଦ୍ଧରେ ସାହସ ଜୁଟାଇ ଅଭିଯୋଗ କରୁଥିଲେ, ସେତେବେଳେ ମନ୍ତ୍ରୀ ମହୋଦୟ କେନ୍ଦ୍ରଶିକ୍ଷାମନ୍ତ୍ରୀଙ୍କ ସହ ବିଭିନ୍ନ ସଭାସମିତିରେ ବୁଲୁଥିଲେ। ଫଳସ୍ୱରୂପ ଛାତ୍ରୀଟି ନ୍ୟାୟ ନ ପାଇ ଆଜି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଏହା ତତ୍କାଳୀନ ରୋମର ଅସହାୟ ପ୍ରଜାଙ୍କ ଅବସ୍ଥା ବୟାନ କରୁନାହିଁକି?
ଜୀବନରେ ଶିକ୍ଷୟିତ୍ରୀଟିଏ ହୋଇ ଦେଶ ନିର୍ମାତାଙ୍କୁ ନିର୍ମାଣ କରିବା ଲାଗି ସଂକଳ୍ପ ନେଉଥିବା ଜଣେ ଛାତ୍ରୀ ନିଜ ଶିକ୍ଷକଙ୍କ ନିର୍ଯାତନାରେ ଆତ୍ମାହୁତି ଦେବା ଏବେ ରାଜ୍ୟରେ ଚର୍ଚ୍ଚାର ବିଷୟ। ଖାଲି ରାଜ୍ୟ ନୁହେଁ ରାଜ୍ୟ ବାହାରେ ଏ ବିଷୟକୁ ନେଇ ରାଜ୍ୟର ସରକାର ନିନ୍ଦିତ। ବର୍ଷ ପୂରଣୀର ଏ ଉପହାର ରାଜ୍ୟ ସରକାରଙ୍କୁ କର ବା ମର ପରିସ୍ଥିତିରେ ଠିଆ କରିଛି। ଏହା ସ୍ପଷ୍ଟ କରିଛି ମହିଳାଙ୍କ ସ୍ୱାର୍ଥରକ୍ଷାରେ ଯଦି ସକ୍ଷମ ହୋଇ ନ ପାରୁଛ ତେବେ ଜନତା ଏହାର ଜବାବ ଦେବାକୁ ବି ପ୍ରସ୍ତୁତ ହେଲେଣି।
ଏ ଘଟଣା ଏତେ ସମ୍ବେନଶୀଳ ଯେ ଏହାକୁ ରାଜନୀତିକ ଦୃଷ୍ଟିକୋଣରେ ଅନୁଶୀଳନ କରାଯିବା ଉଚିତ ନୁହେଁ। ଏହା ସମ୍ପୂର୍ଣ୍ଣ ଭାବେ ସରକାର ଓ ପ୍ରଶାସନିକ ବିଫଳତା ବୋଲି କହିବା ମଧ୍ୟ ଭୁଲ ନୁହେଁ। କାରଣ ବାଲେଶ୍ୱର ଏଫ୍ଏମ୍ କଲେଜର ବିଏଡ୍ ପାଠ୍ୟକ୍ରମର ଏହି ଛାତ୍ରୀ ପୂର୍ବରୁ ନିଜ ଅଧିକାର ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସରକାରୀ ନିୟମ ଅନୁସାରେ ସବୁ ପାହାଚ ଦେଇ ଉଠିଛନ୍ତି। ହେଲେ ଆଇନର ଏ ସୋପାନ ତାଙ୍କୁ ନ୍ୟାୟ ଦେଇପାରି ନାହିଁ। ଫଳରେ ସେ ଏ ବ୍ୟବସ୍ଥାକୁ ଏହା କହି ଯାଇଛନ୍ତି ଯେ ଆଇନ ତ ତିଆରି ହୋଇଛି କିନ୍ତୁ ଏଥିରେ ଅନେକ ହୁଗୁଳା ପରିସ୍ଥିତି ସୃଷ୍ଟି ହୋଇଛି ଯାହା ରାଜ୍ୟର ସରକାରୀ ବ୍ୟବସ୍ଥାକୁ ଆଗକୁ ଦୋହଲାଇବାକୁ ଯାଉଛି।
ମହିଳାଙ୍କ ବିରୋଧରେ ହେଉଥିବା ନିର୍ଯାତନାକୁ ରୋକିବା ଲାଗି ସରକାରୀ ସ୍ତରରେ ୨୦୧୩ରେ ଏକ ସ୍ୱତନ୍ତ୍ର ଆଇନ ପ୍ରଣୟନ କରାଯାଇଥିଲା। ଏହି ଆଇନ ପସ୍କୋ ଆଇନ ଭାବେ ବେଶ୍ ପରିଚିତ। ଯେଉଁ ଆଇନକୁ ଆଧାର କରି ୨୦୧୫ ମସିହାରେ ବିଶ୍ୱବିଦ୍ୟାଳୟ ମଞ୍ଜୁରୀ ଆୟୋଗ ସମସ୍ତ ଉଚ୍ଚଶିକ୍ଷା ଅନୁଷ୍ଠାନରେ ଗୋଟିଏ ଲେଖାଏଁ ଆଭ୍ୟନ୍ତରୀଣ ତଦନ୍ତ କମିଟି ଗଠନ ପାଇଁ ଆଦେଶ ଦେଇଥିଲେ। ଯଦି ଏ କମିଟି ଗଠନ ନ ହୁଏ ତେବେ ୟୁଜିସି ଅନୁଦାନ ବନ୍ଦ କରିବାକୁ ବି ବ୍ୟବସ୍ଥା କରିଛନ୍ତି। ଏହି କମିଟି ଛାତ୍ରୀ, ମହିଳା କର୍ମଚାରୀଙ୍କ ଅଭିଯୋଗ ଶୁଣିବାକୁ ଗଠନ ହୋଇଛି।
ପୁଣି ଏ କମିଟିର ଅଧ୍ୟକ୍ଷ ଜଣେ ବରିଷ୍ଠ ମହିଳା କର୍ମଚାରୀ ହେବା ଆବଶ୍ୟକ ଯାହାଙ୍କର ପୂର୍ବ ଅଭିଜ୍ଞତା ଥିବ। କମିଟିରେ ଅଧା ମହିଳା ସଦସ୍ୟ ରହିବା ଆବଶ୍ୟକ। କିନ୍ତୁ ଫକୀର ମୋହନ ବିଶ୍ୱିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ଆଇସିସି ସମ୍ପୃକ୍ତ ଛାତ୍ରୀଙ୍କ ଅଭିଯୋଗକୁ ଶୁଣିବାକୁ ଯେଉଁ ବ୍ୟବସ୍ଥା କରିଥିଲେ ତା ସ୍ୱୟଂ ଏକ ଅପମାନ ଥିଲା। ସାଂସଦଙ୍କ ଅଭିଯୋଗ ଅନୁସାରେ କମିଟିର କୌଣସି ଲିଖିତ ବିବରଣୀ ରହି ନାହିଁ। ପୁଣି ଯେଉଁ ଆଇସିସିର ବୈଠକରେ ପୀଡ଼ିତା ତାଙ୍କ ଅଭିଯୋଗ ଶୁଣାଉଥିବାର ଫଟୋ ପ୍ରସାରିତ ହେଉଛି ସେଥିରେ ପୀଡ଼ିତାଙ୍କୁ ଛାଡ଼ିଦେଲେ କୌଣସି ମହିଳା ନାହାନ୍ତି। ଏହା ଖୋଲାଖୋଲି ଏକ ଉଲ୍ଲଂଘନ ନୁହେଁ କି?
କମିଟି ଉପରୁ ଆସ୍ଥା ହରାଇବା ପରେ ପୀଡ଼ିତା ସରକାର ଓ ସରକାରୀ କଳର ଦୃଷ୍ଟି ଆକର୍ଷଣ କରିଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଓଡ଼ିଶାର ଉଚ୍ଚଶିକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ବିଭାଗ, ଜିଲ୍ଲାପାଳ, ବିଧାୟକ, ମହିଳା କମିଶନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସାମାଜିକ ଗଣମାଧ୍ୟମରେ ନିଜ ଅଭିଯୋଗ ପୋଷ୍ଟ କରି ଏ ବିଷୟ ଚେତାଇ ଦେଇଥିଲେ। ହେଲେ ଏହାକୁ କେହି ଧ୍ୟାନ ଦେଇ ନଥିଲେ। ଏମାନଙ୍କ ଭିତରୁ ଜଣେ ଯଦି ସମ୍ପୃକ୍ତ ଛାତ୍ରୀଙ୍କୁ ଆଶ୍ୱାସନା ପଦଟିଏ ଦେଇଥାଆନ୍ତେ ବୋଧହୁଏ ତାହା ଛାତ୍ରୀଙ୍କୁ ଆତ୍ମାହୁତିରୁ ବିରତ ରଖିପାରିଥାଆନ୍ତା।
ଆଉ ଗୋଟିଏ ବିଷୟ ଏଠାରେ ଉଲ୍ଲେଖଯୋଗ୍ୟ। ତାହା ହେଲା ସମ୍ପୃକ୍ତ ଛାତଅୀଜଣକ ହେଉଛନ୍ତି ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ ନେତ୍ରୀ। କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ କଥା କୁହନ୍ତୁ କି ରାଜ୍ୟର ମୁଖ୍ୟମନ୍ତ୍ରୀ ସମସ୍ତେ ବିଦ୍ୟାର୍ଥୀ ପରିଷଦରୁ ନିଜର କ୍ୟାରିୟର ଆରମ୍ଭ କରିଛନ୍ତି। ହେଲେ ଆଜି ସେହି ପରିଷଦର ଜଣେ ସଦସ୍ୟ ଧ୍ୟାନ ଆକର୍ଷଣ କରିବାକୁ ଚାହିଁଥିଲେ ବି ତାଙ୍କୁ ଶୁଣିବାକୁ ସାହସ କରିନାହାନ୍ତି ନେତୃବର୍ଗ। ଏହା ବାସ୍ତବରେ ନେତାଙ୍କ ଦାୟିତ୍ୱହୀନତା ଓ ସରକାରଙ୍କ ଅପରାଗତାକୁ ପ୍ରମାଣିତ କରୁଛି। ଆଉ ଏହି ଅପରାଗତା ରାଜ୍ୟରେ ଆଉ ଏକ ବଡ଼ ଅପରାଧ ପ୍ରତି ମଧ୍ୟ ବାଟ ଦେଖାଉଛି।
Also readhttps://purvapaksa.com/supreme-court-allows-secret-call-recordings-in-divorce-cases/
