ଦୁଇଦିନ ଜୀବନ ସହ ସଂଗ୍ରାମ କରିବା ପରେ ସବୁଦିନ ପାଇଁ ଆଖି ବୁଜିଛନ୍ତି ଏଫ୍ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି। ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ବିଏଡ୍ ଛାତ୍ରୀ ତଥା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସକ୍ରିୟ ସଦସ୍ୟ। ନିଜ ଉପରେ ହେଉଥିବା ଅନ୍ୟାୟକୁ ସେ ଆଇନଗତ ଢଙ୍ଗରେ ଉପସ୍ଥାପନ କରିବାକୁ ଚାହିଁଥିଲେ। କଲେଜଠୁ ସରକାର, ସମାଜଠୁ ଆଇନ ଯାଏ ନ୍ୟାୟ ପାଇଁ ଦାବି କରିଥିଲେ। ଚିଠି ଲେଖିଲେ, ଯୁକ୍ତି ଉପସ୍ଥାପନ କଲେ, ଦୃଷ୍ଟି ଆକର୍ଷଣ କରିବାକୁ ବି ଚେଷ୍ଟା କଲେ। ହେଲେ ଅସଜଡ଼ା ବ୍ୟବସ୍ଥା ପୂର୍ବଭଳି ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଧ୍ୟାନ ଦେଲା।
ଅର୍ଥାତ୍ ଧୈର୍ଯ୍ୟ ହରାଇଲେ ଏ ସାହସୀ ଝିଅ। ଆଉ ନିଜ ଦେହକୁ ନିଜେ ଜାଳି ଦେବାକୁ ବି ପଛାଇଲେ ନାହିଁ। ସେ ତ ଆଖି ବୁଜିଦେଲେ। କିନ୍ତୁ ଏହା କ’ଣ ଦର୍ଶାଇଲା? ଆଜି ଶାସନ ଓ ସରକାର ଯେ ସାଧାରଣ ଲୋକର ଦୁଃଖ ଶୁଣିବାକୁ ଅକ୍ଷମ ତାହା ଆଉଥରେ ସ୍ପଷ୍ଟ ହେଲା ନାହିଁକି? ଯେଉଁମାନେ କ୍ଷମତାରେ ତାଙ୍କ ପାଖରେ ହିଁ ନ୍ୟାୟ ସୀମିତ ତାହାକୁ ପ୍ରତିପାଦିତ କରୁ ନାହିଁକି?
ଏ ବ୍ୟବସ୍ଥାକୁ କ’ଣ ମୋହନ ମାଝୀଙ୍କ ସରକାର ସଂଶୋଧନ କରିପାରିବେ? ସତରେ କ’ଣ ରାମରାଜ୍ୟ ପ୍ରତିଷ୍ଠା ହେବ? ଏମିତି ଅନେକ ପ୍ରଶ୍ନ ରାଜ୍ୟବାସୀଙ୍କ ଛାତି ଭିତରେ କୁହୁଳୁଛି; ଆଉ ଏହି ପାଉଁଶ ତଳର ନିଆଁକୁ ଆୟତ୍ତ କରିବା ଲାଗି ଦୋଷୀଙ୍କୁ ମୁଖ୍ୟମନ୍ତ୍ରୀ କଠୋର କାର୍ଯ୍ୟାନୁଷ୍ଠାନର ବାଣୀ ଶୁଣାଇଛନ୍ତି। ହେଲେ ଦୋଷୀ କିଏ?
ଏହା ରାଜନୀତିକ ପ୍ରସଙ୍ଗ ନୁହେଁ। କିନ୍ତୁ ଆଗକୁ ଏହି ପ୍ରସଙ୍ଗକୁ ନେଇ ରାଜନୀତି କରିବା ଲାଗି ମଇଦାନ ପରିଷ୍କାର ହୋଇଗଲାଣି। ପୁଣି ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତିକ ଦଳମାନେ ପ୍ରତିକ୍ରିୟା ପ୍ରକାଶ କରିବା ସ୍ୱାଭାବିକ। ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପ୍ରଶାସନ ବି ଏ ପ୍ରସଙ୍ଗକୁ ଅତ୍ୟନ୍ତ ଗୁରୁତ୍ୱ ଦେଉଛନ୍ତି। ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ବ୍ୟବସ୍ଥା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳର ସଦସ୍ୟ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ବି ଏ ନେଇ ଉଦବେଗ ପ୍ରକାଶ କରି ସମାନ ରାୟକୁ ଭିନ୍ନ ଭିନ୍ନ ଉପାୟରେ ପ୍ରକାଶ କରିଛନ୍ତି। ହେଲେ ପ୍ରଶ୍ନ ଉଠୁଛି ଦୋଷୀ କିଏ? ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ କାହା ଉପରେ ହେବ?
ଘଟଣାକୁ ପାଖରୁ ନିରୀକ୍ଷଣ କଲେ ଏହା ସ୍ପଷ୍ଟ ଯେ, ସୌମ୍ୟାଶ୍ରୀ ଜୁଲାଇ ୧୨ ତାରିଖ ଦିନର ଘଟଣାକୁ ନେଇ ହତୋତ୍ସାହିତ ହୋଇନଥିଲେ, ବରଂ ୬ ମାସ ହେଲା ତାଙ୍କୁ ମାନସିକ ନିର୍ଯାତନାର ଶିକାର ହେବାକୁ ପଡ଼ିଥିଲା। ଆଇନ ଅନୁସାରେ ସେ କଲେଜ କର୍ତ୍ତୃପକ୍ଷଙ୍କୁ ଏବାବଦରେ ଜଣାଇଥିଲେ। ଜଣେ ଛାତ୍ରନେତା ଭାବେ ସେ ଏ ବିଷୟରେ ଉଦାହରଣ ସୃଷ୍ଟି କରିବାକୁ ଚାହୁଁ ଥାଇପାରନ୍ତି। କୌଣସି ପରିସ୍ଥିତିରେ ନିଜ ଉପରେ ହେଉଥିବା ନିର୍ଯାତନାକୁ ସେ ସାଲିସ କରିବାକୁ ଚାହିଁ ନ ଥାଇପାରନ୍ତି।
ଏହା ତାଙ୍କ ସ୍ୱାଭିମାନ, ଅଭିମାନ ଅଥବା ସାହସିକତାର ପରିଚୟ ହୋଇପାରେ। ସେଥିଲାଗି ସେ ବ୍ୟବସ୍ଥାର ପ୍ରତିଟି ସ୍ତମ୍ଭକୁ ପ୍ରଥମେ ଛୁଇଁଲେ। ସାଧାରଣ ଛାତ୍ରୀଟିଏ ପରି ସବୁ ଦିଗରୁ ନିଜର କାରଣ ପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଥିଲେ। ହେଲେ ବିଫଳ ହେଲେ। ଅଧ୍ୟକ୍ଷ ତାଙ୍କ ଦାବିକୁ ବିଚାର କରିବେ କ’ଣ ତାଙ୍କୁ ସର୍ବସମ୍ମୁଖରେ ଜେରା କଲେ। ଯେଉଁ କମିଟିରେ ଜଣେ ମହିଳା ଅଧ୍ୟକ୍ଷ ରହିବା କଥା, ଯେଉଁ କମିଟିରେ ଅଧା ସଦସ୍ୟ ମହିଳା ରହିବା କଥା ତାହା ନ ହୋଇ ଅଭିଯୁକ୍ତଙ୍କ ସାମ୍ନାରେ ସେ ତାଙ୍କ ପକ୍ଷ ରଖିଲେ।
ଖାଲି ସେତିକି ନୁହେଁ, ସ୍ଥାନୀୟ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ମଧ୍ୟ ସବୁକିଛି ବୟାନ କଲେ। ହେଲେ କିଛି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ। ଯେଉଁ ଶିକ୍ଷକ ଅଭିଯୁକ୍ତ ତାଙ୍କ ପ୍ରଶଂସା ହେଲା ଆଉ ସୌମ୍ୟାଶ୍ରୀ ପାଲଟିଲେ ଉପହାସ। ଏହା କି ସଙ୍କେତ ଦେଉଛି?
ଓଡ଼ିଆ ଘରେ କଥାଟିଏ ଅଛି, କ୍ଷେତ ଯେବେ ବାଡ଼ ଖାଏ କାହାକୁ ଦୁଃଖ କହିବ? ଠିକ୍ ସେହିଭଳି ଯେତେବେଳେ ନ୍ୟାୟ ଦେବା ପାଇଁ ବସିଥିବା ଅଧ୍ୟକ୍ଷ ଅଭିଯୁକ୍ତଙ୍କ ପ୍ରଶଂସାଗାନ କରିବେ ସେତେବେଳେ କାହାକୁ ଅଭିଯୋଗ କରି ହେବ?
କିନ୍ତୁ ସୌମ୍ୟାଶ୍ରୀ ଏଥିରେ ହାରିନଥିଲେ। ବରଂ ଚାହିଁଲେ ଲୋକଙ୍କ ସରକାରର ଦୃଷ୍ଟି ଆକର୍ଷଣ କରାଯିବ। ୧ ତାରିଖ ଦିନ ଏକ ସାମାଜିକ ଗଣମାଧ୍ୟମ ଏକ୍ସରେ ଲେଖିଲେ। ୯ଟି ହ୍ୟାଣ୍ଡଲକୁ ଟ୍ୟାଗ କଲେ। ସାମାଜିକ ଗଣମାଧ୍ୟମର ପ୍ରଭାବକୁ ସେ କର୍ତ୍ତୃପକ୍ଷଙ୍କ ଧ୍ୟାନ ଆକର୍ଷଣ କରିବାକୁ ଚାହିଁଥିଲେ। ଏହି ୯ଟି ହ୍ୟାଣ୍ଡଲରେ ଓଡ଼ିଶାର ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବାଲେଶ୍ୱରରର ଜିଲ୍ଲାପାଳ, ବାଲେଶ୍ୱରର ବିଧାୟକ ମାନସ କୁମାର ଦତ୍ତଙ୍କ ସମେତ ଉଚ୍ଚଶିକ୍ଷା ବିଭାଗ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ, ମହିଳା କମିଶନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
୧୨ ଦିନ ବିତିଲା। କେହି ଜଣେବି ସେ ପୋଷ୍ଟର ଉତ୍ତର ରଖିଲେ ନାହିଁ। କେହି ଜଣେ ବି ତାଙ୍କ ପ୍ରତି ସହାନୁଭୂତି ଦେଖାଇଲେ ନାହିଁ। ଯେଉଁ କଲେଜ ଅଧ୍ୟକ୍ଷ ତାଙ୍କୁ ୪-୫ ଦିନ ଭିତରେ ଜବାବ ଦେବେ ବୋଲି କହିଥିଲେ ତାହା ବି ତାଙ୍କୁ ସାନ୍ତ୍ୱନା ଦେଲା ନାହିଁ। ଏଭଳି ମୁହୂର୍ତ୍ତରେ ଜଣେ ଛାତ୍ରୀର କୋମଳ ମସ୍ତିଷ୍କରେ ବ୍ୟବସ୍ଥା ପ୍ରତି ଆସ୍ଥା ତୁଟିବା ସ୍ୱାଭାବିକ। କିନ୍ତୁ ଏତେ ବଡ଼ ପଦକ୍ଷେପ କଦାପି ଗ୍ରହଣଯୋଗ୍ୟ ନୁହେଁ। ହେଲେ ଶାସନ ବ୍ୟବସ୍ଥା ପ୍ରତି ଆସ୍ଥା ତୁଟିବା ସ୍ପଷ୍ଟ କରୁଛି ଯେ ଏ ଶାସନ ସମ୍ବେଦନଶୀଳ ନୁହେଁ।
ଆଜି ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ପ୍ରଶାସନିକ କଳ ଏବଂ ବିଭିନ୍ନ ବର୍ଗର ନେତାମାନେ ସମବେଦନା ପ୍ରକାଶ କରୁଛନ୍ତି। ନିଜକୁ ବଞ୍ଚାଇବା ଲାଗି କଠୋର ଦଣ୍ଡ ବ୍ୟବସ୍ଥା ଇଙ୍ଗିତ ଦେଉଛନ୍ତି ହେଲେ ଦୋଷୀ କିଏ?
ଯେଉଁ ସହକାରୀ ଅଧ୍ୟାପକ ସମୀର ସାହୁ ସୌମ୍ୟାଶ୍ରୀଙ୍କୁ ପାସ୍ କରିଦେବା ଲାଗି ନିଜର ଲାସସା ପୂର୍ଣ୍ଣ କରିବା ଲାଗି ଦାବି କରୁଥିଲେ ସିଏ ନା ଯେଉଁ ଅଧ୍ୟକ୍ଷ ତଦନ୍ତ କରି ସମୀର ସାହୁଙ୍କୁ ପ୍ରଶଂସା କରିଥିଲେ ସିଏ?
ଯେଉଁ କମିଟି ଏ ଘଟଣାର ଯାଞ୍ଚ କରୁଥିଲା ସେ କମିଟି ନା ଯେଉଁ ପୁଲିସ ଅଧିକାରୀ ସେଦିନ ସୌମ୍ୟାଶ୍ରୀଙ୍କୁ ସମସ୍ତଙ୍କ ଉପସ୍ଥିତିରେ ଜେରା ହେଉଥିବାର ସାକ୍ଷୀ ହୋଇଥିଲେ ସିଏ?
ଆଉ ଯେଉଁମାନଙ୍କ ଦୃଷ୍ଟି ଆକର୍ଷଣ କରି ଏହି ଝିଅଟି ଟ୍ୱିଟ କରିଥିଲା ସେମାନେ? ଅର୍ଥାତ୍ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, କେନ୍ଦ୍ରଶିକ୍ଷାମନ୍ତ୍ରୀ, ରାଜ୍ୟ ସରକାର ଶିକ୍ଷା ବିଭାଗ, ମହିଳା କମିଶନ ଏମାନେ ବି ଦୋଷୀ ତାଲିକାରେ ଅନ୍ତର୍ଭୁକ୍ତ ହେବେ ନାହିଁକି? ଏ ସମସ୍ତଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନେବେ ଖୋଦ ମୁଖ୍ୟମନ୍ତ୍ରୀ?
କେମିତି ଏ କାର୍ଯ୍ୟାନୁଷ୍ଠାନ ଦୃଷ୍ଟାନ୍ତମୂଳକ ହେବ? କାହିଁକି ସବୁ ମନ୍ତ୍ରୀ ଓ ବିଭାଗର ସୋଶାଲ୍ ମିଡିଆ ଟିମ୍ ଏଥିପ୍ରତି ଦାୟୀ ରହିବେ ନାହିଁ? ଏମିତି ଅନେକ ପ୍ରଶ୍ନ, ଯାହାର ଉତ୍ତର ଅସମାହିତ। ଅର୍ଥାତ୍ ଆଗକୁ ଅନ୍ୟ ଘଟଣା ପରି ଏ ଘଟଣାକୁ ସୌମ୍ୟାଶ୍ରୀଙ୍କ ସହ କବର ଦିଆଯିବ, ଲୋକେ ଭୁଲିଯିବେ ତାହା ହିଁ ସତ୍ୟ ହେବ!
ହେଲେ ତାହା ନ ହେଉ। ପ୍ରଶାସନ ନିଜେ ଅଭିଯୋଗ ଗ୍ରହଣ କରିବା ବିଷୟକୁ ଧ୍ୟାନ ଦେଉ। ସଜାଗ ହେଉ। ଯାହାଫଳରେ ଆସ୍ଥା ଫେରିବ। ଗଣତନ୍ତ୍ରର ପ୍ରକୃତ ଉଦ୍ଦେଶ୍ୟ ସାକାର ହେବ। ସରକାର ଲୋକଙ୍କ ସରକାର ହୋଇପାରିବେ।
