Tribal Fair:ପ୍ରବାସୀ ଭାରତୀୟ ଦିବସ ପାଇଁ ୧୨୫ କୋଟି ଟଙ୍କାର ବଜେଟ୍ ଥିବାବେଳେ ପ୍ରବାସୀଙ୍କ ଆଗମନକୁ ଦୃଷ୍ଟିରେ ରଖି ରାଜଧାନୀ ସଜେଇ ହେଉଥିବାବେଳେ କାର୍ଯ୍ୟକ୍ରମମାନ ପ୍ରସ୍ତୁତ ହେଉଛି।
ପ୍ରବାସୀ ଭାରତୀୟ ଦିବସ ପାଇଁ ପ୍ରଥମଥର ସକାଶେ ଆଦିବାସୀ ମେଳା ପରମ୍ପରାରେ ବ୍ୟତିକ୍ରମ ହେବାକୁ ଯାଉଛି। ପ୍ରତିବର୍ଷ ଜାନୁୟାରୀ ୨୬ତାରିଖରେ ସାଧାରଣତନ୍ତ୍ର ଦିବସରେ ଉଦ୍ଘାଟନ ହେଉଥିବା ଆଦିବାସୀମେଳା ଚଳିତବର୍ଷ ଜାନୁୟାରୀ ୫ତାରିଖରୁ ଅନୁଷ୍ଠିତ ହେବ।
ପ୍ରତି ଦୁଇବର୍ଷରେ ଥରେ ଆୟୋଜିତ ହେଉଥିବା ପ୍ରବାସୀ ଭାରତୀୟ ଦିବସର ୧୮ତମ ସଂସ୍କରଣ ଚଳିତବର୍ଷ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି। ସାରାବିଶ୍ୱରୁ ପ୍ରାୟ ଚାରିହଜାର ପ୍ରବାସୀ ଏଥିରେ ଅଂଶଗ୍ରହଣ କରିବାର ଥିବାବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ, ବୈଦେଶିକ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେବେ।
ପ୍ରବାସୀ ଭାରତୀୟ ଦିବସ ପାଇଁ ୧୨୫ କୋଟି ଟଙ୍କାର ବଜେଟ୍ ଥିବାବେଳେ ପ୍ରବାସୀଙ୍କ ଆଗମନକୁ ଦୃଷ୍ଟିରେ ରଖି ରାଜଧାନୀ ସଜେଇ ହେଉଥିବାବେଳେ କାର୍ଯ୍ୟକ୍ରମମାନ ପ୍ରସ୍ତୁତ ହେଉଛି।
ତେବେ ପ୍ରବାସୀ ଭାରତୀୟ ଦିବସକୁ ଦୃଷ୍ଟିରେ ରଖି ଚଳିତବର୍ଷ ଆଦିବାସୀମେଳାକୁ ଜାନୁୟାରୀ ୫ତାରିଖରେ କରିବାକୁ ନିଷ୍ପତ୍ତି ହୋଇଛି। ପ୍ରଥମଥର ପାଇଁ ଜାନୁୟାରୀ ୨୬ ତାରିଖ ବଦଳରେ ୫ ତାରିଖରେ ଏହି ମେଳା ଅନୁଷ୍ଠିତ ହେଉଥିବାବେଳେ ୭୨ବର୍ଷର ଆଦିବାସୀମେଳା ପରମ୍ପରାରେ ବ୍ୟତିକ୍ରମ ହେବାକୁ ଯାଉଛି।
୧୯୫୨ ମସିହାରୁ ଆଦିବାସୀମେଳା ପ୍ରଥମ କଟକରେ ଆରମ୍ଭ ହୋଇଥିବାବେଳେ ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱ କାଳରେ ୧୯୫୪ ମସିହାରେ ଏହା ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହୋଇଥିଲା। ସେବେଠାରୁ ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସରେ ଆଦିବାସୀମେଳା ଆରମ୍ଭ ହେଉଥିବାବେଳେ। ବହୁବର୍ଷ ଧରି ଏହି ମେଳା ସାତଦିନ ପାଇଁ ବସୁଥିବାବେଳେ ଲୋକଙ୍କ ଦାବିକୁ ସମ୍ମାନ ଜଣାଇ ଏହାକୁ ପ୍ରଥମେ ୧୦ଦିନ ଓ ପରେ ୧୫ଦିନକୁ ବୃଦ୍ଧି କରାଯାଇଥିଲା।
ସେହିଭଳି ଆଦିବାସୀମେଳା ନିୟମିତଭାବେ ରାଜଧାନୀରେ ଥିବା ଆଦିବାସୀ ପଡ଼ିଆରେ ଅନୁଷ୍ଠିତ ହେଉଥିଲା। ତେବେ ବର୍ଦ୍ଧିତ ଜନସଂଖ୍ୟା ଓ ଗାଡ଼ିମୋଟରକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ଏହାକୁ ପ୍ରଦର୍ଶନୀ ପଡ଼ିଆକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ତାରିଖରେ କୌଣସି ପରିବର୍ତ୍ତନ କରାଯାଇନଥିଲା।
ଆଦିବାସୀମେଳାକୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଆଦିବାସୀମାନେ ସେମାନଙ୍କ କୃଷିଜାତ ସାମଗ୍ରୀ ଏଠାକୁ ନେଇ ଆସୁଥିବାବେଳେ ମେଳାରେ ଲୋକେ ଆଦିବାସୀ ଗ୍ରାମ, ଚାଷବାସ, ପଶୁପାଳନ ସହିତ ଅତି ନିକଟରୁ ଆଦିବାସୀ ଜନଜାତିଙ୍କୁ ଦେଖିବାର ସୁଯୋଗ ପାଉଥିଲେ। ସେହିଭଳି ଦେଶର ବିଭିନ୍ନ ରାଜ୍ୟରୁ ଜନଜାତି କଳାକାରମାନେ ଆସି ସେମାନଙ୍କର କଳା ପ୍ରଦର୍ଶନ କରୁଥିଲେ। ମେଳାରେ ଆଦିବାସୀମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ବି ଲୋକେ ଖାଇବାକୁ ପାଉଥିଲେ। ବ୍ୟବସାୟ ବି ୧୦କୋଟି ଟଙ୍କାକୁ ଟପିଯାଇଥିଲା। ଚଳିତବର୍ଷ ଆଦିବାସୀର ତାରିଖରେ ପରିବର୍ତ୍ତନ ହୋଇଥିବାବେଳେ କେତେ ସଂଖ୍ୟାରେ ପ୍ରବାସୀଙ୍କୁ ମେଳା ଆକର୍ଷିତ କରିପାରିବ ତାହା ଉପରେ ଏବେ ସମସ୍ତଙ୍କ ନଜର।
Also readhttps://purvapaksa.com/urban-governance-will-be-strengthened/
