ନୂଆପଡ଼ା ଉପ ନିର୍ବାଚନ ପରିପ୍ରେକ୍ଷୀରେ ଇଭିଏମ୍ ଲିକ୍ ଅଭିଯୋଗକୁ ମୁଖ୍ୟ ନିର୍ବାଚନ କମିଶନ ଖାରଜ କରିଛନ୍ତି। ଏହା ନିର୍ବାଚନ କମିଶନଙ୍କ ଉପରେ ଥିବା ଦୀର୍ଘ କାଳୀନ ଆସ୍ଥାକୁ ଭାଙ୍ଗିବାର ପ୍ରୟାସ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ନୂଆପଡ଼ା ଜିଲ୍ଲା ବାହାରୁ କୌଣସି ଇଭିଏମ୍ ଅଣା ଯାଇ ନାହିଁ ଏବଂ ନୂଆପଡ଼ା ଷ୍ଟ୍ରଙ୍ଗରୁମରେ ଥିବା ଇଭିଏମରେ ହିଁ ମତ ଗ୍ରହଣ କରାଯିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ସନ୍ଥ ଗୋପାଳନ।
ଗତକାଲି ଅପରାହ୍ଣ ସାଢ଼େ ତିନିଟା ସମୟରେ ବିଜୁ ଜନତା ଦଳ ପକ୍ଷରୁ ଏପରି ଏକ ଅଭିଯୋଗ ଆସିଥିଲ।ା ଅଭିଯୋଗ ଅନୁସାରେ ଗଞ୍ଜାମ ଜିଲ୍ଲାର ଷ୍ଟ୍ରଙ୍ଗରୁମରୁ ଇଭିଏମ୍ ନୂଆପଡ଼ା ଅଣାଯାଉଥିବା ନେଇ କୁହାଯାଇଥିଲା। ଏପରିକି ଟ୍ରକରେ ବୁହା ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ସବିଶେଷ ପ୍ରମାଣ ଦେବାକୁ ନିର୍ବାଚନ କମିଶନ ଅନୁରୋଧ କରିବା ସହ ଗଞ୍ଜାମ ଜିଲ୍ଲାର ଷ୍ଟ୍ରଙ୍ଗରୁମ୍ ସିସିଟିଭି ଏବଂ ନୂଆପଡ଼ା ଜିଲ୍ଲାରେ ପ୍ରବେଶ ବିନ୍ଦୁର ସିସିଟିଭି ଗୁଡ଼ିକୁ ଯାଞ୍ଚ କରାଯାଇଥିଲା। ଏହି ଯାଞ୍ଚ ଅନୁସାରେ ଏପରି କୌଣସି ଇଭିଏମ୍ ବା ଟ୍ରକ ନୂଆପଡ଼ାରେ ପ୍ରବେଶ ହୋଇ ନାହିଁ ବୋଲି କହିଛନ୍ତି ଶ୍ରୀ ସନ୍ଥ ଗୋପାଳନ।

ଇଭିଏମ୍ ଭଣ୍ଡାରଣ ପାଇଁ ସ୍ୱଚ୍ଛ ଏବଂ ନିରପେକ୍ଷ ବ୍ୟବସ୍ଥା ଆପଣା ଯାଇଥାଏ। ପ୍ରତି ତିନିମାସରେ ଥରେ ବିଭିନ୍ନ ରାଜନୀତିକ ଦଳ,ର ଉପସ୍ଥିତିରେ ଇଭି,ମ୍ ଯାଞ୍ଚ କରାଯାଇଥା,। ଯେଉଁ ଇଭିଏମ୍ ଅଚଳ ଥାଏ ବା ଯାହାର ଜୀବନ କାଳ ସମାପ୍ତ ହୋଇଯାଇଥାଏ ସେଗୁଡ଼ିକୁ ହାଇଦ୍ରାବାଦ ନିର୍ମାଣସ୍ଥଳୀକୁ ଫେରାଇ ଦିଆଯାଇଥାଏ। ପ୍ରଚଳିତ ବ୍ୟବସ୍ଥା ଅନୁସାରେ ସମସ୍ତ ରୀାଜନୀତିକ ଦଳ ଓ ଇଭିଏମ୍ ଯାଉଥିବା ରାସ୍ତାରେ ଆସୁଥିବା ପ୍ରତିଟି ରାଜ୍ୟ ସରକାରଙ୍କୁ ଏ ବାବଦରେ ଜଣାଇ ଦିଆଯାଇ ଏଥିପାଇଁ ଗ୍ରୀନ କରିଡର ତିଆରି ହୁଏ। ଏଣୁ ଏହାର ଚୋରି ନେଇ କୌଣସି ଆଶଙ୍କା କରାଯାଇ ନପାରେ। ଏହା ଏକ ସମ୍ପୂର୍ଣ୍ଣ ପ୍ରମାଣିତ ବ୍ୟବସ୍ଥା ଏବଂ ଏହି ଇଭିଏମ୍ ଚୋରି ବା ଅଦଳ ବଦଳ ନେଇ ଆସୁଥିବା ସମସ୍ତ ଅଭିଯୋଗ ଅସତ୍ୟ ବୋଲି କହିଛନ୍ତି ଶ୍ରୀ ସନ୍ଥଗୋପାଳନ।
ଏପରି ଅଭିଯୋଗ ପାଇଁ ଦୁଃଖ ଲାଗୁଛି ବୋଲି କହିଛନ୍ତି ଶ୍ରୀ ସନ୍ଥ ଗୋପାଳନ। ଏହିପରି ଅଭିଯୋଗ ଦେଶବାସୀଙ୍କ ନିର୍ବାଚନ କମିଶନଙ୍କ ଉପରେ ଥିବା ଆସ୍ଥାକୁ ଭଙ୍ଗ କରିବାର ପ୍ରୟାସ ବୋଲି ସେ କହିଛନ୍ତି।


