ରାଜ୍ୟ ରାଜନୀତିରେ ବିଜେପି-ବିଜେଡି ଭିତରେ ଏକ ଭିତିରିଆ ସମ୍ପର୍କ ଯେ ରହି ଆସିଛି ତାହା ଅନେକ ସମୟରେ ଆଲୋଚନା ହେଉଛି। ଆମେ ମଧ୍ୟ ପୂର୍ବପକ୍ଷରେ ଏ ନେଇ ସମୀକ୍ଷା କରିଛୁ। ଆଜି କିନ୍ତୁ ଯେଉଁ କଥା ମୁଁ ଆପଣଙ୍କୁ କହିବାକୁ ଯାଉଛି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ସମୀକରଣ ରାଜ୍ୟରେ ସରକାରୀ ଦଳ ଓ ବିରୋଧୀ ଦଳ ଭିତରେ ଥିବା ସମ୍ପର୍କକୁ ବଦଳାଇ ଦେବ। କିନ୍ତୁ ହରଡ଼ଘଣାରେ ପଡ଼ିବ ବିଜେଡି। ଏହିଦଳ ପାଇଁ ପରିସ୍ଥିତି ‘ଗାଈକୁ ମାଇଲେ ମଲି, ଗାଈ ମାଇଲେ ମଲି’ ଭଳି ହେବ।
ଚକ୍ରବ୍ୟୁହରେ ଫଶିବ ବିଜେଡି
ଆଜି ଓଡ଼ିଶା ରାଜନୀତି ଦିଲ୍ଲୀ ଦରବାରରେ ବିଶେଷ ଆକର୍ଷଣ ହେବାକୁ ଯାଉଛି। ବିଜେପି ଓ ବିଜେଡିର ଶୀର୍ଷ ନେତା ଓ ରଣନୀତିକାର ଅଚାନକ ଦିଲ୍ଲୀ ଯିବା ଏହାକୁ ଇଙ୍ଗିତ କରୁଛି। ଆସନ୍ତା କାଲି ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭୋଟକୁ ସରକାର ଆଶା କରୁଥିବାବେଳେ ବିଜେଡି ଏହି ନିର୍ବାଚନରୁ ଦୂରେଇ ରହିବ। କିଛି ବିଜେଡି ସାଂସଦ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବେ ନାହିଁ ବୋଲି ରୋକ ଠୋକ ବିଭିନ୍ନ ଗଣମାଧ୍ୟମରେ କହିବା ପରେ ଦଳରେ ପୂର୍ବ ବିଶୃଙ୍ଖଳା ଉତ୍କଟ ରୂପ ସୃଷ୍ଟି ଆଶଙ୍କା ରହିଛି। ଏହିକ୍ରମରେ ଅଣ କଂଗ୍ରେସ ରାଜନୀତିକୁ ନିରନ୍ତର ରକ୍ଷା କରିବା ଉଦ୍ଦେଶ୍ୟରେ ବିଜେଡିର ଦୀର୍ଘସ୍ଥାୟୀତ୍ୱ ଆଶା କରୁଥିବା ବିଜେପି ବୁଝାମଣାର ବାଟ ଖୋଲିଥିବା ଚର୍ଚ୍ଚା ହେଉଛି। କୁହାଯାଉଛି ଏ ବୁଝାମଣା ବିଜେଡି-ବିଜେପି ସମ୍ପର୍କରେ ନୂଆ ମୋଡ଼ ଦେବ। କିନ୍ତୁ ପରିସ୍ଥିତିର ଚକ୍ରବ୍ୟୁହରେ ଫଶିବ ବିଜୁ ଜନତା ଦଳ। ଦଳ ପାଇଁ ପାଣ୍ଡିଆନ୍ ଓ ବିଜେପି ଏମିତି କଣ୍ଟା ହେବେ ଯେ ନା ତାକୁ ନବୀନ ଢୋକିପାରିବେ ନା ବାନ୍ତି କରିବାକୁ ସାହସ କରିବେ।
ପୂର୍ବରୁ ବିଜେଡି ମଞ୍ଜ ହୋହଲିଛି
କାରଣ ଓ୍ୱାକଫ୍ ବିଧେୟକ ଭୋଟ ସମୟରେ ବିଜେଡିରେ ଯେଉଁଭଳି ଭାବେ ବିଭାଜନ ହେଲା ସେଥିରେ ବିଜେଡିର ମଞ୍ଜ ଦୋହଲି ଥିବା ପ୍ରମାଣିତ ହୋଇଥିଲା। ମୂଳ ନେତୃତ୍ୱକୁ ନେତାମାନେ ଚ୍ୟାଲେଞ୍ଜ କରିଥିଲେ। ଖାଲି ସେତିକି ନୁହେଁ, ନବୀନଙ୍କ ଆଦେଶକୁ ଅମାନ୍ୟ କରିଥିବା ନେତାଙ୍କ ବିରୋଧରେ ବିଜେଡି କାର୍ଯ୍ୟାନୁଷ୍ଠାନ ବି ଗ୍ରହଣ କରିପାରିନଥିଲା। ଚର୍ଚ୍ଚା ହୋଇଥିଲା ଦଳରେ ପାଣ୍ଡିଆନ୍ ପନ୍ଥୀ ସାଂସଦମାନେ ଅନ୍ୟମାନଙ୍କଠାରୁ ଅଲଗା ହୋଇ ବିଜେପିକୁ ସମର୍ଥନ କରିଥିଲେ। ଏହାକୁ ନେଇ ଦିଲ୍ଲୀଠାରୁ ଆରମ୍ଭ କରି ଭୁବନେଶ୍ୱର ଏବଂ ଶଙ୍ଖ ଭବନଠାରୁ ନବୀନ ନିବାସ ଯାଏ ବିଦ୍ରୋହ ଦେଖିବାକୁ ମିଳିଥିଲା। ଏବେ ଉପ ରାଷ୍ଟ୍ରପତି ନିର୍ବାଚନରେ ଏମିତି ଏକ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଚର୍ଚ୍ଚା ପୂରା ଜୋରଦାର ହୋଇଛି।
ହେଲେ ଏ ଚର୍ଚ୍ଚାଠୁ ଦୂରେଇ ରହିବା ତଥା ବିଜେଡିକୁ ଗୋଟିଏ ସୂତ୍ରରେ ବାନ୍ଧିବା ଲାଗି ନବୀନ ଦିଲ୍ଲୀଗସ୍ତ କରିଛନ୍ତି। ଦିଲ୍ଲୀ ଯିବା ପୂର୍ବରୁ ଏଠାରେ ବରିଷ୍ଠ ନେତାମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ନବୀନ। ଆଲୋଚନା ପରେ ଦଳ ମତଦାନରୁ ଦୂରେଇ ରହିବ ବୋଲି ଜଣାପଡ଼ିଛି।
ସସ୍ମିତ ପାତ୍ରଙ୍କ ଟ୍ୱିଟ୍ରୁ ବିବାଦ
ଏହି ଆଶଙ୍କା ସୃଷ୍ଟି ପଛରେ ଏକ ବଳିଷ୍ଠ କାରଣ ହେଉଛି ବିଜେଡିରେ ସୃଷ୍ଟି ହୋଇଥିବା ବିବାଦ। ଏହି ବିବାଦରେ ସମଗ୍ର ବିଜେଡି ଦୁଇ ଭାଗରେ ବିଭକ୍ତ ହୋଇଛି। ଗୋଟିଏ ନବୀନ ପନ୍ଥୀ ଓ ଅନ୍ୟଟି ପାଣ୍ଡିଆନ୍ ପନ୍ଥୀ। ଏହି ପନ୍ଥ-ବାଦ ହେତୁ ବଜେଟ୍ ଅଧିବେଶନ ସମୟରେ ପରିସ୍ଥିତି ବିଷମ ହୋଇଥିଲା। ବିଜେଡି ରାଜନୀତି ଜାତୀୟ ସ୍ତରରେ ଚର୍ଚ୍ଚା ହୋଇଥିଲା। କାରଣ ଓ୍ୱାକଫ୍ ବିଧେୟକରେ ଭୋଟ୍ ଗ୍ରହଣବେଳେ ରାତାରାତି ବିଜେଡିର ନିଷ୍ପତ୍ତି ବଦଳିଗଲା। ନବୀନଙ୍କ ପୂର୍ବ ନିର୍ଦ୍ଦେଶକୁ ଅମାନ୍ୟ କରି କିଛି ନେତା ଏନ୍ଡିଏ ସପକ୍ଷରେ ଭୋଟ ଦେଇଥିଲେ। ଏଥିନେଇ କୌଣସି ପୂର୍ବ ନିଷ୍ପତ୍ତି ନ ଥିଲା। ବରଂ ରାଜ୍ୟସଭାରେ ଦଳର ନେତା ସସ୍ମିତ ପାତ୍ରଙ୍କ ଏକ ଟ୍ୱିଟ୍ ପରେ ସୃଷ୍ଟି ହୋଇଥିଲା। ବିବେକ ଅନୁସାରେ ଭୋଟ୍ ଦେବାର ପରମ୍ପରା ବିଜେଡିରେ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲା। ଏହାକୁ ନେଇ ଅନେକ ଅସନ୍ତୁଷ୍ଟ ରହି ଭୋଟରୁ ନିବୃତ୍ତ ରହିଥିଲେ। ଏବେ ବି ବିଜେପି ସପକ୍ଷରେ ଭୋଟ ଦେବା ଲାଗି ରାଜ୍ୟସଭାର କିଛି ବିଜେଡି ସାଂସଦ ଖୋଲା ଖୋଲି ମନା କରିଛନ୍ତି। ନବୀନ ଏ ନେଇ କୌଣସି ଆଦେଶ ଦେଇ ନାହାନ୍ତି।
ହ୍ୱିପ୍ ନାହିଁ
ପୁଣି ନିୟମ ଅନୁସାରେ ଦଳ ଏହି ଭୋଟ୍ ଦାନରେ କୌଣସି ହ୍ୱିପ୍ ବା ଆଦେଶ ଜାରି କରିପାରିବ ନାହିଁ। ଓ୍ୱାକଫ୍ ବିଧେୟକବେଳେ ହ୍ୱିପ୍ ଜାରିର ସୁବିଧା ଥାଇ ମଧ୍ୟ ଦଳ ସେ ସୁବିଧା ନେଇ ନ ଥିଲା। ଏବେ ସ୍ୱାଧୀନ ମତବ୍ୟକ୍ତ କରିବାର ସୁବିଧା ଥିବାରୁ ଦଳରେ କହି ସଭାପତିଙ୍କ ଆଦେଶର ବିରୋଧରେ ଭୋଟଦାନ କଲେ ବି ସୁଦ୍ଧା ସଭାପତି କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ। ଇଲେକ୍ଟୋରାଲ କଲେଜର ସଦସ୍ୟଭାବେ ନିରପେକ୍ଷ ନିର୍ବାଚନ ଲାଗି ଏକ ବାତାବରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ସାମ୍ବିଧାନିକ ନିୟମ ବଳବତ୍ତର ରହିଛି। କିନ୍ତୁ ଦଳଗୁଡ଼ିକ ପରୋକ୍ଷରେ ନିଜ ନିଜ ସଦସ୍ୟଙ୍କୁ ନିଜ ଦ୍ୱାରା ଚୟନିତ ପ୍ରାର୍ଥୀଙ୍କୁ ଭୋଟ ଦେବା ଲାଗି ଚାପ ପ୍ରୟୋଗ କରିଥାଆନ୍ତି। ତେଣୁ ବିଜେଡି ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛି।
ବିଜେଡିରେ ପାଣ୍ଡିଆନ୍ଙ୍କୁ ଗୁରୁତ୍ୱ
ବିଜେଡି ଗଲା ଅନେକ ବର୍ଷ ଧରି ଏକତ୍ରିତ ହୋଇ ନିଜର ଭୋଟ୍ ଦେଇ ଆସୁଥିଲା। ହେଲେ ରାଜ୍ୟ କ୍ଷମତାରୁ ଅପସାରିତ ହେବା ପରେ ଦଳରେ ବିଭେଦ ଯଥେଷ୍ଟ ବଢ଼ିଛି। ନିଜକୁ ଦ୍ୱିତୀୟ କ୍ଷମତା କେନ୍ଦ୍ରଭାବେ ପରିଚିତ କରୁଥିବା ନବୀନଙ୍କ ସେବକ ଭିକେ ପାଣ୍ଡିଆନ୍ଙ୍କୁ ନେଇ ଦଳ ଦୁଇ ଭାଗ ହୋଇଛି। କିଛି ନେତା ନିଜକୁ ପାଣ୍ଡିଆନ୍ ପନ୍ଥୀ ବୋଲି କହୁଛନ୍ତି। ଏପରିକି ନବୀନଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରି ପାଣ୍ଡିଆନ୍ଙ୍କ ନିର୍ଦ୍ଦେଶକୁ ରକ୍ଷା କରୁଛନ୍ତି। ଦଳରେ ଏପରି ଭିନ୍ନ ମତକୁ ଦେଖି ନବୀନ ନିବାସରେ ଅନେକ ସମୟରେ ବିଦ୍ରୋହ ସୃଷ୍ଟି ହୋଇଥିଲା। ପାଣ୍ଡିଆନ୍ ପରୋକ୍ଷରେ ନବୀନଙ୍କୁ ନିନ୍ତ୍ରଣ କରୁଥିବା ନେଇ ଚର୍ଚ୍ଚା ହୋଇଥିଲା।
କିନ୍ତୁ ନବୀନ ଏହାକୁ ନେଇ ବିଚଳିତ ହୋଇ ନାହାନ୍ତି। ପାଣ୍ଡିଆନ୍ଙ୍କୁ ଏ ବାବଦରେ କୌଣସି ତାଗିଦ ମଧ୍ୟ କରି ନାହାନ୍ତି। ବରଂ ପାଣ୍ଡିଆନ୍ ଦଳ ପାଇଁ ଅନେକ ଭଲ କାର୍ଯ୍ୟ କରିଛନ୍ତି ବୋଲି କହି ତାଙ୍କୁ ପ୍ରଶଂସା କରିଛନ୍ତି। ଏହାକୁ ଦେଖି ନବୀନଙ୍କଠାରୁ ପୁରୁଣା ନେତାମାନେ ଦୂରେଇବା ଆରମ୍ଭ କରିଥିବା ଅଭିଯୋଗ ହୋଇଛି।
ସୁଜାତାଙ୍କୁ ଦେଇ କୌଣସି ସ୍ପଷ୍ଟତା ନାହିଁ
ଏ ପରିସ୍ଥିତି ଏବେ ବି ଜାରି ରହିଛି। ବିଭନ୍ନ ସମୟରେ ପାଣ୍ଡିଆନ୍ଙ୍କୁ କେନ୍ଦ୍ର କରି ରାଜ୍ୟ ରାଜନୀତି ସରଗରମ ହୋଇଛି। ନିକଟରେ ନବୀନ ଅସୁସ୍ଥ ଥିବାବେଳେ ବିଜେଡିର ବରିଷ୍ଠ ନେତାମାନଙ୍କୁ ଖବର ନ ଦିଆଯିବା ମଧ୍ୟ ଚର୍ଚ୍ଚାକୁ ଆସିଥିଲା। ବିଜେଡି ନେତାମାନଙ୍କୁ ପାଣ୍ଡିଆନ୍ଙ୍କ ପତ୍ନୀ ସୁଜାତା ପରାମର୍ଶ ଦେବା ଏବଂ ଡାକ୍ତରଖାନାରେ ତାଙ୍କ ସହ ଆଲୋଚନା କରିବା ମଧ୍ୟ ଚର୍ଚ୍ଚାକୁ ଖୋରାକି ଦେଇଥିଲା। ଏପରିକି ସୁଜାତା ଆଗକୁ ଦଳର ସଭାପତି ହେବେ ବୋଲି ଚର୍ଚ୍ଚା ହୋଇଛି। ଯେହେତୁ ପାଣ୍ଡିଆନ୍ଙ୍କୁ ଅଣ ଓଡ଼ିଆ କହି ଓଡ଼ିଶାବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି ସେ ସୁଜାତାଙ୍କ ମାଧ୍ୟମରେ ଦଳକୁ ହାଇଜାକ୍ କରିବେ ବୋଲି ବି ଚର୍ଚ୍ଚା ହୋଇଛି। ହେଲେ ଏ ନେଇ ବିଜେଡି ବା ନବୀନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇ ନାହିଁ।
କେନ୍ଦ୍ରରେ ଭାଇ-ରାଜ୍ୟରେ ଭଗାରି
ଏବେ ନବୀନଙ୍କ ଦିଲ୍ଲୀ ଗସ୍ତ ସମୟରେ ପାଣ୍ଡିଆନ୍ଙ୍କ ହାତମୁଠାକୁ ଟାଣ କରିବା ଲାଗି କିଛି ପ୍ରସ୍ତାବରେ ବୁଝାମଣା ହୋଇପାରେ। ଏହି ବୁଝାମଣା ଅନୁସାରେ ରାଜ୍ୟ ସରକାର ସିଏଜି ରିପୋର୍ଟ ମାଧ୍ୟମରେ ପାଣ୍ଡିଆନ୍ଙ୍କ ବିରୋଧରେ ଦୁର୍ନୀତି ତଦନ୍ତର ଯେଉଁ ଆଭାସ ଦେଇଛନ୍ତି ତାହାକୁ ପ୍ରଶମିତ କରିବା ପାଇଁ ଦାବି ଉଠିପାରେ। କିଛିଦିନ ପୂର୍ବେ ବିଜେପି ବିରୋଧୀ ଦଳରେ ଥାଇ ଯେମିତି ରାଜ୍ୟରେ ସ୍ୟାଣ୍ଡଓ୍ୱିଚ୍ ଭଳି ବ୍ୟବହାର କରୁଥିଲା, ଏବେ ସେହି ଅବସ୍ଥାରେ ବିଜେଡି ରହିବ। ଅର୍ଥାତ୍ କେନ୍ଦ୍ରରେ ଭାଇ ଭାଇ-ରାଜ୍ୟରେ ଭଗାରି ଭାଇ।
ଏ ପରିସ୍ଥିତି ନବୀନଙ୍କ ବିଜେଡିକୁ କି ଫାଇଦା ଦେବା ତାହା ଦୂରର କଥା କିନ୍ତୁ ଭବିଷ୍ୟତରେ ସରକାରୀ ପ୍ରାୟୋଜିତ ଦୁର୍ନୀତି ତଦନ୍ତରୁ ତାଙ୍କୁ ଦୂରରେ ରଖିବ। ଅର୍ଥାତ୍ ଜୀବନର ଶେଷ ସମୟରେ ମଧ୍ୟ ତାଙ୍କ ପ୍ରତିଚ୍ଛବିରେ ଦୁର୍ନୀତି, ଜେଲର ଦାଗ ଧରିବ ନାହିଁ।
Also readhttps://purvapaksa.com/bjd-directionless-party-ineffective-politics/
BJD: Directionless party, ineffective politics ।। ବିଜେଡି : ଦିଗହୀନ ଦଳ, ପ୍ରଭାବହୀନ ରାଜନୀତି


