Education mahakumbh: ବେଳେବେଳେ କିଛି ଲୋକ ନିଜ ସ୍ଥାନକୁ ଦୁନିଆର ଭିଡ଼ଠାରୁ ଭିନ୍ନ କରିଦିଅନ୍ତି। ଏହି କାହାଣୀ ମଧ୍ୟ ଏମିତି ଜଣେ ବାବାଙ୍କର। ସେ ଜଣେ ଶିକ୍ଷକ ଭାବରେ ଚାକିରି ମଧ୍ୟ ପାଇଥିଲେ, କିନ୍ତୁ ସେ ଏହାକୁ ପସନ୍ଦ କରିନଥିଲେ ଏବଂ ସଂସାରୀୟ ଆକର୍ଷଣ ଛାଡ଼ି ତ୍ୟାଗର ମାର୍ଗ ବାଛିଥିଲେ।
କୁମ୍ଭମେଳା ପାଇଁ ସଙ୍ଗମରେ ଭିଡ଼ ଲାଗି ସାରିଲାଣି। ଦେଶ ଓ ବିଦେଶରୁ ଅନେକ ସାଧୁସନ୍ଥ କୁମ୍ଭକ୍ଷେତ୍ରରେ ପହଞ୍ଚୁଛନ୍ତି। କୁମ୍ଭମେଳାରେ ପହଞ୍ଚୁଥିବା ବାବାଙ୍କ ମଧ୍ୟରେ କିଏ ୧୬ ବର୍ଷ ଧରି ହାତ ଟେକି ରହିଛନ୍ତି ତ କିଏ ବସି ନାହାନ୍ତି। ପୁଣି କିଏ କଣ୍ଟାର ବିଛଣା ଉପରେ ଶୁଅନ୍ତି। ସେଇ କୁମ୍ଭମେଳାକୁ ଆସିଛନ୍ତି ଏମିତି ଜଣେ ସାଧୁ, ଯିଏ ମୋକ୍ଷ ସନ୍ଧାନରେ ସରକାରୀ ଚାକିରି ଛାଡ଼ି ସନ୍ୟାସ ନେଇଥିଲେ। ଆଉ ଗତ ୪୦ରୁ ଅଧିକ ବର୍ଷ ଧରି କଥା ହେଉନଥିବାରୁ ତାଙ୍କୁ ମୌନି ବାବା କୁହାଯାଉଛି। ତେବେ ତାଙ୍କର ଆଉ ଗୋଟିଏ ପରିଚୟ ହେବା ମୌନି ବାବା କୋଚିଂ ବି ଦିଅନ୍ତି। ତେବେ ଏମିତି ସେମିତି କୋଚିଂ ନୁହେଁ। ତାଙ୍କ ପାଖରୁ କୋଚିଂ ନେଉଥିବା ବିଦ୍ୟାର୍ଥୀ ଆଇଏଏସ୍ ଓ ଆଇପିଏସ୍ ହେଉଛନ୍ତି। ଆଉ ଏଥିପାଇଁ ସେ କାହାରିଠାରୁ କାଣିଚାଏ ମଧ୍ୟ ନିଅନ୍ତି ନାହିଁ। ଆସନ୍ତୁ ଜାଣିବା ବାବାଙ୍କ ପୂରା କାହାଣୀ…
କିଏ ମୌନି ବାବା
ମହାକୁମ୍ଭକୁ ଆସିଥିବା ମୌନି ବାବାଙ୍କ କାହାଣୀ ଏହିପରି। ମୌନି ବାବାଙ୍କ ପ୍ରକୃତ ନାମ ଦିନେଶସ୍ୱରୂପ ବ୍ରହ୍ମଚାରୀ । ବାବା ୪୧ ବର୍ଷ ଧରି ଚୁପ୍ ରହୁଥିବାରୁ ବାବା ମୌନି ବାବା ନାମରେ ପରିଚିତ। ଦିନେଶଙ୍କ ପରିବାରରେ ଅନେକ ଶିକ୍ଷକ ଥିବାରୁ ଶିକ୍ଷାର ଭଲ ବାତାବରଣ ଥିଲା। ତାଙ୍କ ପାଠପଢ଼ା ମଧ୍ୟ ଭଲ ଥିଲା। ବି.ଏସ୍.ଡି.ସୁରେଶସ୍ୱରୂପ ବ୍ରହ୍ମଚାରୀ ଓରଫ ମୌନି ବାବାଙ୍କ ପିତା ଏକ କଲେଜର ପ୍ରିନ୍ସିପାଲ ଥିଲେ। ତାଙ୍କ ମୃତ୍ୟୁ ପରେ ଶିକ୍ଷା ବିଭାଗ ତାଙ୍କୁ ତାଙ୍କ ବାପାଙ୍କ ସ୍ଥାନରେ ନିଯୁକ୍ତି ଦେଇଥିଲା। ଏହିଭଳିଭାବେ ମୌନୀ ଦିନେଶସ୍ୱରୂପ ବ୍ରହ୍ମଚାରୀ ଓରଫ ମୌନି ବାବା ଜଣେ ସରକାରୀ ଶିକ୍ଷକ ହୋଇଥିଲେ।
ଆଇଏଏସ୍, ପିସିଏସ୍ ମାଗଣା କୋଚିଂ: ବିନା କଥାରେ କେମିତି ପାଠ ପଢ଼ାଉଛନ୍ତି ବାବା
ସରକାରୀ ଶିକ୍ଷକଭାବେ ଚାକିରି ପାଇବା ପରେ ବି ବାବାଙ୍କ ମନ ଲାଗିନଥିଲା। ତେଣୁ ସେ ଚାକିରି ଛାଡ଼ି ସନ୍ୟାସ ନେଇଥିଲେ। ସନ୍ୟାସ ନେବା ପରେ ବାବା ଚୁପ୍ ରହିଲେ, କିନ୍ତୁ ବାବା ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ପଦକ୍ଷେପ ନେଇଥିଲେ। ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କୁ ମାଗଣା କୋଚିଂ ଦେବା ଆରମ୍ଭ କରିଥିଲେ। ସେ ହ୍ଵାଟ୍ସଆପ୍ ଜରିଆରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି। ଏହାବ୍ୟତୀତ ସେ ପିଲାମାନଙ୍କର ପ୍ରଶ୍ନକୁ ଲିଖିତ ଭାବରେ ନେଇ ଲିଖିତ ଉତ୍ତର ଦିଅନ୍ତି। ଖାଲି ସେତିକି ନୁହେଁ ପ୍ରସ୍ତୁତି କରୁଥିବା ପିଲାଙ୍କ ପାଇଁ ମଧ୍ୟ ସେ ନୋଟ୍ ତିଆରି କରିଥାନ୍ତି। ବିଭିନ୍ନ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତ୍କାରରେ ସେ କହିଛନ୍ତି ଯେ ପ୍ରତିବର୍ଷ ତାଙ୍କ ଦ୍ୱାରା ପଢ଼ାଯାଉଥିବା ପିଲାଙ୍କ ମଧ୍ୟରୁ ଦୁଇରୁ ତିନିଜଣ ସିଭିଲ ସର୍ଭିସରେ ଚୟନ ହୁଅନ୍ତି।
ଋଷ ମହିଳାଙ୍କୁ କାହିଁକି ୮୦ ହଜାର ଟଙ୍କା ଦେଉଛି, ପୁତିନଙ୍କ ଏହା କେଉଁଭଳି ରଣନୀତି?
