କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ତଥା କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ଜ୍ୱାଇଁ ବ୍ୟବସାୟୀ ରବର୍ଟ ଭଦ୍ରାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚାର୍ଜସିଟ୍ ଦାଖଲ କରିଛି। ଏହା ବ୍ୟତୀତ ଇଡି ରବର୍ଟ ଭଦ୍ରାଙ୍କ ୪୩ଟି ସଂପତ୍ତିକୁ ମଧ୍ୟ ଜବତ କରି ନେଇଛି, ଯାହାର ମୂଲ୍ୟ ପାଖାପାଖି ୩୬କୋଟି ଟଙ୍କା ହେବ ବୋଲି କୁହାଯାଇଛି। ହରିୟାଣାର ଶିକୋହପୁର ଲ୍ୟାଣ୍ଡ ଡିଲ୍ କେସ୍ରେ ହିଁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଇଡି ଶିକୋହପୁର ଲ୍ୟାଣ୍ଡ ଡିଲ୍ ମାମଲାରେ ଚାର୍ଜସିଟ୍ ଫାଇଲ କରିଛି। ଏହି ମାମଲାରେ ମନି ଲଣ୍ଡରିଂର ମଧ୍ୟ ଅଭିଯୋଗ ରହିଛି ଏବଂ ଏହାର ଯାଞ୍ଚ ପାଇଁ ହିଁ ଇଡିକୁ ଦାୟିତ୍ୱ ପ୍ରଦାନ କରାଯାଇ ଥିଲା। ଏହି ଚାର୍ଜସିଟ୍ରେ ରବର୍ଟ ଭଦ୍ରାଙ୍କ ସହିତ ଆଇ କିଛି ଲୋକ ଏବଂ କମ୍ପାନୀର ନାଁ ମଧ୍ୟ ସାମିଲ ଅଛନ୍ତି । ଏହି ମାମଲା ଗୁରୁଗ୍ରାମ୍ର ଶେଖୋପୁରରେ ହୋଇଥିବା ଲ୍ୟାଣ୍ଡ ଡିଲ୍ର ଅଛି, ଯେଉଁଥିରେ ଡିଏଲଏଫ୍କୁ ଜମି ଟ୍ରାନ୍ସଫର କରାଯାଇ ଥିଲା।
ଚାର୍ଜସିଟ୍ ଅନୁଯାୟୀ, ଭଦ୍ରାଙ୍କ କମ୍ପାନୀ ସ୍କାଇଲାଇଟ୍ ହସପିଟାଲିଟି ୨୦୦୮ ମସିହାରେ ୭.୫ କୋଟି ଟଙ୍କାରେ ୩.୫୩ ଏକର ଜମି କିଣିଥିଲା। କିନ୍ତୁ, ପ୍ରକଳ୍ପ ସମାପ୍ତ ନକରି ସମାନ ପରିମାଣର ଜମି ୫୮ କୋଟି ଟଙ୍କାରେ ବିକ୍ରି କରାଯାଇଥିଲା। ଚାର୍ଜସିଟ୍ରେ ରବର୍ଟ ଭଦ୍ରାଙ୍କୁ ଅଭିଯୁକ୍ତ କରାଯାଇଛି। ଏହି ମାମଲାରେ, ଏଜେନ୍ସି ଭାଦ୍ରାଙ୍କୁ ୧୮ ଘଣ୍ଟାରୁ ଅଧିକ ସମୟ ଧରି ପଚରାଉଚରା କରିଥିଲା। ଏହା ସହିତ ହରିୟାଣାର ଅନେକ କଂଗ୍ରେସ ନେତାଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ସେମାନଙ୍କ ବୟାନ ଚାର୍ଜସିଟ୍ରେ ଉଲ୍ଲେଖ କରାଯାଇଛି। ରାଉଜ୍ ଆଭେନ୍ୟୁ କୋର୍ଟ ଆସନ୍ତାକାଲି (୧୮ ଜୁଲାଇ) ରବର୍ଟ ଭଦ୍ରାଙ୍କ ବିରୋଧରେ ଇଡି ଚାର୍ଜସିଟ୍ର ଶୁଣାଣି କରିବ।
ଏହି ପୂରା ମାମଲା ହରିଆଣାର ମାନେସର-ଶିକୋହପୁରର ଲ୍ୟାଣ୍ଡ ଡିଲ୍ର, ଯେଉଁଠି ବର୍ତ୍ତମାନ ଏବେ ଗୁରୁଗ୍ରାମର ସେକ୍ଟର-୮୩ ଅବସ୍ଥିତ। ଏହି ଲ୍ୟାଣ୍ଡ ଡିଲ୍ ୨୦୦୮ ମସିହାରେ ସ୍କାଇଲାଇଟ୍ ହସ୍ପିଟାଲିଟି ପ୍ରାଇଭେଟ୍ ଲିମିଟେଡ୍ର ନାମରେ ହୋଇଥିଲା। ଏହି କମ୍ପାନୀରେ ରବର୍ଟ ପ୍ରଥମେ ଡାଇରେକ୍ଟର ଥିଲେ। ୩.୫ ଏକରର ଜମି ଓଙ୍କାରେଶ୍ୱର ପ୍ରପର୍ଟିଜ୍ ଠାରୁ ପ୍ରାୟ ୭.୫ କୋଟି ଟଙ୍କାରେ କିଣା ଯାଇଥିଲା। ସତେବେଳେ କଂଗ୍ରେସର ସରକାର ଥିଲା ଏବଂ ଭୂପିନ୍ଦର ସିଂହ ହୁଡ୍ଡା ସିଏମ୍ ଥିଲେ। ଏହି ଜମିକୁ ସେପ୍ଟେମ୍ୱର ୨୦୧୨ ରେ କମ୍ପାନୀ ଡିଏଲଏଫ୍କୁ ୫୮ କୋଟି ଟଙ୍କାରେ ବିକ୍ରି କରିଥିଲା। ଯେତେବେଳେ ୨୦୧୨ ରେ ଆଇଏଏସ୍ ଅଧିକାରୀ ଅଶୋକ ଖେମକା ଏହି ଲ୍ୟାଣ୍ଡ ଡିଲ୍ର ମ୍ୟୁଟେସନ ଅର୍ଥାତ୍ ଦାଖଲ ଖାରଜ ବାତିଲ କରିଦେଇ ଥିଲେ, ସେତେବେଳେ ଏହି ମାମଲା ଚର୍ଚ୍ଚାରେ ଥିଲା ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରବର୍ଟ ଭଦ୍ରାଙ୍କୁ ୧୪ ଜୁଲାଇରେ ମଧ୍ୟ ୫ଘଣ୍ଟା ଯାଏ ପଚରାପଚରି କରିଥିଲା। ଏହି ପଚରାପଚରି ଇଡି ଲଣ୍ଡନ ସ୍ଥିତ ଆର୍ମ୍ସ କନ୍ସଲଟାଣ୍ଟ ସଞ୍ଜୟ ଭଣ୍ଡାରୀଙ୍କ ସହ ଜଡ଼ିତ ମନି ଲଣ୍ଡରିଂ ସହ ଜଡ଼ିତ କେସ୍ରେ କରିଥିଲା। ସେ ସକାଳ ସମୟ ପାଖାପାଖି ୧୧ ଟାରେ ଇଡିର ଅଫିସରେ ପହଞ୍ଚି ଥିଲେ ଏବଂ ୪ଟା ପରେ ସେଠାରୁ ବାହିରି ଥିଲେ। ରବର୍ଟ ଭଦ୍ରାଙ୍କ ସହ ସାଂସଦ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଇଡି ଅଫିସ୍ ପର୍ଯ୍ୟନ୍ତ ଯାଇ ଥିଲେ। ତାଙ୍କର ବୟାନ ପ୍ରିଭେନ୍ସନ ଅଫ୍ ମନି ଲଣ୍ଡରିଂ ଆକ୍ଟ ଅନୁସାରେ, ରୁଜୁ କରାଯାଇ ଥିଲା। ଇଡି ତାଙ୍କୁ ପୁଣି ଥରେ ଡକାଯାଇ ପାରେ ବୋଲି କହିଥିଲେ, କାରଣ ଅନେକ ମାମଲାରେ ରବର୍ଟ ଭଦ୍ରା ଖୋଲାଖୋଲି ଜବାବ ଦେଇ ନଥିଲେ। ଇଡିର କହିଥିଲା ଯେ, ସଞ୍ଜୟ ଭଣ୍ଡାରୀ ଓ ତାଙ୍କ ପରିବାରର ଲୋକଙ୍କ ସଂପର୍କକୁ ନେଇ ରବର୍ଟ ଭଦ୍ରାଙ୍କ ପକ୍ଷରୁ ସନ୍ତୋଷଜନକ ଜବାବ ମିଳି ନାହିଁ। ରବର୍ଟ ଭଦ୍ରାଙ୍କ ବିରୋଧରେ ତିନୋଟି ଅଲଗା ଅଲଗା କେସ୍ ରେ ଇଡି ପକ୍ଷରୁ ଯାଞ୍ଚ ଚାଲିଛି। ଏଥିରୁ ଦୁଇଟି କେସ୍ ଜମି କାରବାରରେ ଆର୍ଥିକ ଅନିୟମିତତାକୁ ନେଇ ରହିଛି।
