ଓଡ଼ିଶା ସରକାର ଲୋକଙ୍କ ପାଇଁ କ’ଣ ନିଷ୍ପତ୍ତି ନେଉଛନ୍ତି ବା ନ ନେଉଛନ୍ତି ଯେତିକି ଚର୍ଚ୍ଚା ହେଉନି ଏବେ କିନ୍ତୁ ଅଧିକ ଚର୍ଚ୍ଚିତ ହେଉଛି ମନ୍ତ୍ରିମଣ୍ଡଳର ଆଭ୍ୟନ୍ତରୀଣ ବ୍ୟାପାର। କେତେବେଳେ ମନ୍ତ୍ରିମାନଙ୍କ ପ୍ରୋଗ୍ରେସ୍ ରିପୋର୍ଟ ମଗାଯାଉଛି ତ ଆଉ କେତେବେଳେ କିଏ କେଉଁ ଗୋଷ୍ଠୀର ତାହାକୁ ନେଇ ଆଲୋଚନା ହେଉଛି।
ପୁଣି କ୍ଷମତା କେନ୍ଦ୍ରକୁ ସନ୍ତୁଳିତ କରିବା ପାଇଁ ପ୍ରତି ଅଞ୍ଚଳ, ସମ୍ପ୍ରଦାୟର ପ୍ରତିନିଧିତ୍ୱକୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି ସରକାରଙ୍କ ରଣନୀତିକାରମାନେ। ଏ ଭିତରେ ରାଜ୍ୟ ରାଜନୀତିରେ କିଛି ନବାଗତ ବିଧାୟକ ପୁଣି ମନ୍ତ୍ରୀ ହେବା ନେଇ ଚର୍ଚ୍ଚା ଉଠିଛି। ଆଉ ସେ ତାଲିକାରେ ରହିଛନ୍ତି ଲୁଲୁ ଲଳନା ଉପାସନା ମହାପାତ୍ର।
ବ୍ରହ୍ମଗିରିରେ ବିଜେଡି ଷ୍ଟ୍ରଙ୍ଗମ୍ୟାନ୍ ସଞ୍ଜୟ ଦାସବର୍ମାଙ୍କୁ ନିର୍ବାଚନ ପୂର୍ବରୁ ତଡ଼ିପାର କରିବାରେ ତାଙ୍କ ଲୋକପ୍ରିୟତାକୁ ମନେପକାଯାଇପାରେ। ଏପରିକି ଏବେ ଉପମୁଖ୍ୟମନ୍ତ୍ରୀ କୁର୍ସିରେ ବସିଥିବା ପ୍ରଭାତୀଙ୍କ ପାଇଁ ସେ ଆହ୍ୱାନ ହୋଇପାରନ୍ତି।
ପ୍ରଭାତୀ ପରିଡ଼ା ହେଉଛନ୍ତି ଜଗତସିଂହପୁର ଲୋକସଭା ଓ ପୁରୀ ଜିଲ୍ଲାର ନିମାପଡ଼ା ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ପାଇଁ ବିଧାୟିକା ହୋଇଥିବା ବିଜେପି ନେତ୍ରୀ। ଏବେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ। ମହିଳା, ଶିଶୁ ବିକାଶ, ପର୍ଯ୍ୟଟନ ଓ ମିଶନ ଶକ୍ତି ବିଭାଗ ଦାୟିତ୍ୱକୁ ସେ ସମ୍ଭାଳୁଛନ୍ତି। ୫୯ ବର୍ଷରେ ପାଦ ଦେଇଥିବା ପ୍ରଭାତୀ ମାତ୍ର ୪୫୮୮ ଭୋଟରେ ଜିତିଥିଲେ। ରାଜନୀତିକ ସମୀକରଣକୁ ଦେଖିଲେ ତାଙ୍କ ବିଜୟ ପଛରେ ବିଭାଜିତ ବିଜେଡି ଭୋଟ ଅଧିକ ସହାୟକ ହୋଇଥିଲା। ଏହି ଭୋଟ ତାଙ୍କୁ ଅକ୍ତିଆର କରିବା ପଛରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିରୁ ଅପମାନିତ ହୋଇ ବିଜେପି ଯୋଗ ଦେଇଥିବା ସମୀର ଦାଶଙ୍କ ଭୂମିକାକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଏପରିକି ଖୋଦ୍ ପ୍ରଭାତୀ ଏହାକୁ ସ୍ୱୀକାର କରିଛନ୍ତି।
କିନ୍ତୁ କ୍ଷମତାରେ ରହିବାର ବର୍ଷକ ଭିତରେ ପ୍ରଭାତୀଙ୍କର ନିର୍ବାଚନମଣ୍ଡଳିରେ ରାଜନୀତିକ ସମୀକରଣ ବଦଳିବା ଏବଂ ଖୋଲାଖୋଲିଭାବେ ସମୀର ତାଙ୍କୁ ଅପଦସ୍ତ କରିବା ପ୍ରଭାତୀଙ୍କ ମନମୁଖୀ ତଥା ଆତ୍ମକୈନ୍ଦ୍ରିକ ଚିନ୍ତାଧାରାକୁ ପ୍ରତିଫଳିତ କରୁଛି। ପୁଣି ମହିଳା ସଶକ୍ତିକରଣ, ମିଶନ ଶକ୍ତି ଦାୟିତ୍ୱରେ ଥାଇ ମଧ୍ୟ ରାଜ୍ୟରେ ମହିଳାମାନଙ୍କ ସୁରକ୍ଷା, ଛାତ୍ରୀଙ୍କ ମର୍ଯ୍ୟାଦା ରକ୍ଷାରେ ତାଙ୍କ ବିଭାଗ ଶୋଇପଡ଼ିଥିବା ନେଇ ଅଭିଯୋଗ ହେଉଛି।
ଏଭଳି ସ୍ଥଳରେ କେହି କେହି ତାଙ୍କୁ ଅହଙ୍କାରୀ ହୋଇଥିବା ଅଭିଯୋଗ କରି ସିଧାସଳଖ ମୋହନଙ୍କ ମନ୍ତ୍ରିମଣ୍ଡଳକୁ ଆଙ୍ଗୁଠି ଦେଖାଉଛନ୍ତି। ଅର୍ଥାତ୍ ମୋହନଙ୍କ ମନ୍ତ୍ରିମଣ୍ଡଳର ଏକମାତ୍ର ମହିଳା ମନ୍ତ୍ରୀ ଏବେ ବିବାଦରେ ରହିଛନ୍ତି।
ଏଣୁ ଏହି ଚେହେରାର ବିକଳ୍ପ ଖୋଜିବା ଉଦ୍ୟମ ଆରମ୍ଭ ହୋଇଛି ବୋଲି କୁହାଯାଉଛି। ପୁଣି ଗତକାଲି ମୁଖ୍ୟମନ୍ତ୍ରୀ ଉପାସନାଙ୍କୁ ବ୍ୟକ୍ତିଗତ ଭାବେ ଡକାଇ ଆଲୋଚନା କରିବା ଏବଂ ପରବର୍ତ୍ତୀ ସମୟରେ ଏହା ତାଙ୍କ ନିର୍ବାଚନମଣ୍ଡଳୀ ସମ୍ପର୍କିତ ବୋଲି ଉପାସନା କହିବା ଏ ଚର୍ଚ୍ଚାକୁ ଖୋରାକି ଯୋଗାଉଛି।
ରାଜ୍ୟ ବିଧାନସଭାର ୧୪୭ ଜଣ ସଦସ୍ୟଙ୍କ ଭିତରୁ ୧୧ଜଣ ହେଉଛନ୍ତି ମହିଳା। ୫ ଜଣ ଲେଖାଏ ବିଜେପି ଓ ବିଜେଡିର ବିଧାୟକ ହୋଇଥିବାବେଳେ ଜଣେ ହେଉଛନ୍ତି କଂଗ୍ରେସ ବିଧାୟକ। କିନ୍ତୁ କେବଳ ଦୁଇଜଣ ବିଜେପି ମହିଳା ବିଧାୟକ ସରକାରୀ ପଦବୀ ପ୍ରାପ୍ତ କରିଛନ୍ତି। ଜଣେ ମନ୍ତ୍ରୀ ଓ ଜଣେ ବାଚସ୍ପତି ଭାବେ।
ପୂର୍ବରୁ ବିଜେଡି ଜଣେ ମହିଳାଙ୍କୁ ବାଚସ୍ପତି ଆସନ ଦେଇଥିବାରୁ ତାଙ୍କ ପଦାଙ୍କ ଅନୁସରଣ କରି ସୁରମା ପାଢ଼ୀ ବାଚସ୍ପତି ହୋଇଛନ୍ତି। ତାଙ୍କ ନାଁରେ ନିର୍ବାଚନ ନଥିରେ ୮ଟି ଅପରାଧିକ ମାମଲା ଥିବା ଦର୍ଶାଯାଇଥିଲା। ସେହିପରି ପ୍ରଭାତୀଙ୍କ ନାଁରେ ୯ଟି ଅପରାଧିକ ମାମଲା ରହିଥିବା ଇଲେକ୍ସନ ଓ୍ୱାଚ୍ ପକ୍ଷରୁ ପ୍ରକାଶ କରାଯାଇଥିଲା। ହେଲେ ତାଙ୍କୁ ଦଳ ଉପମୁଖ୍ୟମନ୍ତ୍ରୀ ଭାବେ ଅଧିଷ୍ଠିତ କରିଛନ୍ତି। ଅନ୍ୟ ତିନିଜଣ ମହିଳା ବିଧାୟକଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନାହିଁ। କିନ୍ତୁ ସେମାନଙ୍କୁ କୌଣସି ପଦବୀ ମିଳି ନାହିଁ।
ପୁଣି ମହିଳା ଅଂଶ ଗ୍ରହଣକୁ ଏହି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ପ୍ରସ୍ଫୁଟିତ କରିବାକୁ ଚାହିଁଛନ୍ତି ରାଜ୍ୟ ନେତୃତ୍ୱ। ଏଭଳି ସ୍ଥଳରେ ବାଙ୍ଗିରିପୋଷି ବିଧାୟିକା ସଞ୍ଜାଳୀ ମୁର୍ମୁ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଏବଂ ବ୍ରହ୍ମପୁର ଉପାସନା ମହାପାତ୍ରଙ୍କ ନାଁ ଆଗକୁ ଆସୁଛି। ସୀମାରାଣୀ ବିଜେଡିରୁ ବିଜେପିକୁ ଆସି ହିନ୍ଦୋଳ ନିର୍ବାଚନ ଜିତିଥିଲେ। ସଞ୍ଜାଳୀ ଜଣେ ଉଚ୍ଚଶିକ୍ଷିତା ଆଦିବାସୀ ମହିଳା। ଆଉ ଉପାସନାଙ୍କ କଥା ତ ପୂର୍ବରୁ କହିଛି।
ଏ ତିନିଜଣଙ୍କ ଭିତରୁ ଉପାସନାଙ୍କ ପଛରେ ଆଉ ଏକ ରାଜନୀତିକ ହାତ ରହିଛି, ତାହା ହେଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଆଶୀର୍ବାଦ। ଏଣୁ ସଭାପତିଙ୍କ ପ୍ରଭାବକୁ ସନ୍ତୁଳିତ କରିବା ପାଇଁ ଧର୍ମେନ୍ଦ୍ର ଏହି ଗୋଟି ଚାଳନା କରିପାରନ୍ତି। ପୁଣି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଚାଲିଥିବାବେଳେ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଉପାସନାଙ୍କୁ ଆଲୋଚନା କରୁଥିବା ଦେଖାଯିବା ଏ ଚର୍ଚ୍ଚାକୁ ଆହୁରି ମଜଭୁତ କରୁଛି।
ଖାଲି ସେତିକି ନୁହେଁ, ଏବେ ବିଧାନସଭାକୁ ଠିକଣାଭାବେ ଚଳାଇବା ନେଇ ବାଚସ୍ପତିଙ୍କ ଦକ୍ଷତା ଉପରେ କିଛି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତଥର ବିଧାନସଭା ଅନେକଦିନ ହେଲା ମୁଲତବୀ ରହିବାକୁ ବିରୋଧୀ ଦଳଙ୍କ ବିଜୟ ବୋଲି ବି କେହି କେହି ବିଚାର କରୁଛନ୍ତି। ଏଭଳି ଚର୍ଚ୍ଚାକୁ ଆଖିରେ ରଖି ରାଜ୍ୟ ନେତୃତ୍ୱ ସୁରମାଙ୍କୁ ବାଚସ୍ପତି ପଦରୁ ମନ୍ତ୍ରୀ ପଦକୁ ଆଣି ମନ୍ତ୍ରିମଣ୍ଡଳରେ ମହିଳାଙ୍କ ସଂଖ୍ୟା ବୃଦ୍ଧି କରିବାକୁ ନେତୃତ୍ୱ ଚାହିଁପାରନ୍ତି। ଏଭଳି ସ୍ଥଳରେ ପ୍ରଭାତୀ ସମ୍ପୂର୍ଣ୍ଣ ବିଦା ହୋଇପାରନ୍ତି ଅଥବା ତାଙ୍କ ଅସୀମ କ୍ଷମତାକୁ ସୀମିତ କରାଯାଇପାରେ।
କିନ୍ତୁ ଏହା ସ୍ପଷ୍ଟ ଯେ ଏଥର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ପ୍ରଭାତୀଙ୍କ ବିକଳ୍ପଭାବେ ଉପାସନା ଠିଆ ହୋଇପାରନ୍ତି। ସେ ଆଗକୁ ଆସିଲେ ପୁରୀ ସଂସଦୀୟ ନିର୍ବାଚନମଣ୍ଡଳିର ଅନ୍ୟତମ ବିଧାୟକ ତଥା ଆଇନମନ୍ତ୍ରୀଙ୍କ ଆସନ ବଦଳିବା ବି ସମ୍ଭାବନା ରହିଛି। କାରଣ ତାଙ୍କ କାର୍ଯ୍ୟ ଦକ୍ଷତା ଅନେକ ବିବାଦ ରାଜ୍ୟ ସରକାରଙ୍କୁ ଆଣିଛି। ଆଉ ତାଙ୍କ ପାଖରେ ତିନିଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିଛି। ଏଣୁ ତାଙ୍କ କ୍ଷମତା ସଙ୍କୁଚିତ ହେବା ସ୍ୱାଭାବିକ।
ଏଥର ମନ୍ତ୍ରିମଣ୍ଡଳରେ ନୂଆ ମୁହଁ ଭାବେ କଣ୍ଟାବାଞ୍ଜି ଓ ଅତାବିରା ବିଧାୟକଙ୍କ ନାଁ ବି ଆସିପାରେ। କଣ୍ଟାବାଞ୍ଜି ବିଧାୟକ ହେଉଛନ୍ତି ଲକ୍ଷ୍ମଣ ବାଗ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ପରାସ୍ତ କରିଥିଲେ। ଏଣୁ ତାଙ୍କର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବା ସମ୍ଭାବନା ରହିଛି। ସେହିପରି ଅତାବିରା ବିଧାୟକ ବି ମୁଖ୍ୟମନ୍ତ୍ରୀଙ୍କ ଡାକରା ପାଇ ଯୋଡ଼ି ହୋଇଛନ୍ତି। ସେ ଅନୁସୂଚିତ ଜାତି ସମ୍ପ୍ରଦାୟକୁ ପ୍ରତିନିଧିତ୍ୱ କରୁଛନ୍ତି। ଏଣୁ ମନ୍ତ୍ରିମଣ୍ଡଳକୁ ସନ୍ତୁଳିତ କରିବା ପାଇଁ ନିହାରରଞ୍ଜନ ମହାନନ୍ଦ ମନ୍ତ୍ରୀ ହୋଇପାରନ୍ତି।
ଏସବୁ କେବଳ ଆକଳନ ମାତ୍ର। ରାଜ୍ୟରେ ପ୍ରତିଦିନ ଘଟୁଥିବା ରାଜନୀତିକ ଆଲୋଚନା ଓ ବିଷୟ ବିକାଶ ଏହାକୁ ସ୍ପଷ୍ଟ କରୁଛି। କିନ୍ତୁ ଯେପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଖୋଦ୍ ତାଙ୍କ ନୂଆ ଟିମ୍ ଘୋଷଣା ନ କରିଛନ୍ତି ଏସବୁ କେବଳ ଆକଳନ ହିଁ ରହିବା ସ୍ୱାଭାବିକ।
Also readhttps://purvapaksa.com/dy-cm-failed-to-protect-minor-girl/
Dy Cm failed to protect minor Girl ! ।। ନା ବାଳିବାକଙ୍କୁ ସୁରକ୍ଷା ଦେବାରେ ଉପମୁଖ୍ୟମନ୍ତ୍ରୀ ବିଫଳ !
