Manmohan Singh : ମନମୋହନ ସିଂହଙ୍କ ଦେହାନ୍ତ ପରେ କଂଗ୍ରେସ ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା କେତେ ସତ, ତାହା ଏକ ବଡ଼ ପ୍ରଶ୍ନ। କେଉଁ ଚେହେରାରେ ସେହି ଦଳ ତାଙ୍କ ଅବଦାନକୁ ପ୍ରଶଂସା କରୁଛି, ଯାହା ତାଙ୍କୁ ‘କଣ୍ଢେଇ’ ହେବାକୁ ବାଧ୍ୟ କରିଛି?
ମନମୋହନଙ୍କୁ ମନେପକାଇ ଗଦଗଦ ହେଉଥିବା କଂଗ୍ରେସ ଏକଦା ତାଙ୍କୁ ଅପମାନିତ କରିବାରେ ହେଳା କରିନଥିଲା, ମନମୋହନ ସିଂହଙ୍କ ଜୀବନ, ଭାରତୀୟ ରାଜନୀତି ଓ ଅର୍ଥନୀତିରେ ତାଙ୍କର ଅବଦାନର ଏକ ଅବିସ୍ମରଣୀୟ ଅଧ୍ୟାୟ। ମନମୋହନ ସିଂହଙ୍କର ୯୨ ବର୍ଷ ବୟସରେ ଦିଲ୍ଲୀ ଏମ୍ସ ହସ୍ପିଟାଲରେ ପରଲୋକ ଘଟିଛି। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ତାଙ୍କ ମୃତ୍ୟୁକୁ ବ୍ୟକ୍ତିଗତ କ୍ଷତି ବୋଲି ବର୍ଣ୍ଣନା କରିବା ସହ ତାଙ୍କ ସହ ବିତାଇଥିବା ସମୟକୁ ମନେ ପକାଇଛନ୍ତି।
ସେ ଜଣେ ଦକ୍ଷ ଅର୍ଥନୀତିଜ୍ଞ ଏବଂ ଜଣେ ଉତ୍ସର୍ଗୀକୃତ ରାଜନେତା ଭାବରେ ପରିଚିତ ଥିଲେ। କିନ୍ତୁ ତାଙ୍କ ପ୍ରଧାନମନ୍ତ୍ରୀ ପଦକୁ ବିବାଦ ଏବଂ ଅପମାନଜନକ ଘଟଣା ସହିତ ମଧ୍ୟ ଯୋଡ଼ା ଯାଇଥିବା ଦେଖିବାକୁ ମିଳୁଛି। ଦେଶ ପ୍ରତି ତାଙ୍କର ଆନୁଗତ୍ୟ ଏବଂ ସମର୍ପଣ ତାଙ୍କୁ ରାଜନୈତିକ ଚାପ ଏବଂ ବ୍ୟକ୍ତିଗତ ଅପମାନ ସତ୍ତ୍ୱେ ଜାତୀୟ ସ୍ୱାର୍ଥ ପାଇଁ କାମ କରିବାକୁ ପ୍ରେରଣା ଦେଇଥିଲା।
ଆଜି କଂଗ୍ରେସ ଦଳ ତାଙ୍କ ଅବଦାନକୁ ପ୍ରଶଂସା କରୁଥିବାବେଳେ ସେହି ଦଳ ମଧ୍ୟ ଅନେକଥର ତାଙ୍କୁ ଅପମାନିତ କରିବାର କାରଣ ପାଲଟିଛି। ଏହି ଲେଖାରେ ଡକ୍ଟର ମନମୋହନ ସିଂହଙ୍କ ଜୀବନର ୪ଟି ପ୍ରମୁଖ ଘଟଣା ବିଷୟରେ କୁହାଯାଇଛି, ଯେତେବେଳେ ସେ ଅପମାନର ସମ୍ମୁଖୀନ ହୋଇ ମଧ୍ୟ ଦେଶ ପାଇଁ କାମ କରିଥିଲେ ।
ଯୋଜନା ଆୟୋଗକୁ ଜୋକର କମିଶନ ସହ ତୁଳନା କରିଥିଲେ ରାଜୀବ ଗାନ୍ଧୀ
ଏହା ୧୯୮୬ ମସିହାର କଥା। ରାଜୀବ ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ଥିଲେ ଏବଂ ଡକ୍ଟର ମନମୋହନ ସିଂହ ଯୋଜନା ଆୟୋଗର ଉପାଧ୍ୟକ୍ଷ ଥିଲେ। ମନମୋହନ ସିଂହ ଗ୍ରାମୀଣ ଅର୍ଥନୀତି ଉପରେ ଏକ ରିପୋର୍ଟ୍ ଉପସ୍ଥାପନା କରିଥିଲେ। ଏହାକୁ ନେଇ ରାଜୀବ ଗାନ୍ଧି କ୍ଷୁବ୍ଧ ହୋଇ ପରଦିନ ସାର୍ବଜନୀନଭାବେ ଯୋଜନା ଆୟୋଗକୁ ‘ଜୋକର କମିସନ୍’ ବୋଲି ଡାକିଥିଲେ। ଏହି ମନ୍ତବ୍ୟ ମନମୋହନ ସିଂହଙ୍କ ପାଇଁ ଅତ୍ୟନ୍ତ ଅପମାନଜନକ ଥିଲା। ସେ ଇସ୍ତଫା ଦେବାକୁ ମନ ସ୍ଥିର କରିଥିଲେ ମଧ୍ୟ ବନ୍ଧୁ ଓ ସହକର୍ମୀଙ୍କ ବୁଝାସୁଝା ପରେ ସେ ନିଜ ପଦରେ ରହିଥିଲେ ବୋଲି କୁହାଯାଉଛି।
ଆଜି ସେହି କଂଗ୍ରେସ ଦଳ ତାଙ୍କୁ ଦେଶର ମହାନ ନାୟକ କହୁଥିବାବେଳେ ଅତୀତରେ ସବୁବେଳେ ମନମୋହନ ସିଂହଙ୍କୁ ଅପମାନିତ କରିଛି।
କଂଗ୍ରେସ ସାଂସଦମାନେ ମଧ୍ୟ ଅର୍ଥମନ୍ତ୍ରୀଙ୍କୁ ବିରୋଧ କରିଛନ୍ତି
ଏହି ଅପମାନର ଶୃଙ୍ଖଳା ବହୁତ ଲମ୍ବା। ୧୯୯୧ରେ ପିଭି ନରସିଂହ ରାଓଙ୍କ ସରକାରରେ ମନମୋହନ ସିଂହଙ୍କୁ ଅର୍ଥମନ୍ତ୍ରୀ କରାଯାଇଥିଲା। ସେ ଅର୍ଥନୈତିକ ସଂସ୍କାର ଦିଗରେ ସାହସିକ ପଦକ୍ଷେପ ଗ୍ରହଣ କରିବା ସହ ଲାଇସେନ୍ସ ରାଜ ଉଚ୍ଛେଦ ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। କିନ୍ତୁ କଂଗ୍ରେସ ସାଂସଦମାନେ ଏହି ନୀତିକୁ ତୀବ୍ର ବିରୋଧ କରିଥିଲେ। ସଂସଦୀୟ ଦଳ ବୈଠକରେ ମନମୋହନ ସିଂହଙ୍କୁ ସାଂସଦଙ୍କ ତୀବ୍ର ଅସନ୍ତୋଷର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏପରିକି ଦଳର ଖବରକାଗଜ ନ୍ୟାସନାଲ ହେରାଲ୍ଡ ମଧ୍ୟ ତାଙ୍କ ନୀତିକୁ ମଧ୍ୟବିତ୍ତ ବିରୋଧୀ ବୋଲି ବର୍ଣ୍ଣନା କରିଛି। ମନମୋହନଙ୍କ ଦୃଢ଼ତାର ସହିତ ଦେଶର ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିବା ପାଇଁଏହି ଅପମାନର ବିଷ ପିଇଥିଲେ।
ପ୍ରଧାନମନ୍ତ୍ରୀ ଚେୟାର, କିନ୍ତୁ ସୋନିଆଙ୍କ ପାଖରେ କ୍ଷମତା
୨୦୦୪ରେ ଯେତେବେଳେ ସୋନିଆ ଗାନ୍ଧୀ ପ୍ରଧାନମନ୍ତ୍ରୀ ପଦରୁ ଓହରି ଯାଇ ମନମୋହନ ସିଂହଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ, ସେତେବେଳେ ଦେଶବାସୀ ଆଶା କରିଥିଲେ ଯେ ଏହା ଜଣେ ସ୍ୱାଧୀନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ହେବ। କିନ୍ତୁ ବାସ୍ତବତା ଭିନ୍ନ ଥିଲା। ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ମନମୋହନ ସିଂହଙ୍କୁ ଅଣଦେଖା କରାଯାଇଥିଲା। ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର ପୁସ୍ତକ ଅନୁଯାୟୀ, ସେ ନିଜେ ଅର୍ଥ ମନ୍ତ୍ରାଳୟ ରଖିବାକୁ ଚାହୁଁଥିଲେ କିନ୍ତୁ କଂଗ୍ରେସ ହାଇକମାଣ୍ଡଙ୍କ ଚାପରେ ପି ଚିଦାମ୍ବରମଙ୍କୁ ଏହି ମନ୍ତ୍ରାଳୟ ଦିଆଯାଇଥିଲା। ଏପରିକି ପ୍ରଧାନମନ୍ତ୍ରୀଭାବେ ମଧ୍ୟ ତାଙ୍କୁ ଅନେକ ସମୟରେ ଦଳୀୟ ନିର୍ଦ୍ଦେଶ ମାନିବାକୁ ପଡୁଥିଲା।
୨୦୧୨ରେ ମନମୋହନ ସିଂହ ଦେଶର ପ୍ରଧାନମନ୍ତ୍ରୀ ଥିବାବେଳେ ସଂସଦ ବାହାରେ ‘ହଜାରୋ ଜବାବ ସେ ସହି ମେରି ଖାମୋସି ହୈ, ନା ଜାନେ କିତନେ ସଓ୍ଵାଲ କି ଅବାରୁ ରଖି’ ସାୟରି ଗାଇ ଚର୍ଚ୍ଚାକୁ ଆସିଥିଲେ। ତେବେ ଆଜି ଯେତେବେଳେ ସୋନିଆ ଗାନ୍ଧୀ ଡକ୍ଟର ମନମୋହନ ସିଂହଙ୍କ ମୃତ୍ୟୁକୁ ବ୍ୟକ୍ତିଗତ କ୍ଷତି ବୋଲି ବର୍ଣ୍ଣନା କରୁଛନ୍ତି, ସେତେବେଳେ ସୋସିଆଲ ମିଡିଆର ସେହି ଫଟୋ ଏବଂ ଏଭଳି ସମସ୍ତ ଲେଖା ସାମ୍ନାକୁ ଆସୁଛି, ଯେଉଁଥିରେ ସୋନିଆ ଗାନ୍ଧି ଜଣେ ସୁପର ପିଏମ୍ ଏବଂ ଡକ୍ଟର ମନମୋହନ ସିଂହଙ୍କ ‘କଣ୍ଢେଇ’ ବୋଲି ଅନେକଥର ଲେଖାଯାଇଥିଲା।
ରାହୁଲ ଗାନ୍ଧି କରିଥିଲେ ଅପମାନିତ
୨୦୧୩ରେ ମନମୋହନ ସିଂହ ସରକାର ଦୋଷୀ ସାବ୍ୟସ୍ତ ଅପରାଧୀଙ୍କୁ ନିର୍ବାଚନ ଲଢ଼ିବା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ସୁପ୍ରିମ୍ କୋର୍ଟଦେଇଥିବା ନିଷ୍ପତ୍ତିକୁ ବଦଳାଇବା ପାଇଁ ଅଧ୍ୟାଦେଶ ଜାରି କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି ଅଧ୍ୟାଦେଶକୁ କ୍ୟାବିନେଟରେ ଗୃହୀତ ହୋଇଥିଲା। କିନ୍ତୁ ରାହୁଲ ଗାନ୍ଧି ଏହାକୁ ‘ଅନାବଶ୍ୟକ’ କହି ସର୍ବସାଧାରଣରେ ଚିରି ଦେଇଥିଲେ। ରାହୁଲଙ୍କ କାର୍ଯ୍ୟ ଓ ବୟାନ କେବଳ ମନମୋହନ ସିଂହ ସରକାରଙ୍କୁ ଲଜ୍ଜିତ କରିନାହିଁ ବରଂ ପ୍ରଧାନମନ୍ତ୍ରୀ ପଦର ମର୍ଯ୍ୟାଦାକୁ ମଧ୍ୟ ଆଘାତ ଦେଇଛି। କୁହାଯାଉଛି ଯେ ମନମୋହନ ସିଂହ ଏହି ଘଟଣାରେ ଏତେ ଦୁଃଖିତ ହୋଇଥିଲେ ଯେ ସେ ଇସ୍ତଫା ଦେବାକୁ ମନ ସ୍ଥିର କରିଥିଲେ, କିନ୍ତୁ ଶେଷରେ ସେ ପଦରେ ରହି ଦେଶର ସ୍ଥିରତାକୁ ପ୍ରାଥମିକତା ଦେଇଥିଲେ।
ସବୁବେଳେ କପାଳରେ ‘କଣ୍ଢେଇ’ର କଳଙ୍କ
ମନମୋହନ ସିଂହଙ୍କ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ପଦବୀ କେବଳ ଏକ ପ୍ରତୀକ ହୋଇ ଯାଇଥିଲା। ପ୍ରକୃତ କ୍ଷମତାକେନ୍ଦ୍ର ଥିଲା ସୋନିଆଙ୍କ ବାସଭବନ। ୧୦ ବର୍ଷ ଧରି ଦେଶର ନେତୃତ୍ୱ ନେଇଥିବା ମନମୋହନ ସିଂହ ନିଜ ନିଷ୍ପତ୍ତି ନେବାର କ୍ଷମତାରୁ ବଞ୍ଚିତ ହୋଇଥିଲେ। ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର ଏବଂ ଅନ୍ୟାନ୍ୟ ପୁସ୍ତକ ଓ ସ୍ମରଣିକାରେ ମନମୋହନ ସିଂହ ସରକାର ୧୦ ଜନପଥ (ସୋନିଆ ଗାନ୍ଧୀଙ୍କ ବାସଭବନ)ରୁ ନିୟନ୍ତ୍ରିତ ହୋଇଥିବା କଥା ପଦାକୁ ଆସିଛି।
ଆଜି କଂଗ୍ରେସ ଦଳ ମନମୋହନ ସିଂହଙ୍କୁ ସୁପରହିରୋ ବୋଲି କହୁଛି। କିନ୍ତୁ ଇତିହାସ ଭୁଲି ପାରିବ ନାହିଁ ଯେ ଯେଉଁ ଦଳ ତାଙ୍କୁ ପ୍ରଧାନମନ୍ତ୍ରୀ କରିଥିଲା ସେହି ଦଳ ମଧ୍ୟ ତାଙ୍କ ସମ୍ମାନକୁ ଅନେକ ଥର ଆଘାତ ଦେଇଥିଲା। ଏସବୁ କଳଙ୍କ ସତ୍ତ୍ୱେ ସେ ଦେଶର ବିକାଶ ପାଇଁ କାର୍ଯ୍ୟ କରିଥିଲେ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ନୀତିକୁ କାର୍ଯ୍ୟକାରୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମନମୋହନ ସିଂହଙ୍କ ଜୀବନର ଏହି ସବୁ ଘଟଣାରୁ ଏହା ସ୍ପଷ୍ଟ ଯେ ସେ କେବଳ ଜଣେ ଦକ୍ଷ ଅର୍ଥନୀତିଜ୍ଞ ଓ ଉତ୍ସର୍ଗୀକୃତ ରାଜନେତା ନୁହଁନ୍ତି, ବରଂ ଅପମାନ ସହିବା ଏବଂ ଦେଶର ସ୍ୱାର୍ଥ ପାଇଁ କାମ କରିବାର ଉଦାହରଣ ମଧ୍ୟ ଥିଲେ।
ତେବେ ତାଙ୍କ ବିୟୋଗ ପରେ କଂଗ୍ରେସ ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବା କେତେ ସତ ତାହା ଏକ ବଡ଼ ପ୍ରଶ୍ନ। କେଉଁ ମୁହଁରେ ସେହି ଦଳ ତାଙ୍କ ଅବଦାନକୁ ପ୍ରଶଂସା କରୁଛି, ଯିଏ ତାଙ୍କୁ ‘କଣ୍ଢେଇ’ ହେବାକୁ ବାଧ୍ୟ କରିଥିଲା?
ମନମୋହନଙ୍କ ପାଇଁ କଂଗ୍ରେସର ସମ୍ମାନ ଦେଖି ପ୍ରଣବଙ୍କ ଝିଅ ପଚାରିଲେ, ମୋ ବାପାଙ୍କ ସମୟରେ କେଉଁଠି ଥିଲ?