-ଏସ.ଏମ. ଫାରୁକ, ଗୋପୀନାଥ ସିଂ ଓ ଡକ୍ଟର ହରିଶ୍ଚନ୍ଦ୍ର ପୃଷ୍ଟିଙ୍କୁ ବ୍ୟକ୍ତିତ୍ୱ ସମ୍ମାନ
-ଯୁବ ପ୍ରତିଭା ସୁମନ୍ତ ମହାରଣା ଓ କ୍ରୀଡା ପ୍ରତିଭା ପୂଜାସ୍ୱିନୀ ନାୟକଙ୍କୁ ସ୍ୱତନ୍ତ୍ର ସମ୍ମାନ
-ସାମ୍ବାଦିକତା ଲାଗି ବାଲେଶ୍ୱର–ସୋରର ଶିଶିର କୁମାର ଦାସଙ୍କୁ ପ୍ରଦ୍ୟୁମ୍ନ ବଳ ସମ୍ମାନ
ଅନ୍ତର୍ଜାତୀୟ ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶିକା ଗୁରୁମା’ ଡକ୍ଟର ଅରୁନ୍ଧତୀ ଦେବୀ ଚଳିତ ବର୍ଷର ପ୍ରଦ୍ୟୁମ୍ନ ବଳ ସ୍ମାରକୀ ସମ୍ମାନ ପାଇବେ। ପ୍ରଦ୍ୟୁମ୍ନ ବଳ ରାଜ୍ୟସ୍ତରୀୟ ଜୟନ୍ତୀ କମିଟି ପକ୍ଷରୁ ଜୀବନବ୍ୟାପୀ ଶିକ୍ଷା-ସମାଜସେବା ଓ ଏକ ଶୋଭନୀୟ ସମାଜ ଗଠନ ଦିଗରେ ତ୍ୟାଗପୂତ ଅବଦାନ ଲାଗି ଡକ୍ଟର ଅରୁନ୍ଧତୀ ଦେବୀଙ୍କୁ ଏହି ସମ୍ମାନ ନିମନ୍ତେ ମନୋନୀତ କରାଯାଇଛି।
ସେହିପରି ଚଳିତବର୍ଷ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ ଲାଗି ଭଦ୍ରକର ସମାଜସେବୀ ଏସ.ଏମ.ଫାରୁକ, ମୟୂରଭଞ୍ଜ ଜିଲ୍ଲା ଇଟାମୁଣ୍ଡିଆର ଜଙ୍ଗଲ ଓ ପରିବେଶ ସୁରକ୍ଷାକାରୀ ଗୋପୀନାଥ ସିଂ ଏବଂ ଯାଜପୁର ଜିଲ୍ଲାର ବିଶିଷ୍ଟ ଐତିହାସିକ ତଥା ବୌଦ୍ଧ ଗବେଷକ ଡକ୍ଟର ହରିଶ୍ଚନ୍ଦ୍ର ପୃଷ୍ଟିଙ୍କୁ ‘ପ୍ରଦ୍ୟୁମ୍ନ ବଳ ବ୍ୟକ୍ତିତ୍ୱ ସମ୍ମାନ’ରେ ସମ୍ମାନିତ କରାଯିବ ବୋଲି ସ୍ଥର କରାଯାଇଛି।
ଶାରୀରିକଭାବେ ଅକ୍ଷମ ହୋଇ ମଧ୍ୟ ନିଜକୁ ଜଣେ ସକ୍ଷମଙ୍କଠାରୁ କମ ନ ଭାବି ଶିକ୍ଷା ଓ ସମାଜସେବା କ୍ଷେତ୍ରରେ କାର୍ଯ୍ୟରତ ଥିବା ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ଯୁବ ସ୍ୱେଚ୍ଛାସେବୀ ସୁମନ୍ତ ମହାରଣା ଏବଂ ଶାରିରୀକ ଅକ୍ଷମ ହୋଇ ମଧ୍ୟ ନିଜର ପ୍ରତିଭା ବଳରେ ପାରା ଆଥଲେଟ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରାଇଥିବା କ୍ରୀଡ଼ା ପ୍ରତିଭା ଭୁବନେଶ୍ୱରର ପୂଜାସ୍ୱିନୀ ନାୟକଙ୍କୁ ‘ପ୍ରଦ୍ୟୁମ୍ନ ବଳ ସ୍ୱତନ୍ତ୍ର ସମ୍ମାନ’ରେ ସମ୍ମାନିତ କରାଯିବ।
ସେହିପରି ସାମ୍ବାଦିକତା କ୍ଷେତ୍ରରେ ଦୀର୍ଘ ୩୫ ବର୍ଷରୁ ଅଧିକ ସମୟ ଧରି ନିରନ୍ତର ଭାବରେ କାର୍ଯ୍ୟ କରୁଥିବା ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ‘ପ୍ରଗତିବାଦୀ’ ପ୍ରତିନିଧି ଶିଶିର କୁମାର ଦାସଙ୍କୁ ଚଳିତ ବର୍ଷ ସାମ୍ବାଦିକତା ପାଇଁ ‘ପ୍ରଦ୍ୟୁମ୍ନ ବଳ ସାମ୍ବାଦିକତା ସମ୍ମାନ’ ପ୍ରଦାନ କରାଯିବାକୁ ଜୟନ୍ତୀ କମିଟି ନିଷ୍ପତ୍ତି କରିଛି। ଆସନ୍ତା ୮ ତାରିଖ ଶନିବାର ‘ପ୍ରଗତିବାଦୀ’ ପରିସରରେ ଆୟୋଜିତ ପ୍ରଦ୍ୟୁମ୍ନ ବଳଙ୍କ ୯୩ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଏହି ସମ୍ମାନ ପ୍ରଦାନ କରାଯିବ।
ଉଲ୍ଲେଖ ଥାଉକି, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନର ଅଧ୍ୟକ୍ଷ ପଦ୍ମଚରଣ ନାୟକଙ୍କ ଅଧ୍ୟକ୍ଷତାରେ ଚଳିତବର୍ଷ ପ୍ରଦ୍ୟୁମ୍ନ ବଳ ରାଜ୍ୟସ୍ତରୀୟ ଜୟନ୍ତୀ କମିଟି ଗଠନ କରାଯାଇଥିବାବେଳେ ଆସନ୍ତା ୭ ଓ ୮ ତାରିଖ ଦୁଇଦିନ ଧରି ‘ପ୍ରଗତିବାଦୀ’ ପରିସରରେ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହର ଆୟୋଜନ କରାଯାଇଛି।


