ଦଳ ଓ ସରକାର ଉପରେ କ୍ଷୁବ୍ଧ ଥିବା ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କୁ ଡବଲ ଖୁସି ମିଳିଛି। ତାଙ୍କୁ କୌଣସି ମନ୍ତ୍ରୀ ପଦ କି ସରକାରୀ ପଦପଦବୀ ମିଳିନାହିଁ। କିନ୍ତୁ ତାଙ୍କ କଥାକୁ ସରକାର ଗ୍ରହଣ କରିଥିବାବେଳେ ଓଡ଼ିଶା ହାଇକୋର୍ଟ ମଧ୍ୟ ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ପାଇଁ ଅନୁମତି ଦେଇଛନ୍ତି।
ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏପ୍ରିଲ ୧ ତାରିଖରେ ଉତ୍କଳ ଦିବସ ନୁହେଁ ଓଡ଼ିଶା ଦିବସ ପାଳନ ହେବ ବୋଲି ଉଲ୍ଲେଖ କରିଛନ୍ତି। ଏହାକୁ ଜୟନାରାୟଣଙ୍କର ନୈତିକ ବିଜୟ କହିଲେ ଭୁଲ୍ ହେବ ନାହିଁ। କାରଣ ସେ ଉତ୍କଳ ଜନନୀ ସଙ୍ଗୀତକୁ ରାଜ୍ୟର ସଙ୍ଗୀତ ବୋଲି ମାନୁନାହାନ୍ତି। ଏହାକୁ ସେ ଓଡ଼ିଶା ଜନନୀ ଭାବରେ ବୋଲିବାକୁ ବାରମ୍ବାର କହିଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଉତ୍କଳ ଦିବସକୁ ଓଡ଼ିଶା ଦିବସ ସରକାରୀ ବିଜ୍ଞପ୍ତିରେ ପ୍ରକାଶ ପାଇବା ତାଙ୍କର ବିଜୟ ବୋଲି କୁହାଯାଉଛି।
ସେହିପରି ଆଉ ଏକ ଖୁସିଖବର ହେଲା ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ପାଇଁ ଓଡ଼ିଶା ହାଇକୋର୍ଟ ସବୁଜ ସଙ୍କେତ ଦେଇଛନ୍ତି। ଏଥିପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ଅଶାନ୍ତି ଆଶଙ୍କାରେ ଏହି କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍) ପରେ ଏହି ନିଷ୍ପତ୍ତି ନିଆଯାଇଛି।
୨୦୨୩ ମସିହାରେ ବିଜେଡି ଶାସନ ସମୟରେ ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନବେଳେ ବଡ଼ ଧରଣର ହିଂସାକାଣ୍ଡ ଘଟିଥିଲା, ଯେଉଁଥିରେ ସଂଘର୍ଷ ଘଟି ସମ୍ପତ୍ତିର ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏହାପରେ କର୍ତ୍ତୃପକ୍ଷ କର୍ଫ୍ୟୁ ଜାରି କରିବା ସହ ଶୃଙ୍ଖଳା ଫେରାଇ ଆଣିବା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦେଇଥିଲେ।
ଏପ୍ରିଲ ୧୪ ତାରିଖରେ ହେବାକୁ ଥିବା ଚଳିତ ବର୍ଷ ଉତ୍ସବ ପୂର୍ବରୁ ଏହିସବୁ କାର୍ଯ୍ୟକ୍ରମ ନୂଆ ଚିନ୍ତା ସୃଷ୍ଟି କରିଥିଲା, ଯାହା ଫଳରେ ଶୋଭାଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା।
ଶୁଣାଣି ସମୟରେ ଆବେଦନକାରୀ ବିଶୃଙ୍ଖଳାର ଅଧିକ ଆଶଙ୍କା ଦର୍ଶାଇ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରିବାକୁ ଆହ୍ୱାନ ଦେଇଥିଲେ। ସେମାନେ ଯୁକ୍ତି କରିଥିଲେ ଯେ ଅତୀତର ଘଟଣାଗୁଡ଼ିକ ଅତ୍ୟଧିକ ସତର୍କତାକୁ ଯଥାର୍ଥ ବୋଲି ଯୁକ୍ତି ବାଢ଼ିଥିଲେ।
ତେବେ ଆଇନଶୃଙ୍ଖଳା ବଜାୟ ରଖି ସମସ୍ତ ଧାର୍ମିକ ଶୋଭାଯାତ୍ରାକୁ ଅନୁମତି ଦିଆଯିବ ବୋଲି ରାଜ୍ୟ ସରକାର ଅଦାଲତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ସମ୍ଭାବ୍ୟ ଅଶାନ୍ତିକୁ ସୂଚାଉଥିବା କୌଣସି ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ନାହିଁ ବୋଲି କେନ୍ଦ୍ର ସରକାର କହିଛନ୍ତି।
ଏହି ଦୁଇଟି ଘଟଣାରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରୟଙ୍କର ନୈତିକ ବିଜୟ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।
Also readhttps://purvapaksa.com/salman-khan-on-death-threats-life-lately-is-home-shooting-films-home/