India’s Oldest hotel: ଯଦି ଆପଣଙ୍କୁ କିଛି ଦିନ ପାଇଁ କୌଣସି କାମରେ ଅନ୍ୟ ସହରକୁ ଯିବାକୁ ପଡ଼େ, କିମ୍ବା ଅବସର ବିନୋଦନ ପାଇଁ ଯାତ୍ରା କରିବାକୁ ହୁଏ, ତେବେ ଆପଣ ପ୍ରଥମେ ସହି ସ୍ଥାନରେ ରହିବା ପାଇଁ ବ୍ୟବସ୍ଥା କରିବେ। ସେଠାରେ ସୁରକ୍ଷିତ ଭାବେ ରହିବା, ସୁସ୍ୱାଦୁ ଖାଦ୍ୟ ଖାଇବା କଥା ଚିନ୍ତା କରିବେ। ପରିବାର ସହ ଭ୍ରମଣରେ ବାହାରିଲେ ପ୍ରଥମେ ଉପଯୁକ୍ତ ଅବସ୍ଥାନ ଖୋଜା ହେବ। କୌଣସି ସ୍ଥାନକୁ ଗଲେ ସେଠାରେ ଏକ ଭଲ ହୋଟେଲ ଖୋଜିବା ପ୍ରଥମ କାର୍ଯ୍ୟ ହୋଇଥାଏ। ଏକ ଭଲ ହୋଟେଲ ଆପଣଙ୍କ ଯାତ୍ରାକୁ ଆନନ୍ଦଦାୟକ ଏବଂ ସ୍ମରଣୀୟ କରିଥାଏ । କିନ୍ତୁ ଆପଣମାନେ ଜାଣନ୍ତି, ଆମ ଦେଶରେ ପ୍ରଥମେ କେଉଁଠି ହୋଟେଲ ଖୋଲିଥିଲା?
- ୧୮୬ ବର୍ଷ ତଳେ ଖୋଲିଥିଲା ଏହି ହୋଟେଲ
- ଆଜିବି ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି
- ଏକଦା କେବଳ ଇଂରେଜଙ୍କ ପାଇଁ ଥିଲା ଅନୁମତି
- ନେହରୁ ପରିବାରଙ୍କ ଅବସର ବିନୋଦନର ପ୍ରିୟ ସ୍ଥାନ
ଦେଶର ସର୍ବପୁରାତନ ହୋଟେଲ ରହିଛି ଉତ୍ତରାଖଣ୍ଡର ମସୁରୀ ସହରରେ। ଏହି ହୋଟେଲର ନାମ ସାଭୋୟ। ଏହାକୁ ଦେଶର ପ୍ରଥମ ହୋଟେଲ ଭାବେ ବିବେଚନା କରାଯାଏ । ୧୮୩୮ ମସିହାରେ ନିର୍ମିତ ଏହି ହୋଟେଲରେ ପ୍ରାରମ୍ଭିକ ପର୍ଯ୍ୟାୟରେ କେବଳ ଇଂରେଜମାନଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇଥିଲା । ଏହି ହୋଟେଲ ସେ ସମୟର ଏକ ଆଇକନିକ ସ୍ଥାନ ଥିଲା, ଯାହା ଆଜି ବି ଏହାର ଐତିହାସିକତା ଓ ସ୍ୱତନ୍ତ୍ରତା ବଜାୟ ରଖିଛି।
୧୯୨୦ମସିହା ରେ ଏହି ହୋଟେଲରେ ଅନୁଷ୍ଠିତ ଆଫଗାନ ସମ୍ମିଳନୀ ଏହାକୁ ଏକ ଐତିହାସିକ ପରିଚୟ ଦେଇଥିଲା । ଏହି ସମୟରେ ନେପାଳର ଶମସେର ଜଙ୍ଗ ବାହାଦୁର ଏବଂ କପୁରଥାଲାର ମହାରାଜା ଜଗଜିତ ସିଂହଙ୍କ ଭଳି ବ୍ୟକ୍ତିତ୍ୱ ଏହି ସ୍ଥାନର ପ୍ରାକୃତିକ ସୌନ୍ଦର୍ଯ୍ୟରେ ବିଭୋର ହୋଇଯାଇଥିଲେ ।
ବ୍ରିଟିଶ ଶାସନ ସମୟରେ ମସୁରୀ ସହରକୁ ଗ୍ରୀଷ୍ମକାଳୀନ ରାଜଧାନୀ ଭାବରେ ବ୍ୟବହାର କରାଯାଉଥିଲା ଏବଂ ସେହି ସମୟରେ ମଧ୍ୟ ସାଭୋୟ ହୋଟେଲ ମସୁରୀର ଗୌରବ ଥିଲା । ପ୍ରଥମେ ଭାରତୀୟଙ୍କୁ ଏଠାକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇନଥିଲା, କିନ୍ତୁ ପରେ ଏହା ନିୟମ ବଦଳିଯାଇଥିଲା।
୧୯୦୬ ମସିହାରେ ରାଣୀ ମେରିଙ୍କ ଗସ୍ତ ସମୟରେ ହୋଟେଲରେ ରାଜକୀୟ ଆତିଥ୍ୟ ପାଇ ଖୁସିରେ ଆତ୍ମହରା ହୋଇଯାଇଥିଲେ। ସେ ନିକଟସ୍ଥ ଖ୍ରୀଷ୍ଟ ଚର୍ଚ୍ଚ ନିକଟରେ ଏକ ଗଛ ମଧ୍ୟ ଲଗାଇଥିଲେ, ଯାହା ଆଜି ବି ତାଙ୍କ ଗସ୍ତକୁ ସ୍ମରଣ କରୁଛି।
୧୯୦୫ ମସିହାର କାଙ୍ଗଡ଼ା ଭୂମିକମ୍ପରେ ହୋଟେଲର କୋଠା କ୍ଷତିଗ୍ରସ୍ତ ହୋଇଥିଲା। ମରାମତି ପରେ ୧୯୦୭ ମସିହାରେ ଏହାକୁ ପୁନଃ ଚାଲୁ କରାଯାଇଥିଲା । ୧୯୦୭ ମସିହାରେ ଏହି ଐତିହାସିକ ହୋଟେଲର ବଲ ରୁମ ଓ ଡାଇନିଂ ରୁମ୍ ରେ ଥିବା ଝୁମରଗୁଡ଼ିକରେ ମହମବତୀ ଲଗାଯାଇ ଆଲୋକିତ କରାଯାଉଥିଲା। ଏବଂ ଅନ୍ୟ ସ୍ଥାନର ଆଲୋକୀକରଣରେ ସାଧାରଣତଃ ସ୍ପିରିଟ୍ ଲ୍ୟାମ୍ପ ବ୍ୟବହାର କରାଯାଉଥିଲା ।
ଯୁଦ୍ଧ ପରେ ହୋଟେଲର ବଲ ରୁମ ଓ ଅର୍କେଷ୍ଟ୍ରା ଏକ ସ୍ୱତନ୍ତ୍ର ପରିଚୟ ପାଲଟିଥିଲା। ୱାଲ୍ଟଜ୍, ଟାଙ୍ଗୋ ଓ ଫକ୍ସ-ଟ୍ରଟ୍ ଭଳି ନୃତ୍ୟ ଏହାକୁ ଏକ ସାଂସ୍କୃତିକ କେନ୍ଦ୍ରରେ ପରିଣତ କରିଥିଲା।
ଏହି ହୋଟେଲରେ ମୋତିଲାଲ ନେହେରୁ, ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀଙ୍କ ସମେତ ଇରାନର ଶାହା ଏବଂ ପଞ୍ଚମ ଦଲାଇ ଲାମାଙ୍କ ଭଳି ଅନ୍ତର୍ଜାତୀୟ ଅତିଥିମାନେ ଯୋଗ ଦେଇସାରିଛନ୍ତି। ଏକଦା ନେହରୁ ପରିବାର ଅବସର ବିନୋଦନ ପାଇଁ କିମ୍ବା ଖରା ଦିନିଆ ଛୁଟି କାଟିବା ପାଇଁ ମସୁରି ଆସିଲେ ଏହି ହୋଟେଲରେ ଅବସ୍ଥାନ କରୁଥିଲେ।
ହୋଟେଲ ସାଭୋୟ କେବଳ ପାର୍ଟି ଏବଂ ଜାଜ୍ ସଙ୍ଗୀତର ହବ୍ ନଥିଲା, ବରଂ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରିଥିଲା, ଯାହା ଏହାକୁ ଅଧିକ ସ୍ୱତନ୍ତ୍ର କରିଥିଲା ।
ହୋଟେଲର ଗୌରବମୟ ଇତିହାସ ଉପରେ ଆଧାରିତ ଡକ୍ୟୁମେଣ୍ଟାରୀ ‘ସାଭୋୟ: ସାଗା ଅଫ୍ ଆନ୍ ଆଇକନ୍’ ଦାଦାସାହେବ ଫାଲକେ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଏବଂ ଶ୍ରେଷ୍ଠ ସିନେମାଟୋଗ୍ରାଫି ପୁରସ୍କାର ଜିତିଥିଲା। କିଶୋର କାୟାଙ୍କ ନିର୍ଦ୍ଦେଶନାରେ ବିଶିଷ୍ଟ ଲେଖକ ଗଣେଶ ଶେଲିଙ୍କ ସଂଯୋଜନାରେ ଏହା ନିର୍ମିତ ହୋଇଥିଲା।
previous article: https://purvapaksa.com/trek-tips/