ରାଜ୍ୟ ବିଜେପିରେ କ୍ଷମତା କେନ୍ଦ୍ର ବଦଳୁଛି। ଶାସନ କ୍ଷମତାକୁ ଆସିବା ପରେ ବିଜେପି ବିରୋଧୀଙ୍କୁ ଜବାବ ଦେବା ବଦଳରେ ନିଜ ଭିତରେ ଥିବା ବିବାଦକୁ ପ୍ରଶମିତ କରିବାରେ ଲାଗିଛି। ବହୁମୁଖୀ କ୍ଷମତା କେନ୍ଦ୍ରକୁ ସଙ୍କୁଚିତ କରି ଏବେ ଏକକ ନେତୃତ୍ୱ ଉପରେ ଦୃଢ଼ ଆସ୍ଥା ପୋଷଣ କରିଛି ବିଜେପି। ନିକଟରେ ଶେଷ ହୋଇଥିବା ରାଜ୍ୟ ସଭାପତିଙ୍କ ନିର୍ବାଚନ ଏହାକୁ ସ୍ପଷ୍ଟ କରୁଛି। ପୁଣି ଏହା ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ, ଏଣିକି ସଂଗଠନରେ ଭିନ୍ନ ଭିନ୍ନ ନୁହେଁ ବରଂ ଗୋଟିଏ କ୍ଷମତା କେନ୍ଦ୍ର ରହିବ। ଏହାର ନିଷ୍ପତ୍ତି ଦ୍ୱାରା ହିଁ ସାରାରାଜ୍ୟ ନିୟନ୍ତ୍ରଣ ହେବ। ଏଥିରେ ଯିଏ ଅସନ୍ତୁଷ୍ଟ ସେ ଛାଏଁ ଦୂରେଇବେ ନ ହେଲେ ତାଙ୍କୁ ଦୂରେଇ ଦିଆଯିବ। ଆଉ ଏହାର ଝଲକ ମଧ୍ୟ ସଭାପତି ନିର୍ବାଚନରେ ଦେଖିବାକୁ ମିଳିଛି।
ରାଜ୍ୟ ସଭାପତି ନିର୍ବାଚନ ବିଜେପି ନେତାଙ୍କ ପାଇଁ ଏକ ବଡ଼ ପର୍ବ। ପୁଣି ଏ ବର୍ଷର ନିର୍ବାଚନ ଆହୁରି ଅଧିକ ଉତ୍ସାହ ରଖିଥିଲା ବିଜେପି ପାଇଁ। କାରଣ ୨୦୨୩ ମାର୍ଚ୍ଚ ମାସରୁ ଏଠାରେ ଅସ୍ଥାୟୀ ସଭାପତି ନିୟୋଜିତ ହୋଇଥିଲେ। ଆଉ କ୍ଷମତାକୁ ଆସିବା ପରେ ଏ ପଦବୀ ପାଇଁ ଦଳରେ ବହୁମୁଖୀ କ୍ଷମତାକେନ୍ଦ୍ର ସୃଷ୍ଟି ହୋଇଥିଲା। ଭିନ୍ନ ଭିନ୍ନ ଗୋଷ୍ଠୀ ତାଙ୍କର ସଭାପତି ପ୍ରାର୍ଥୀ ଦେବାକୁ ଚାହିଁଥିଲେ, ପ୍ରସ୍ତୁତି ଶେଷ ହୋଇଥିଲା। ନାଁ ଚର୍ଚ୍ଚା ହେଉଥିଲା; ଆଉ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଶେଷ ଇଙ୍ଗିତକୁ ଅପେକ୍ଷା କରିଥିଲେ କିଛି ‘ବଳି ବୋଦା’। ହେଲେ କେନ୍ଦ୍ରୀୟ ନେତୃତ୍ୱ ଗୋଟିଏ ବାର୍ତ୍ତା ଦେବାକୁ ଚାହିଁଲେ ତାହା ହେଲା ‘ଅପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ’ ଚୟନ। ତାହାହିଁ ହେଲା। ଆଉ ଯେଉଁମାନେ ବିରୋଧ କରିବା ପାଇଁ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ସଂଗଠନକୁ ନିଜ ହାତମୁଠାକୁ ନେବାକୁ ଚାହିଁଥିଲେ ସମସ୍ତେ ଏକା ମାଡ଼କେ ଚୁପ୍ ହୋଇଗଲେ। କିନ୍ତୁ ଏହି ନୀରବତାରେ ଅନୁପସ୍ଥିତ ହେଲେ ରାଜ୍ୟର ପ୍ରମୁଖ ନେତା ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ସମର୍ଥକମାନେ।
ନିକଟ ଅତୀତରେ ରାଜ୍ୟରେ ବିଜେପି କହିଲେ ଧର୍ମେନ୍ଦ୍ରଙ୍କ ସମାନ୍ତରାଳ ସଂଗଠନକୁ ବୁଝାଉଥିଲା। ଏପରିକି ଏବେ ନବନିର୍ବାଚିତ ଜିଲ୍ଲା ସଂଗଠନର ସଭାପତିଙ୍କ ଭିତରୁ ଆଖିବୁଜି ଯାହାକୁ ଛୁଇଁବେ ସେଥିରୁ ୯୦ ପ୍ରତିଶତ ନେତା ଧର୍ମେନ୍ଦ୍ରଙ୍କ ପୃଷ୍ଠପୋଷକତାରେ ବଳୀୟାନ ହୋଇଥିବେ। ସ୍ପଷ୍ଟଭାବେ କହିବାକୁ ଗଲେ ଜିଲ୍ଲାସ୍ତରରେ, ତୃଣମୂଳରେ ବିଜେପିର ସଂଗଠନକୁ ସୁଦୃଢ଼ କରିବା ଲାଗି ଯଦି କେଉଁ ନେତା ବିଗତ ଦଶନ୍ଧିରେ ପ୍ରାଣପଣେ ଉଦ୍ୟମ କରିଛନ୍ତି ସେ ହେଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଏହାକୁ ଅସ୍ୱୀକାର କରିବାର କାରଣ ନାହିଁ।
ନିଜ ପାଖରେ ସେତେବେଳେ ଥିବା ମନ୍ତ୍ରାଳୟରୁ ଅପର୍ଯ୍ୟାପ୍ତ ଖର୍ଚ୍ଚ କରି ନିଜର ସମର୍ଥକ ଭିତ୍ତିଭୂମିକୁ ସେ ସୁଦୃଢ଼ କରିଛନ୍ତି। ହେଲେ ଏଥିରେ ସେ ଦଳ ଅପେକ୍ଷା ନିଜର ସ୍ୱାର୍ଥକୁ ଅଧି ଗୁରୁତ୍ୱ ଦେଇଥିବା କୁହାଯାଏ। ସେଥିଲାଗି ପୁଷ୍ଠପୋଷକତ୍ୱ ପାଇନଥିବା କର୍ମୀମାନେ ତାଙ୍କ ବିରୋଧରେ ସମାନ୍ତରାଳ ନେତା ଖୋଜି ସେହି ଗୋଷ୍ଠୀରେ ସାମିଲ ହେଲେ। କେହି କେହି କୌଣସି ପଦପଦବୀ ନ ପାଇ କେବଳ ଅପେକ୍ଷା କଲେ ସମୟକୁ।
ଏହା ଧର୍ମେନ୍ଦ୍ରଙ୍କ ବିରୋଧରେ କର୍ମୀ ମତକୁ ବଢ଼ାଇଥିଲା। ମିଡିଆରେ ବିଜେପିର ବାଦ୍ଶାହା ପାଲଟିଥିବା ଧର୍ମେନ୍ଦ୍ରଙ୍କ ପାଦତଳୁ ମାଟି ଖସିବା ପରି ଏମାନେ ଦୂରେଇଲେ। ଆଉ ଆଜି ସମ୍ପୂର୍ଣ୍ଣ ଧର୍ମେନ୍ଦ୍ରଙ୍କୁ ସେମାନେ ରାଜ୍ୟ ସଂଗଠନରୁ ଦୂରେଇବାରେ ସକ୍ଷମ ହୋଇଥିବା କୁହାଯାଉଛି। ସେଥିଲାଗି ଧର୍ମେନ୍ଦ୍ର ରାଜ୍ୟ ବିଜେପିର ସଭାପତିଙ୍କ ନିର୍ବାଚନକୁ ଗୁରୁତ୍ୱ ନ ଦେଇ ଓଡ଼ିଶା ବାହାରକୁ ଯିବାକୁ ଅଧିକ ପସନ୍ଦ କରିଥିଲେ।
ସଭାପତି ନିର୍ବାଚନ ପରେ ଆୟୋଜିତ ରସଗୋଲା ବଣ୍ଟନରେ ଧର୍ମେନ୍ଦ୍ର ଓ ତାଙ୍କ ଅନୁଗତମାନଙ୍କ ଅନୁପସ୍ଥିତି ତାଙ୍କ ଭିତରେ ଥିବା ଅସନ୍ତୋଷର ବହ୍ନିକୁ ସ୍ପଷ୍ଟ କରିଛି। ଅର୍ଥାତ୍ ସେ ନୂତନ ରାଜ୍ୟ ସଭାପତିଙ୍କୁ ସମ୍ବର୍ଦ୍ଧନାବେଳେ ରାଜ୍ୟରେ ବି ଉପସ୍ଥିତ ନ ଥିଲେ। ଖାଲି ସେ ନୁହେଁ ତାଙ୍କର ଦୃଢ଼ ସମର୍ଥକ ଭାବେ ପରିଚିତ ଗୋଲକ ମହାପାତ୍ର ବି ଦେଖାଯାଉନଥିଲେ। ଏହା ଧର୍ମେନ୍ଦ୍ରଙ୍କ ଅସନ୍ତୁଷ୍ଟ ଭାବକୁ ଧରାପକାଇ ଦେଲା।
କିନ୍ତୁ ବଡ଼ କଥା ହେଲା ଏଠାରେ ଉପସ୍ଥିତ ଥିବା କେନ୍ଦ୍ରୀୟ ନେତା ତଥା ପ୍ରଭାରୀ, ପର୍ଯ୍ୟବେକ୍ଷକ, ସହ ପ୍ରଭାରୀ କେହି ବି ଧର୍ମେନ୍ଦ୍ରଙ୍କୁ ଅଟକାଇବାକୁ ଚାହିଁ ନ ଥିଲେ। ସଭାପତି ବି ଏ ସମ୍ପର୍କରେ ନୀରବ ରହିଥିଲେ। ଏହା ରାଜନୀତିକ ମହଲରେ ଏକ ବଡ଼ ବାର୍ତ୍ତା ଦେଇଛି ଯେ ହସ୍ତକ୍ଷେପ ନୁହେଁ ଦଳ ଏବେ ଗୋଟିଏ କ୍ଷମତା କେନ୍ଦ୍ରରେ ରଣନୀତି ତିଆରି କରିବ। ୨୦୨୯ ପୂର୍ବର ସମସ୍ତ ନିର୍ବାଚନ ଜିତିବ, ବିରୋଧୀ ଦଳର ତୁଣ୍ଡ ବନ୍ଦ କରିବ। କିନ୍ତୁ ଏହା ହେବ କେମିତି?
ଏ ବାବଦରେ ସନ୍ଦେହ ସୃଷ୍ଟି ହେବାର କାରଣ ହେଉଛି ବିଗତ ଏକ ବର୍ଷରେ ସରକାର ଯେତେ ପ୍ରଚାର ପ୍ରସାର କଲେ ବି ଲୋକଙ୍କ ପାଖରେ ପହଞ୍ଚିପାରିନାହିଁ ବିଜେପି ସରକାର ଓ ଏହାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବାରମ୍ବାର ବିଶୃଙ୍ଖଳା, ଆଇନ ଶୃଙ୍ଖଳା ପରିସ୍ଥିତି ବ୍ୟାହତ, ବିପର୍ଯ୍ୟୟ ପରିଚାଳନା, ଉତ୍ସବ ପରିଚାଳନା, ପୁଞ୍ଜି ନିବେଶ ସବୁ କ୍ଷେତ୍ରରେ ମୋହନଙ୍କ ପାରିଲାପଣିଆକୁ ଲୋକେ ଅନୁଭବ କରିପାରୁ ନାହାନ୍ତି। ଏପରିକି ବିଭିନ୍ନ ମହଲରେ ସରକାରଙ୍କୁ ରଙ୍ଗମରା ସରକାର ବୋଲି ବି କୁହାଯାଉଛି।
ରାଜ୍ୟର ବିରୋଧୀ ଦଳଙ୍କୁ ସରକାର ସମ୍ମୁଖୀନ ହୋଇପାରୁ ନାହାନ୍ତି। ପୂର୍ବ ବିଜେଡି ସରକାରରେ ଯେମିତି ବିଧାନସଭାକୁ ଅଚାନକ ବନ୍ଦ କରି ଦେଉଥିଲେ ସେ ରୋଗ ବିଜେପି ସରକାରଙ୍କୁ ବି ଧୀରେ ଧୀରେ ସଂକ୍ରମିତ କରିଛି। ବିରୋଧୀ ଦଳ ପାଇଁ କାର୍ଯ୍ୟ କରୁଥିବା ଅଧିକାରୀଙ୍କୁ ଚିହ୍ନଟ କଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇପାରୁ ନାହାନ୍ତି। ସେ ସମୟର ଦୁର୍ନୀତିକୁ ପଦାରେ ଆଣିବାକୁ ଘୋଷଣା କରିଥିବା ସରକାର ଏ ଭିତରେ ସେ ପ୍ରସଙ୍ଗକୁ ଭୁଲି ଯାଇଛି। ଅର୍ଥାତ୍ ସରକାର ଥାଇ ମଧ୍ୟକ ରାଜ୍ୟରେ ନ ଥିବାର ଅନୁଭବ କରୁଛନ୍ତି ଜନସାଧାରଣ।
ଏ ବର୍ଷଟିରେ କ’ଣ ଦଳ ଲୋକଙ୍କ ଆସ୍ଥା ଜିତିବାରେ ସହାୟକ ହେବେ? ମୋହନ ମାଝୀ କ’ଣ ପୂର୍ବ ଭଳି ନିଜର ଦୁର୍ନୀତି ବିରୋଧୀ ଭାବକୁ ଆଗକୁ ଆଣିପାରିବେ? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଛି। ଆଉ ଏ ପ୍ରଶ୍ନଗୁଡ଼ିକ ଭିତରେ ସଭାପତିଙ୍କ ଆତ୍ମବିଶ୍ୱାସ ବଢ଼ିଛି। ଏଣୁ ରାଜ୍ୟର ବିଭିନ୍ନ ସଂଗଠନ ଯାହା ପୂର୍ବ ସଭାପତିଙ୍କ ସମୟରୁ ଚଳି ଆସୁଥିଲା ସେଥିରେ ପରିବର୍ତ୍ତନ ହୋଇପାରେ। ସଂଗଠନ ବଦଳିଲେ ଦଳରୁ ମୁହଁ ମୋଡ଼ୁଥିବା ନେତାମାନେ ଆହୁରି ଅଧିକ ପ୍ରଭାବିତ ହୋଇପାରନ୍ତି। ତୃଣମୂଳର ନେତାମାନଙ୍କ ଭିତରେ ପରିବର୍ତ୍ତନ ହୋଇପାରେ। ଏହା ହେଲେ ଅସନ୍ତୁଷ୍ଟ ଧର୍ମେନ୍ଦ୍ରଙ୍କ ସମର୍ଥକ ମଧ୍ୟ ପ୍ରଭାବିତ ହେବେ। ଅର୍ଥାତ୍ ଏ ସମୟ ଆସିଛି ଧର୍ମେନ୍ଦ୍ରଙ୍କୁ ନିଜ ରାଜନୀତିକ ଶକ୍ତର ପରାକାଷ୍ଠା ଦେଖାଇବାର। ଯଦି ତା ନ ହୁଏ ତେବେ ଆଉ କେହି ନେତା ରାଜ୍ୟରେ ସଂଯୋଜନା ପାଇଁ ଅଧିକ କ୍ଷମତା ପାଇପାରନ୍ତି।
Alspo readhttps://purvapaksa.com/mahanadi-swells-in-odisha/
