ଲୁଚକାଳି ଖେଳୁଛନ୍ତି ମୁଖ୍ୟମନ୍ତ୍ରୀ ହେବାକୁ ଆଶା କରି ବିଫଳ ହୋଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଭୁବନେଶ୍ୱର, ଦିଲ୍ଲୀ ପରେ ଏ କାହାଣୀର ଆଉ ଏକ ଅଧ୍ୟାୟ ସମ୍ବଲପୁରରେ ଦେଖିବାକୁ ମିଳିଛି। ସେ ପୁଣି ନୂଆ ଖାଇ ଭେଟଘାଟ ସମୟରେ। ସମ୍ବଲପୁରର ସାଂସଦ ଧର୍ମେନ୍ଦ୍ରଙ୍କୁ ଏହି ଦିନ ସମସ୍ତେ ଆଶା କରୁଥିଲେ କିନ୍ତୁ ମୁଖ୍ୟମନ୍ତ୍ରୀ ଉପସ୍ଥିତ ହୋଇପାରିଥିଲେ ମଧ୍ୟ ତାଙ୍କର ଦେଖା ନ ଥିଲା। କେହି କେହି କହୁଛନ୍ତି ବିଧାୟକ ଜୟ ନାରାୟଣ ଏହି ସଭାକୁ ତାଙ୍କୁ ନିମନ୍ତ୍ରଣ କରିନଥିଲେ। ଯଦି ତାହା ସତ ହୋଇଥାଏ ତେବେ ଏହା ସାଂଘାତିକ ଅସନ୍ତୋଷର ଆଉ ଏକ ବିନ୍ଦୁ ଯୋଡ଼ିବ। ଏହିକ୍ରମରେ ଆଜି ଅପରାହ୍ନରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ନୂଆଦିଲ୍ଲୀ ବାସଭବନରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମର ଉପରାଷ୍ଟ୍ରପତି ନିର୍ବାଚନ ନେଇ ଦଳର ସମସ୍ତ ସାଂସଦମାନଙ୍କୁ ଭେଟିଥିଲେ। କିନ୍ତୁ ଏହି ବୈଠକରେ କେନ୍ଦ୍ରମନ୍ତ୍ରୀ ଦର୍ମେନ୍ଦ୍ର ପ୍ରଧାନଙ୍କର ଦେଖା ଦର୍ଶନ ମିଳିନଥିଲା।
ସେପ୍ଟେମ୍ବର ୬ ତାରିଖରେ ସମ୍ବଲପୁର ସହରରେ ଏକ ଭେଟଘାଟ ଉତ୍ସବ ଆୟୋଜନ କରାଯାଇଥିଲା। ଏହାର କାର୍ପଟଦାର ଥିଲେ ଖୋଦ ବିଧାୟକ ଜୟ ନାରାୟଣ ମିଶ୍ର। ତାଙ୍କ ସଙ୍ଗେ ଉତ୍ସବକୁ ଆହୁରି ମୁଖରିତ କରିବା ଲାଗି ଉପସ୍ଥିତ ଥିଲେ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ହେଲେ ସମ୍ବଲପୁରର ସାଂସଦଙ୍କୁ ଏହି ଅବସରରେ ଦେଖିବାକୁ ମିଳି ନ ଥିଲା। ଅନେକ ସମୟରେ ସମ୍ବଲପୁରବାସୀଙ୍କ ସହ ଏକାଠି ରହି ସେ ଭାଇଚାରାର ବାର୍ତ୍ତା ଦେଇଛନ୍ତି। ସମଲେଶ୍ୱରୀଙ୍କୁ ଦର୍ଶନ କରି ଲୋକଙ୍କ ଆସ୍ଥା ଜିତିବାକୁ ଚାହିଁଛନ୍ତି। କିନ୍ତୁ ଏବେ କ’ଣ ଏମିତି ହେଲା ଯେ ତାଙ୍କୁ ବିଧାୟକ ପସନ୍ଦ କରୁନାହାନ୍ତି ବୋଲି ପ୍ରଶ୍ନ ଉଠିଛି? ପୁଣି କେହି କେହି ନିକଟ ଅତୀତରେ; ମୁଖ୍ୟମନ୍ତ୍ରୀ ହେବା ଲାଗି ତାଙ୍କର ବିଫଳ ପ୍ରୟାସକୁ ମଧ୍ୟ ଉଠାଉଛନ୍ତି। ଏପରିକି ସେ ମୋହନ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ବୋଲି ଗ୍ରହଣ କରିପାରୁନଥିବା ଆଲୋଚନା ହେଉଛି।
ଏହି ଦୁଇଟି ବିଷୟକୁ ଏଠାରେ ଆଲୋଚନା କରାଯାଇପାରେ। ପ୍ରଥମ କଥାଟି ହେଉଛି ଜୟ ନାରାୟଣଙ୍କ ସହ କଟୁ ସମ୍ପର୍କ। କୁହାଯାଏ ବିଧାୟକ ଜୟ ନାରାୟଣଙ୍କ ବାଟ ଅବରୋଧ କରୁଛନ୍ତି ଧର୍ମେନ୍ଦ୍ର। ପ୍ରଥମେ ନିର୍ବାଚନ ସମୟରେ ତାଙ୍କୁ ସେ ଟିକଟ ଦେବାରୁ ନିବୃତ୍ତ ରଖିବାକୁ ଚେଷ୍ଟା କରିଥିବା ଅଭିଯୋଗ ହୁଏ। କିନ୍ତୁ ରାଜ୍ୟରେ କିଛି ସଂଘ ନେତାଙ୍କ କାରଣରୁ ସେ ଟିକଟ ପାଇଲେ ଏବଂ ଜିତିଲେ ମଧ୍ୟ। ହେଲେ ଜଣେ ବରିଷ୍ଠ ସଦସ୍ୟ ଭାବେ ତାଙ୍କର ମନ୍ତ୍ରିମଣ୍ଡଳରେ ରହିବା ଯୋଗ୍ୟତା ଥିଲେ ବି ତାଙ୍କୁ ମନ୍ତ୍ରିମଣ୍ଡଳରୁ ଦୂରରେ ରଖାଯାଇଛି। ଏହା ଜୟଙ୍କୁ ଅନେକ ଅପମାନ ଦେଇଥିବା କୁହାଯାଏ। ଆଉ ସେଥିଲାଗି ସେ ଧର୍ମେନ୍ଦ୍ରଠାରୁ ଦୂରତା ରକ୍ଷା କରିବା ଲାଗି ପସନ୍ଦ କରୁଥିବା କୁହାଯାଏ। ଆଉ ନୂଆଖାଇ ସମୟରେ ତାଙ୍କୁ ନ ନମନ୍ତ୍ରଣ କରାଯିବାର ଏହା ଏକ ପ୍ରମୁଖ କାରଣ ହୋଇପାରେ।
ଠିକ୍ ସେହିଭଳି ମୁଖ୍ୟମନ୍ତ୍ରୀ ଓ ଧର୍ମେନ୍ଦ୍ରଙ୍କ ଭିତରେ ମଧ୍ୟ ଅହି ନକୂଳ ସମ୍ପର୍କ ସୃଷ୍ଟି ହୋଇଛି। ଅନେକ ଦିନ ହେଲା ଏମାନେ ଗୋଟିଏ ସଭାମଞ୍ଚରେ ବସିବାକୁ ବି ପସନ୍ଦ କରୁନଥିଲେ। ଏପରିକି ନିଜ ନିର୍ବାଚନମଣ୍ଡଳିରେ ଆବଶ୍ୟକ ହସ୍ତକ୍ଷପ ପାଇଁ ମୋହନଙ୍କୁ ଚିଠି ଲେଖି ଜଣାଉଥିଲେ ଧର୍ମେନ୍ଦ୍ର। ନିକଟରେ ଏକ ସଭାମଞ୍ଚରେ ସେମାନଙ୍କ ଉପସ୍ଥିତି ରହିଥିଲେ ମଧ୍ୟ କେହି କାହାର ମୁହଁ ଚାହୁଁନଥିଲେ। ଏହାପରେ ପରିସ୍ଥିତି ଏମିତି ହୋଇଥିଲା ଯେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଆସିବାକୁ ବାଧ୍ୟ ହୋଇଥିଲେ ଧର୍ମେନ୍ଦ୍ର। ଏହି ସମୟରେ ନୂଆ ଶିକ୍ଷାନୀତି ଆଲୋଚନା କଥା ବାହାନା ଥିଲା କିନ୍ତୁ ବାସ୍ତବରେ ମନ୍ତ୍ରିମଣ୍ଡଳ ନେଇ ତୁଟୁ ନ ଥିବା ବିବାଦକୁ ସମାଧାନ କରିବା ପାଇଁ ଏହା ଉଦ୍ଦିଷ୍ଟଥିବା କୁହାଯାଏ। କିନ୍ତୁ ଏହି ବୈଠକ ପରେ ବି ପରିସ୍ଥିତି ସୁଧୁରି ନାହିଁ। ଏଣୁ ମୋହନ-ମନମୋହନ ଯୋଡ଼ି କାରଣରୁ ଧର୍ମେନ୍ଦ୍ରଙ୍କ ପ୍ରବେଶ ହୋଇପାରୁ ନାହିଁ। ଏହିକ୍ରମରେ ଧର୍ମେନ୍ଦ୍ର ଓ ମୋହନଙ୍କ ଭିତରେ ଲୁଚକାଳି ଖେଳ ହିଁ ଚର୍ଚ୍ଚା ହେଉଛି।
Also Read https://purvapaksa.com/dhankhar-had-2-options-resignation-or-no-confidence-motion/
