ସମସାମୟିକ ରାଜନୀତିରେ କ୍ଷମତା ଓ ପଦବୀ ହିଁ ଜଣେ ରାଜନେତାଙ୍କ ସମ୍ମାନ, ପାର୍ଷଦ ଓ ଆଭିଜାତ୍ୟକୁ ବର୍ଣ୍ଣନା କରେ। କେବଳ ଆମ ରାଜ୍ୟରେ ନୁହେଁ ପ୍ରତି ରାଜ୍ୟ ଓ କେନ୍ଦ୍ର ରାଜନୀତିରେ ଏହାକୁ ବାରିବା ଅତ୍ୟନ୍ତ ସହଜ। ଓଡ଼ିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ ବି ଏମିତି କ୍ଷମତା ଓ ପଦବୀରେ ୨୦୧୪ ମସିହାରୁ ରହି ଆସିଛନ୍ତି। ରାଜ୍ୟସଭାରୁ ସାଂସଦ ହୋଇ ମଧ୍ୟ ସେ ଲଗାତାର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନୀତ ହୋଇଛନ୍ତି। କେନ୍ଦ୍ରରେ ନିଜର ଆଉ ଓଡ଼ିଆ ଭାବେ ସମସ୍ତ ଓଡ଼ିଆଙ୍କର ମଧ୍ୟ ପତିଆରା ବଢ଼ାଇଛନ୍ତି। କିନ୍ତୁ ୨୦୨୪ ନିର୍ବାଚନଠାରୁ ଆଉ ତାଙ୍କ ଭାଗ୍ୟ ତାଙ୍କୁ ସହାୟତା ଦେଉ ନାହିଁ। ଫଳରେ ତାଙ୍କର ପଦବୀ ଧୀରେ ଧୀରେ ଖସୁଛି। ଏହାସହ ହାତରୁ କ୍ଷମତା ଓ ପାର୍ଷଦ ମଧ୍ୟ ଖସୁଛନ୍ତି। ଏ ବିଷୟ ଆଜି କହିବାର କାରଣ ହେଉଛି ଆଗକୁ ସେ ରାଷ୍ଟ୍ରୀୟ ସଭାପତି ହେବେ ବୋଲି ଯେଉଁ ଆଲୋଚନା ହେଉଥିଲା ତାହା ବି ଏବେ ତାଙ୍କୁ କୋଣଠେସା କରି ତାମିଲନାଡ଼ୁ ଆଡ଼େ ଚାଲିଗଲାଣି। ସଂକ୍ଷେପରେ କହିଲେ ‘ଧର୍ମେନ୍ଦ୍ରଙ୍କ ବେଳା ଏବେ ଭଲ ଚାଲିନି’।
ଏମତି ସମୟ ଥିଲା ଓଡ଼ିଶା ରାଜନୀତିରେ ବିଜେପି ସରକାର ନ ଥିଲେ ବି ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଭାବ ଅଖଣ୍ଡ ରହୁଥିଲା। ଓଡ଼ିଶାରେ ତାଙ୍କୁ ବିପତ୍ତି ନିବାରକଭାବେ ଗ୍ରହଣ କରାଯାଉଥିଲା। ଯେତେବେଳେ କେନ୍ଦ୍ର-ରାଜ୍ୟ ଭିତରେ କୌଣସି ବୁଝାମଣା ହେବାର ରହୁଥିଲା ସେତେବେଳେ ଧର୍ମେନ୍ଦ୍ରଙ୍କୁ ଖୋଜା ପଡ଼ୁଥିଲା। ଏବେ ରାଜ୍ୟରେ ତାଙ୍କ ଦଳର ସରକାର କିନ୍ତୁ ତାଙ୍କୁ ଅଦରକାରୀ ପାତ୍ରଭାବେ ଦଳ ଓ ସରକାର ଗ୍ରହଣ କରୁଛନ୍ତି। ଏ କଥା ଆମେ କହୁନୁ, ବରଂ ରାଜ୍ୟର ବିଭିନ୍ନ ମିଡିଆରେ ଯେଉଁ ଚର୍ଚ୍ଚା ହେଉଛି ତାହାକୁ ଶାଣିତ ଢଙ୍ଗରେ ଆମେ କହିବାକୁ ଚେଷ୍ଟା କରୁଛୁ।
୨୦୧୯ ନିର୍ବାଚନରେ ବିଜେପି ଧର୍ମେନ୍ଦ୍ରଙ୍କ ସମୀକରଣ, ରଣନୀତି ଉପରେ ଭରସା କରି ନିର୍ବାଚନକୁ ଓହ୍ଲାଇଥିଲା। ହେଲେ ସୁଫଳ ପାଇଲା ନାହିଁ। ତଥାପି ଦଳ ତାଙ୍କୁ ଗୌଣ କରିନଥିଲା। ହେଲେ ୨୦୨୧ ବେଳକୁ ତାଙ୍କ ସାମ୍ରାଜ୍ୟରେ ଉଲକା ଭଳି ଖସିଥିଲେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳଭାବେ ପୂର୍ବରୁ କାମ କରିଥିବା ଅଶ୍ୱିନୀ ବୈଷ୍ଣବ। ବିଜେପି ପ୍ରାର୍ଥୀଭାବେ ବିଜେଡିର ସମର୍ଥନ ପାଇଁ ବିଧାନସଭାରୁ ନିର୍ବାଚିତ ହୋଇ ରାଜ୍ୟସଭାର ସାଂସଦ ହେଲେ। ଖାଲି ସେତିକି ନୁହେଁ, କେନ୍ଦ୍ରରେ ମନ୍ତ୍ରୀ ବି ହେଲେ। ଏବେ ସେ ରେଳମନ୍ତ୍ରୀ। କୁହାଯାଏ ଏବେ ସେ କେନ୍ଦ୍ରୀୟ ନେତା ଓ ରାଜ୍ୟ ନେତାଙ୍କ ଭିତରେ ସମୀକରଣ ରକ୍ଷାଲାଗି ନିର୍ଭରଯୋଗ୍ୟ ମାଧ୍ୟମ ହୋଇଛନ୍ତି ଯାହା କେବେ ଧର୍ମେନ୍ଦ୍ର ଥିଲେ।
୨୦୨୪ ନିର୍ବାଚନ ଧର୍ମେନ୍ଦ୍ରଙ୍କ ରାଜନୀତିକ ଉତ୍ଥାନର ବଡ଼ ମୋଡ଼ ପରିବର୍ତ୍ତନକାରୀ ଥିଲା। ଏହି ନିର୍ବାଚନ ତାଙ୍କ ସିଡ଼ି ଚଢ଼ାକୁ ରୋକିବାର ପର୍ଯ୍ୟାୟ ସାଜିଲା। ଏ ନିର୍ବାଚନରେ ଧର୍ମେନ୍ଦ୍ର ଲୋକସଭା ପାଇଁ ଲଢ଼ିଲେ। ଜିତିଲେ ମଧ୍ୟ। କିନ୍ତୁ ଏ ଭିତରେ ସେ ଯେ ରାଜ୍ୟ ନେତୃତ୍ୱ ନେବାକୁ ସକ୍ଷମ ତାହାକୁ ପ୍ରତ୍ୟାଖ୍ୟାନ କଲେ କେନ୍ଦ୍ରୀୟ ନେତୃତ୍ୱ। ଫଳରେ ରାଜ୍ୟରେ ଅଚାନକ ନିର୍ବାଚନ ଜିତି ସରକାର ଗଠନ କରୁଥିବା ବିଜେପିର ମୁଖ୍ୟମନ୍ତ୍ରୀ ହେବାରୁ ବଞ୍ଚିତ ହେଲେ।
ଏବେ କିଛିଦିନ ତଳେ ବିଜେପିର ରାଷ୍ଟ୍ରୀୟ ସଭାପତି ହେବେ ବୋଲି ତାଙ୍କୁ କେନ୍ଦ୍ର କରି ଚର୍ଚ୍ଚା ହେଉଥିଲା। କିନ୍ତୁ ତାହା ବି ତାଙ୍କ ହାତରୁ ଚାଲିଗଲା ଭଳି ମନେ ହେଉଛି। ଏହାର କାରଣ ପଛରେ କୁହାଯାଉଛି ବିଜେପିରେ ମହିଳାଙ୍କ ନେତୃତ୍ୱକୁ ପ୍ରୋତ୍ସାହିତ କରିବା। ଯଦି ଏହା ହୁଏ ତେବେ ଧର୍ମେନ୍ଦ୍ର ପୁଣିଥରେ ହତଭାଗା ସାବ୍ୟସ୍ତ ହେବାକୁ ଯାଉଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ।
ଓଡ଼ିଶା ବିଜେପିରେ ଏକ ଶକ୍ତିଶାଳୀ ମୋର୍ଚ୍ଚା ଧର୍ମେନ୍ଦ୍ରଙ୍କ ପାଖରେ ରହିଛି। ତାଙ୍କ ହେପାଜତରେ ରାଜ୍ୟ ଭାଷାରେ ଏକ ଟିଭି ଚ୍ୟାନେଲ ଅଛି ଓ ଅଗଣତି ସୋଶାଲ୍ ମିଡିଆ। ରାତିଦିନ ତାଙ୍କ ପ୍ରଚାର ପ୍ରସାରରେ ସ୍ୱତନ୍ତ୍ର ଟିମ୍ ବି ରହିଛି। ଏହିକ୍ରମରେ ସେ ବିଜେପିର କିଛିଦିନ ଧରି ଅପ୍ରତିଦ୍ୱନ୍ଦ୍ୱୀ ନେତା ହୋଇ ରହିଥିଲେ।
କିନ୍ତୁ ୨୦୨୩ ଆରମ୍ଭବେଳକୁ ତାଙ୍କ ବିରୋଧରେ ଅନେକ ଗୋଷ୍ଠୀ ସମାନ୍ତରାଳଭାବେ ଠିଆ ହେଲେ। ଏପରିକି ଧର୍ମେନ୍ଦ୍ରଙ୍କୁ ଏପରି ଚ୍ୟାଲେଞ୍ଜ କଲେ ଯେ ସେ ବାଧ୍ୟ ହୋଇ ରାଜ୍ୟ ନିର୍ବାଚନରେ ଅଂଶ ଗ୍ରହଣ କରି ନିଜର ଦକ୍ଷତା ସାବ୍ୟସ୍ତ କରିବାକୁ ମୈଦାନକୁ ଓହ୍ଲାଇଲେ। ସମ୍ବଲପୁରରେ ବିଜେଡି ସହ ତାଙ୍କର ପ୍ରତ୍ୟକ୍ଷ ଲଢ଼େଇ ହେଲା।
କେନ୍ଦ୍ର ରାଜନୀତିରେ ବେଶ୍ ପାରଙ୍ଗମ ଥିବା ଧର୍ମେନ୍ଦ୍ର କେବେ ରାଜ୍ୟରେ ବିଜେପି ସରକାର ଗଢ଼ିବ ବୋଲି ନିଶ୍ଚିତ ନ ଥିଲେ। କିନ୍ତୁ ସମସ୍ତଙ୍କୁ ଚକ୍ମା ଦେଇ ରାଜ୍ୟରେ ବିଜେପି ସରକାର ଗଢ଼ିଲା। ଏହି ସମୟରେ ତାଙ୍କ ନାଁ ମୁଖ୍ୟମନ୍ତ୍ରୀ ହେବା ପାଇଁ ଚର୍ଚ୍ଚା ହେଉଥିଲା। ହେଲେ ଚର୍ଚ୍ଚାରେ ନ ଥିବା ମୋହନ ଚରଣ ମାଝୀ ସମସ୍ତଙ୍କୁ ଚକ୍ମା ଦେଇ ବିଜେପି ସରକାରର ପ୍ରଥମ ମୁଖ୍ୟମନ୍ତ୍ରୀ ସାଜିଲେ। ଧର୍ମେନ୍ଦ୍ର ଓ ତାଙ୍କ ଗୋଷ୍ଠୀ ପୁଣି କୋଣଠେସା ହେଲେ।
ଏବେ କିଛିଦିନ ତଳେ ଜାତୀୟ ସଭାପତି ଚୟନ ତଲିକାରେ ତାଙ୍କ ନାଁ ରହିଥିବା ନେଇ ଜାତୀୟ ମିଡିଆରେ ଚର୍ଚ୍ଚା ହେଉଥିଲା। ୨୦୨୦ ମସିହାରୁ ରାଷ୍ଟ୍ରୀୟ ସଭାପତି ଥିବା ଜଗତ ପ୍ରକାଶ ନଡ୍ଡାଙ୍କ କାର୍ଯ୍ୟକାଳ ୨୦୨୩ରୁ ଶେଷ ହୋଇଥିଲେ ମଧ୍ୟ ବିଜେପି ସଭାପତିଙ୍କ ନାଁ ଘୋଷଣା କରାଯାଇପାରିନାହିଁ।
ଏହିକ୍ରମରେ କିଏ ସଭାପତି ହେବ ସେଥିନେଇ ଆଉ ଏକ ସମୀକରଣ ସାମ୍ନାକୁ ଆସିଛି। ଏଥିରେ ବିଜେପି ମହିଳା କାର୍ଡକୁ ଅଧିକ ଶକ୍ତ କରିବାକୁ ଚାହୁଁଛି ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଖାଲି ସେତିକି ନୁହେଁ ଏହି ଦୌଡ଼ରେ ଦେଶର ଲମ୍ବା ସମୟ ଧରି ଅର୍ଥମନ୍ତ୍ରୀ ଦାୟିତ୍ୱ ତୁଲାଉଥିବା ନିର୍ମଳା ସୀତାରମଣଙ୍କ ନାଁ ଆଗରେ ରହିଛି। ସେ ତାମିଲନାଡ଼ୁର ବାସିନ୍ଦା। ପୁଣି ମହିଳାଭାବେ ବିଜେପିକୁ ଶକ୍ତି ଗୋଟାଇବାରେ ସହାୟ ହୋଇପାରିବେ ବୋଲି ଚର୍ଚ୍ଚା ହେଉଛି।
ଏହି ତାଲିକାରେ ପୂର୍ବତନ ଆନ୍ଧ୍ରପ୍ରଦେଶ ବିଜେପି ମୁଖ୍ୟ ଡି ପୁରନ୍ଦେଶ୍ୱରୀଙ୍କ ନାଁ ରହିଛି। ସେ କିଛିଦିନ ଓଡ଼ିଶା ପ୍ରଭାରୀ ବି ଥିଲେ । ଅପରେସନ୍ ସିନ୍ଦୂରକୁ ନେଇ ଭାରତ ସରକାର କରିଥିବା ପ୍ରସାର କାର୍ଯ୍ୟକ୍ରମରେ ତାଙ୍କ ନାଁ ରହିଥିଲା। ସେ ଯୁକ୍ତରାଜ୍ୟ, ଫ୍ରାନ୍ସ, ଜର୍ମାନୀ, ୟୁରୋପୀୟ ୟୁନିୟନ, ଇଟାଲୀ, ଡେନ୍ମାରର୍କ ବୁଲି ଭାରତର ଆଭିମୁଖ୍ୟକୁ ସ୍ପଷ୍ଟ କରିଥିଲେ।
ଏ ଦୁଇ ଦକ୍ଷିଣ ଭାରତୀୟ ମହିଳାଙ୍କ ସହ ଆଉ ଜଣେ ମହିଳାଙ୍କ ନାଁ ସାମ୍ନାକୁ ଆସିଛି। ସେ ହେଉଛନ୍ତି ବିନତୀ ଶ୍ରୀନିବାସନ୍। ୧୯୯୩ରୁ ବିଜେପି ସହ ସମ୍ପୃକ୍ତ। କିନ୍ତୁ ନିକଟରେ କମଲହାସନ୍ଙ୍କୁ ହରାଇ କୋଏମ୍ବାଟୁର ବିଧାନସଭାରୁ ପ୍ରତିନିଧିତ୍ୱ କରୁଛନ୍ତି। ତାମିଲନାଡ଼ୁରେ ପ୍ରବେଶ ପାଇଁ ବିଜେପି ଯେଉଁ ଉଦ୍ୟମ କରୁଛି ସେଥିରେ ବିନତୀଙ୍କ ନାଁ ଆଗରେ ରହିଛି। ଅର୍ଥାତ୍ ବିଜେପିର ରଣନୀତି ଯଦି ଦକ୍ଷିଣ ଭାରତ ଜୟ ତଥା ମହିଳା ଭୋଟ୍ ଅକ୍ତିଆର ଲକ୍ଷ୍ୟ ହୁଏ ତେବେ ଯେଉଁ ଶୁଭ ମୁହୂର୍ତ୍ତ ଧର୍ମେନ୍ଦ୍ରଙ୍କ ଲାଗି ଖୋଲିବାର ଥିଲା ତାହା ବି ହାତଛଡ଼ା ହେବାକୁ ଯାଉଛି, ନୁହେଁ କି?
Also readhttps://purvapaksa.com/west-bengal-cries-for-bangladeshis-wrote-letter-to-odisha-for-protection/
