ଆଶୁତୋଷ ବେଶରେ ଦେଲେ ଦର୍ଶନ
ଶ୍ରୀମନ୍ଦିରରେ ହରିହର ବେଶ
କାର୍ତ୍ତିକ ମାସର ଆଜି ଶେଷ ସୋମବାର। ଏଥିପାଇଁ କଟକ ଆଠଗଡ଼ସ୍ଥିତ ବାବା ଧବଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ରାତି ପ୍ରାୟ ୩ଟା ବେଳେ ଦ୍ଵାର ଫିଟା ଯାଇ ୧୦୮ ଗରା ଜଳରେ ଧବଳେଶ୍ୱରଙ୍କୁ ମହାସ୍ନାନ କରାଯାଇଥିଲା। ପରେ ମଇଲମ, ମଙ୍ଗଳ ଆଳତି ଆଦି ସମସ୍ତ ରୀତିନୀତି କରାଯାଇଥିଲା। ପରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ପାଇଁ ଛଡ଼ା ଯାଇଥିଲା। ଏଥିପାଇଁ ପ୍ରଶାସନ ତଥା ପୂଜକସମାଜ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ପୀଠରେ ଆଶୁତୋଷ ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ଧାର୍ମିକ ବିଶ୍ୱାସ ରହିଛି ଏହି ଦିନରେ ଦେବ ଦେବ ମହାଦେବଙ୍କୁ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ମିଳିବା ସହ ମାନସିକ ଶାନ୍ତି ମିଳିଥାଏ ।
ସେହିପରି ମଙ୍ଗଳବାରଠାରୁ ଆରମ୍ଭ ହେଉଛି କାର୍ତ୍ତିକ ମାସର ମହା ପଞ୍ଚୁକ ବ୍ରତ। ଏଥିପାଇଁ ଶ୍ରୀକ୍ଷେତ୍ରରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏଥର ୫ ଦିନ ବଦଳରେ ୪ ଦିନ ପାଳନ କରାଯିବ ପଞ୍ଚୁକ ବ୍ରତ। ତେଣୁ ଭକ୍ତ ମାନଙ୍କୁ ୪ ଟି ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଆଜି କାର୍ତ୍ତିକ ମାସର ଶେଷ ସୋମବାର। ମହାପ୍ରଭୁ ଆଜି ହରିହର ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି। ଅବକାଶ ନୀତି ପରେ ହରିହର ବେଶରେ ସଜିତ କରାଯାଇଛି । ଏହି ବେଶରେ ବଡ଼ଠାକୁର ଅର୍ଦ୍ଧେକ ଧଳା ଓ ଅର୍ଦ୍ଧେକ କଳା ଦିଶିବା ସହ ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି । ଆସନ୍ତାକାଲି (ମଙ୍ଗଳବାର) ଦେବ ଉତ୍ଥାପନ ଏକାଦଶୀରେ ଲକ୍ଷ୍ମୀ ନାରାୟଣ ବେଶ ଅନୁଷ୍ଠିତ ହେବ।
previous story: https://purvapaksa.com/new-cji-sanjeeb-khanna-took-oath/


1 Comment
Pingback: ବଦଳିଲା ନର୍ସଙ୍କ ଡ୍ରେସ କୋଡ