Delhi Election Exit Polls: ଦିଲ୍ଲୀର ୭୦ଟି ଆସନରେ ମତଦାନ ଶେଷ ହେବାପରେ ସନ୍ଧ୍ୟାରେ ଏକ୍ଜିଟ୍ ପୋଲ୍ ତଥ୍ୟ ପ୍ରକାଶ ପାଇଛି। ଜାଣନ୍ତୁ ଦିଲ୍ଲୀର ଏକ୍ଜିଟ୍ ପୋଲ୍ କିପରି ପ୍ରସ୍ତୁତ ହେଉଛି, ଜନମତ ସର୍ଭେଠାରୁ ଏହା କିପରି ଭିନ୍ନ ଏବଂ ଏହାକୁ ନେଇ ନିର୍ବାଚନ କମିଶନଙ୍କ ଗାଇଡଲାଇନ କ’ଣ ରହିଛି।
ଦିଲ୍ଲୀ କିଏ ଦଖଲ କରିବ ତାହା ୮ ଫେବୃଆରୀରେ ଜଣାପଡ଼ିବ। କିନ୍ତୁ ଏହା ପୂର୍ବରୁ ବୁଧବାର ଦିନ ଆସିଛି ଏକ୍ଜିଟ୍ ପୋଲ, ଯେଉଁଥିରେ ଆମ ଆଦାମୀ ପାର୍ଟିର ସରକାର ବଦଳରେ ବିଜେପି ଦିଲ୍ଲୀରେ ସରକାର ଗଠନ କରିବ ବୋଲି ଅନୁମାନ କରାଯାଇଛି। ଅଧିକାଂଶ ଏକ୍ଜିଟ୍ ପୋଲ୍ ବିଜେପିକୁ ଅଧିକ ନମ୍ବର ଦେଇଛନ୍ତି। କିନ୍ତୁ ଭାରତରେ ଏକ୍ଜିଟ୍ ପୋଲ୍ର ଇତିହାସ ଉପରେ ନଜର ପକାଇଲେ ଜଣାପଡ଼େ ଯେ, କିଛି ମଧ୍ୟ ହୋଇପାରେ। ଏକ୍ଜିଟ୍ ପୋଲ୍ ଫେଲ୍ ହେବାର ଅନେକ ଉଦାହରଣ ଆଗରୁ ରହିଛି। ଏମିତିରେ ବେଳେବେଳେ ମନକୁ ପ୍ରଶ୍ନ ଆସେ ଯେ, ଏକ୍ଜିଟ୍ ପୋଲ୍ କେମିତି ହୁଏ? କିଏ ଓ କେଉଁ ଦେଶରେ ଏହା ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିଲା? ଆସନ୍ତୁ ଏସବୁର ଉତ୍ତର ଜାଣିବା। ପ୍ରଥମେ ଜାଣିବା କେଉଁ ଦେଶରେ କିଏ ଏହାକୁ ପ୍ରଥମେ ଆରମ୍ଭ କରିଥିଲା।
କିଏ ଏକ୍ଜିଟ୍ ପୋଲ୍ର ଆବିଷ୍କାରକ?
ଏକ୍ଜିଟ୍ ପୋଲ୍ କିଏ ଆବିଷ୍କାର କରିଥିଲା, ତାକୁ ନେଇ ଭିନ୍ନ ମତ ରହିଛି। ୱିକିପିଡିଆ ଅନୁସାରେ ମାର୍ସେଲ ଭ୍ୟାନ୍ ଡାମ୍ ନାମକ ଡଚ୍ ସମାଜବିତ୍ ଓ ନେତା ନିଜକୁ ଏକ୍ଜିଟ୍ ପୋଲ୍ର ଆବିଷ୍କାରକଭାବେ ଦାବି କରନ୍ତି । ତାଙ୍କ ଅନୁସାରେ ସେ ହିଁ ପ୍ରଥମ ଥର ପାଇଁ ୧୫ ଫେବ୍ରୁଆରୀ ୧୯୬୭ରେ ଡଚ୍ ସଂସଦୀୟ ନିର୍ବାଚନ ପୂର୍ବରୁ ବୁଥ୍ ବାହୁଡ଼ା ମତ ନେଇଥିଲେ। ଅନ୍ୟପକ୍ଷରେ ଆଉ କିଛି ଲୋକଙ୍କର ଦାବି ଯେ, ଭ୍ୟାନ୍ ଡାମ୍ ନୁହନ୍ତି ୱାରେନ୍ ମିତୋଫସ୍କି ନାମକ ଆମେରିକୀୟ ପୃଥିବୀର ପ୍ରଥମ ଏକ୍ଜିଟ୍ ପୋଲ୍ କରାଇଥିଲେ। ସେ ସିବିଏସ୍ ନ୍ୟୁଜ୍ ପାଇଁ ସେହି ଏକ୍ଜିଟ୍ ପୋଲ୍ କରିଥିଲେ। ୧୯୬୭ ମସିହା ନଭେମ୍ବର ମାସରେ ଅନୁଷ୍ଠିତ କେଣ୍ଟୁକି ସ୍ଥାନୀୟ ନିର୍ବାଚନ ପାଇଁ ଏହି ଏକ୍ଜିଟ୍ ପୋଲ୍ ହୋଇଥିଲା। ତେବେ ଏକ୍ଜିଟ୍ ପୋଲ୍ ବାବଦରେ ୧୯୪୦ରେ ମଧ୍ୟ ଆଲୋଚନା ହେଉଥିବାର ସୂଚନା ରହିଛି। କୋଲାରୋଡୋର ଡେନଭରରେ ୧୯୪୦ ଦଶକରେ ଏକ୍ଜିଟ୍ ପୋଲ୍ ହୋଇଥିବାର କିଛି ଦାବି କରନ୍ତି। (ୱିକିପିଡିଆ ସୂଚନା)
ଏକ୍ଜିଟ୍ ପୋଲ୍ କ’ଣ, ଆମେ ତଥ୍ୟ କେଉଁଠାରୁ ପାଇପାରିବା
ବୁଥ୍ ବାହୁଡ଼ା ମତ ବା ଭୋଟ୍ ଦେଇ ବୁଥ୍ରୁ ଫେରୁଥିବା ଭୋଟରଙ୍କ ମତକୁ ନେଇ ହେଉଥିବା ତର୍ଜମା ହେଉଛି ଏକ୍ଜିଟ୍ ପୋଲ୍। ନିର୍ବାଚନରେ ଭୋଟ୍ ଦେବା ପରେ ଯେତେବେଳେ ଜଣେ ଭୋଟ୍ର ପୋଲିଂ ବୁଥ୍ ବାହାରକୁ ଆସନ୍ତି, ତାଙ୍କୁ ପ୍ରଶ୍ନ ମାଧ୍ୟମରେ ପଚରାଯାଏ ଯେ ସେ କେଉଁ ଦଳ କିମ୍ବା ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି। ଏଥିପାଇଁ, ଏକ୍ଜିଟ୍ ପୋଲ କରୁଥିବା ଏଜେନ୍ସିଗୁଡ଼ିକ ସେମାନଙ୍କର ଏଜେଣ୍ଟମାନଙ୍କୁ ପୋଲିଂ ବୁଥ୍ ବାହାରେ ଠିଆ କରାଇଥାନ୍ତି।
ସାଧାରଣତଃ, ପୋଲିଂ ବୁଥରେ ପ୍ରତ୍ୟେକ ଦଶମ ଭୋଟ୍ରଙ୍କୁ ପଚରାଉଚରା କରାଯାଏ। ଯଦି ପୋଲିଂ ବୁଥ୍ ବଡ଼ ଥାଏ, ତେବେ ପ୍ରତ୍ୟେକ ୨୦ତମ ଭୋଟ୍ରଙ୍କଠାରୁ ପ୍ରଶ୍ନ ପଚରାଯାଏ। ଭୋଟ୍ରମାନଙ୍କଠାରୁ ପ୍ରାପ୍ତ ସୂଚନାର ବିଶ୍ଳେଷଣ କରାଯାଏ ଏବଂ ନିର୍ବାଚନ ଫଳାଫଳ କିପରି ହେବ ତାହା କହିବାକୁ ଚେଷ୍ଟା କରାଯାଏ। କିଏ ଜିତିବ ଏବଂ କିଏ ହାରିବ ଏହି ମତକୁ ନେଇ ଏକ ପ୍ରକାର ଅନୁମାନ କରାଯାଏ।
୫ଟି ପଦକ୍ଷେପରେ ଏକ୍ଜିଟ୍ ପୋଲ କିପରି ପ୍ରସ୍ତୁତ ହୁଏ?
ଏକ୍ଜିଟ୍ ପୋଲ୍ ପ୍ରସ୍ତୁତ କରିବାରେ ୫ଟି ପଦକ୍ଷେପ ଅଛି। ପ୍ରଥମଟି ହେଉଛି ନମୁନା ସଂଗ୍ରହ। ଏହି ପର୍ଯ୍ୟାୟରେ, ସର୍ଭେ ଏଜେନ୍ସିଗୁଡ଼ିକ ଭୋଟରଙ୍କ ମତାମତ ନିଆଯିବା ପାଇଁ ମତାମତ କେନ୍ଦ୍ର ଚୟନ କରନ୍ତି। ଦ୍ୱିତୀୟ ପଦକ୍ଷେପ ହେଉଛି ପ୍ରଶ୍ନ ଏବଂ ଉତ୍ତର ସ୍ଥିର କରିବା। ଭୋଟରମାନଙ୍କୁ କେଉଁ ପ୍ରଶ୍ନ ପଚରାଯିବ ଏବଂ କାହିଁକି ତାହା ଏଜେନ୍ସି ନିଷ୍ପତ୍ତି ନିଏ। ଏହି ପ୍ରଶ୍ନ ଏବଂ ଉତ୍ତରଗୁଡ଼ିକରେ ଭୋଟରଙ୍କ ବୟସ, ଲିଙ୍ଗ, ସେମାନେ କେଉଁ ଦଳକୁ ଭୋଟ୍ ଦେଇଥିଲେ ଏବଂ କାହିଁକି, ତାଙ୍କ ନିଷ୍ପତ୍ତିକୁ କିଏ ପ୍ରଭାବିତ କରିଥିଲା? ଏପରି ଅନେକ ପ୍ରଶ୍ନ ରହିଥାଏ।
ତୃତୀୟ ପଦକ୍ଷେପ ହେଉଛି ତଥ୍ୟ ସଂଗ୍ରହ। ଭୋଟରମାନଙ୍କ ପ୍ରଶ୍ନ ଏବଂ ଉତ୍ତର ସାହାଯ୍ୟରେ ତଥ୍ୟ ସଂଗ୍ରହ କରାଯାଏ। ଚତୁର୍ଥ ପଦକ୍ଷେପରେ, ଦଳ କିମ୍ବା ପୋଲିଂ ବୁଥ୍ ଅନୁଯାୟୀ ପ୍ରାପ୍ତ ତଥ୍ୟର ବିଶ୍ଳେଷଣ କରାଯାଏ। କେଉଁ ଦଳ କେଉଁଠାରେ ଜିତିବାର ସମ୍ଭାବନା ଅଛି, ତାହା ଏହି ସୂଚନା ଆଧାରରେ ଅନୁମାନ କରାଯାଏ।
ପଞ୍ଚମ ଏବଂ ଶେଷ ପଦକ୍ଷେପ ହେଉଛି ଏହାର ତ୍ରୁଟିଗୁଡ଼ିକୁ ଦୂର କରିବା ଏବଂ ଏହାକୁ ମୁକ୍ତ କରିବା। ସାଧାରଣତଃ ଏକ୍ଜିଟ୍ ପୋଲ୍ ପ୍ରସ୍ତୁତ କରୁଥିବା ଏଜେନ୍ସିଗୁଡ଼ିକ ଗଣମାଧ୍ୟମ ସଂସ୍ଥା ମାଧ୍ୟମରେ ସେଗୁଡ଼ିକୁ ପ୍ରକାଶ କରନ୍ତି। କିଛି ଗଣମାଧ୍ୟମ ସଂଗଠନ ନିଜର ଏକ୍ଜିଟ୍ ପୋଲ ପ୍ରସ୍ତୁତ କରନ୍ତି, ଯାହା ଭୋଟ୍ ପରେ ପ୍ରକାଶିତ ହୁଏ ଯାହାଦ୍ଵାରା ଏହା ଭୋଟ୍ ଉପରେ ପ୍ରଭାବ ପକାଇବ ନାହିଁ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ, ଭୋଟ୍ ଶେଷ ହେବା ପରେ ହିଁ ଏହା ଜାରି କରାଯାଇପାରିବ।
ଏକ୍ଜିଟ୍ ପୋଲ୍ ବନାମ ଓପିନିଅନ୍ ପୋଲ୍: ଉଭୟ ମଧ୍ୟରେ କଣ ପାର୍ଥକ୍ୟ ଅଛି?
ମତଦାନ ପୂର୍ବରୁ ଲୋକଙ୍କ ମନୋଭାବ କ’ଣ ଜାଣିବା ପାଇଁ ଭୋଟରଙ୍କ ମତ ନିଆଯାଏ। ଯାହାକୁ ମତାମତ ପୋଲ୍ ବା ଓପିନିଅନ୍ ପୋଲ୍ ବୋଲି କୁହାଯାଏ। ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଏଗୁଡ଼ିକ ପ୍ରକାଶିତ ହୁଏ। ଏହା ଏକ ପ୍ରକାରର ପ୍ରାକ୍-ପୋଲ୍ ସର୍ଭେ ଯାହା ସେହି ରାଜ୍ୟ କିମ୍ବା ଦେଶର ଲୋକମାନେ କ’ଣ ଭାବନ୍ତି ଏବଂ ସେମାନଙ୍କ ପାଇଁ ବଡ଼ ସମସ୍ୟା କ’ଣ,ସେମାନେ କେଉଁ ସମସ୍ୟା ଆଧାରରେ ଭୋଟ୍ କରିବେ ଆଦି ବିଷୟରେ କୁହେ। ଏଥିରେ ଯେକୌଣସି ବ୍ୟକ୍ତିଙ୍କୁ ସାମିଲ କରାଯାଇପାରିବ, ସେ ଭୋଟର ହୁଅନ୍ତୁ କି ନ ହୁଅନ୍ତୁ। ଆଚରଣ ସଂହିତା ଲାଗୁ ହେବାମାତ୍ରେ ଏହାକୁ ନିଷିଦ୍ଧ କରିଦିଆଯାଏ।
ଅନ୍ୟପକ୍ଷରେ ଭୋଟ୍ ଦେବା ପରେ ଏକ୍ଜିଟ୍ ପୋଲ୍ ପ୍ରସ୍ତୁତ ହୁଏ। ଏଥିରେ କେବଳ ସେହି ଭୋଟ୍ରମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇଥାଏ,ଯେଉଁମାନେ ଭୋଟ୍ ଦେଇସାରିବା ପରେ ବୁଥ୍ ବାହାରକୁ ଆସିଥାନ୍ତି। ଭୋଟ୍ ସାରିବା ପରେ ହିଁ ଏହାକୁ ପ୍ରକାଶ କରାଯାଏ।
ମହାକୁମ୍ଭରୁ ଆସିଲା ସାମାଜିକ ପରିବର୍ତ୍ତନର ସଂକେତ, ଦଳିତ ଓ ଆଦିବାସୀ ସମ୍ପ୍ରଦାୟରୁ ଆସିଛନ୍ତି ୨୦ ପ୍ରତିଶତ ନାଗାସାଧୁ
