ସଂସଦର ମୌସୁମୀ ଅଧିବେଶନରେ ସୋମବାର ଦିନ ଲୋକସଭାରେ ଅପରେସନ ସିନ୍ଦୁର ଉପରେ ଏକ ବିଶେଷ ଆଲୋଚନା ହୋଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସଂସଦରେ ଅପରେସନ ସିନ୍ଦୁରକୁ ନେଇ ହୋଇଥିବା ବିତର୍କରେ ଭାଗ ନେଇ କହିଥିଲେ ଯେ,ଭାରତର ଆକ୍ରମଣରେ ଭୟଭୀତ ହୋଇ ପାକିସ୍ତାନ ଅସ୍ତ୍ରବିରତିର ବିନତୀ କରିଥିଲା । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ୨୦୨୫ ମସିହା ମେ ୬ ଓ ୭ ତାରିଖରେ ଭାରତୀୟ ସେନାମାନେ ଅପରେସନ ସିନ୍ଦୁର ଐତିହାସିକ ସାମରିକ କାର୍ଯ୍ୟାନୁଷ୍ଠାନ ସମ୍ପାଦନ କରିଥିଲେ। ଏହା କେବଳ ଏକ ସାମରିକ କାର୍ଯ୍ୟାନୁଷ୍ଠାନ ନଥିଲା, ବରଂ ଏହା ଥିଲା ଭାରତର ସାର୍ବଭୌମତ୍ୱ, ତା’ର ଅସ୍ମିତା ଏବଂ ଦେଶର ନାଗରିକଙ୍କ ପ୍ରତି ଆମର ଦାୟିତ୍ୱ।
ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଅପରେସନ ସିନ୍ଦୁରକୁ କାର୍ଯ୍ୟକାରୀ କରିବା ପୂର୍ବରୁ ଆମ ସେନା ପ୍ରତ୍ୟେକ ଦିଗକୁ ଗଭୀର ଭାବେ ଅଧ୍ୟୟନ କରିଥିଲେ। ଆମ ପାଖରେ ଅନେକ ବିକଳ୍ପ ଥିଲା, କିନ୍ତୁ ଆମେ ସେହି ବିକଳ୍ପ ବାଛିଥିଲୁ ଯେଉଁଥିରେ ଆତଙ୍କବାଦୀ ଓ ସେମାନଙ୍କ ଠିକଣାକୁ ସର୍ବାଧିକ କ୍ଷତି ହେହ ଏବଂ ପାକିସ୍ତାନର ସାଧାରଣ ନାଗରିକଙ୍କୁ କୌଣସି ପ୍ରକାର କ୍ଷତି ନ ହୁଏ। ରାଜନାଥ ସିଂ କହିଛନ୍ତି, ସର୍ବପ୍ରଥମେ ମୁଁ ଏହି ସଦନ ମାଧ୍ୟମରେ ଦେଶର ସେହି ବୀର ସପୁତମାନଙ୍କୁ, ସେହି ସାହସୀ ସୈନିକମାନଙ୍କୁ ନମନ କରୁଛି, ଯେଉଁମାନେ ଏହି ରାଷ୍ଟ୍ରର ସୀମା ରକ୍ଷା ପାଇଁ ସର୍ବଦା ପ୍ରସ୍ତୁତ ରହିଥାନ୍ତି। ସେହିପରି, ମୁଁ ସେହି ସୈନିକମାନଙ୍କର ସ୍ମୃତିକୁ ମଧ୍ୟ ନମନ କରୁଛି, ଯେଉଁମାନେ ଭାରତର ଏକତା ଓ ଅଖଣ୍ଡତାକୁ ସୁନିଶ୍ଚିତ କରିବା ପାଇଁ ବଳିଦାନ ଦେଇଛନ୍ତି।
୧୦୦ରୁ ଅଧିକ ଆତଙ୍କବାଦୀ ନିହତ
ଆମ ସେନା ଦ୍ୱାରା କରାଯାଇଥିବା ସମନ୍ୱିତ ଆକ୍ରମଣରେ ୯ଟି ଆତଙ୍କବାଦୀ ଠିକଣାକୁ ନିଶାନା କରାଯାଇଥିଲା। ଏହି ସାମରିକ କାର୍ଯ୍ୟାନୁଷ୍ଠାନରେ ଏକ ଅନୁମାନ ଅନୁଯାୟୀ ପ୍ରାୟ ୧୦୦ରୁ ଅଧିକ ଆତଙ୍କବାଦୀ, ସେମାନଙ୍କ ପ୍ରଶିକ୍ଷକ, ହ୍ୟାଣ୍ଡଲର ଓ ସହଯୋଗୀ ନିହତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ଜୈଶ-ଏ-ମହମ୍ମଦ, ଲସ୍କର-ଏ-ତୈୟବା ଓ ହିଜବୁଲ ମୁଜାହିଦ୍ଦୀନ ଭଳି ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ଥିଲେ। ଏହି ଆତଙ୍କବାଦୀ ସଂଗଠନଗୁଡ଼ିକ ସେହି ସଂଗଠନ ଯାହାଙ୍କୁ ପାକିସ୍ତାନର ସେନା ଓ ଆଇଏସଆଇର ଖୋଲା ସମର୍ଥନ ମିଳିଥାଏ।
ପ୍ରତିରକ୍ଷା ମନ୍ତ୍ରୀ ଆହୁରି କହିଛନ୍ତି, ଆମର କାର୍ଯ୍ୟାନୁଷ୍ଠାନ ସମ୍ପୂର୍ଣ୍ଣ ଆତ୍ମରକ୍ଷା ପାଇଁ ଥିଲା, ଏହା ଉସକାଉ ପ୍ରକୃତିର ନଥିଲା। ତଥାପି ୨୦୨୫ ମସିହା ମେ ୧୦ ତାରିଖ ରାତି ପ୍ରାୟ ୧:୩୦ରେ ପାକିସ୍ତାନ ବଡ଼ ପରିମାଣରେ ମିସାଇଲ, ଡ୍ରୋନ, ରକେଟ ଓ ଅନ୍ୟାନ୍ୟ ଦୀର୍ଘ ଦୂରତା ଅସ୍ତ୍ରଶସ୍ତ୍ରର ବ୍ୟବହାର କରିଥିଲା। ରକ୍ଷା ମନ୍ତ୍ରୀ ଆଗକୁ କହିଥିଲେ ଯେ, ମୁଁ ଗର୍ବର ସହ କହୁଛି ଯେ ଆମର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା, କାଉଣ୍ଟର ଡ୍ରୋନ ସିଷ୍ଟମ ଓ ଇଲେକ୍ଟ୍ରୋନିକ ଉପକରଣଗୁଡ଼ିକ ପାକିସ୍ତାନର ଏହି ଆକ୍ରମଣକୁ ସମ୍ପୂର୍ଣ୍ଣ ବିଫଳ କରିଦେଇଥିଲା।
“ପାକିସ୍ତାନ ଆମର କୌଣସି ଲକ୍ଷ୍ୟକୁ ଆଘାତ କରିପାରିଲା ନାହିଁ”
ପାକିସ୍ତାନ ଆମର କୌଣସି ଲକ୍ଷ୍ୟକୁ ଆଘାତ କରିପାରିଲା ନାହିଁ। ଆମର ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ ଥିଲା ଏବଂ ପ୍ରତ୍ୟେକ ଆକ୍ରମଣକୁ ରୋକାଯାଇଥିଲା। ମୁଁ ଏଥିପାଇଁ ଭାରତୀୟ ସେନାର ସାହସୀ ସୈନିକମାନଙ୍କୁ ପ୍ରଶଂସା କରୁଛି, ଯେଉଁମାନେ ଶତ୍ରୁର ପ୍ରତ୍ୟେକ ଅଭିସନ୍ଧିକୁ ବିଫଳ କରିଦେଇଥିଲେ। ପାକିସ୍ତାନର ଏହି ଆକ୍ରମଣର ଜବାବରେ ଆମର କାର୍ଯ୍ୟାନୁଷ୍ଠାନ ସାହସୀ, ଦୃଢ଼ ଓ ପ୍ରଭାବଶାଳୀ ଥିଲା। ଭାରତୀୟ ବାୟୁସେନା ପଶ୍ଚିମ ସୀମାନ୍ତରେ ପାକିସ୍ତାନର ବିମାନ ବନ୍ଦର, କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର, ସାମରିକ ଭିତ୍ତିଭୂମି ଓ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ନିଶାନା କରିଥିଲା। ଏହି ମିଶନକୁ ଆମ ସେନା ସଫଳତାର ସହ ସମ୍ପାଦନ କରିଥିଲେ।
“ପାକିସ୍ତାନର ପ୍ରତ୍ୟେକ କାଣ୍ଡକାରଖନାର କଡ଼ା ଜବାବ”
ରାଜନାଥ ସିଂ କହିଛନ୍ତି ଯେ, ଅପରେସନ ସିନ୍ଦୁର ତିନି ସେନା ମଧ୍ୟରେ ସମନ୍ୱୟର ଏକ ଉତ୍କୃଷ୍ଟ ଉଦାହରଣ ହୋଇଛି। ଯେତେବେଳେ ଭାରତୀୟ ବାୟୁସେନା ଆକାଶରୁ ଆକ୍ରମଣ କରୁଥିଲା, ଆମର ସ୍ଥଳସେନା ଭୂମି ଉପରେ ମୋର୍ଚ୍ଚା ସମ୍ଭାଳି ରଖିଥିଲା। ଆମର ଜବାନ ନିୟନ୍ତ୍ରଣ ରେଖାରେ ପୂର୍ଣ୍ଣ ଶକ୍ତି ସହ ଦଣ୍ଡାୟମାନ ଥିଲେ ଏବଂ ପାକିସ୍ତାନର ପ୍ରତ୍ୟେକ ହରକତର କଡ଼ା ଜବାବ ଦେଇଥିଲେ। ଏହି ଅପରେସନର ଉଦ୍ଦେଶ୍ୟ ଥିଲା ଆତଙ୍କବାଦୀ ଶିବିର ଓ ସେମାନଙ୍କ ସମର୍ଥକମାନଙ୍କୁ ନିଶାନା କରି ସେମାନଙ୍କୁ ଧ୍ୱଂସ କରିବା ଏବଂ ଏହା ସ୍ପଷ୍ଟ ସନ୍ଦେଶ ଦେବା ଯେ ଭାରତ ଆତଙ୍କବାଦ ବିରୁଦ୍ଧରେ ଶୂନ୍ୟ ସହନଶୀଳତା ନୀତି ରଖେ।
ଭାରତ କାହିଁକି କାର୍ଯ୍ୟାନୁଷ୍ଠାନ ବନ୍ଦ କଲା?
ପ୍ରତିରକ୍ଷା ମନ୍ତ୍ରୀ ଏହି ପ୍ରଶ୍ନର ମଧ୍ୟ ଉତ୍ତର ଦେଇଛନ୍ତି ଯେ ଭାରତ କାହିଁକି କାର୍ଯ୍ୟାନୁଷ୍ଠାନ ବନ୍ଦ କଲା। ସେ କହିଛନ୍ତି ଯେ, ଭାରତ କାର୍ଯ୍ୟାନୁଷ୍ଠାନ ବନ୍ଦ କରିଥିଲା କାରଣ ସଂଘର୍ଷର ପ୍ରଥମେ ଓ ଏହା ମଧ୍ୟରେ ଯେଉଁ ରାଜନୈତିକ ଓ ସାମରିକ ଉଦ୍ଦେଶ୍ୟ ନିର୍ଦ୍ଧାରିତ ହୋଇଥିଲା, ତାହା ଆମେ ସମ୍ପୂର୍ଣ୍ଣ ହାସଲ କରିସାରିଥିଲୁ। ତେଣୁ ଏହା କହିବା ବା ମନେ କରିବା ଯେ ଏହି ଅପରେସନ କୌଣସି ଚାପରେ ବନ୍ଦ ହୋଇଥିଲା, ଏହା ମୂଳହୀନ ଓ ସମ୍ପୂର୍ଣ୍ଣ ଭୁଲ ଅଟେ।
ଅପରେସନ ସିନ୍ଦୁର ସେହି ନିରୀହ ପରିବାରମାନଙ୍କୁ ନ୍ୟାୟ ଦେବା ପାଇଁ ଆରମ୍ଭ କରାଯାଇଥିଲା, ଯେଉଁମାନେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ଆକ୍ରମଣରେ ନିଜର ପ୍ରିୟଜନଙ୍କୁ ହରାଇଥିଲେ। ଆମର ସେନା କେବଳ ସେମାନଙ୍କୁ ନିଶାନା କରିଥିଲେ, ଯେଉଁମାନେ ଏହି ଆତଙ୍କବାଦୀମାନଙ୍କୁ ସମର୍ଥନ କରି ଭାରତ ଉପରେ ଆକ୍ରମଣ କରିବାର ଚେଷ୍ଟାରେ ନିୟମିତ ଜଡ଼ିତ ଥିଲେ। ଅପରେସନ ସିନ୍ଦୁରର ଉଦ୍ଦେଶ୍ୟ ଥିଲା ଆତଙ୍କବାଦ ରୂପେ ପ୍ରକ୍ସି ଯୁଦ୍ଧ ଲଢ଼ୁଥିବା ପାକିସ୍ତାନକୁ ଦଣ୍ଡ ଦେବା। ଏହି କାରଣରୁ ସେନାକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଥିଲା ଯେ ସେମାନେ ନିଜର ଲକ୍ଷ୍ୟ ନିଜେ ବାଛନ୍ତୁ ଓ କଡ଼ା ଜବାବ ଦିଅନ୍ତୁ।
“ବିପକ୍ଷ ପଚାରୁଛି କେତେ ବିମାନ ଖସିଲା”
ରାଜନାଥ ସିଂ କହିଛନ୍ତି, ଅପରେସନ ସିନ୍ଦୁର କାହିଁକି ଆରମ୍ଭ କରାଯାଇଥିଲା, ଏହାର ସୂଚନା ପୂର୍ବରୁ ମଧ୍ୟ ଦିଆଯାଇଛି ଏବଂ ଆଜି ମଧ୍ୟ ମୁଁ ସଦନକୁ ଦେଇଛି। ବିପକ୍ଷର କେତେକ ଲୋକ ବାରମ୍ବାର ପଚାରୁଛନ୍ତି ଯେ ଆମର କେତେ ବିମାନ ଖସିଛି? ମୋତେ ଲାଗୁଛି ସେମାନଙ୍କର ଏହି ପ୍ରଶ୍ନ ଆମର ଜାତୀୟ ଜନଭାବନାକୁ ଠିକ ଭାବେ ପ୍ରତିନିଧିତ୍ୱ କରୁନାହିଁ। ସେମାନେ ଗୋଟିଏ ଥର ମଧ୍ୟ ଆମଠାରୁ ପଚାରି ନାହାନ୍ତି ଯେ ଆମ ସେନା ଶତ୍ରୁର କେତେ ବିମାନ ଖସାଇଛନ୍ତି? ସେମାନଙ୍କ ପ୍ରଶ୍ନ ହେବା ଉଚିତ ଯେ ଭାରତ ଆତଙ୍କବାଦୀ ଠିକଣାଗୁଡ଼ିକୁ ଧ୍ୱଂସ କରିଛି କି ନାହିଁ, ତାହାର ଉତ୍ତର ହେଉଛି, ହଁ।
ଅପରେସନ ସିନ୍ଦୁର କାହିଁକି ବନ୍ଦ ହେଲା
ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ୧୦ ମେ ତାରିଖରେ ପାକିସ୍ତାନର ଡିଜିଏମଓ ଭାରତର ଡିଜିଏମଓଙ୍କ ସହ ଯୋଗାଯୋଗ କରି ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ଅନୁରୋଧ କରିଥିଲେ। ମୁଁ ସଦନରେ ଏହି କଥା ପୁନର୍ବାର ଦୋହରାଇବାକୁ ଚାହୁଁଛି ଯେ ପାକିସ୍ତାନର ଡିଜିଏମଓ ଭାରତର ଡିଜିଏମଓଙ୍କ ସହ ଯୋଗାଯୋଗ କରି ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ଅନୁରୋଧ କରିଥିଲେ। ୧୨ ମେ ତାରିଖରେ ଉଭୟ ଦେଶର ଡିଜିଏମଓଙ୍କ ମଧ୍ୟରେ ଔପଚାରିକ କଥାବାର୍ତ୍ତା ହୋଇଥିଲା ଏବଂ ଉଭୟ ପକ୍ଷ ସାମରିକ କାର୍ଯ୍ୟାନୁଷ୍ଠାନରେ ବିରାମ ଲଗାଇବାକୁ ନିଷ୍ପତ୍ତି ନେଇଥିଲେ।
ସେ ପୁଣି ମଧ୍ୟ କହିଥିଲେ ଯେ, ଭାରତୀୟ ବାୟୁସେନାର ଦୁର୍ଦ୍ଦାନ୍ତ ଆକ୍ରମଣ, ନିୟନ୍ତ୍ରଣ ରେଖାରେ ସ୍ଥଳସେନାର ମଜବୁତ ଜବାବୀ କାର୍ଯ୍ୟାନୁଷ୍ଠାନ ଏବଂ ନୌସେନାର ଆକ୍ରମଣର ଭୟ ପାକିସ୍ତାନକୁ ନତମସ୍ତକ ହେବାକୁ ବାଧ୍ୟ କରିଥିଲା। ପାକିସ୍ତାନର ଏହି ହାର ଏକ ସାଧାରଣ ବିଫଳତା ନଥିଲା, ବରଂ ଏହା ତା’ର ସାମରିକ ଶକ୍ତି ଓ ମନୋବଳ ଉଭୟର ହାର ଥିଲା।
Also Readhttps://purvapaksa.com/kuakhai-river-is-turning-into-danger-zone/
Kuakhai River is turning into danger zone ।। ମରଣଜନ୍ତା ପାଲଟିଛି କୁଆଖାଇ ନଦୀ
