ସାଧାରଣତଃ ଶୀତ ଦିନ ଆସିଲେ ହିଁ କେଶରେ ରୂପି ବା ଡାଣ୍ଡ୍ରଫ ସମସ୍ୟା ଦେଖାଯାଏ। ମୁଣ୍ଡରେ ରୂପି ବା ଡାଣ୍ଡ୍ରଫ ରହିବା ଦ୍ୱାରା କେଶ ଝଡ଼ିବା ସହ ମୁଣ୍ଡ ଜଲ୍ଦି ମଇଳା ହୋଇଯାଏ।
ରୂପି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ବଜାରରୁ ଅନେକ ଶାମ୍ପୁ ଓ ତେଲ ବ୍ୟବହାର କରିଥାଉ। ରୂପି ସମସ୍ୟାର ଚିକିତ୍ସା ଏବଂ ସଠିକ୍ କେଶ ଯତ୍ନ ପାଇଁ କିଛି ପ୍ରାକୃତିକ ଉତ୍ପାଦନ ବ୍ୟବହାର କରିବା ଉଚିତ୍ । ଏହାସହ ସୁସ୍ଥ ସନ୍ତୁଳିତ ଖାଦ୍ୟ ଏବଂ ଶାରୀରିକ ବ୍ୟାୟାମ ସହିତ ଜୀବନଶୈଳୀକୁ ପରିବର୍ତ୍ତନ କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିପାରେ ।
ଆସନ୍ତୁ ଜାଣିବା, କିପରି କିଛି ପ୍ରାକୃତିକ ତଥା ଘରୋଇ ଉପଚାର ସହାୟତାରେ ଏହି ସମସ୍ୟାକୁ ଦୂର କରାଯାଇପାରିବ…
ପ୍ରଥମ ଉପାୟ
ପ୍ରଥମେ ରାତିରେ ମେଥିକୁ ଭିଜେଇ ରଖନ୍ତୁ। ସକାଳେ ତାକୁ ପେଷ୍ଟ କରି ସେଥିରେ ଦହି, ଅଲିଭ ତେଲ ଦେଇ ଭଲ ଭାବରେ ମିଶାନ୍ତୁ। ମିଶେଇବା ପରେ ତାକୁ ସମ୍ପୂର୍ଣ୍ଣ କେଶରେ ଭଲଭାବରେ ଲଗେଇ ଦିଅନ୍ତୁ। ଲଗେଇବାର ଘଣ୍ଟାଏ ପରେ ଆପଣ ବ୍ୟବହାର କରୁଥିବା ଶାମ୍ପୁ ଏବଂ କଣ୍ଡିସନର ଲଗେଇ ଧୋଇ ଦିଅନ୍ତୁ। ସପ୍ତାହରେ ଦୁଇଥର ଏହାକୁ ଲଗେଇବା ଦ୍ୱାରା ଆପଣ ରୂପି ସମସ୍ୟାକୁ ଦୂର କରି ପାରିବେ।
ଦ୍ୱିତୀୟ ଉପାୟ
ରୂପି ସମସ୍ୟାର ଅନ୍ୟ ଏକ ରାମବାଣ ଉପାୟ ହେଉଛି ଲିମ୍ବ ପତ୍ର। ଲିମ୍ବ ପତ୍ରରେ ଆଣ୍ଟିବ୍ୟାକ୍ଟେରିଆଲ, ଆଣ୍ଟି ଫଙ୍ଗଲ ଓ ଆଣ୍ଟି ମାଇକ୍ରୋବାୟଲ ଗୁଣ ରହିଛି । ଏହା ରୂପି ଓ ଇଚିଂ (କୁଣ୍ଡେଇହେବା) ସମସ୍ୟାକୁ ଦୂର କରିଥାଏ । ଲିମ୍ବ ପତ୍ର ଆଣି ଏହାର ପେଷ୍ଟ ବନାନ୍ତୁ । ଏହାକୁ କେଶରେ ଲଗାନ୍ତୁ ଏବଂ ୧୦ ମିନିଟ୍ ଶୁଖିବାକୁ ଛାଡି ଦିଅନ୍ତୁ । ଏହାପରେ ଆପଣ ବ୍ୟବହାର କରୁଥିବା ସାମ୍ପୁ ଏବଂ କଣ୍ଡିସନର ଲଗେଇ କେଶକୁ ଭଲ ଭାବରେ ଧୋଇ ଦିଅନ୍ତୁ ।
ତୃତୀୟ ଉପାୟ
ଆମ ସମସ୍ତଙ୍କ ଘରେ ନଡ଼ିଆ ତେଲ ବିଭିନ୍ନ କାର୍ଯ୍ୟ ପାଇଁ ବ୍ୟବହାର କରାଯାଏ । ନଡ଼ିଆ ତେଲ ରୂପି ପାଇଁ ଏକ ଉତ୍କୃଷ୍ଟ ପ୍ରତିକାର । ଏହା ତ୍ୱଚାକୁ ହାଇଡ୍ରେଟ ରଖିବା ସହ ଫଙ୍ଗଲ ବୃଦ୍ଧି ରୋକେ ଏବଂ ଡ୍ରାଏ ହେବାରୁ ବଞ୍ଚାଏ । ୩-୪ ଚାମଚ ନଡ଼ିଆ ତେଲ କେଶରେ ଲଗାଇ ମସାଜ କରନ୍ତୁ ଏବଂ ୧ ଘଣ୍ଟା ପରେ ଧୋଇ ଦିଅନ୍ତୁ । ସପ୍ତାହରେ ଏହାକୁ ୨-୩ଥର ବ୍ୟବହାର କରିବାଦ୍ୱାରା ରୂପି ସମସ୍ୟାରୁ ମୁକ୍ତି ମିଳିଥାଏ।
ଚତୁର୍ଥ ଉପାୟ
ଆଲୋଭେରା କେଶପାଇଁ ଅନେକ ଉପକାରୀ । ରୂପି ସମସ୍ୟା ଦୂର କରିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ। ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟି ଫଙ୍ଗଲ ଗୁଣ ରହିଛି । ଗାଧୋଇବାର ୩୦ ମିନିଟ୍ ପୂର୍ବରୁ ଏହାକୁ ଭଲଭାବରେ କେଶ ତଥା ସମ୍ପୂର୍ଣ୍ଣ ମୁଣ୍ଡରେ ମାଲିସ କରନ୍ତୁ। ୩୦ ମିନିଟ୍ ପରେ ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ। ସପ୍ତାହରେ ୨-୩ଥର ଏହାକୁ ଲଗେଇବା ଦ୍ୱାରା ରୂପି ଜନିତ ସମସ୍ୟା ସବୁଦିନପାଇଁ ଦୂର ହୋଇଯାଇଥାଏ।
ସୁସ୍ଥ ଖାଦ୍ୟ
ସେହିପରି ଏକ ସୁସ୍ଥ ଖାଦ୍ୟ ହେଉଛି ସୁସ୍ଥ କେଶର ଚାବି । ଉପାୟ ସହ ନିଜ ଖାଦ୍ୟରେ ଅଣ୍ଡା, ମାଛ, ସବୁଜ ମଟର, ଗାଜର, ସବୁଜ ପନିପରିବା ଭଳି ଉପଯୁକ୍ତ ଖାଦ୍ୟକୁ ସାମିଲ କରନ୍ତୁ ଏବଂ ପ୍ରଚୁର ପାଣି ପିଅନ୍ତୁ । ସନ୍ତୁଳିତ ଖାଦ୍ୟ ଆପଣଙ୍କ କେଶକୁ ଆବଶ୍ୟକ ପୁଷ୍ଟି ଦେଇଥାଏ । ଯାହା ଆପଣଙ୍କ କେଶକୁ ସୁସ୍ଥ, ସୁନ୍ଦର ଏବଂ ମଜବୁତ ବନେଇଥାଏ ।
PREVIOUS POST: https://purvapaksa.com/orange-fruit-has-medicinal-properties-improves-eyesight-if-taken-daily-is-a-good-remedy-for-skin/