କଟକ ସହରର ନଦୀ-ନାଳ, ମାଟି, ଗୋଡ଼ି ମନ୍ଦିର-ମସ୍ଜିଦ ଗୀର୍ଜା ତଥା ଧ୍ୱସ୍ତ ବାରବାଟୀ- ଏହା ଉପରେ ବିତିଥିବା ଦିନଗୁଡ଼ିକର କାହାଣୀକୁ ଏବେବି ମନେରଖିଛି। ବିଦେଶୀ ଆକ୍ରମଣ, ଝିଅ ବୋହୂଙ୍କ ଉପରେ ବଳାତ୍କାର ଦେଖିଛି। ନିର୍ଯାତନା ଓ ଧମକକୁ ସହିଛି। ସମୟର ଆବଶ୍ୟକତାକୁ ଗ୍ରହଣ କରି ପୁଣି ତାକୁ ଭୁଲି ଯାଇଛି। ପରସ୍ପର ବିରୋଧୀ ତତ୍ତ୍ୱ ସହ ଚୁକ୍ତି କରିଛି। ନିଜ ଆଦର୍ଶ ସହ ସାଲିସ କରିଛି। ଆଉ ଜଳିପୋଡ଼ି ଯାଇଥିବା ଅତୀତର ସ୍ମୃତିକୁ ପ୍ରଶମିତ କରିବାକୁ ଚାହିଁଛି। କିନ୍ତୁ ପାଉଁଶ ତଳର ନିଆଁ ଭଳି ଉପରକୁ ଏହା ଶୀତଳ ଥିଲେ ବି ଭିତରେ ଭିତରେ କୁହୁଳୁଛି। ପିଢ଼ି ପରେ ପିଢ଼ି ଏହା ଜାରି ରହିଛି। ଆଉ ସୁଯୋଗ ପାଇଲେ ସେ ଆଞ୍ଚରେ ରାଜନୀତି ରୁଟି ସେକା ହେଉଛି। ସ୍ୱାର୍ଥ ହାସଲ ପାଇଁ କେବଳ ରାଜନେତା ନୁହଁନ୍ତି, ଧାର୍ମିକ ନେତା, ବ୍ୟବସାୟୀ, ପ୍ରଶାସନ, ପୁଲିସ ସମସ୍ତେ ନିଜ ଫାଇଦା ହାସଲ କରୁଛନ୍ତି। ଆଜି ବି ସେଇଆ ହୋଇଛି କଟକରେ।
ସାମ୍ପ୍ରଦାୟିକ ଦଙ୍ଗାରେ କଟକ ଆଗରୁ ଅନେକ ଥର ଜଳିଛି
କଟକ, ଓଡ଼ିଶାର ପୁରୁଣା ରାଜଧାନୀ। ଏହି ସହର ଧର୍ମୀୟ ସହବସ୍ଥାନର ପ୍ରତୀକ ଭାବେ ଜାଣାଯାଏ। କଟକି ଭାଇଚାରା ବୋଲି ଗୋଟିଏ ଶବ୍ଦ ମଧ୍ୟ ବହୁଳଭାବେ ବ୍ୟବହୃତ ହୁଏ। କିନ୍ତୁ ଏହାର ଇତିହାସରେ କିଛି କଳଙ୍କିତ ଅଧ୍ୟାୟ ମଧ୍ୟ ଅଛି। ଭାଇଚାରା ଏଠି ବେଳେବେଳେ ଧର୍ମୀୟ ଉନ୍ମାଦନାର ଶିକାର ହୁଏ। ସାମ୍ପ୍ରଦାୟିକ ଦଙ୍ଗାରେ କଟକ ଆଗରୁ ଅନେକ ଥର ଜଳିଛି। ଚଳିତ ବର୍ଷର ଦୁର୍ଗାପୂଜା ଭଷାଣୀ ସମୟରେ ହୋଇଥିବା ସଂଘର୍ଷ ସେହି କଳଙ୍କିତ ଇତିହାସର ଆଉ ଏକ ଅଧ୍ୟାୟ। ଓଡ଼ିଶାରେ ମୁସଲିମ୍ ଶାସନର ଆରମ୍ଭ ହୁଏ ୧୫୬୮ମସିହାରେ। ମୋଗଲ ସମ୍ରାଟ ଆକବରର ଧୋକା ପାଇଁ ଓଡ଼ିଶା ବଙ୍ଗଳା ନବାବର କବଜାକୁ ଆସିଥିଲା। ଆଉ କଟକ ହୋଇଥିଲା ମୁସଲିମ୍ ଶାସନର ପେଣ୍ଠ।
ଅତୀତରେ କଟକରୁ ଆକ୍ରମଣ ନକ୍ସା ତିଆରି ହେଉଥିଲା
ମୁସଲମାନ ଶାସନର ମୁଖ୍ୟ କେନ୍ଦ୍ରଭାବେ କଟକରୁ ହିଁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିର ଉପର ଆକ୍ରମଣ ହେଉ କି ହିନ୍ଦୁ ଧର୍ମାନ୍ତରଣ ହେଉ ସବୁର ନକ୍ସା ତିଆରି ହେଉଥିଲା। ଏହି ସମୟରେ ହିଁ କଟକରେ ମୁସଲମାନ ପ୍ରଭୁତ୍ୱ ବୃଦ୍ଧି ପାଇଥିଲା ଓ କିଛି ଆଖିଦୃଶିଆ ସଂଖ୍ୟା ମଧ୍ୟ ବଢ଼ିଥିଲା। କିନ୍ତୁ ମରହଟ୍ଟା ଶାସନ ଓ ପରେ ବ୍ରିଟିଶ ଶାସନ ସହିତ ମୁସଲିମ୍ ଆଧିପତ୍ୟ କମିଥିଲା। ସାମାଜିକ ଭାବେ ଦୁଇ ସମ୍ପ୍ରଦାୟ ଏକାଠି ଥିଲେ ମଧ୍ୟ ଧରାତଳରେ ଅବିଶ୍ୱାସ ଥିଲା। ଯାହା ଆଗକୁ ଚାଲି ମଝିରେ ମଝିରେ ସାମ୍ପ୍ରଦାୟିକ ଦଙ୍ଗାର ରୂପ ନେଉଥିଲା।
ବ୍ରିଟିଶ୍ ଶାସନ କାଳରେ କଟକରେ ଦଙ୍ଗାର କୌଣସି ରେକର୍ଡ୍ ନାହିଁ
ବ୍ରିଟିଶ୍ ଶାସନ କାଳରେ କଟକରେ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଦଙ୍ଗାର କୌଣସି ରେକର୍ଡ୍ ନାହିଁ। ୧୮୦୩ରୁ ୧୯୪୭ ପର୍ଯ୍ୟନ୍ତ ବ୍ରିଟିଶ୍ ରେକର୍ଡରେ କଟକରେ କୌଣସି ଗୁରୁତ୍ୱପୂର୍ଣ୍ଣ ସାମ୍ପ୍ରଦାୟିକ ଦଙ୍ଗାର ଉଲ୍ଲେଖ ମିଳେ ନାହିଁ। ଏହି ସମୟରେ ସହରର ଧାର୍ମିକ ସ୍ଥାନଗୁଡ଼ିକରେ ଉଭୟ ସମ୍ପ୍ରଦାୟ ଶାନ୍ତିପୂର୍ଣ୍ଣ ଭାବେ ସହବସ୍ଥାନ କରୁଥିଲେ।
୧୯୩୩ରେ ଏକ ମୁସଲମାନ ସମ୍ମିଳନୀରେ ଡକ୍ଟର୍ ମସୁଦ୍ କଟକରେ ସାମ୍ପ୍ରଦାୟିକ ସହବସ୍ଥାନର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ, ଯାହା ସୂଚାଏ ଯେ ଏହି ସହନଶୀଳତା ଏକ ପ୍ରତିଷ୍ଠିତ ପରମ୍ପରା ଥିଲା। ବ୍ରିଟିଶ ଭାରତରେ ଅନ୍ୟ ସହରଗୁଡ଼ିକରେ ହିନ୍ଦୁ-ମୁସଲମାନ ଦଙ୍ଗା ହେଉଥିଲା କିନ୍ତୁ କଟକ ଏକରକମ ଏଥିରୁ ଅଛୁଆଁ ଥିଲା। କିନ୍ତୁ ଏହାର ଅର୍ଥ ନୁହେଁ ଯେ,କଟକରେ ବ୍ରିଟିଶ ସରକାରଙ୍କ ବିଭେଦ ସୃଷ୍ଟି କର ଓ ରାଜ୍ କର ନୀତି ଫେଲ୍ ମାରିଥିଲା।
୧୯୬୧ରୁ ୧୯୭୧ ଦଶନ୍ଧିରେ କଟକରେ ୬ଥର ଦଙ୍ଗା ହୋଇଥିବାର ରେକର୍ଡ
ଭାରତର ସ୍ୱାଧୀନତା ପରେ କଟକରେ ସାମ୍ପ୍ରଦାୟିକ ସଂଘର୍ଷର ପ୍ରବୃତ୍ତି ଦେଖାଯାଇଥିଲା, ଯାହା ରାଜନୈତିକ ଓ ସାମାଜିକ ପରିବର୍ତ୍ତନର ସହିତ ଜଡ଼ିତ। ୧୯୬୧ରୁ ୧୯୭୧ ଦଶନ୍ଧିରେ କଟକରେ ୬ଥର ଦଙ୍ଗା ହୋଇଥିବାର ରେକର୍ଡ ଅଛି, ଯାହା ଏହାକୁ ଭାରତରେ ସବୁଠାରୁ ଅଧିକ ସାମ୍ପ୍ରଦାୟିକ ସଂଘର୍ଷର କେନ୍ଦ୍ରଭାବେ ପ୍ରତିଷ୍ଠିତ କରିଥିଲା। ଏହି ବର୍ଷଗୁଡ଼ିକ ଭିତରେ ୧୯୬୪ ଅଧିକ ଗୁରୁତ୍ୱପୂର୍ଣ୍ଣ, କାରଣ ସବୁଠାରୁ ବଡ଼ ଦଙ୍ଗା ଏଇ ବର୍ଷ ଘଟିଥିଲା।
୧୯୬୪ରେ ରାଉରକେଲା ଦଙ୍ଗା ସହିତ କଟକର ସମ୍ପର୍କ ଥିଲା
ଓଡ଼ିଶାରେ ୧୯୬୪ରେ ୧୫ଟି ସହରରେ ଦଙ୍ଗା ହୋଇଥିଲା, ଯାହା ମଧ୍ୟରେ କଟକ ମଧ୍ୟ ଅନ୍ତର୍ଭୁକ୍ତ ଥିଲା। ଏହାର ରାଉରକେଲା ଦଙ୍ଗା ସହିତ ସମ୍ପର୍କ ଥିଲା, ଯେଉଁଥିରେ ୮୦୦୦ ପରିବାର ପ୍ରଭାବିତ ହୋଇଥିଲେ ଏବଂ ୬ ଜଣଙ୍କ ମୃତ୍ୟୁ ହୋଇଥିଲା। କଟକରେ ମଧ୍ୟ ହିନ୍ଦୁ-ମୁସଲମାନ ସଂଘର୍ଷ ଘଟିଥିଲା, ଯାହା ରାଜ୍ୟବ୍ୟାପୀ ବ୍ୟାପୀ ଯାଇଥିଲା।
୧୯୬୮ରେ କଟକରେ ସବୁଠାରୁ ଭୟଙ୍କର ଦଙ୍ଗା
୧୯୬୮ ମସିହାରେ ହୋଇଥିବା ଦଙ୍ଗା କଟକରେ ସବୁଠାରୁ ଭୟଙ୍କର ଦଙ୍ଗାରୁ ଗୋଟିଏ ଥିଲା, ଯାହା ୩୬ ଦିନ ଧରି ଚାଲିଥିଲା। ଏହାର କାରଣ ଥିଲା ଧାର୍ମିକ ଉତ୍ସବ ସହିତ ଜଡ଼ିତ ବିବାଦ। ଏହା ଓଡ଼ିଶାରେ ସାମ୍ପ୍ରଦାୟିକ ସଂଘର୍ଷର ଏକ ଚକ୍ରର ଆରମ୍ଭ କରିଥିଲା। ଏ ଦଙ୍ଗାକୁ ପ୍ରଶମିତ କରିବାରେ ସାହି ମୁରବୀମାନଙ୍କର ଅନେକ ଭୂମିକା ରହିଥିଲା। ଆଜି ବି ତାହା ରହି ଆସିଛି।
ଏହାପରେ ଦଙ୍ଗା ହୋଇଥିଲା ୧୯୯୨ରେ। ସେତେବେଳେ ସାରାଦେଶ ଏପରି ଦଙ୍ଗାରେ ଡୁବିଥିଲା। ବାବରୀ ମସଜିଦ ଧ୍ୱଂସ ପରେ ଅର୍ଥାତ୍ ୬ ଡିସେମ୍ବର ୧୯୯୨ ପରେ ଭାରତର ଅନେକ ସ୍ଥାନରେ ଦଙ୍ଗା ହୋଇଥିଲା, ଯେଉଁଥିରେ କଟକ ମଧ୍ୟ ପ୍ରଭାବିତ ହୋଇଥିଲା। ଏହା ହିନ୍ଦୁ-ମୁସଲମାନ ସଂଘର୍ଷରେ ପରିଣତ ହୋଇ, ସହରର ସାମ୍ପ୍ରଦାୟିକ ସମ୍ପର୍କକୁ କ୍ଷତିଗ୍ରସ୍ତ କରିଥିଲା।
ଏହାପରେ କଟକରେ ଛୋଟମୋଟ ବିବାଦ ହୋଇଛି। ଧାର୍ମିକ ଅସଙ୍ଗତି ଦେଖାଯାଇଛି। କିନ୍ତୁ ତାହା ପୁଲିସ ମୁତ୍ତୟନ ଓ ଧମକରେ ଟଳି ଯାଇଛି। ହେଲେ ଏ ବର୍ଷ ଦୁର୍ଗାପୂଜା ଭସାଣୀର ସଂଘର୍ଷ ଦଙ୍ଗା ରୂପ ନେବା ସମସ୍ତଙ୍କୁ ବିଚଳିତ କରିଛି।
୨୦୨୫ ଅକ୍ଟୋବର ୩ ତାରିଖରେ ଦୁର୍ଗା ପୂଜା ବିସର୍ଜନ ସମୟରେ ହାତୀ ପୋଖରୀଠାରେ ଜୟ ଶ୍ରୀରାମ ଧ୍ୱନୀ ଓ ଗୋଟିଏ ଗୀତକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ହିନ୍ଦୁ-ମୁସଲମାନ ସଂଘର୍ଷ ଆରମ୍ଭ ହୋଇଥିଲା। ଏହାକୁ ହିନ୍ଦୁ ସମ୍ପ୍ରଦାୟ ଉପରେ ଏକ ଆକ୍ରମଣ ବୋଲି ଚିନ୍ତାକଲେ ସ୍ଥାନୀୟ ଲୋକମାନେ। ଜେନ୍-ଜି ଗୋଷ୍ଠୀ ତାତିଲେ। ଆଉ ଉଖୁରିଲା ପୁରୁଣା ସ୍ମୃତି ତଳର ନିଆଁ। ପୁଲିସକୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ। ଆଉ ପୁଲିସ ଚୁପ୍ ରହିଲା। ଫଳରେ ତୁଟିଗଲା ଭାଇଚାରାର ସମ୍ପର୍କ। ଆରମ୍ଭ ହେଲା ସାମ୍ପ୍ରଦାୟିକ ବିଦ୍ୱେଷ।
ଏ ବିଦ୍ୱେଷର ଅବସାନ ପାଇଁ କିଛି ଗୋଷ୍ଠୀ ଏକାଠି ହୋଇ ପୁଲିସ ଉପରେ ଚାପ ପକାଇବାକୁ ଚାହିଁଲେ। ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦର ସ୍ୱରୂପ କଟକ ବନ୍ଦ ଡାକରା ଦିଆଗଲା। ବନ୍ଦ ପାଇଁ ପ୍ରଚାର କରିବାକୁ ବାହାରିଥିବା ବାଇକ୍ ଶୋଭାଯାତ୍ରାକୁ କିନ୍ତୁ ପୁଲିସ ଅଟକାଇଲା। ତାହାକୁ ସୁଯୋଗଭାବେ ଗ୍ରହଣ କଲେ ବିପକ୍ଷ ଗୋଷ୍ଠୀ।
ଥାନା ଆଗରେ ଏକାଠି ଥିବା ଗହଳିରେ କେହି ଅସାମାଜିକ ତତ୍ତ୍ୱ ଦଙ୍ଗାର ଚିତ୍କାର ଦେଲା। ଆଉ ଗହଳି ତାତି ସବୁ ଛାରଖାର କରିବାକୁ ଲାଗିଲେ। ଦଙ୍ଗା ହେଲା। କୁହାଯାଉଛି ପୁଲିସ ଏହି ତାତିର ଆଞ୍ଚରେ ରୁଟି ସେକିବାକୁ ଚାହିଁଲା।
ପ୍ରଶ୍ନପତ୍ର ଲିକ୍ ମାମଲାରୁ ଜନସାଧାରଣଙ୍କ ଧ୍ୟାନ ଚ୍ୟୁତ କରିବା ଯୋଜନା ନୁହେଁତ ଦଙ୍ଗା!
ଯେଉଁ ସ୍ୱାର୍ଥ ପୁଲିସ ହାସଲ କରିବାକୁ ଚାହିଁଥିଲା ତାହା ହେଉଛି ପ୍ରଶ୍ନପତ୍ର ଲିକ୍ ମାମଲାରୁ ଜନସାଧାରଣଙ୍କ ଧ୍ୟାନ ଚ୍ୟୁତ କରିବା। କାରଣ ପୁଲିସ ଏସ୍ଆଇ ପରୀକ୍ଷାରେ ହୋଇଥିବା ସ୍କାମରେ ପୁଲିସ ଅଧିକାରୀ ବି ସମ୍ପୃକ୍ତ ଥିବାର ସୂଚନା ପ୍ରସାରିତ ହେବା ଆରମ୍ଭ ହୋଇ ସାରିଥିଲା। ଆଉ ରାଜଧାନୀର ରାସ୍ତା ଏହାକୁ ନେଇ ଗରମ ହେଉଥିଲା। ଜନତାଙ୍କ ଧ୍ୟାନଚ୍ୟୁତ କରିବା ପାଇଁ ସମ୍ପୂର୍ଣ୍ଣ ଉତ୍ସବକୁ ସାମ୍ପ୍ରଦାୟିକ ଭାବନାରେ ରଙ୍ଗାଇ ଦିଆଗଲା ବୋଲି ଅଭିଯୋଗ ମଧ୍ୟ ହେଉଛି।
ରାଜ୍ୟ ସରକାରଙ୍କୁ ସବୁ ଦଳର ନିନ୍ଦା
ପ୍ରଶ୍ନପତ୍ର ଲିକ୍ ମାମଲାରୁ ଏହି ଦଙ୍ଗା କେତେଦୂର ଧ୍ୟାନଚ୍ୟୁତି କରିବାରେ ସଫଳ ହୋଇଛି ତାହା ଦୂରର କଥା କିନ୍ତୁ ଏ ଘଟଣା ଓଡ଼ିଶାକୁ ଆସିଥିବା ପ୍ରଥମ ବିଜେପି ସରକାରକୁ ବଦ୍ନାମ କରିଛି। ମହାରାଷ୍ଟ୍ରର ଶିବସେନା ୟୁବିଟିଠାରୁ ଆରମ୍ଭ କରି କଂଗ୍ରେସର ଜାତୀୟସ୍ତରର ନେତା ଏହାକୁ ସମାଲୋଚନା କରିଛନ୍ତି। ଏହା ସ୍ପଷ୍ଟ କରୁଛି ଯେ ରାଜନେତା ବି ଏଥିରୁ ନିଜ ସ୍ୱାର୍ଥ ହାସଲ କରିବାଠୁ ଦୂରେଇ ନାହାନ୍ତି।
ପରିସ୍ଥିତିରେ ସୁଧାର
ଏବେ ସମୟ ବଦଳୁଛି। ୩୬ ଘଣ୍ଟାର କର୍ଫ୍ୟୁ ପରେ ପରିସ୍ଥିତିରେ ସୁଧାର ଆସୁଥିବା ଦେଖାଯାଉଛି। ପୁଲିସ କଟକ ସହରରୁ କର୍ଏଫ୍ଣୁୟୁ ଉଠାଇ ଦେଇଛନ୍ତି। ଜୀବନଯାତ୍ରା ସ୍ୱାଭାବିକ ହେବ ବୋଲି ଆଶା କରିବା ସ୍ୱାଭାବିକ। କିନ୍ତୁ ରାଜ୍ୟର ଅନ୍ୟ ଅଞ୍ଚଳରେ ପୁଲିସର ଅପରିଣାମଦର୍ଶୀ ଆଶଙ୍କା ଓ ପଦକ୍ଷେପ ଏହି ଉତ୍ସବ ଋତୁକୁ ନଷ୍ଟ କରିଦେବାକୁ ପ୍ରସ୍ତୁତ ହୋଇଛି।
ବାଲେଶ୍ୱରରେ ଗତକାଲିଠାରୁ ଆଗାମର ୨୧ ତାରିଖ ପର୍ଯ୍ୟନ୍ତ ପୁଲିସ ଦ୍ୱାରା ରାତି ପାଇଁ ଲଗାଯାଇଥିବା କଟକଣା ଏହାକୁ ପ୍ରମାଣିତ କରୁଛି। କୌଣସି ସମ୍ପ୍ରଦାୟକୁ ଆଘାତ ଲାଗିବ ବୋଲି ଗୋଟିଏ ବଡ଼ ସମ୍ପ୍ରଦାୟର ପର୍ବପର୍ବାଣୀ, ଉତ୍ସବ ସମାରୋହକୁ କଟକଣାରେ ପାଳିବାକୁ ବାଧ୍ୟ କରିବା କେବଳ ଭୟ ସଞ୍ଚାର ଛଡ଼ା ଆଉ କିଛି ହୋଇନପାରେ! ଏହା କେବେ ଭାଇଚାରାର ଭାବନାକୁ ପ୍ରସାରିତ କରିନପାରେ। ବରଂ ମନର କୌଣସି କୋଣରେ ଅନ୍ୟ ସମ୍ପ୍ରଦାୟ ପ୍ରତି ଦ୍ୱେଷ ସୃଷ୍ଟିକୁ ପ୍ରଶ୍ରୟ ଦେବ। ପିଢ଼ି ପରେ ପିଢ଼ି ସଞ୍ଚାରିତ ହେବ। କେଉଁଠି ନା କେଉଁଠି ଏହା ବିସ୍ଫୋରଣର ରୂପ ନେବ।
ଆଶା ପ୍ରଶାସନ ଓ ପୁଲିସ ଏଥିନେଇ ସତର୍କ ହେବେ। ଆଉ ଏ ପରିସ୍ଥିତିରୁ ଜନତାଙ୍କୁ ମୁକୁଳାଇବେ।
Also readhttps://purvapaksa.com/cuttack-clash-balsore-night-curfew/
Cuttack clash, Balsore night curfew ।। କଟକ ସଂଘର୍ଷ, ବାଲେଶ୍ୱରରେ ରାତି କର୍ଫ୍ୟୁ
