ନାରୀ ନ୍ୟାୟ ପାଇଁ ଆଜି ରାଜଧାନୀରେ ବିକ୍ଷୋଭ କରିଛି ରାଜ୍ୟ କଂଗ୍ରେସ। ଏହାକୁ ସମର୍ଥନ କରିବା ତଥା ବିକ୍ଷୋଭକୁ ସଶକ୍ତ କରିବା ଲାଗି କେନ୍ଦ୍ରୀୟ ନେତା, ଏକମାତ୍ର ସାଂସଦ ଓ ୧୪ ବିଧାୟକଙ୍କ ସମେତ ରାଜ୍ୟର ବିଭିନ୍ନ କୋଣଅନୁକୋଣରୁ କର୍ମୀ ଓ ନେତାମାନେ ଆସିଛନ୍ତି। ମହାତ୍ମା ଗାନ୍ଧି ମାର୍ଗରେ ନେତାମାନେ କର୍ମୀଙ୍କୁ ସରକାର ଓ ସରକାରୀ ତତ୍ତ୍ୱ ବିରୁଦ୍ଧରେ ତତାଇଛନ୍ତି। ଆନ୍ଦୋଳନକୁ ପ୍ରୋତ୍ସାହିତ କରିଛନ୍ତି।
ଟିକେ ପୁରୁଣା ଇତିହାସକୁ ମନେପକାନ୍ତୁ, ଏହି ନାରୀ ନିର୍ଯାତନା, ମହିଳାଙ୍କ ବିରୁଦ୍ଧରେ ଅପରାଧ ଯୋଗୁ କଂଗ୍ରେସ ୨୦୦୦ ନିର୍ବାଚନରେ କ୍ଷମତାଚ୍ୟୁତ ହୋଇଥିଲା। ଅର୍ଥାତ୍ ଆଜି ଯାଏ କଂଗ୍ରେସକୁ ରାଜ୍ୟରେ ମହିଳାଙ୍କ ସପକ୍ଷବାଦୀ ଭଦ୍ରଲୋକଭାବେ ରାଜ୍ୟବାସୀ ଗ୍ରହଣ କରୁନାହାନ୍ତି। ତଥାପି ନିଜର ରଣନୀତିକୁ ବଦଳାଉ ନାହିଁ ରାଜ୍ୟ କଂଗ୍ରେସ। ଏହାର ଭବିଷ୍ୟତ କ’ଣ ହେବ ? ଏ ବିଷୟକୁ ନେଇ ଆଜିର ଆଲୋଚନା।
ଗୋଟିଏ କାହାଣୀ ଆପଣଙ୍କୁ କହୁଛି। ଏ ଗପଟି ନିଶ୍ଚୟ ଭଲ ଲାଗିବ। ଦିନେ ଜଣେ ଛାତ୍ରଙ୍କୁ ସ୍କୁଲରେ ‘ଚାଉଳ’ ବୋଲି କହିବାକୁ ଶିକ୍ଷକ କହିଲେ। ପିଲାଟି ବାରମ୍ବାର ‘ଚାଉର’ ବୋଲି କହିଲା। ଶିକ୍ଷକଙ୍କ ଅନେକ ପରିଶ୍ରମ ପରେ ବି ପିଲାଟିର ‘ର’ ‘ଳ’ରେ ପରିଣତ ହେଲା ନାହିଁ। ଶିକ୍ଷକ ରାଗିଲେ। ପିଲାଟି ଅପମାନ ବୋଧକଲା। ନିଜର ଦୋଷ ସ୍ୱୀକାର କରି ସୁଧୁରିବା ବଦଳରେ ଶିକ୍ଷକଙ୍କୁ ଦୋଷୀ ବୋଲି ଗ୍ରହଣ କଲା। ଘରେ ଯାଇ ମା’ଙ୍କୁ କହିଲା- ମା’ ମୋତେ ଶିକ୍ଷକ ଚାଉଳ ବୋଲି କହିବାକୁ କହିଲେ, ମୁଁ ଚାଉର କହିଲି। ତଥାପି ମୋ ଉପରେ ରାଗିଲେ। ମୁଁ କିଛି ଭୁଲ୍ କହିଛି କି?
ମା’ କହିଲା ନା। ମା’ ପିଲାକୁ ଧରି ସ୍କୁଲରେ ପହଞ୍ଚି ଶିକ୍ଷକଙ୍କୁ ଏଣୁ ତେଣୁ କହିବାକୁ ଲାଗିଲେ। ଭୁଲ୍ କେଉଁଠି ବୋଲି ପ୍ରଶ୍ନ କରି ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତାକୁ ବି ପ୍ରଶ୍ନଘେରକୁ ଆଣିଲେ। ଶିକ୍ଷକ ନମ୍ରତାର ସହ କହିଲେ, ଯେଉଁଠି କାରଖାନାରେ ଗଣ୍ଡଗୋଳ ରହିଛି ସେଠି ଉତ୍ପାଦ କିପରି ସୁଧୁରିବ।
ଏ କାହାଣୀ ଏବେ କଂଗ୍ରେସରେ ପୁନରାବୃତ୍ତି ହେଉଛି। କଂଗ୍ରେସ ଜାଣିଛି ଯେ ବିଧାନସଭାରେ ଘଣ୍ଟ ବାଡ଼େଇଲେ ରାଜ୍ୟର ଅର୍ଥ ଓ ବିଧାନସଭାର ସମୟ ନଷ୍ଟ ହୁଏ। ପ୍ରସଙ୍ଗ ନେଇ ଆଲୋଚନା କଲେ ଶାସକ ଦଳ ଓ ଶାସନକଳ ଉତ୍ତରଦାୟୀ ହେବେ। ତଥାପି ୧୨ ଦିନରୁ ୧୦ ଦିନ ପ୍ରଶ୍ନୋତ୍ତର କାଳକୁ ବାତିଲ କରିବାରେ କଂଗ୍ରେସ ବିଧାୟକମାନେ ମୁଖ୍ୟ ନାୟକ ସାଜିଛନ୍ତି। ଏହି ସମୟରେ ୩୯ ଘଣ୍ଟା ଅର୍ଥାତ୍ ପ୍ରାୟ ୧ ସପ୍ତାହ ବିଧାନସଭା କୌଣସି କାର୍ଯ୍ୟ କରିପାରିନାହିଁ। ଏହା କେବଳ କଂଗ୍ରେସ ଆନ୍ଦୋଳନ ଯୋଗୁ ହୋଇଛି।
ଯେଉଁ ଦାବି କଂଗ୍ରେସ କରିଛି ତାହାକୁ ସରକାର ଗ୍ରହଣ କରୁନାହାନ୍ତି। ଏହାକୁ ନେଇ କଂଗ୍ରେସ ଚାହିଁଥିଲେ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରି ନିଜ ଯୁକ୍ତିକୁ ଉପସ୍ଥାପିତ କରିପାରି ଥାଆନ୍ତା। କିନ୍ତୁ ଗଣମାଧ୍ୟମରେ ରହିବା ଲାଗି କଂଗ୍ରେସ ଶସ୍ତା ବାଟ ଅର୍ଥାତ୍ ବାଚସ୍ପତିଙ୍କ ପୋଡ଼ିୟମକୁ ବାରମ୍ବାର ଉଠିବା, ମାଇକ୍ ଭାଙ୍ଗିବା, ହଟ୍ଟଗୋଳ କରିବା ଆଦି କାର୍ଯ୍ୟକ୍ରମ ଗ୍ରହଣ କରିଥିଲା। କାରଣ ବିଧାୟକମାନେ ଜାଣିଥିଲେ ଯେ ଏହି ସମୟରେ ବିଧାନସଭା ବିବରଣୀ ବିଭିନ୍ନ ଟେଲିଭିଜନରେ ସିଧା ପ୍ରସାରଣ ହେଉଛି। ଅର୍ଥାତ୍ ସେମାନେ ଯାହା କରୁଛନ୍ତି ତାହା ତାଙ୍କ ଲୋକଙ୍କ ପାଖରେ ପହଞ୍ଚୁଛି। ବିଧାନସଭାରେ ପ୍ଲାକାର୍ଡ ଦେଖାଇବା, ସ୍ଲୋଗାନ କରିବା, ତୁରୀ, ଘଣ୍ଟ ବଜାଇବା ପ୍ରଭୃତିକୁ ଅଶୋଭନୀୟ ଆଚରଣ ବୋଲି ଗ୍ରହଣ କରାଯାଇଛି। ଏପରିକି ବାଚସ୍ପତିଙ୍କୁ ଅସମ୍ମାନ କରିବା, ତାଙ୍କ ଚେୟାରକୁ ପଛକରି ଠିଆ ହେବା ଆଦି ବି ନିୟମର ଉଲ୍ଲଂଘନ ବୋଲି ଲିପିବଦ୍ଧ ହୋଇଛି। ହେଲେ ଏହାକୁ କଂଗ୍ରେସ ଅନେକ ସମୟରେ ବିଧାନସଭାରେ ଉଲ୍ଲଂଘନ କରି ଆସିଛି। ଅର୍ଥାତ୍ ଦୋଷ ସୁଧାରିବା ବଦଳରେ ନିଜ ଦୋଷକୁ ଠିକ୍ ବୋଲି ଦର୍ଶାଇବାକୁ ଆହୁରି ତ୍ରୁଟି କରୁଛି ରାଜ୍ୟ କଂଗ୍ରେସ।
କିନ୍ତୁ ରାଜ୍ୟ କଂଗ୍ରେସର ଏହି ଦୋଷ ବିରୁଦ୍ଧରେ ଆପଣ କାହାକୁ କହିବେ। ଯେତେବେଳେ ଏ କଥା କେନ୍ଦ୍ରୀୟ ନେତାଙ୍କୁ କୁହାଯାଉଛି ସେତେବେଳେ ରାଜ୍ୟର ନେତାଙ୍କୁ ଏ କାର୍ଯ୍ୟରେ ସୁଧାରିବା ବଦଳରେ ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ କେନ୍ଦ୍ରୀୟ ନେତା ଓଡ଼ିଶା ଆସୁଛନ୍ତି; ଯେମିତିକି ଆଜି ଆସିଛନ୍ତି।
ଯଦି ଆପଣ ଏହାର ଖିଅ ଖୋଜିବେ ତେବେ ତାହା କଂଗ୍ରେସର ଶୀର୍ଷ ନେତା ରାହୁଲ ଗାନ୍ଧୀଙ୍କ ପାଖରେ ପହଞ୍ଚିବ। ସେଠାରେ ବି ସମାନ ପ୍ରସଙ୍ଗ ଦେଖିବାକୁ ମିଳିବ। ଏ ନେଇ ବିରୋଧୀ ଦଳ ନେତା ବି ଅନେକ ଥର ଲୋକସଭାରେ ସମାଲୋଚିତ ହୋଇଛନ୍ତି। ବାଚସ୍ପତି ତାଙ୍କୁ ଏନେଇ ନିୟମ ଉଲ୍ଲଂଘନ କରୁଥିବା ଦର୍ଶାଇଛନ୍ତି। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗୃହରେ ମର୍ଯ୍ୟାଦାହାନୀ କରୁଛନ୍ତି ବୋଲି କହିଛନ୍ତି। ଏହାର ଏକ ସଦସ୍ୟ ଉଦାହରଣ ଗତକାଲି ଦେଖିବାକୁ ମିଳିଛି।
ଶୂନ୍ୟକାଳ ଶେଷ ହେବା ସମୟରେ ବିରୋଧୀ ଦଳ ନେତା ଗୃହରେ ପ୍ରବେଶ କରନ୍ତି। ଏହି ସମୟରେ ତାଙ୍କ ଆସନକୁ ଆସିବା ସମୟରେ ତାଙ୍କ ଭଉଣୀ ନିଜ ଆସିନରେ ବସିଥିବା ସେ ଦେଖିଲେ। ଏହି ସମୟରେ ତାଙ୍କ ଗାଲରେ ହାତ ମାରି ହାତ ମିଳାଇଥିଲେ ରାହୁଲ। ଏହା ଭଉଣି ପ୍ରତି ସ୍ନେହ ଶ୍ରଦ୍ଧାର ଉଦାହରଣ ହୋଇପାରେ। ପୂର୍ବରୁ ଗୃହରେ ଏମିତି ଭାଇ ଭଉଣୀ, ମା’ ପୁଅ, ସ୍ୱାମୀ-ସ୍ତ୍ରୀ ବା ସମ୍ପର୍କୀୟମାନେ ସଦସ୍ୟଭାବେ ରହିଛନ୍ତି। ହେଲେ ଏପରି ଆଚରଣ କୌଣସି ପୁରୁଷ ନେତା ମହିଳାଙ୍କ ପ୍ରତି ଦେଖାଇଥିବା ନଜିର ନାହିଁ। ଏହା ଏକ ସୁସ୍ଥ ପରମ୍ପରା ତଥା ସଂସଦର କାର୍ଯ୍ୟ ନିର୍ବାହୀ ଧାରା ୩୪୯ର ବିରୋଧାଭାଷ ବୋଲି ବାଚସ୍ପତି କହି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏଥିରେ ସତର୍କ ରୁହନ୍ତୁ ବୋଲି କହିଥିଲେ।
#MustWatch : ‘सदन की मर्यादा का रखें ध्यान..’
स्पीकर ओम बिरला ने राहुल गाँधी को पढाया मर्यादा का पाठ#BudgetSession #RahulGandhi #Congress #JKNow #Latest #News pic.twitter.com/YlYOmmsc67
— Jammu-Kashmir Now (@JammuKashmirNow) March 26, 2025
ଏସମ୍ପର୍କରେ ବାହାରେ ରାହୁଲ ଗାନ୍ଧୀଙ୍କୁ ଗଣମାଧ୍ୟମ ପଚାରିବାବେଳେ ସେ କହିଛନ୍ତି ବାଚସ୍ପତି କହିବାକୁ ତାଙ୍କୁ ସୁଯୋଗ ଦେଲେ ନାହିଁ ଏବଂ ଗୃହକୁ ମୁଲତବୀ କରିଦେଲେ ବୋଲି ସ୍ପଷ୍ଟ କରିଥିଲେ।
ଏ ପ୍ରସଙ୍ଗକୁ ଏଠାରେ କହିବାର ଉଦ୍ଦେଶ୍ୟ ହେଲା, ଯେଉଁ ଦଳରେ ଶୀର୍ଷ ନେତା ଶୃଙ୍ଖଳା ଏବଂ ଶୃଙ୍ଖଳିତ ଆଚରଣକୁ ବାରମ୍ବାର ଉଲ୍ଲଂଘନ କରନ୍ତି ସେଠାରେ ତାଙ୍କ ଅନୁଚରମାନଙ୍କଠାରୁ କିପରି ତାହା ଆଶା କରାଯିବ?
Also readhttps://purvapaksa.com/double-hapiness-for-mla-jayanarayan-mishra/
