ଶୀର୍ଷକ ଦେଖି ଆପଣ ଆଶ୍ଚର୍ଯ୍ୟ ହେଉଥିବେ। କଂଗ୍ରେସର ନେତା ତ’ କଂଗ୍ରେସକୁ କ’ଣ ଫେରିବେ? ହଁ, ଆପଣ ଏହାକୁ ଘର ବାହୁଡ଼ା କହିପାରନ୍ତି। କିନ୍ତୁ କିଛି ‘କଂଗ୍ରେସ’ ନେତା ଏବେ ନିଜର ଅସ୍ତିତ୍ୱ ପାଇଁ କଂଗ୍ରେସକୁ ହିଁ ଆଶ୍ରୟସ୍ଥଳଭାବେ ବାଛିବାକୁ ଯାଉଛନ୍ତି। ଯେଉଁ ଦଳରେ ସେମାନେ ଦିନେ’ ସବୁକିଛି ଥିଲେ ସେହି ଦଳରେ ସେହି ମର୍ଯ୍ୟାଦା ପାଇବା ଲାଗି ସେମାନେ ଆଶା କରିଛନ୍ତି। ଏହା କେତେଦୂର ବାସ୍ତବ ହେବ ତା’ ତ କହିବା ମୁସ୍କିଲ୍ କିନ୍ତୁ ବିଜେଡିରେ ଥିବା କିଛି ନେତାଙ୍କ ହାବଭାବ ଏବଂ ସାଧାରଣରେ ବୟାନ ଏହି ଧାରାକୁ ମଜଭୁତ କରୁଛି।
ଦିନଥିଲା ବିଜେଡିରେ ଯୋଗଦେବା ପାଇଁ ବିଭିନ୍ନ ଦଳର ନେତାମାନେ ଉଚ୍ଛନ୍ନ ହେଉଥିଲେ। ଏପରିକି ବିରୋଧୀ ଦଳର ନେତା ଆସନରେ ଥିବା ନେତା ଆସି ଶାସକ ଦଳରେ ଯୋଗ ଦେଉଥିଲେ। କିଛି କ୍ଷେତ୍ରରେ ତ ସମ୍ପୂର୍ଣ୍ଣ ଦଳ ଆସି ବିଜେଡି ଶରଣରେ ମୁର୍ଛା ଯାଉଥିଲା। ତାହାକୁ ଆପଣାଇ ରାଜ୍ୟରେ ବହୁଦଳୀୟ ପରମ୍ପରାକୁ ଦଳି ଚକଟି ଦେଇଥିଲେ ବିଜେଡିର ତଥାକଥିତ ସଭାପତି।
ଏଠି ଆମେ ବିଜେଡି ସଭାପତିଙ୍କୁ କାହିଁକି ‘ତଥାକଥିତ’ କହିଲୁ ତାହା ଆପଣଙ୍କୁ ପ୍ରଶ୍ନବ୍ୟୁହ ଭିତରକୁ ନେଉଥିବ। ହେଲେ ବାସ୍ତବ କଥାକୁ ଟିକେ ଅନୁଶୀଳନ କରନ୍ତୁ। ଏ ଦଳରେ ସଭାପତିଙ୍କ ଦ୍ୱାରା ଦଳ ଚାଲେ ନା ତାଙ୍କ ଦ୍ୱାରା ନିୟୋଜିତ କର୍ମଚାରୀଙ୍କ ଦ୍ୱାରା। ଏହି କର୍ମଚାରୀଙ୍କୁ କେହି କେହି ଗୁମାସ୍ତା ବୋଲି ବି ସମ୍ବୋଧନ କରିଛନ୍ତି। ଏତି ତାଲିକାରେ କେତେବେଳେ ପ୍ୟାରୀମୋହନ ମହାପାତ୍ର ବସିଛନ୍ତି ତ କେତେବେବଳେ ଭିକେ ପାଣ୍ଡିଆନ୍। ଆବଶ୍ୟ ତାଙ୍କ ଦଳର ପ୍ରଭାବରେ ଚାଲୁଥିବା ମିଡିଆ ସେମାନଙ୍କୁ ଆଧୁନିକ ଯୁଗର ଚାଣକ୍ୟ ବୋଲି ବି କହିଛନ୍ତି। ଏମାନଙ୍କ ପ୍ରଭାବ ଏତେ ବିଶାଳ ଯେ ଦଳରେ ସଭାପତି ଯେ କେବଳ ନାମକୁ ମାତ୍ର ତାହା ଅନେକଥର ସ୍ପଷ୍ଟ ହୋଇଛି। ନିକଟରେ ନବୀନ ନିବାସରେ ପାଣ୍ଡିଆନ୍ଙ୍କ ବିରୋଧରେ ଉତ୍ତେଜନା ସୃଷ୍ଟି ହେବା ତାହାର ଏକ ସଦ୍ୟତମ ଉଦାହରଣ।
ଏବେ ମୂଳ ପ୍ରସଙ୍ଗକୁ ଆସିବା। ତାହା ହେଲା ବିଜେଡିରେ ଏବେ ଯେଉଁଭଳି ବରିଷ୍ଠ ନେତାଙ୍କ ଭିତରେ ଖିଟିରପିଟିର ଲାଗିଛି ତାହା ସ୍ପଷ୍ଟ କରୁଛି ଯେ ସବୁକିଛି ଏଠାରେ ଠିକ୍ ନାହିଁ। ନେତାଏଁ ଏବେ ପ୍ରସ୍ତୁତ ହେଲେଣି ଅନ୍ୟଦଳକୁ ଡେଇଁବାକୁ। ଏହିକ୍ରମରେ ସବୁଠାରୁ ସମ୍ବେଦନଶୀଳ ଅଛନ୍ତି ଅନ୍ୟ ଦଳରୁ ଫେରିଥିବା ନେତା। ସେ ପୁଣି ବିଜେପିରୁ ଆସିଥିବା ନେତା ନୁହନ୍ତି। ଏହି ସଂଗ୍ରାମ ଚାଲିଛି କଂଗ୍ରେସରୁ ଆସିଥିବା ନେତାଙ୍କ ଭିତରେ।
ଏମିତି ଜଣେ ନେତା ହେଉଛନ୍ତି ଭୂପିନ୍ଦର ସିଂହ। ୨୦୧୪ ନିର୍ବାଚନ ପୂର୍ବରୁ ସେ ବିଜେଡିରେ ଯୋଗ ଦେଇଥିଲେ। ଏହା ପୂର୍ବରୁ କଂଗ୍ରେସରେ ଥିଲେ। ଏବଂ ପାର୍ଟି ତାଙ୍କୁ ବିରୋଧୀ ଦଳ ନେତାଭାବେ ମଧ୍ୟ ଅବସ୍ଥାପିତ କରିଥିଲେ। ହେଲେ କଂଗ୍ରେସକୁ ଏକ ଡୁବୁଥିବା ଡଙ୍ଗା ବୋଲି ଆଶଙ୍କା କରି ବିଜେଡି ଶିବିରକୁ ଡେଇଥିଲେ ଭୂପିନ୍ଦର। ବିଜେଡିରେ ଯୋଗ ଦେବାପରେ ଦଳ ତାଙ୍କୁ ନିର୍ବାଚନରେ ଟିକଟ ଦେଲା ନାହିଁ। କିନ୍ତୁ ରାଜ୍ୟସଭାରୁ ଶଶିଭୂଷଣ ବେହେରାଙ୍କୁ ଡକାଇ ବିଧାନସଭାର ସଦସ୍ୟ କରିବା ପରେ ତାଙ୍କ ଆସନରେ ରାଜ୍ୟସଭାକୁ ପଠାଇଥିଲା। ଅର୍ଥାତ୍ ମାତ୍ର ୨ ବର୍ଷ ଲାଗି ଭୂପିନ୍ଦର ରାଜ୍ୟସଭାରେ ବିଜେଡିକୁ ପ୍ରତିନିଧିତ୍ୱ କରୁଥିଲେ। ୨୦୧୯ ବିଧାନସଭାରେ ତାଙ୍କୁ ପୁଣିଥରେ ଦଳ ଟିକଟ ଦେଇଥିଲା। ଆଉ ସେ ଜିତି ବିଧାନସଭାର ସଦସ୍ୟ ହୋଇଥିଲେ। ୨୦୨୪ରେ ଦଳ ତାଙ୍କ ଉପରେ ଭରସା ନ କରି ଅନ୍ୟଜଣଙ୍କୁ ନର୍ଲାରୁ ପ୍ରାର୍ଥୀ କଲା। ଏହାର କିଛିଦିନ ପରେ ତାଙ୍କୁ ଦଳର କାର୍ଯ୍ୟ ନିର୍ବାହୀ କମିଟିରୁ ବି ବାହାର କରିଦେଲା। ଏହା ଭୂପିନ୍ଦରଙ୍କୁ ଖୁବ୍ ବାଧିଛି ବୋଲି ଚର୍ଚ୍ଚା ହେଉଛି। ଏପରିକି ଦଳର ଆଭ୍ୟନ୍ତରୀଣ ବ୍ୟାପରକୁ ଗଣମାଧ୍ୟମରେ ଉଲ୍ଲେଖ କରି ଶ୍ରୀ ସିଂହ କହିଛନ୍ତି, ନୂଆ କମିଟି ଘୋଷଣାଦ୍ୱାରା ଦଳରେ କିଛି ବିଶେଷ ପରିବର୍ତ୍ତନ ହୋଇ ନାହିଁ।
ଏହାର ଅର୍ଥ ହେଉଛି ଦଳ ଯେମିତି ଚାଲିଥିଲା ସେମିତି ଚାଲିଛି। ଏଣୁ ଭୂପିନ୍ଦର ସନ୍ତୁଷ୍ଟ ନ ଥିବା ଚର୍ଚ୍ଚା ହେଉଛି। କିନ୍ତୁ ସେ ନିଜେ ଅତ୍ୟନ୍ତ ପ୍ରସନ୍ନ ବୋଲି କହିଛନ୍ତି। କିନ୍ତୁ ଆଗକୁ ଦଳର ଭବିଷ୍ୟତ ଠିକ୍ ହେବ ନାହିଁ ବୋଲି ଆଲୋଚନା ହେଉଥିବା କହିଛନ୍ତି। ଜଣେ ବରିଷ୍ଠ ନେତାଭାବେ ପୁଣିଥରେ କଂଗ୍ରେସ ଫେରିଯିବେ କି ବୋଲି ପ୍ରଶ୍ନ କରିବାରୁ ଶ୍ରୀ ସିଂହ ଗଣମାଧ୍ୟମରେ କହିଛନ୍ତି ଯେ, ତାଙ୍କ ପାଇଁ କଂଗ୍ରେସ ଫେରିବା ବାଟ ଖୋଲା ଆଛି। ଏହା ସହ ବିଜେପି ତାଙ୍କୁ ଅନେକ ଅଫର ଦେଇଥିବା ସେ କହିଛନ୍ତି।
ଭୂପିନ୍ଦରଙ୍କ ଭଳି ତାଲିକାରେ ଅନେକ ନେତା ଅଛନ୍ତି। ଏ ଭିତରେ ଆଉ ଜଣଙ୍କ ନାଁ ଚର୍ଚ୍ଚାକୁ ଆସୁଛି ସେ ହେଲେ ଚିରଞ୍ଜିବୀ ବିଶ୍ୱାଳ। ବସନ୍ତ ବିଶ୍ୱାଳଙ୍କ ସୁପୁତ୍ର ଚିରଞ୍ଜିବୀ ୨୦୨୪ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେଡି ଯାଇଥିଲେ। ହେଲେ ଦଳ ତାଙ୍କୁ ଟିକଟ ନ ଦେଇ ଅନ୍ୟ ଜଣଙ୍କୁ ଟିକଟ ଦେଲା। ଚିରଞ୍ଜିବୀ ବାଧ୍ୟ ହୋଇ ପ୍ରଚାର କଲେ। କିନ୍ତୁ ତାଙ୍କର ବିଜୟ ହେଲା ନାହିଁ। ଚିରଞ୍ଜିବୀ ବି ଏଥିରେ କୌଣସି ସଫଳତା ପାଇଲେ ନାହିଁ। ଦଳ ଏବେ ତାଙ୍କୁ ବାସିପାଣିରେ ପଚାରୁ ନ ଥିବା କୁହାଯାଉଛି। ଏଥିରେ ଅତିଷ୍ଠ ହୋଇ ଚିରଞ୍ଜିବୀ ଦଳ ଛାଡ଼ିବା ବିଷୟ ଚିନ୍ତା କରୁଥିବା ଆଲୋଚନା ହେଉଛି। ସେ କଂଗ୍ରେସ ଫେରି ପାରନ୍ତି ବୋଲି ବି ଚର୍ଚ୍ଚା ହେଲାଣି। ତାଙ୍କୁ ଦଳରୁ ତଡ଼ିଥିବା ଶରତ ପଟ୍ଟନାୟକଙ୍କର ଦଳରେ ଏବେ ଆଉ କାଟତି ନ ଥିବାରୁ ତାଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି।
ଅବିଭକ୍ତ ଢେଙ୍କାନାଳର ତିନି ଜଣ ବିଜେଡି ନେତା ଏବେ ଶଙ୍କା ଓ ଆଶଙ୍କାରେ। ସେମାନଙ୍କ ବାବଦରେ ଚର୍ଚ୍ଚା ଏହା ଯେ, ବିଜେଡିରେ ଏବେ ଚାଲିଥିବା ସମୀକରଣରେ ସେମାନେ ଲାଭବାନ ହୋଇପାରୁ ନାହାନ୍ତି। ତାଙ୍କ କଥା କେହି ଶୁଣୁ ନାହାନ୍ତି। ଏହି ତାଲିକାରେ ନୃସିଂହ ସାହୁ, ପ୍ରଫୁଲ୍ଲ ମଲ୍ଲିକ ଏବଂ ସୁଧୀର ସାମଲ ରହିଛନ୍ତି। ଏହି ଅସନ୍ତୁଷ୍ଟମାନଙ୍କ ଭିତରୁ ଦୁଇଜଣଙ୍କ ବିରୋଧରେ ପୂର୍ବରୁ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗ ରହିଛି। ଏମାନେ ଏକ ଘରୋଇ ହୋଟେଲରେ ଦଳର ଶୃଙ୍ଖଳା ବିଷୟରେ ଆଲୋଚନା କରିଥିବା ଏହା ଜାଣିପାରି ବିଜେଡିର ଚର୍ଚ୍ଚିତ ନେତା ତଥା ଦ୍ୱିତୀୟ କ୍ଷମତାକେନ୍ଦ୍ର କୁଆଡ଼େ ଅନ୍ତୁଷ୍ଟ ଥିବା କୁହାଯାଉଛି। ସୁଧୀର ସାମଲ ତାଙ୍କ ପୁତୁରା ଅବିନାଶର ଭବିଷ୍ୟତ ନେଇ ଉଚ୍ଛନ୍ନ ଥିବାରୁ ଦୁହେଁ ଦୁଇ ଭିନ୍ନ ଭିନ୍ନ ଦଳରେ ରହିବାକୁ ସ୍ଥିର ହୋଇଥିବା ନେଇ ଢେଙ୍କାନାଳରେ ଆଲୋଚନା ହେଉଛି। ଏଣୁ ଏମାନେ କଂଗ୍ରେସକୁ ବିକଳ୍ପ ଭାବେ ବାଛିପାରନ୍ତି। କାରଣ କଂଗ୍ରେସ ଏବେ ଖାଲି ମୈଦାନରେ ପରିଣତ ହୋଇଛି। ଏହା ଏବେ ଧୀରେ ଧୀରେ ନିଜର ଭିତ୍ତିଭୂମିକୁ ସୁଦୃଢ଼ କରୁଛି।
ଗଞ୍ଜାମ ଜିଲ୍ଲାରୁ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ବିକ୍ରମ ପଣ୍ଡାଙ୍କ ବାବଦରେ ମଧ୍ୟ ସମାନ ଚର୍ଚ୍ଚା ହେଉଛି। ସେ ପାଣ୍ଢିଆନ୍ଙ୍କ ଶତ୍ରୁ ପ୍ରଦୀପ ପାଣିଗ୍ରାହୀଙ୍କୁ ଟକ୍କର ଦେଉଥିଲେ। କିନ୍ତୁ ଏପର୍ଯ୍ୟନ୍ତ ବିଜେଡି ଗଞ୍ଜାମ ଜିଲ୍ଲା ସଭାପତି ଚୂଡ଼ାନ୍ତ କରିନାହିଁ କି ବିକ୍ରମଙ୍କୁ ଦଳରେ କୌଣସି ବଡ଼ ଦାୟିତ୍ୱ ଦେଇନାହିଁ। ନବରଙ୍ଗପୁରର ପୂର୍ବତନ ସାଂସଦ ପ୍ରଦୀପ ମାଝି ମଧ୍ୟ ଦ୍ୱନ୍ଦ୍ୱରେ ରହିଛନ୍ତି। ହେଲେ ତାଙ୍କୁକଂଗ୍ରେସ ସବୁଜ ସଙ୍କେତ ଦେଇପାରୁନାହିଁ। ଏହି ଯୁବ ନେତାଙ୍କୁ କଂଗ୍ରେସ ଅତୀତରେ ବହୁତ ପଦପଦବୀ ଦେଇ ଆଶା କରିଥିଲା ଯେ ପ୍ରଦୀପ ଆଗକୁ ଦଳର ଓଡ଼ିଶା ମୁହଁ ହେବେ। କିନ୍ତୁ ସେ ସବୁ କିଛିକୁ ଧୂଳିସାତ କରି ବିଜେଡିକୁ ରାତିଅଧିଆ ଗମନ କରିଥିଲେ। ଏଣୁ କଂଗ୍ରେସ ନେତାଏଁ ତାଙ୍କ ନାଁ ଶୁଣିଲେ ଡରୁଛନ୍ତି।
କିନ୍ତୁ ପୂର୍ବ କଂଗ୍ରେସ ସଭାପତି ଜୟଦେବ ଜେନା ସମସ୍ତଙ୍କ ପାଇଁ ଦ୍ୱାର ଉନ୍ମୁକ୍ତ ଥିବା କହିଛନ୍ତି। ଏମିତିକି ଦଳ ତାର ପୁରୁଣା ସଦସ୍ୟଙ୍କୁ ଫେରାଇ ନେବାରେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିଥିବା କହିଛନ୍ତି। ଦେଖିବାକୁ ଗଲେ ନିର୍ବାଚନ ଆହୁରି ୪ ବର୍ଷ ଅଛି। ଏଣୁ ଦଳ ବଦଳାଇବାର ଏହା ଋତୁ ନୁହେଁ। କିନ୍ତୁ କୌଣସି ସାମ୍ବିଧାନିକ ପଦପଦବୀରେ ନ ଥିବା ଏହି ନେତାମାନଙ୍କୁ ଦଳ ଛାଡ଼ି ନୂଆ ଭିତ୍ତିଭୂମି ସୃଷ୍ଟି ଲାଗିଏହା ଗୁରୁତ୍ୱପୂର୍ଣ୍ଣ ସମୟ ହୋଇପାରେ। ଏଣୁ ଆଗକୁ କିଭଳି ଏହି ପରିବର୍ତ୍ତନର ରୂପ ରହିବ ତାହା କେବଳ ସମୟ ହିଁ କହିବ।
Also readhttps://purvapaksa.com/whose-tharoor-is-it-congresss-or-bjps/