ଦେଶର ସର୍ବପୂରାତନ ରାଜନୀତିକ ଦଳ ପାଇଁ ଆସ୍ଥା ଓ ଭରସାର ସଙ୍କଟ ପୁଣିଥରେ ଉଜାଗର ହୋଇଛି। ଏ ସଙ୍କଟ ଉଭୟ ଦଳ ଭିତରେ ଓ ଦଳ ବାହାରେ ରହିଛି। ଗୋଟିଏ ପରିବାର ଓ ଜଣେ ନେତାଙ୍କୁ ସୁରକ୍ଷିତ କରିବା ପାଇଁ ଦଳ ବାରମ୍ବାର ସମାଲୋଚିତ ହେଉଥିଲେ ମଧ୍ୟ ସତର୍କ ହୋଇପାରୁନାହିଁ। ସରକାରଙ୍କୁ ବିରୋଧ କରିବାକୁ ଯାଇ ଜାତୀୟ ସଂହତି, ଏକତା, ସମ୍ବିଧାନିକ ମନ୍ତ୍ରକୁ ସମ୍ପୃକ୍ତ ନେତା ଭୁଲି ଯାଉଥିବା ବି ଚର୍ଚ୍ଚା ହେଉଛି। ଏହିକ୍ରମରେ ସୁପ୍ରିମକୋର୍ଟ ବିରୋଧୀ ଦଳ ନେତାଙ୍କୁ ନେଇ ଦେଇଥିବା ମନ୍ତବ୍ୟ ଏବେ ସାରାଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି।
ଲୋକସଭାରେ ବିରୋଧୀ ଦଳ ନେତାଭାବେ ଅଭିଷିକ୍ତ ରାହୁଲ ଗାନ୍ଧିଙ୍କ ରାଜନୀତିକ ପ୍ରବେଶ ତାଙ୍କ ଜନ୍ମରୁ ହିଁ ହୋଇଛି। ବାପାଙ୍କ ଅଜା, ଜେଜେମା’ ତଥା ତାଙ୍କ ବାପା ଏ ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସିଛନ୍ତି। ସେ ମଧ୍ୟ ଏ ଦେଶର ପ୍ରଧାନମନ୍ତ୍ରୀ ହେବା ପାଇଁ ଉପଯୁକ୍ତ ପ୍ରାର୍ଥୀ ବୋଲି କଂଗ୍ରେସ ଦଳ ବିଚାର କରିଛି। ତାଙ୍କୁ ଦଳର ନେତାଭାବେ ଗ୍ରହଣ କରାଯାଇଛି।
ହେଲେ ଭାରତର ନିର୍ବାଚନ ରାଜନୀତିକୁ ଯଦି ଅନୁଶୀଳନ କରିବା ତେବେ ରାହୁଲ ଔପଚାରିକ ଭାବେ ୨୦୦୪ ମସିହାରେ ଭାରତୀୟ ରାଜନୀତିରେ ସକ୍ରିୟ ପ୍ରବେଶ କରିଥିଲେ। ଏହି ବର୍ଷ ସେ ଉତ୍ତରପ୍ରଦେଶର ଆମେଠିରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ। ସେତେବେଳେ ତାଙ୍କୁ ୩୪ ବର୍ଷ ବୟସ ଥିଲା। ଏହା ପୂର୍ବରୁ ସେ ଭାରତୀୟ ଜାତୀୟ କଂଗ୍ରେସ ଏବଂ ଏହାର ଯୁବ ସଂଗଠନରେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିଲେ, କିନ୍ତୁ ୨୦୦୪ ମସିହାରେ ନିର୍ବାଚିତ ପ୍ରତିନିଧିଭାବେ ତାଙ୍କର ଆନୁଷ୍ଠାନିକ ରାଜନୈତିକ ଯାତ୍ରା ଆରମ୍ଭ ହୋଇଥିଲା।
ବଂଶ ପରମ୍ପରା ଓ ବୁନିଆଦକୁ ଦେଖିଲେ ତାଙ୍କ ପାଇଁ ଦେଶର ନିର୍ବାଚନ ରାଜନୀତିରେ ଅଂଶଗ୍ରହଣ କରିବା, ଜିତିବା ଓ ସାଂସଦ ହେବା ତଥା ଦେଶର ସର୍ବପୂରାତନ ଦଳକୁ ନିୟନ୍ତ୍ରଣ କରିବା ଏକ ବଡ଼ କଥା ନୁହେଁ। ହେଲେ ତାଙ୍କର ରାଜନୀତିକ ଯାତ୍ରା ଓ ଉତ୍ଥାନ ବିରୋଧୀ ଦଳକୁ କଣ୍ଟା ଭଳି ଖୁଞ୍ଚିଛି। ସେଥିଲାଗି ତାଙ୍କର ଯାତ୍ରାକୁ କଣ୍ଟକିତ କରିବା ଲାଗି ବିଜେପି ସଦାସର୍ବାଦା ଚେଷ୍ଟା କରିଛି।
ଅବଶ୍ୟ, ବିରୋଧୀ ଦଳ ସମାଲୋଚନା କରିବାଟା ଭାରତୀୟ ରାଜନୀତିରେ ସ୍ୱାଭାବିକ, କିନ୍ତୁ ରାହୁଲଙ୍କ ଲାଗି ବିରୋଧୀ ଦଳର ସମାଲୋଚନାରେ ବିରୋଧାଭାଷ ସୀମିତ ରହିନାହିଁ, ସେ ରାଜନୀତିରେ ବରିଷ୍ଠ, କନିଷ୍ଠ ଓ ପରିପକ୍ୱ ନେତାଙ୍କ ସମାଲୋଚନାର ଶିକାର ହୋଇଛନ୍ତି। ତାଙ୍କୁ ହିଁ ଅଙ୍ଗୁଳି ନିର୍ଦ୍ଦେଶ କରି ଅନେକ ଦଳ ଛାଡ଼ିଛନ୍ତି ଯେମିତି ସୋନିଆଙ୍କ ଆବିର୍ଭାବ ସମୟରେ ଘଟିଥିଲା। ଅବଶ୍ୟ ସେତେବେଳେ କଂଗ୍ରେସ ଭାଗଭାଗ ହୋଇଥିଲା, ଏବେ ତାହା ହୋଇନାହିଁ କିନ୍ତୁ ଦଳରୁ ନେତା ବାହାରି ନୀରବ ରହିଛନ୍ତି ବା ଅନ୍ୟ ଦଳରେ ଯୋଗ ଦେଇ କଂଗ୍ରେସ ବିରୋଧୀ ଭିତ୍ତିଭୂମିକୁ ଶକ୍ତ କରିଛନ୍ତି।
ଏବେ କିନ୍ତୁ ସୋଶାଲ୍ ମିଡିଆରେ ଅତ୍ୟନ୍ତ ସକ୍ରିୟ ଥିବା ରାହୁଲ ଗାନ୍ଧିଙ୍କ ଲାଗି ସୁପ୍ରିମକୋର୍ଟ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ତାଙ୍କ ବୁନିଆଦରେ କେବେ କାହା ପାଇଁ ଶୁଣିବାକୁ ମିଳିନଥିଲା। ପରୋକ୍ଷ ଭାବେ ତାଙ୍କୁ ଦେଶପ୍ରେମର ବିରୋଧୀ ବୋଲି ଦର୍ଶାଯାଇଛି। ବିନା ତଥ୍ୟ ପ୍ରମାଣରେ ସେ ଦେଶକୁ ଦୁର୍ବଳ କରିବାକୁ ଚାହୁଁଥିବା ଅନୁଭବ ହୋଇଛି। ଯାହାକୁ କେନ୍ଦ୍ରକରି ଏବେ ଜାତୀୟ ରାଜନୀତି ପଡ଼ୁଛି ଆଉ ଉଠୁଛି। ବିଜେପି ସରକାରଙ୍କୁ ବିରୋଧ କରିବାର ଅର୍ଥ ନୁହେଁ ଯେ ଦେଶର ସେନା, ସାର୍ବଭୌମତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା- ଏହି ମତକୁ ଚେତାଇ ଦେଇଛନ୍ତି ସୁପ୍ରିମକୋର୍ଟ।
୨୦୨୫ ଅଗଷ୍ଟ ୪ରେ ସୁପ୍ରିମକୋର୍ଟ ରାହୁଲଙ୍କ ଚୀନର ଅନୁପ୍ରବେଶ ଓ ଭାରତୀୟ ସେନା ସମ୍ବନ୍ଧୀୟ ମନ୍ତବ୍ୟକୁ ନେଇ ତୀବ୍ର ସମାଲୋଚନା କରିଥିଲେ। ରାହୁଲ କହିଥିଲେ ଯେ ଚୀନ ୨,୦୦୦ ବର୍ଗ କିଲୋମିଟର ଭାରତୀୟ ଭୂମି ଅଧିକାର କରିଛି ଏବଂ ଚୀନୀୟ ସୈନ୍ୟ ଅରୁଣାଚଳ ପ୍ରଦେଶରେ “ଭାରତୀୟ ସୈନିକମାନଙ୍କୁ ପିଟୁଛନ୍ତି”। ଜଷ୍ଟିସ ଦୀପଙ୍କର ଦତ୍ତ ଓ ଜଷ୍ଟିସ ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମନ୍ତବ୍ୟକୁ “ଦାୟିତ୍ୱହୀନ” ବୋଲି ଅଭିହିତ କରି ପ୍ରଶ୍ନ ଉଠାଇଥିଲେ, “ଆପଣ କେମିତି ଜାଣିଲେ ଯେ ଚୀନ ୨,୦୦୦ ବର୍ଗ କିଲୋମିଟର ଭାରତୀୟ ଭୂମି ଅଧିକାର କରିଛି? ଆପଣ ସେଠାରେ ଉପସ୍ଥିତ ଥିଲେ କି? ଆପଣଙ୍କ ପାଖରେ କୌଣସି ବିଶ୍ୱସନୀୟ ପ୍ରମାଣ ଅଛି କି? ଯଦି ଆପଣ ପ୍ରକୃତ ଭାରତୀୟ ହୋଇଥାନ୍ତେ, ଆପଣ ଏପରି କହିନଥାନ୍ତେ।”
ସୁପ୍ରିମକୋର୍ଟ ଆହୁରି କହିଥିଲେ, “ଯେତେବେଳେ ସୀମାରେ ସଂଘର୍ଷ ଚାଲିଛି, ଆପଣ ଏପରି କଥା କହିପାରିବେ କି? ଏହି ପ୍ରଶ୍ନଗୁଡ଼ିକୁ ଆପଣ ସଂସଦରେ କାହିଁକି ଉଠାଇଲେ ନାହିଁ?” କୋର୍ଟ ଏହା ମଧ୍ୟ କହିଥିଲେ ଯେ ଏପରି ସମ୍ବେଦନଶୀଳ ମନ୍ତବ୍ୟ ସୋସିଆଲ ମିଡିଆ କିମ୍ବା ଜନସାଧାରଣ ମଞ୍ଚରେ ନୁହେଁ, ବରଂ ସଂସଦରେ ଉଠାଇବା ଉଚିତ। ସୁପ୍ରିମକୋର୍ଟ ଏହା କହି ତାଙ୍କ ବିରୋଧରେ ଦାୟର ମାନହାନୀ ମକଦ୍ଦମା ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ତିନି ସପ୍ତାହ ପାଇଁ ସ୍ଥଗିତ ରଖିଥିଲେ।
ଏହି ସମାଲୋଚନା ସତ୍ତ୍ୱେ, ରାହୁଲଙ୍କ ସମର୍ଥକମାନେ କହିଛନ୍ତି ଯେ ବିଜେପି-ପ୍ରାଧାନ୍ୟ ମିଡିଆ ଓ ରାଜନୈତିକ ଯନ୍ତ୍ର ତାଙ୍କୁ ଅନ୍ୟାୟ ଭାବେ ଟାର୍ଗେଟ କରିଛି। କିନ୍ତୁ ରାହୁଲଙ୍କ ଏପରି ମନ୍ତବ୍ୟ ନୂଆ କଥା ନୁହେଁ, କି ସମାଲୋଚନା ବି ନୂଆ ନୁହେଁ। ଆସନ୍ତୁ ଯେଉଁ ବିଷୟଗୁଡ଼ିକୁ ନେଇ ରାହୁଲଙ୍କ ପ୍ରତିଚ୍ଛବି ମିଡିଆ ଓ ଲୋକଙ୍କ ସାମ୍ନାରେ ବିଗିଡ଼ିଛି ସେଗୁଡ଼ିକୁ ମନେପକାଇବା କିଛି ସଂକ୍ଷିପ୍ତ ବିନ୍ଦୁରେ।
ବିଜେପି ତାଙ୍କୁ ଜଣେ ଅନଭିଜ୍ଞ ଓ ଅପାରଗ ନେତାଭାବେ ବି ଚିତ୍ରଣ କରିଛି। ୨୦୧୪ ଏବଂ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଖରାପ ପ୍ରଦର୍ଶନ ପାଇଁ ତାଙ୍କ ନେତୃତ୍ୱକୁ ଦାୟୀ କରାଯାଇଥିଲା। ଏପରିକି ତାଙ୍କୁ ରାଜନୀତିରେ ‘ପପୁ’ ବୋଲି ଅଭିହିତ କରାଯାଇଥିଲା। ୨୦୧୩ରେ ଦଳିତ ସଶକ୍ତିକରଣ ବିଷୟରେ ଆଲୋଚନା ଚାଲିଥିବାବେଳେ ତାଙ୍କ ମନ୍ତବ୍ୟ ଦେଶରେ ସମାଲୋଚନାକୁ ତୀବ୍ର କରିଥିଲା।
ରାହୁଲ ଗାନ୍ଧୀଙ୍କୁ ନେହେରୁ-ଗାନ୍ଧୀ ପରିବାରର ଉତ୍ତରାଧିକାରୀଭାବେ ବଂଶବାଦୀ ରାଜନୀତିର ଅଭିଯୋଗ ଲାଗିଛି। ୨୦୦୭ ମସିହାରେ କଂଗ୍ରେସରେ ତାଙ୍କର ମହାସଚିବ, ୨୦୧୩ରେ ଉପସଭାପତି ଏବଂ ୨୦୧୭ରୁ ୨୦୧୯ ଯାଏ ଦଳର ସଭାପତି ଭୂମିକା ତାଙ୍କ ପରିବାର ପୃଷ୍ଠପୋଷକତା ଯୋଗୁଁ ମିଳିଥିବା ଅଭିଯୋଗ ହୋଇଛି। ବିଜେପି ଏହାକୁ ମେରିଟ-ଆଧାରିତ ନେତୃତ୍ୱ ନୁହେଁ ବୋଲି କହି ସମାଲୋଚନା କରିଛି।
କେବଳ ବିଜେପି ବା ତାଙ୍କ ରାଜନୀତିକ ଶତ୍ରୁମାନେ ଏହିପରି ବିରୋଧ କରିଛନ୍ତି ତାହା ନୁହେଁ। ତାଙ୍କରି ଦଳର ନେତାମାନେ ମଧ୍ୟ ତାଙ୍କ କାର୍ଯ୍ୟରେ ଅତିଷ୍ଠ ହୋଇଥିବାର ନଜୀର ରହିଛି। ତାଙ୍କୁ ପୂର୍ବରୁ ଜଣେ ଅପହଞ୍ଚ ନେତାଭାବେ ଚିତ୍ରଣ କରାଯାଇଛି। ସେ ମଝିରେ ମଝିରେ ବିଦେଶ ଯିବାକୁ ରହସ୍ୟମୟ ଗାଏବ ହୋଇଯାଆନ୍ତି ବୋଲି ଚିତ୍ରଣ କରାଯାଇଛି।
୨୦୧୯ ନିର୍ବାଚନ ପରାଜୟ ପରେ ସଭାପତି ପଦରୁ ଇସ୍ତଫା ଦେବା ଏବଂ ନୂଆ ନେତୃତ୍ୱ ଗ୍ରହଣ ନ କରିବା ପ୍ରଭୃତି ତାଙ୍କୁ ଅନେକ ସମାଲୋଚନା ଆଣିଛି।
ଏତ ଗଲା ତାଙ୍କର ଅପରିପକ୍ୱ ରାଜନୀତିକ ପ୍ରବେଶ ଓ କଂଗ୍ରେସର ପଦପଦବୀ ଗ୍ରହଣ କଥା। ତାଙ୍କ ମନ୍ତବ୍ୟ ଦେଶରେ ଅନେକ ସମୟରେ ଚର୍ଚ୍ଚିତ ହୋଇଛି। କୃଷକଙ୍କ କଥା କୁହନ୍ତୁ କି ବାଣିଜ୍ୟ। ଅଥବା ମେକ୍ ଇନ୍ ଇଣ୍ଡିଆ ଯୋଜନା କଥା ସବୁଥିରେ ରାହୁଲଙ୍କ ସମାଲୋଚନାକୁ ଅଯୌକ୍ତିକ ବୋଲି କୁହାଯାଇଛି।
ମନମୋହନଙ୍କ ନେତୃତ୍ୱଧୀନ ସରକାର ୨୦୨୩ରେ ଦୋଷୀ ସାବ୍ୟସ୍ତ ସାଂସଦମାନଙ୍କୁ ସୁରକ୍ଷା ଦେଉଥିବା ଏକ ଅଧ୍ୟାଦେଶକୁ ନେଇ କଂଗ୍ରେସ ଆସ୍ଥାବାଦୀ ଥିବା ସମୟରେ ସେ “ସମ୍ପୂର୍ଣ୍ଣ ଅର୍ଥହୀନ” ବୋଲି କହି ଚିରି ଫିଙ୍ଗିବାକୁ କହିଥିଲେ, ଯାହା ମନମୋହନ ସିଂହ ସରକାରକୁ ଅସଙ୍ଗତ ଅବସ୍ଥାରେ ପକାଇଥିଲା।
ମୋଦୀ ସରକାରଙ୍କ ବିରୁଦ୍ଧରେ ରାଫେଲ ଯୁଦ୍ଧବିମାନ ଚୁକ୍ତିରେ ଦୁର୍ନୀତି ଅଭିଯୋଗ ଓ “ଚୌକିଦାର ଚୋର ହୈ” ସ୍ଲୋଗାନ ପାଇଁ ତାଙ୍କୁ ସମାଲୋଚନା କରାଯାଇଥିଲା। ୨୦୧୯ରେ ସୁପ୍ରିମକୋର୍ଟ ଏହି ଅଭିଯୋଗ ଖାରଜ କରିବା ପରେ ସେ ଏକ ମନ୍ତବ୍ୟ ପାଇଁ କ୍ଷମା ମାଗିଥିଲେ।
ତାଙ୍କ ନେତୃତ୍ୱରେ କଂଗ୍ରେସ ୨୦୧୪ ଓ ୨୦୧୯ରେ ବଡ଼ ପରାଜୟର ସମ୍ମୁଖୀନ ହୋଇଥିଲା, ଯାହା ତାଙ୍କୁ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ବିଜେପିକୁ ମୁକାବିଲା କରିବାରେ ଅସମର୍ଥ ବୋଲି ପ୍ରମାଣିତ କରିଥିଲା। ଉତ୍ତରପ୍ରଦେଶ ଭଳି ରାଜ୍ୟ ନିର୍ବାଚନରେ ତାଙ୍କ ପ୍ରଚାର ସତ୍ତ୍ୱେ କଂଗ୍ରେସ ଖରାପ ପ୍ରଦର୍ଶନ କରିଥିଲା।
ଦଳ ଭିତରୁ ତାଙ୍କ ବିରୋଧରେ ମଧ୍ୟ ସ୍ୱର ଦେଖିବାକୁ ମିଳିଥିଲା। କଂଗ୍ରେସର କିଛି ନେତା ତାଙ୍କ ନେତୃତ୍ୱ ଶୈଳୀ, ଅଣରାଜନୈତିକ ଉପଦେଷ୍ଟାଙ୍କ ଉପରେ ନିର୍ଭରଶୀଳତା ଏବଂ ତୃଣମୂଳ କର୍ମୀଙ୍କ ସହ ଅନିୟମିତ ସଂଯୋଗ ପାଇଁ ଅସନ୍ତୁଷ୍ଟ ଥିଲେ। ୨୦୨୦ରେ ୨୩ ଜଣ ବରିଷ୍ଠ ନେତାଙ୍କ ଏକ ଚିଠିରେ ପରୋକ୍ଷ ଭାବେ ତାଙ୍କ ନେତୃତ୍ୱକୁ ସମାଲୋଚନା କରାଯାଇଥିଲା। ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସର ଯୁବ ନେତାଙ୍କୁ ପ୍ରୋତ୍ସାହନ ଦେବା ନେଇ ତାଙ୍କ ପ୍ରୟାସ ବରିଷ୍ଠ ନେତାମାନଙ୍କୁ ଉପେକ୍ଷିତ କରିଥିଲା।
ସେହିପରି ୨୦୨୪ ନିର୍ବାଚନ ପୂର୍ବରୁ ଦେଶରେ ଏକତା ଓ ଭଲପାଇବାର ବାର୍ତ୍ତା ପ୍ରଚାର କରିବାକୁ ଚାହିଁଥିଲେ ରାହୁଲ। ଏହା ଭାରତ ଯୋଡ଼ୋ ଯାତ୍ରାଭାବେ ପ୍ରସାରିତ ହୋଇଥିଲା। ୨୦୨୨ର ଏହି ଭାରତ ଯୋଡ଼ୋ ଯାତ୍ରା ସମୟରେ ସେ କହିଥିଲେ ଯେ ଚୀନ ୨,୦୦୦ ବର୍ଗ କିଲୋମିଟର ଭାରତୀୟ ଭୂମି ଅଧିକାର କରିଛି ଏବଂ ଚୀନୀୟ ସୈନ୍ୟ ଅରୁଣାଚଳ ପ୍ରଦେଶରେ ଭାରତୀୟ ସୈନିକମାନଙ୍କୁ “ପିଟୁଛନ୍ତି”। ଏହା ଏକ ମାନହାନି ମାମଲା ଓ ୨୦୨୫ ଅଗଷ୍ଟ ୪ରେ ସୁପ୍ରିମକୋର୍ଟ ତାଙ୍କୁ ତୀବ୍ର ସମାଲୋଚନା ସହ ତାଙ୍କ ଦେଶପ୍ରେମ ଓ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି।
ଏହା ପୂର୍ବରୁ ରାହୁଲ ଗାନ୍ଧୀ ତାଙ୍କ ମନ୍ତବ୍ୟ ଯୋଗୁଁ ଏକାଧିକ ମାନହାନି ମାମଲାର ସମ୍ମୁଖୀନ ହୋଇଛନ୍ତି। ୨୦୧୯ ମୋଦୀ ଉପନାମ ମାମଲା ଏହାର ଏକ ଉଦାହରଣ। “ସମସ୍ତ ମୋଦୀ ଚୋର” ବୋଲି ମନ୍ତବ୍ୟ ପାଇଁ ଗୁଜରାଟର ଜଣେ ବିଜେପି ନେତା ତାଙ୍କ ବିରୋଧରେ ମାନହାନି ମାମଲା ଦାୟର କରିଥିଲେ, ଯାହା ୨୦୨୩ରେ ଦୁଇ ବର୍ଷ ଜେଲ ଦଣ୍ଡରେ ପରିଣତ ହୋଇଥିଲା (ପରେ ସୁପ୍ରିମକୋର୍ଟ ଏହାକୁ ସ୍ଥଗିତ ରଖିଥିଲେ)।
୨୦୧୪ରେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ସହ ଆରଏସଏସକୁ ଯୋଡ଼ିବା ମନ୍ତବ୍ୟ ପାଇଁ ମାନହାନି ମାମଲା ଦାୟର ହୋଇଥିଲା, ଯାହାକୁ ୨୦୧୬ରେ ସୁପ୍ରିମକୋର୍ଟ ଖାରଜ କରିବାକୁ ମନା କରିଥିଲେ।
ଏସବୁ ପୃଷ୍ଠଭୂମି ଥାଇ ମଧ୍ୟ କଂଗ୍ରେସ ଦଳ ବା ତାଙ୍କ ପରିବାର ତାଙ୍କୁ ଉଚିତ ମାର୍ଗ ଦେଖାଇବାରେ ଅସମର୍ଥ ରହୁଥିବା ଚର୍ଚ୍ଚା ହେଉଛି। ବିଜେପି ତାଙ୍କୁ ଇଙ୍ଗିତ କରି ବାରମ୍ବାର ନୂଆ ପ୍ରକଳ୍ପରେ ତାଙ୍କୁ କଂଗ୍ରେସ ଉପସ୍ଥାପନ କରିବାକୁ ଚେଷ୍ଟା କରି ଫେଲ ମାରୁଥିବା ନେତା ବୋଲି କହିଛନ୍ତି।
The court is not Rahul Gandhi’s uncle. It is not there to teach or preach. When a citizen approaches a court complaining that their fundamental right has been violated, it only needs to see whether they are entitled to constitutional protection.https://t.co/scf2Opin7a
— Bhakta Charan Das (@BhaktaCharanDas) August 6, 2025
ଏବେ ସୁପ୍ରିମକୋର୍ଟଙ୍କ ମନ୍ତବ୍ୟକୁ ମଧ୍ୟ କଂଗ୍ରେସ ସାମାଲୋଚନା କରି ଦେଶବାସୀଙ୍କ ମତକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛି। ଏହିକ୍ରମରେ ପ୍ରିୟଙ୍କା ଗାନ୍ଧିଙ୍କଠାରୁ ଆରମ୍ଭ କରି ରାଜ୍ୟ ସଭାପତି ଭକ୍ତ ଦାସଙ୍କ ଯାଏ କୋର୍ଟଙ୍କୁ ସମାଲୋଚନା କରିବାକୁ ମଧ୍ୟ ପଛାଇ ନାହାନ୍ତି। ଅର୍ଥାତ୍ ଦେଶର ସେନା, ସରକାର ନା ସୁପ୍ରିମକୋର୍ଟ କାହା ଉପରେ ବି ଭରସା କରି ନାହାନ୍ତି ରାହୁଲ ଗାନ୍ଧି ଓ କଂଗ୍ରେସ। କେନ୍ଦ୍ର ସରକାର ଯେଉଁ କାମ କରନ୍ତି ତାହା ବିରୋଧରେ କଂଗ୍ରେସ ଦଳର ବରିଷ୍ଠ ଓକିଲଙ୍କ ମାଧ୍ୟମରେ ସୁପ୍ରମିକୋର୍ଟଙ୍କ ଦ୍ୱାରସ୍ଥ ହୁଅନ୍ତି। ସେତେବେଳ କଂଗ୍ରେସ ସୁପ୍ରମିକୋର୍ଟ ଉପରେ ବିଶ୍ୱାସ କରନ୍ତି। କେବଳ ସୁପ୍ରିମକୋର୍ଟ ନୁହନ୍ତି ଦେଶର ସେନାବାହିନୀ, ସଂସଦ ଓ ନିର୍ବାଚନ କମିଶନ ଉପରେ ରାହୁଲ ଓ କଂଗ୍ରେସ ଦଳର ଭରସା ନାହିଁ। ଏହି ତାଲିକାରେ ଏବେ ସୁପ୍ରିମକୋର୍ଟ ଯୋଡ଼ି ହୋଇଛନ୍ତି। ଯଦି ମୁଖ୍ୟ ବିରୋଧୀ ଦଳ ଦେଶରେ ଏପରି ଆଚରଣ ପ୍ରଦର୍ଶନ କରିବ ତେବେ ଦେଶର ଗଣତନ୍ତ୍ର କିପରି ସୁଦୃଢ଼ ରହିବ? ଏ ପ୍ରଶ୍ନ ବି ଉଠିବା ସ୍ୱାଭାବିକ।
Also read https://purvapaksa.com/st-students-school-dropout-rate-goes-down-to-18-from-33-in-odisha/
