ଗତ ୨୦୨୪ ରାଜ୍ୟ ବିଧାନସଭା ନିର୍ବାଚନରେ ୫୫ ନମ୍ବର ଢେଙ୍କାନାଳ ବିଧାନସଭା ଆସନ ପାଇଁ କୃଷ୍ଣଚନ୍ଦ୍ର ପାତ୍ର ଭାରତୀୟ ଜନତାପାର୍ଟି ତରଫରୁ ପ୍ରାର୍ଥୀ ହିସାବରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ଏବଂ ସେ ମଧ୍ୟ ସେହି ଆସନରୁ ବିଜୟୀ ହେବା ସହିତ ଓଡ଼ିଶା ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ବିଭାଗରେ କ୍ୟାବିନେଟ ପାହ୍ୟା ମନ୍ତ୍ରୀ ହୋଇଛନ୍ତି ।
କିନ୍ତୁ କୃଷ୍ଣଚନ୍ଦ୍ର ପାତ୍ର ତାଙ୍କ ନାମାଙ୍କନ ପତ୍ର ଦାଖଲ କଲାବେଳେ ଯେଉଁ ପାନ ନମ୍ବରଟି ଦେଇଛନ୍ତି ତାହା ହେଉଛି ଏକେକେକେପିପି୩୩୪୨ଆର୍ (AKKPP3342R)। ଏହି ପାନ ନମ୍ବରଟି ତାଙ୍କର ନୁହେଁ ବୋଲି କଂଗ୍ରେସ ଅଭିଯୋଗ କରିଛି। ତାଙ୍କ ପତ୍ନୀଙ୍କ ପାନ ନମ୍ବର ଠିକ ଥିବା ବେଳେ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପାନକାର୍ଡ ସମ୍ପୂର୍ଣ୍ଣ ବେନାମୀ। ଆୟକର ବିଭାଗର କର୍ତ୍ତୃପକ୍ଷଙ୍କ ପାଖରୁ ଏହି ପାନକାର୍ଡର ସତ୍ୟାସତ୍ୟ ବାବଦରେ ଖବର ନେବାପରେ ଜଣାପଡ଼ିଲା ଯେ ଏହି ପାନକାର୍ଡଟି ଏକ ଇନଭ୍ୟାଲିଡ ପାନ କାର୍ଡ ଅର୍ଥାତ ଏହି ପାନକାର୍ଡ଼ କାହାରିକୁ ଦିଆଯାଇ ନାହିଁ ବୋଲି ନିଜେ ବିଭାଗୀୟ କର୍ତ୍ତୃପକ୍ଷ କହିଥିବା କଂଗ୍ରେସ ଅଭିଯୋଗ କରିଛି।

ଜନପ୍ରତିନିଧିତ୍ୱ ଅଧିନିୟମ ୧୯୫୧ ଧାରା ୪ଏ ଅନୁସାରେ ଜଣେ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ସମୟରେ ଫର୍ମ-୨୬ ସହିତ ଏକ ସତ୍ୟପାଠ ବା ଶପଥପତ୍ର ମଧ୍ୟ ଦାଖଲ କରିଥାନ୍ତି ଏହାର ଅର୍ଥ ନିଜେ ପ୍ରାର୍ଥୀ ଶପଥପାଠରେ ଘୋଷଣା କରିଥାନ୍ତି ଯେ ତାଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ ତଥ୍ୟ ସମ୍ପୂର୍ଣ୍ଣଭାବେ ଠିକ ଓ ନିର୍ଭୁଲ। କିନ୍ତୁ ପ୍ରାର୍ଥୀପତ୍ର ଯାଞ୍ଚ ସମୟରେ ରିଟର୍ଣ୍ଣିଂ ଅଫିସର ତାଙ୍କର ଏହି ମିଥ୍ୟା ତଥ୍ୟ ଯାହା ଦାଖଲ କରିଛନ୍ତି ତାହାକୁ ଜାଣିଶୁଣି ବା ଅଜାଣତରେ ଛାଡ଼ି ଦେଇଛନ୍ତି କି?
ଫର୍ମ-୨୬ ରେ ମିଛ ତଥ୍ୟ ଦେଇଥିବା ହେତୁ ତାଙ୍କ ନାମାଙ୍କନ ପତ୍ର ଖାରଜ ହେବା ପରିବର୍ତ୍ତେ କିପରି ଯାଞ୍ଚ ପ୍ରକ୍ରିୟାରେ କାଏମ ରହିଲା ଏହାକୁ ନେଇ ପ୍ରଦେଶ କଂଗ୍ରେସର ବରିଷ୍ଠ ମୁଖପାତ୍ର ରଜନୀ କୁମାର ମହାନ୍ତି ଏ ପ୍ରଶ୍ନକୁ ଉପସ୍ଥାପନ କରିଛନ୍ତି। ଶ୍ରୀ ମହାନ୍ତି କହିଛନ୍ତି ଯେ ଯଦି ତାଙ୍କ ନାମାଙ୍କନ ପତ୍ରରେ ଯେଉଁ ପାନ ନମ୍ବର ଦେଇଛନ୍ତି ଯଦି ତାହା ତାଙ୍କର ନୁହେଁ ତାହାଲେ ଏହା କାହାର । ଏ କଥାର ସ୍ପଷ୍ଟୀକରଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରଖନ୍ତୁ । ସବୁଠାରୁ ଆଶ୍ଚର୍ଯ୍ୟର କଥା ବିଗତ ପାଞ୍ଚ ବର୍ଷର ସେ ଯେଉଁ ୫ ବର୍ଷର ଆୟକର ଦାଖଲ କରିଥିବାର ତଥ୍ୟ ପ୍ରଦାନ କରିଛନ୍ତି ତାହା କେଉଁ ପାନ ନମ୍ବର ଅନୁସାରେ ଦେଇଛନ୍ତି ଏହା ନିର୍ବାଚନ ଆୟୋଗ ଯାଞ୍ଚ କରୁ। ଜଣେ ଇନଭାଲିଡ ପାନକାର୍ଡରେ ଆୟକର ଦାଖଲ କିଭଳି କରିବେ? ଏହା ହେଉଛି ସବୁଠାରୁ ବଡ଼ ପ୍ରଶ୍ନ।

ବିଧାୟକ ତଥା ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦୁଇଟି ପାନକାର୍ଡ ରଖିଛନ୍ତିକି? ଯଦି ଏହା ହୋଇଥାଏ ଏହାମଧ୍ୟ ଏକ ଧର୍ତ୍ତବ୍ୟ ଅପରାଧ। ମିଛ ତଥ୍ୟ ପ୍ରଦାନ ଜନପ୍ରତିନିଧି ଆଇନ-୧୯୫୧ର ୪ଏର ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ। ନିର୍ବାଚନ ଆୟୋଗ ଏ ଖବର ଜାଣିଲାପରେ ସେତେବେଳର ରିଟର୍ଣ୍ଣିଂ ଅଫିସରଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେକି ବୋଲି ସେ ପ୍ରଶ୍ନ କରିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ ଜନପ୍ରତିନିଧି ଆଇନ-୧୯୫୧ ଧାରା ୩୨ ଓ ୩୩ ରେ ସ୍ପଷ୍ଟ ଭାବରେ ଉଲ୍ଲେଖ ଅଛି ଯଦି ଜଣେ ବ୍ୟକ୍ତି ମିଛ ତଥ୍ୟ ଦେଇ ନାମାନଙ୍କ ପତ୍ର ଦାଖଲ କରିବା ସହିତ ନିର୍ବାଚିତ ହୋଇଛନ୍ତି ଏବଂ ତାଙ୍କ ବିରୋଧରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦିମାନେ ନିର୍ବାଚନ ଆୟୋଗ ଦ୍ୱାରା ଦିଅଯାଇଥିବା ଧାର୍ଯ୍ୟ ସମୟ ଭିତରେ ଯଦି ଅଭିଯୋଗ କରି ନାହାନ୍ତି ତାହାଲେ ମଧ୍ୟ ନିର୍ବାଚିତ ପ୍ରତିନିଧି ବିରୋଧରେ ଅପରାଧିକ ମାମଲା ଦାଏର କରାଯାଇ ତାଙ୍କୁ ଦଣ୍ଡିତ କରାଯାଇ ପାରିବ।
ନିର୍ବାଚନ ଆୟୋଗ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା ଓ ଗଣତନ୍ତ୍ରର ସୁସ୍ଥ ପରମ୍ପରାକୁ ବଜାୟ ରଖନ୍ତୁ ବୋଲି ସେ କହିବା ସହିତ ବିଧାୟକ ତଥା ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ବିଧାୟକ ପଦକୁ ତୁରନ୍ତ ରଦ୍ଦ କରାଯାଉ ବୋଲି ରାଜ୍ୟ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।
Also readhttps://purvapaksa.com/?p=39656


