TPCODL: ଟାଟା ୨୪୬ କୋଟି ଅଧିକ ଆୟ କରିଛି। ଅପରପକ୍ଷେ ଏହାକୁ ସ୍ୱୀକାର କରି ଫେରସ୍ତ କରିବା ବଦଳରେ କ୍ଷତି ଦର୍ଶାଇ ଆସନ୍ତା ବର୍ଷଠାରୁ ବିଜୁଳି ୟୁନିଟ ପିଛା ଦରରେ ଉପଭୋକ୍ତାଙ୍କଠାରୁ ଅଧିକ ୧୨ ଟଙ୍କା ୪୨ ପଇସା ଆଦାୟ କରିବାକୁ ପ୍ରସ୍ତାବ ଦେଇଛି।
ରାଜ୍ୟର ବିଜୁଳି ଉପଭୋକ୍ତାଙ୍କୁ ବିଜୁଳି ବଣ୍ଟନ କରୁଥିବା ଟାଟା ପାଓ୍ୱାର ଦିନକୁ ଦିନ ଅମାନିଆ ହେବାରେ ଲାଗିଛି। ଏପରିକି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କୁ ମଧ୍ୟ ଅମାନ୍ୟ କରିଥିବା ନେଇ ଅଭିଯୋଗ ହୋଇଛି। ଯାହାଫଳରେ ଟାଟା ୨୪୬ କୋଟି ଅଧିକ ଆୟ କରିଛି। ଅପରପକ୍ଷେ ଏହାକୁ ସ୍ୱୀକାର କରି ଫେରସ୍ତ କରିବା ବଦଳରେ କ୍ଷତି ଦର୍ଶାଇ ଆସନ୍ତା ବର୍ଷଠାରୁ ବିଜୁଳି ୟୁନିଟ ପିଛା ଦରରେ ଉପଭୋକ୍ତାଙ୍କଠାରୁ ଅଧିକ ୧୨ ଟଙ୍କା ୪୨ ପଇସା ଆଦାୟ କରିବାକୁ ପ୍ରସ୍ତାବ ଦେଇଛି।
ଓଇଆର୍ସି ପକ୍ଷରୁ ଷଷ୍ଠ ଦିନରେ ପହଞ୍ଚିଥିବା ଜନ ଶୁଣାଣିରେ ଟାଟା ପାଓ୍ୱାରର କେନ୍ଦ୍ରୀୟ ବିତରଣ କମ୍ପାନୀ ଟିପିସିଓଡିଏଲ୍ ଏହି ପ୍ରସ୍ତାବ ଦେଇ ବିଦ୍ୟୁତ୍ ବଣ୍ଟନରେ କ୍ଷତି ସହୁଥିବା ଦର୍ଶାଇଛି। ଆସନ୍ତା ବର୍ଷ ବିଜୁଳି ବଣ୍ଟନରେ ୨୩୭୪ ୟୁନିଟ୍ କ୍ଷତି ହେବ ବୋଲି ଆକଳନ କରିଛି। ଯାହାକି କମ୍ପାନୀକୁ ଆର୍ଥିକଭାବେ ୧୪୨ କୋଟି ୧୫ ଲକ୍ଷ ଟଙ୍କା କ୍ଷତି ପହଞ୍ଚାଇବ ବୋଲି କମ୍ପାନୀ କହିଛି। ବିଦ୍ୟୁତ୍ ନିୟାମକଙ୍କୁ ଏହାର କ୍ଷତିଭରଣା ଲାଗି ବିଜୁଳି ଦର ବୃଦ୍ଧି ପାଇଁ ନିବେଦନ କରିଛି। ଏଥିରେ କୁହାଯାଇଛି ଯେ ଆସନ୍ତା ଆର୍ଥିକ ବର୍ଷର ଚାହିଦା ପୂରଣ ଲାଗି ଟିପିସିଓଡିଏଲ୍ ଗ୍ରୀଡକୋଠାରୁ ୧୩୮୨ କୋଟି ୩ ନିୟୁତ ବିଦ୍ୟୁତ୍ କିଣିବ। ଏଥିଲାଗି ଗ୍ରୀଡକୋକୁ ୪୬୮୮ କୋଟି ୩୬ ଲକ୍ଷ ଟଙ୍କା ପ୍ରଦାନ କରିବ। ଏହି ବିଦ୍ୟୁତ୍ ସରବରାହବେଳେ ୧୭.୧୭% କ୍ଷତି ହେବ ଯାହାର ମୂଲ୍ୟ ୧୪୨ କୋଟି ୧୫ ଲକ୍ଷ ଟଙ୍କା।
ଟିପିସିଓଡିଏଲର ଏହି ଆବେଦନକୁ ଶୁଣାଣିବେଳେ ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଛନ୍ତି, ଟାଟା ଏବେ ଓଇଆର୍ସିଙ୍କ ଦ୍ୱାରା ସ୍ଥିର କରାଯାଇଥିବା ଦେୟରୁ ୟୁନିଟ ପିଛା ୨୮ ପଇସା ଅଧିକ ଆୟ କରୁଛି। ଏ ବାବଦରେ କମ୍ପାନୀ ଚଳିତ ବର୍ଷ ୨୪୬ କୋଟି ୪୬ ଲକ୍ଷ ଟଙ୍କା ଅଧିକ ଆୟ କରିଛି। ଏହା ବିଦ୍ୟୁତ୍ ଆଇନର ଉଲ୍ଲଂଘନ ଏବଂ ଏହାକୁ କମ୍ପାନୀ ଗ୍ରାହକଙ୍କୁ ସୁଧ ସହ ଫେରାଇବା ଆବଶ୍ୟକ। ଅପରପକ୍ଷେ ଟାଟା ପାଓ୍ୱାର ବିଜୁଳି ବିତରଣ ଦାୟିତ୍ୱ ନେବା ପରେ ରାଜ୍ୟରେ ବିଦ୍ୟୁତ୍ କାଟ ବଢ଼ିଥିବା କୁହାଯାଇଛି। ଓଡ଼ିଶାରେ ମାସକୁ ୧୦ ଘଣ୍ଟା ତଥା ୧୫ଥର ବିଦ୍ୟୁତ୍ କାଟର ବ୍ୟବସ୍ଥା ରହିଥିବାବେଳେ ଏବେ ୧୫ ଘଣ୍ଟା ଓ ୨୬ ଥରକୁ ବୃଦ୍ଧି ପାଇଛି।
ଏହି ଜନଶୁଣାଣିକୁ ଆଧାର କରି ଶକ୍ତି ବିଭାଗ ଓଇଆର୍ସିଙ୍କ ନିକଟରେ ରିପୋର୍ଟ ଉପସ୍ଥାପନ କରିବ। ରିପୋର୍ଟକୁ ବିଚାର କରି ଓଇଆର୍ସି ଆସନ୍ତା ବର୍ଷ ଲାଗି ଦର ନିର୍ଦ୍ଧାରଣ କରିବେ। ବିଗତ ଦୁଇବର୍ଷ ହେଲା ରାଜ୍ୟରେ ବିଦ୍ୟୁତ୍ ଦର ବୃଦ୍ଧି ହୋଇ ନାହିଁ ଏବଂ ଶକ୍ତି ବଳକା ରାଜ୍ୟଭାବେ ପରିଚିତ ଓଡ଼ିଶାରେ ବିଦ୍ୟୁତ୍ ଦର ବୃଦ୍ଧି ବାବଦରେ କୌଣସି ନିଷ୍ପତ୍ତି ଏବେ ନିଆଯାଇ ନାହିଁ ବୋଲି ଶକ୍ତି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ସୂଚନା ଦେଇଛନ୍ତି।
Also readhttps://purvapaksa.com/arvind-kejriwal-not-going-rajya-sabha-aap-denied-what-is-next-political-plan/
ଯଦି ରାଜ୍ୟସଭା ଯିବେନାହିଁ ଆପ୍ ସୁପ୍ରିମୋ ତେବେ କେଜ୍ରିୱାଲଙ୍କ ମନରେ କ’ଣ ଚାଲିଛି?
