CM Grievance: ବିଗତ ୯ ମାସରେ ୩୨ଟି ସୋମବାର ଲୋକଙ୍କ ପାଇଁ ଉତ୍ସର୍ଗ କରାଯାଇଥିଲେ ମଧ୍ୟ ଭିନ୍ନ ଭିନ୍ନ କାରଣ ଦେଖାଇ ମୁଖ୍ୟମନ୍ତ୍ରୀ କେବଳ ୬ ଦିନ ହିଁ ଲୋକଙ୍କୁ ଭେଟିଛନ୍ତି, ତାଙ୍କ ଦୁଃଖ ସୁଖ ବୁଝିଛନ୍ତି।
ଇଏ ଲୋକଙ୍କ ମୁଖ୍ୟମନ୍ତ୍ରୀ ନା ଖାଲି ପ୍ରଚାର କରୁଛନ୍ତି? ଲୋକଙ୍କ ଦୁଃଖ ଶୁଣୁଛନ୍ତି ନା ପ୍ରହେଳିକା ତିଆରି କରୁଛନ୍ତି? ବିଧାନସଭାରେ ନିଜକୁ ଶିଶୁ ବୋଲି କହି ବିରୋଧୀ ଦଳଠୁ ବର୍ତ୍ତିବା ଲାଗି ପ୍ରୟାସ କରୁଥିବା ଏ ମୁଖ୍ୟମନ୍ତ୍ରୀ ସତରେ କ’ଣ ଲୋକଙ୍କ ମନରେ ନିଜର ସରଳ ଚିତ୍ରପଟକୁ ରକ୍ଷା କରିପାରୁଛନ୍ତି?
ଏ ଭିତରେ ୯ ମାସ ବିତିଗଲାଣି ସରକାରକୁ। କିନ୍ତୁ ଯେଉଁ ଉତ୍କଣ୍ଠାର ସହ ସାଧାରଣ ଲୋକେ ସରକାର ବଦଳାଇଥିଲେ ତାହାର ସଫଳ ବାସ୍ତବତା ଦେଖିବାକୁ ମିଳୁ ନାହିଁ। ଏପରିକି ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଲୋକ ଭେଟିବାକୁ ବି ସୁଯୋଗ ପାଉନାହାନ୍ତି। ବିଗତ ୯ ମାସରେ ୩୨ଟି ସୋମବାର ଲୋକଙ୍କ ପାଇଁ ଉତ୍ସର୍ଗ କରାଯାଇଥିଲେ ମଧ୍ୟ ଭିନ୍ନ ଭିନ୍ନ କାରଣ ଦେଖାଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେବଳ ୬ ଦିନ ହିଁ ଲୋକଙ୍କୁ ଭେଟିଛନ୍ତି, ତାଙ୍କ ଦୁଃଖ ସୁଖ ବୁଝିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ତଥ୍ୟରୁ ଏହା ସ୍ପଷ୍ଟ ଜଣାପଡ଼ୁଛି।
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୂଚନା ଆଧାରରେ ଜୁଲାଇ ୧ ତାରିଖରେ ପ୍ରଥମ ଦରବାର ବସିଥିଲା। ଦୁଇ ଉପମୁଖ୍ୟମନ୍ତ୍ରୀ, ଅଧିକାରୀଙ୍କ ସହ ବସିଥିଲେ ମୁଖ୍ୟମନ୍ତ୍ରୀ। ଏହା ପରେ ଖବରକାରଗଜ ଓ ମିଡିଆରେ ଅନେକ ପ୍ରଶଂସା ବି ସେ ସାଉଁଟିଥିଲେ। କିନ୍ତୁ ଏହାପର ସୋମବାର ଦିନ ରଥଯାତ୍ରା ଛୁଟି ଆଧାରରେ ଅଭିଯୋଗ ଶୁଣାଣି ବନ୍ଦ କରାଯାଇଥିଲା ଯେଉଁ ବ୍ୟକ୍ତିମାନେ ଆଶା ବାନ୍ଧିଥିଲେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିଧାସଳଖ କିଛି ଲାଭ ପାଇବେ ତାହା ମଉଳି ଗଲା।
ପୁଣି ୧୫ ତାରିଖରେ ସଭା ବସିଲା। ଅନେକ ଆୟୋଜନ ବି ଏଥର ହୋଇଥିଲା। ହେଲେ ତା ପରେ ୨ ସୋମବାର ଅଭିଯୋଗ ଶୁଣାଣି ବନ୍ଦ ରହିଲା। ଅର୍ଥାତ୍ ଜୁଲାଇର ୫ ସୋମବାରରୁ ୨ ସେମାବାର ଶୁଣାଣି ହେଲା ଆଉ ୩ ସୋମବାର ଶୁଣାଣି ରହିଥିଲା ସମ୍ପୂର୍ଣ୍ଣବନ୍ଦ।
ଅବିକଳ ସେଇ କଥା ଅଗଷ୍ଟରେ ମଧ୍ୟ ଘଟିଥିଲା। ଅଗଷ୍ଟ ୫ ତାରିଖ ମାସର ପ୍ରଥମ ସୋମବାରରେ ଅଭିଯୋଗ ପ୍ରକୋଷ୍ଠ ଖୋଲାଥିଲା। ୫ ହଜାର ଲୋକ ଏକାଠି ହୋଇଥିଲେ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି ଜଣାଇବାକୁ। ୨୦୪୩ ଆବେଦନକୁ ପ୍ରତ୍ୟକ୍ଷ ଭାବେ ଯାଞ୍ଚ କରି ମୁଖ୍ୟମନ୍ତ୍ରୀ ପ୍ରଶଂସା ସାଉଁଟିଥିଲେ। ଆଉ ତା’ ପରେ ତିନି ସୋମବାର ବନ୍ଦ ରହିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ।
ସେପ୍ଟେମ୍ୱର ମାସରେ ୨ତାରିଖ, ୯ତାରିଖ ଏବଂ ସେପ୍ଟେମ୍ୱର ୧୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିଲା । ବିଧାନସଭାର ଅଧିବେଶନକୁ ଏଥିଲାଗି କାରଣ ବୋଲି ଦର୍ଶାଯାଇଥିଲା। ପୁଣି ସେପ୍ଟେମ୍ୱର ୧୬ ତାରିଖରେ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ଥିବାରୁ ଅଭିଯୋଗ ଶୁଣାଣି ବି ବନ୍ଦ ରହିଥିଲା।
ଅକ୍ଟୋବର ମାସରେ କେବଳ ୨୧ ତାରିଖ ଦିନ ଅଭିଯୋଗ ପ୍ରକୋଷ୍ଠ ଖୋଲା ରହିଥିଲା। ଏହାପରେ ୨୮ ତାରିଖରେ ଲୋକଙ୍କଠାରୁ ଅଭିଯୋଗ ଶୁଣାଣିରେ ହାଜର ହେବା ଲାଗି ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ତାହାକୁ ହଠାତ୍ ବନ୍ଦ କରାଗଲା।
ଏହି ଦିନ ପାଇଁ ନିବେଦନ ଦେଇଥିବା ୧୦୦୦ ଲୋକଙ୍କ ଅଭିଯୋଗର ଶୁଣାଣି ଡିସେମ୍ବର ୧୬ ତାରିଖରେ ହୋଇଥିଲା। ନଭେମ୍ବର ଓ ଜାନୁୟାରୀ ମାସରେ କୌଣସି ଶୁଣାଣି ହୋଇନଥିଲା। ଏବେ ଫେବୃୟାରୀ ଆରମ୍ଭରୁ ଦୁଇଟି ସୋମବାର ଶୁଣାଣି ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର।
ମୋଟାମୋଟି ଭାବେ କହିବାକୁ ଗଲେ ଏହି ୯ ମାସର ଶାସନରେ ୬ ଦିନ ସାଧାରଣ ଲୋକଙ୍କ ପାଇଁ ସମୟ ଦେଇଛନ୍ତି ସରକାର। ଆଉ ସବୁଦିନ ମୁଖ୍ୟମନ୍ତ୍ରୀ ବିଭିନ୍ନ ସରକାରୀ, ବେସରକାରୀ ତଥା ନିଜ ନିର୍ବାଚନ ମଣ୍ଡଳୀରେ ହିଁ କାଟିଛନ୍ତି।
ପ୍ରଶ୍ନ ଉଠୁଛି, ଯଦି ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିବା ଏତେ କଷ୍ଟକର ତେବେ ପୂର୍ବରୁ ସାଧାରଣ ଲୋକଙ୍କ ମନରେ ଅଭିଯୋଗ ଶୁଣାଣି ପାଇଁ ଏତେ ଡ୍ରାମା କାହିଁକି ହେଉଥିଲା?
ବିରୋଧୀ ଦଳରେ ଥିବାବେଳେ ନବୀନ ସରକାରଙ୍କୁ ଏ ନେଇ କାହିଁକି ସମାଲୋଚନା କରୁଥିଲେ?
ତୃତୀୟ ପ୍ରଶ୍ନ ହେଉଛି ଯଦି ସ୍ୱଳ୍ପ ଦିନର ନୋଟିସରେ ଅଭିଯୋଗ ଶୁଣାଣିକୁ ବାତିଲ କରାଯାଇପାରୁଛି ବା ୧୦୦୦ ଲୋକଙ୍କ ଅଭିଯୋଗ ଗ୍ରହଣ କରାଯାଉଛି ତେବେ କାହିଁକି ଶୁଣାଣି ଦିନକୁ ସେହି ସପ୍ତାହର ଅନ୍ୟ ଦିନରେ ନିର୍ଦ୍ଧାରଣ କରାଯାଇ ପାରୁ ନାହିଁ? ଏହା କ’ଣ ଆନ୍ତରିକତାର ଅଭାବକୁ ସୂଚୀତ କରୁନାହିଁ?
ଆଉ ଏକ ପ୍ରଶ୍ନ ବି ମନକୁ ଆସେ ଏ ଅଭିଯୋଗ ଶୁଣାଣିରେ ସତରେ କ’ଣ ଲୋକଙ୍କୁ ଫାଇଦା ମିଳୁଛି? ଏହାକୁ ନେଇ ସରକାର ବିଧାନସଭାରେ ରଖିଥିବା ଉତ୍ତରକୁ ଉଲ୍ଲେଖ କରାଯାଇପାରେ। ଏ ଭିତରେ ଅର୍ଥାତି୍ ୬ ଦିନର ଶୁଣାଣିରେ ସରକାରଙ୍କ ପାଖରେ ୭୨ ହଜାର ୮୫୦ ଅଭିଯୋଗ ଦାଖଲ ହୋଇଛି। ସେଥିରୁ ମୁଖ୍ୟମନ୍ତ୍ରୀ ସିଧା ସଳଖ ୮୭୩୭ ଅଭିଯୋଗ ଗ୍ରହଣ କରିଛନ୍ତି। ସମାଧାନ ହୋଇଛି ୧୪ ହଜାର ୧୩୬ଟି ଅଭିଯୋଗ।
ଏହି ସୂଚନା ଏହା ବି ସ୍ପଷ୍ଟ କରୁଛି ଯେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଅଧିକାରୀଙ୍କ ଉପରେ ଅଧିକ ଚାପ ପକାଉଛି। ଆଉ ଏହି ଚାପକୁ କମାଇବା ଲାଗି ପ୍ରଥମେ ଅଭିଯୋଗ ଦାଖଲ ସଂଖ୍ୟା ସର୍ବାଧିକ ୧ ହଜାରରେ ସୀମିତ ରଖାଯାଇଛି। ଆଉ ଏବେ ମାସ ମାସ ଧରି ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ଭେଟ ହେବାର ସୁଯୋଗରୁ ଦୂରରେ ରଖାଯାଉଛି। ଏହି ଅଧିକାରୀଙ୍କ ଚକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ‘ସାଧାରଣଙ୍କ ମୁଖ୍ୟମନ୍ତ୍ରୀ’ ପ୍ରତିଛବିରେ ଆଞ୍ଚ ଆସୁନାହିଁ କି?
