ସଫେଇ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ଘୋଷଣା । ଏଣିକି ସଫେଇ କର୍ମଚାରୀ ୧୦ ଲକ୍ଷର ଜୀବନବୀମା ସାଙ୍ଗକୁ କର୍ମ କ୍ଷେତ୍ରରେ ଜୀବନହାନୀ ହେଲେ ୩୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ, ପ୍ରମୁଖ ପରିମଳ କର୍ମୀଙ୍କୁ ମୋବାଇଲ ଫୋନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶନିବାର ଲୋକସେବା ଭବନଠାରେ ସଫେଇ କର୍ମଚାରୀଙ୍କ ସଶକ୍ତିକରଣ ପାଇଁ ଆୟୋଜିତ ‘ଗରିମା’ କାର୍ଯ୍ୟକ୍ରମକୁ ଉଦ୍ଘାଟନକରି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।
ସହରୀ ପିଏମ ଆବାସ ଯୋଜନାରେ ସଫେଇ କର୍ମୀଙ୍କୁ ଛାତ ଘର ମଧ୍ୟ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ (ସହରୀ) ଯୋଜନାରେ ବାସଗୃହ ପ୍ରଦାନ ଏବଂ ପରିମଳ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ଅଗଷ୍ଟ ୧୫ ରୁ ୩୦ ତାରିଖ ପର୍ଯ୍ୟନ୍ତ ୧୫ ଦିନିଆ ରାଜ୍ୟବ୍ୟାପୀ ଆଇଇସି କାର୍ଯ୍ୟକଳାପ କରାଯିବ, ଏହା ସହିତ ପ୍ରତିବର୍ଷ ଓଡିଶାରେ ଏ ସମ୍ପର୍କିତ ଜାତୀୟ କର୍ମଶାଳା ଆୟୋଜନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଓଡିଶାରେ କାର୍ଯ୍ୟକାରୀ ହେଉଥିବା ଗରିମା ଯୋଜନା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଯୋଜନାରେ ପରିମଳ କର୍ମୀଙ୍କୁ ଚିହ୍ନଟକରଣ ଓ ପରିଚୟ ପ୍ରଦାନ, ସୁରକ୍ଷା ଉପକରଣ ପ୍ରଦାନ, ଦକ୍ଷତା ବିକାଶ, ଆପତକାଳୀନ ପରିମଳ ସେବା ୟୁନିଟ୍ ସ୍ଥାପନ, ସାମାଜିକ ସୁରକ୍ଷା ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯାଉଛି ।
ରାଜ୍ୟର ୧୧୫ଟି ସହରର ୧୦ ହଜାରରୁ ଅଧିକ ପରିମଳ କର୍ମଚାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ କୁଶଳୀ ଓ ଅତିକୁଶଳୀ କର୍ମଚାରୀ ଭାବେ ସ୍ୱୀକୃତି ପ୍ରଦାନ କରାଯାଇଛି। ଏହି ମଞ୍ଚରୁ ବିଭିନ୍ନ ରାଜ୍ୟରୁ ଆସିଥିବା ପରିମଳ କର୍ମୀମାନେ ପରସ୍ପର ମଧ୍ୟରେ ଭାବ ବିନିମୟ ଓ ଅନୁଭୂତିରୁ ବହୁତ କଥା ଶିଖି ପାରିବେ। ସମସ୍ତଙ୍କ ଅନୁଭବ ଓ ଶ୍ରେଷ୍ଠ ଚିନ୍ତାଧାରା ନେଇ ଆମେ ଆଗକୁ ବଢିବା ଓ ଏକ ସମାବେଶୀ ଓ ବିକଶିତ ଭାରତ ନିର୍ମାଣରେ ନିଜି ନିଜର ଯୋଗଦାନ ରଖିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ‘ଗରିମା’ ସଫେଇ କର୍ମଚାରୀଙ୍କ ପାଇଁ ଆୟୋଜିତ ଦୁଇଦିନିଆ ଜାତୀୟସ୍ତରୀୟ କର୍ମଶାଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କ ଉତ୍ତମ କାମ ପାଇଁ କେତେକ ସଫେଇ କର୍ମଚାରୀଙ୍କୁ ପୁରସ୍କୃତ କରିଥିଲେ ମଧ୍ୟ।
Also Readhttps://purvapaksa.com/corrupt-officials-and-land-purchases-in-the-capital/
Corrupt officer and land purchases in the capital ।। ଦୁର୍ନୀତିଗ୍ରସ୍ତ ଅଫିସର ଓ ରାଜଧାନୀରେ ଜମି କିଣା
