- ଆଇସିସି ଘୋଷଣାକୁ ଅପେକ୍ଷା
- ପାକିସ୍ତାନର ସର୍ତ୍ତ ମାନିଲାନି ଆଇସିସି
ହାଇବ୍ରିଡ୍ ମଡେଲରେ ଆଗାମୀ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବା ଏକପ୍ରକାର ନିଶ୍ଚିତ ହୋଇ ଯାଇଛି । କେବଳ ଆଇସିସିର ଘୋଷଣା ବାକି ରହିଛି। ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଶେଷରେ ବିସିସିଆଇ ଆଗରେ ମୁଣ୍ଡ ନୁଆଁଇଛି । ଯଦିଓ ଆଇସିସ ପକ୍ଷରୁ ଅଫିସିଆଲ ଭାବେ କିଛି ଘୋଷଣା କରାଯାଇ ନାହିଁ । କିନ୍ତୁ ସବୁକିଛି ଚୂଡ଼ାନ୍ତ ହୋଇ ସାରିଛି ବୋଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।
ଜୟ ଶାହ ନୂଆ ଆଇସିସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଚାମ୍ପିଅନ୍ସ ଟ୍ରଫିକୁ ନେଇ ତାଙ୍କ ଅଧ୍ୟକ୍ଷତାରେ ପ୍ରଥମ ବୈଠକ ବସିଥିଲା । ପାକିସ୍ତାନର କୌଣସି ଦାବିକୁ ଆଇସିସି ଗ୍ରହଣକରି ନଥିଲା । ପିସିବି ୩ଟି ସର୍ତ୍ତ ଆଇସିସି ନିକଟରେ ରଖିଥିଲା । ସେଗୁଡ଼ିକ ଥିଲା, ୨୦୩୧ ପର୍ଯ୍ୟନ୍ତ ଭାରତରେ ଖେଳାଯିବାକୁ ଥିବା ଟୁର୍ଣ୍ଣାମେଣ୍ଟରେ ହାଇବ୍ରିଡ ମଡେଲ, ୨୦୨୫ ଚାମ୍ପିଅନ୍ସ ଟ୍ରଫିରେ ହାଇବ୍ରିଡ ମଡେଲ ପାଇଁ କ୍ଷତିପୂରଣ ଏବଂ ଭାରତକୁ ନେଇ ତ୍ରିରାଷ୍ଟ୍ରୀୟ ସିରିଜର ଆୟୋଜନ ।
ଆଗାମୀ ଚାମ୍ପିଅନ୍ସ ଟ୍ରଫିରେ ଭାରତ ତା’ର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ । ଯଦି ଭାରତ ସେମି ଫାଇନାଲ ଏବଂ ଫାଇନାଲକୁ ଉନ୍ନୀତ ହୁଏ ତେବେ ଏହି ମ୍ୟାଚ୍ ଦ୍ୱୟ ଦୁବାଇରେ ଖେଳାଯିବ । ନଚେତ ଲାହୋରରେ ଆୟୋଜିତ ହେବ । ଭାରତ ଓ ପାକିସ୍ତାନ ମ୍ୟାଚ୍ ଦୁବାଇରେ ଖେଳାଯିବ ।
ସୁରକ୍ଷା ଦୃଷ୍ଟିରୁ ଭାରତୀୟ ଦଳ ପାକିସ୍ତାନ ଗସ୍ତରେ ଯିବ ନାହିଁ ବୋଲି ବିସିସିଆଇ ମନା କରିବାପରେ ପିସିବି ଉତକ୍ଷିପ୍ତ ହୋଇଥିଲା। ହାଇବ୍ରିଡ ମଡେଲରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ ନାହିଁ ବୋଲି ନିଜ ଜିଦରେ ଅଟଳ ରହିଥିଲା ଏବଂ ଏଥିପାଇଁ ବିଭିନ୍ନ ସର୍ତ୍ତ ରଖିଥିଲା। ୨୦୨୫ ଚାମ୍ପିଅନ୍ସ ଟ୍ରଫି ୟୁଏଇ ଓ ପାକିସ୍ତାନରେ ଆୟୋଜନ ହେବ ଏବଂ ଭାରତ ଦୁବାଇରେ ମ୍ୟାଚ୍ ଖେଳିବ। ଏହା ସମସ୍ତ ପ୍ରାୟୋଜକଙ୍କ ପାଇଁ ଏକ ଲାଭଜନକ ରହିବ। ଆଇସିସିର ଏହି ବିଚାରକୁ ସମସ୍ତ ବୋର୍ଡ ସଦସ୍ୟ ଗ୍ରହଣ କରିଥିଲେ।
ଆସନ୍ତା ବର୍ଷ ଫେବ୍ରୁଆରି-ମାର୍ଚ୍ଚରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ହେବ। ଗତ ସପ୍ତାହରେ ଆଇସିସି ବୈଠକରେ ପିସିବି ବହିଷ୍କାର ଧମକ ପ୍ରତ୍ୟାହାର କରି ହାଇବ୍ରିଡ୍ ମଡେଲ ଆପଣେଇବାକୁ ରାଜି ହୋଇଥିଲା। ୨୦୩୧ ପର୍ଯ୍ୟନ୍ତ ନିଜ ପାଇଁ ପାରସ୍ପରିକ ବ୍ୟବସ୍ଥା କରିବାକୁ ଦାବି କରିଥିଲା। ତେବେ ଆଇସିସି ୨୦୨୭ ପର୍ଯ୍ୟନ୍ତ ଏହାର ସମସ୍ତ ଇଭେଣ୍ଟକୁ ହାଇବ୍ରିଡ୍ ମଡେଲରେ ଆୟୋଜନ କରିବାକୁ ରାଜି ହୋଇଛି। ଏହି ସମୟ ମଧ୍ୟରେ ଭାରତ ଚଳିତ ବର୍ଷ ଅକ୍ଟୋବରରେ ମହିଳା ଦିନିକିଆ ବିଶ୍ୱକପ୍ ଏବଂ ୨୦୨୬ ପୁରୁଷ ଟି-୨୦ ବିଶ୍ୱକପ୍ ଶ୍ରୀଲଙ୍କା ସହ ମିଳିତ ଭାବେ ଆୟୋଜନ କରିବ। ୨୦୨୬ ପୁରୁଷ ଟି-୨୦ ବିଶ୍ୱକପ୍ରେ ପାକିସ୍ତାନ ତା’ର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିବ।
ଆଇସିସି ଏବଂ ପ୍ରସାରକମାନଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ଅନୁଯାୟୀ ଗଭର୍ଣ୍ଣିଂ ବଡି ଅତି କମରେ ୯୦ ଦିନ ପୂର୍ବରୁ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ପ୍ରଦାନ କରିବା କଥା। କିନ୍ତୁ ଏହି ସମୟସୀମାକୁ ଅତିକ୍ରମ ହୋଇସାରିଛି। ଚ୍ୟାନେଲର ପ୍ରତିନିଧିମାନେ ଦୁବାଇରେ ରହି ଶାହାଙ୍କ ସହ ‘ହାଇବ୍ରିଡ୍ ମଡେଲ୍’ର ପରିଚାଳନା ପଦ୍ଧତି ଏବଂ ସମ୍ଭାବ୍ୟ କାର୍ଯ୍ୟସୂଚୀ ବିଷୟରେ ଆଲୋଚନା କରିବାରଥିଲା। କିନ୍ତୁ ସେହି ବୈଠକକୁ ସ୍ଥଗିତ ରଖାଯାଇଛି।
ଭାରତ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଗସ୍ତ କରିନାହିଁ, ଯେଉଁଥିରେ ୧୫୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ଶେଷ ଥର ପାଇଁ ୨୦୧୨ରେ ସେମାନଙ୍କର ଦ୍ୱିପାକ୍ଷିକ ସିରିଜ ଖେଳାଯାଇଥିଲା।
previous article: https://purvapaksa.com/icc-mens-player-of-the-month-nominees-for-november-announced/