କରିବେ ‘ଦାନା’ କ୍ଷୟକ୍ଷତି ଆକଳନ
ବାତ୍ୟା ‘ଦାନା’ ଓ ପରବର୍ତ୍ତୀ ବନ୍ୟା ପରିସ୍ଥିତିଜନିତ କ୍ଷୟକ୍ଷତିର ଆକଳନ ପାଇଁ ଆସନ୍ତା ୨୪ତାରିଖରେ କେନ୍ଦ୍ର ସରକାରଙ୍କ ଆନ୍ତଃମନ୍ତ୍ରଣାଳୟ ଟିମ୍ ଓଡିଶା ଆସିବେ । ଏହି ଟିମ୍ ୨୭ତାରିଖ ପର୍ଯ୍ୟନ୍ତ ଓଡିଶାରେ ରହି ପ୍ରଭାବିତ ୩ଟି ଜିଲ୍ଲା ଗସ୍ତ କରିବା ସହ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବ ବୋଲି ଜଣାପଡିଛି । ଏ ନେଇ ସୂଚନା ଦେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ‘ଦାନା’ କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ୨୪ତାରିଖରେ ଓଡ଼ିଶା ଆସିବେ । ୨୭ତାରିଖ ପର୍ଯ୍ୟନ୍ତ ପ୍ରଭାବିତ ୩ଟି ଜିଲ୍ଲାକୁ ଗସ୍ତ କରି ସ୍ଥିତିର ଅନୁଧ୍ୟାନ କରିବେ ।
ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ପିକେ ରାଏଙ୍କ ନେତୃତ୍ୱରେ ୭ଜଣିଆ ଟିମ୍ ଓଡିଶା ଆସୁଛନ୍ତି । ସେମାନେ ୨୫ରେ ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡା ଯାଇ କ୍ଷୟକ୍ଷତି ଆକଳନ ଓ ସ୍ଥିତି ପରଖିବେ । ୨୬ତାରିଖରେ ଲୋକସେବା ଭବନରେ ମୁଖ୍ୟ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିବେ । ରାଜ୍ୟ ସରକାର କ୍ଷୟକ୍ଷତି ଆକଳନ ରିପୋର୍ଟ ଦେବେ ।
କେନ୍ଦ୍ରୀୟ ଟିମ୍ ଗସ୍ତବେଳେ ଜିଲ୍ଲାପାଳମାନେ ରହିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହି କେନ୍ଦ୍ରୀୟ ଟିମ୍ ଫେରିଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରୀୟ ଟିମ୍ ରିପୋର୍ଟ ଆଧାରରେ କେନ୍ଦ୍ର ସରକାରଙ୍କ ସହାୟତା ରାଶି ଆସିବ । ତେବେ ପ୍ରତ୍ୟେକ ବର୍ଷ ପ୍ରାକୃତିକ ବିପର୍ଯ୍ୟୟ ଶିକାର ଓଡ଼ିଶା ହେଉଥିବାରୁ ଭିତ୍ତିଭୂମି କ୍ଷୟକ୍ଷତିର ସ୍ଥାୟୀ ସମାଧାନ ପାଇଁ ସ୍ୱତନ୍ତ୍ର ଅର୍ଥ ମଗାଯିବ ଓ ଏନେଇ ବିଶେଷଜ୍ଞମାନଙ୍କ ସହ ବିଚାରବିମର୍ଶ ଚାଲିଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି ।
ଶ୍ରୀ ରାଏଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ କୃଷି ବିଭାଗର ନିର୍ଦ୍ଦେଶକ ଡଃ ମାନ ସିଂଙ୍କ ସମେତ ଅନ୍ୟ ସଦସ୍ୟମାନଙ୍କୁ ୨୪ତାରିଖ ସୁଦ୍ଧା ଭୁବନେଶ୍ୱରରେ ପହଂଚିବାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି । ବାତ୍ୟା ‘ଦାନା’ ଯୋଗୁ ୬୧୬.୨୦କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ରାଜ୍ୟ ସରକାର ଆକଳନ କରିଛନ୍ତି ।
previous article: https://purvapaksa.com/rajdoot-350-will-be-launched-again-with-a-new-look/