India in 2025: ୨୦୨୫ରେ ୫ଟି ବଡ଼ ନିଷ୍ପତ୍ତି ଉପରେ ଭାରତର ଭବିଷ୍ୟତ ନିର୍ଭର କରିବ। ଜନଗଣନା, ସୀମା ନିର୍ଦ୍ଧାରଣ, ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’, ଓ୍ଵାକଫ୍ ବୋର୍ଡ ଆକ୍ଟ ଏବଂ କଲ୍ୟାଣକାରୀ ଯୋଜନାର ସଂପ୍ରସାରଣ ସବୁ ଦେଶର ରାଜନୈତିକ ଓ ସାମାଜିକ ଢାଞ୍ଚାକୁ ପ୍ରଭାବିତ କରିବ। ଏହି ନିଷ୍ପତ୍ତିର ସୁଦୂରପ୍ରସାରୀ ପରିଣାମ ହେବ ଏବଂ ଏହାର ପ୍ରଭାବ ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ଦେଖିବାକୁ ମିଳିବ।
ଆଉ ଏକ ବର୍ଷ ଶେଷ ହେବାକୁ ଯାଉଛି ଏବଂ ନୂଆ ବର୍ଷ ପାଖେଇ ଆସୁଛି। ଆସନ୍ତା ବର୍ଷ ଆମେ କିଛି ବଡ଼ ନିଷ୍ପତ୍ତିକୁ ଅପେକ୍ଷା କରିବୁ ଯାହା ଦେଶର ରାଜନୀତି ଏବଂ ଏହାର ଆଖପାଖ ଅଞ୍ଚଳ ଉପରେ ବ୍ୟାପକ ପ୍ରଭାବ ପକାଇବ। ଏହାର ଫଳାଫଳ ବର୍ଷ ବର୍ଷ ଧରି ଦେଖିବାକୁ ମିଳିବ। ୨୦୨୫ରେ ଏଭଳି ୫ଟି ବଡ଼ ନିଷ୍ପତ୍ତି ଉପରେ ସ୍ୱତନ୍ତ୍ର ରିପୋର୍ଟ-
ଜନଗଣନା
୨୦୨୫ ବର୍ଷ ଏକ ବହୁ ପ୍ରତୀକ୍ଷିତ ନିଷ୍ପତ୍ତି ସହିତ ଆରମ୍ଭ ହୋଇପାରେ ଏବଂ ତାହା ହେଉଛି ଦେଶର ଜନଗଣନା। ଏହି ଜନଗଣନା ୨୦୨୧ରେ ହେବାର ଥିଲା କିନ୍ତୁ କୋଭିଡ୍ ଓ ଅନ୍ୟାନ୍ୟ କାରଣରୁ ଏହାକୁ ସ୍ଥଗିତ ରଖିବାକୁ ପଡ଼ିଥିଲା। ଦେଶର ନୂତନ ଅର୍ଥନୈତିକ ଓ ସାମାଜିକ ନୀତି ନିର୍ଦ୍ଧାରଣ ପାଇଁ ଜନଗଣନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଜନଗଣନା ମଧ୍ୟ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ କାରଣ ଏହା ଜାତି ଗଣନା କରାଯିବ କି ନାହିଁ ତାହା ସ୍ଥିର କରିବ। ବିରୋଧୀ ଏହି ପ୍ରସଙ୍ଗରେ ଅଟଳ ଥିବାବେଳେ ସରକାର ଏହା ଉପରେ ସ୍ପଷ୍ଟ ଆଭିମୁଖ୍ୟ ଗ୍ରହଣ କରୁନାହାନ୍ତି। ଏହାବ୍ୟତୀତ ଜନଗଣନାକୁ ପରୋକ୍ଷରେ ଏନଆରସି ଏବଂ ଅନ୍ୟାନ୍ୟ ପ୍ରସଙ୍ଗ ସହ ମଧ୍ୟ ଯୋଡ଼ାଯାଉଛି। ଯାହା ବି ହେଉ, ଦେଶରେ ପରବର୍ତ୍ତୀ ଜନଗଣନାର ପ୍ରଭାବ ଅନେକ ବର୍ଷ ପର୍ଯ୍ୟନ୍ତ ଦେଖିବାକୁ ମିଳିବ।
ସୀମା ନିର୍ଦ୍ଧାରଣ
୨୦୨୫ରେ ଦେଶରେ ଲୋକସଭା ପାଇଁ ନୂଆ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ସୀମା ନିର୍ଦ୍ଧାରଣ ପରେ ଲୋକସଭାରେ ନିର୍ବାଚିତ ହେବାକୁ ଥିବା ସାଂସଦଙ୍କ ସଂଖ୍ୟା ବୃଦ୍ଧି ପାଇବ, ଯାହା ନିର୍ବାଚନୀ ସମୀକରଣକୁ ସମ୍ପୂର୍ଣ୍ଣ ବଦଳାଇ ଦେଇପାରେ। କିନ୍ତୁ ଏହାର ଆଉ ଏକ ଦିଗ ରହିଛି। ଏହାକୁ ନେଇ ଏକ ବଡ଼ ବିବାଦ ମଧ୍ୟ ସୃଷ୍ଟି ହୋଇପାରେ। ଉତ୍ତର ବନାମ ଦକ୍ଷିଣ ଭାରତ ବିବାଦ ସୀମା ନିର୍ଦ୍ଧାରଣକୁ ନେଇ ଆରମ୍ଭ ହୋଇସାରିଛି। ସୀମା ନିର୍ଦ୍ଧାରଣରେ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ କ୍ଷତି ସହିବାର ସମ୍ଭାବନା ରହିଛି ଏବଂ ଏଥିପାଇଁ ଆଇନଗତ ଏବଂ ରାଜନୈତିକ ଆନ୍ଦୋଳନ ରଚନା ଆରମ୍ଭ କରିସାରିଛନ୍ତି। ଏଭଳି ପରିସ୍ଥିତିରେ ସୀମା ନିର୍ଦ୍ଧାରଣ ଓ ଏହାକୁ ନେଇ ଘଟୁଥିବା ଘଟଣା ୨୦୨୫ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖବର ହୋଇପାରେ।
ଓ୍ଵାକଫ୍ ବୋର୍ଡକୁ ନେଇ ନୂଆ ଆଇନ
ଆସନ୍ତା ବର୍ଷ ସଂସଦରେ ୱାକଫ ବୋର୍ଡକୁ ନେଇ ଏକ ନୂଆ ଆଇନ ପାରିତ ହୋଇପାରେ। ତେବେ ଚଳିତ ବର୍ଷ କେନ୍ଦ୍ର ସରକାର ଏ ସଂକ୍ରାନ୍ତ ବିଲ୍ ପାରିତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ଓ ସହଯୋଗୀଙ୍କ ଚାପରେ ଏହାକୁ ଜେପିସିକୁ ପଠାଯାଇଥିଲା। ଏବେ ଯାହା ହେଉ ନା କାହିଁକି ଏନଡିଏ ସରକାର ବର୍ଷ ଆରମ୍ଭରେ ଆଇନରେ ପରିବର୍ତ୍ତନକୁ ଅନୁମୋଦନ କରିବାକୁ ଚାହୁଁଛନ୍ତି। ଏହି ଆଇନ ପାରିତ ହେଲେ ଏହାର ବ୍ୟାପକ ପ୍ରଭାବ ପଡ଼ିବ ଏବଂ ଏହାର ପ୍ରଭାବ ସମଗ୍ର ଦେଶରେ ଦେଖିବାକୁ ମିଳିବ। ଓ୍ଵାକଫ୍ ସମ୍ପତ୍ତିକୁ ନେଇ ଅନେକ ପ୍ରସଙ୍ଗ ଉଠିପାରେ, ଯାହାର ପ୍ରଭାବ ରାଜନୀତି ଉପରେ ମଧ୍ୟ ପଡ଼ିବ।
ଗୋଟିଏ ଦେଶ, ଗୋଟିଏ ନିର୍ବାଚନ
ଆସନ୍ତା ବର୍ଷ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’କୁ ନେଇ ବଡ଼ ନିଷ୍ପତ୍ତି ହୋଇପାରେ। ଚଳିତ ବର୍ଷ ଶେଷରେ କେନ୍ଦ୍ର ସରକାର ଏ ସଂକ୍ରାନ୍ତ ଏକ ଡ୍ରାଫ୍ଟ ବିଲ୍ ପ୍ରସ୍ତୁତ କରି ସଂସଦରେ ଉପସ୍ଥାପନ କରିସାରଛନ୍ତି। ଏବେ ଆସନ୍ତା ବର୍ଷ ଦେଶବ୍ୟାପୀ ବିଚାର ବିମର୍ଶ ପରେ ଏହାକୁ ବୈଧତା ମିଳିପାରେ। ଯଦି ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’କୁ ଆଇନରୂପେ କାର୍ଯ୍ୟକାରୀ କରାଯାଏ ତେବେ ଏହାର ବଡ଼ ପ୍ରଭାବ ଆଗାମୀ ବର୍ଷରେ ଦେଖିବାକୁ ମିଳିପାରେ। ଏହି ଆଇନ ପ୍ରଭାବରେ ସମଗ୍ର ଦେଶର ରାଜନୀତିରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।
କଲ୍ୟାଣମୂଳକ ଯୋଜନାର ସମ୍ପ୍ରସାରଣ
ବିଗତ ଦୁଇ-ତିନି ବର୍ଷ ମଧ୍ୟରେ ଦେଶରେ ମାଗଣା କଲ୍ୟାଣକାରୀ ଯୋଜନାର ବ୍ୟାପକ ବିସ୍ତାର ଦେଖିବାକୁ ମିଳିଛି। ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ଭଳି ରାଜ୍ୟରେ ନିର୍ବାଚନୀ ଫାଇଦା ଉଠାଇବା ପରେ ୨୦୨୫କୁ ଏବେ ଏହି ଯୋଜନାଗୁଡ଼ିକ ପାଇଁ ମେକ୍ ଅର୍ ବ୍ରେକ୍ ଇୟର ଭାବେ ବିବେଚନା କରାଯାଉଛି। ଏଭଳି ଯୋଜନା ଏବେ ସବୁ ରାଜ୍ୟରେ କାର୍ଯ୍ୟକାରୀ ହେବ କି? କେନ୍ଦ୍ର ସରକାର ମଧ୍ୟ ଏହି ସବୁ ଯୋଜନାରୁ ଚାପରେ ଆସିବେ କି? ଏହା ଦେଶର ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିବ କି? ଏଭଳି ଯୋଜନା କ’ଣ ନିର୍ବାଚନରେ ବିଜୟର ଗ୍ୟାରେଣ୍ଟି ଦେବ? ଏହି ସବୁ ପ୍ରଶ୍ନର ଉତ୍ତର ୨୦୨୫ରେ ମିଳିବ।
ଅଶ୍ୱିନଙ୍କ ଭଳି ସିରିଜ ମଝିରେ ଅବସର ନେଇଥିବା ୫ କିମ୍ବଦନ୍ତୀ କ୍ରିକେଟର, ୨ ଭାରତୀୟଙ୍କ ନାମ ସାମିଲ
