ରାଜ୍ୟର ଚାରିଟି ପ୍ରମୁଖ ସ୍ୱାସ୍ଥ୍ୟସେବା ଅନୁଷ୍ଠାନର ପୁନଃନିର୍ମାଣ ପାଇଁ ଓଡ଼ିଶା ସରକାର ବିପୁଳ ଅର୍ଥ ବିନିଯୋଗ କରିବେ। ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ରାଜ୍ୟ ସରକାର ରାଜ୍ୟର ୪ଟି ପ୍ରମୁଖ ଚିକିତ୍ସା ଅନୁଷ୍ଠାନର ରୂପାନ୍ତର ପାଇଁ ପାଖାପାଖି ୯୨୦୦ କୋଟି ଟଙ୍କା ବିନିଯୋଗ ଘୋଷଣା କରିଛନ୍ତି।
ଏଠାରେ ପ୍ରଶ୍ନ ଉଠୁଛି, ରାଜ୍ୟରେ ଭିତିତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ପୁଞ୍ଜିନିବେଶ କରୁଛନ୍ତି। କିନ୍ତୁ ଏହା କାମରେ ଆସିବ ନା ଡାକ୍ତର ଓ ଚାଳକ ଅଭାବରୁ ତାହା ପଡ଼ି ପଡ଼ି ନଷ୍ଟ ହେବ। କାରଣ ରାଜ୍ୟର ସରକାରୀ ଡାକ୍ତରାଖାନା ଓ ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ହଜାର ହଜାର ସଂଖ୍ୟାରେ ଡାକ୍ତର ଓ ଟେକ୍ନିସିଆନ ପଦବୀ ଖାଲି ପଡ଼ିଛି। ବିନା ଡାକ୍ତରରେ ଏସବୁ ଭିତ୍ତିଭୂମିର ବିକାଶ କାମର କିଛି ମୂଲ୍ୟ ନାହିଁ ବୋଲି କୁହାଯାଉଛି।
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
୧୫୯୪ କୋଟି ଟଙ୍କା ବିନିଯୋଗରେ ବୁର୍ଲାସ୍ଥିତ ଭିମ୍ସାର ମେଡିକାଲ କଲେଜ ଓ ହସ୍ପିଟାଲର ପୁନଃବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସେହିଭଳି ବ୍ରହ୍ମପୁରଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ୧୦୧୪.୧୩ କୋଟି ଟଙ୍କା ବ୍ୟୟରେ ଏହାର ଶଯ୍ୟା ସଂଖ୍ୟା ୧୫୮୩ରୁ ୨୦୩୩କୁ ବୃଦ୍ଧି ପାଇବ।
ରାଉରକେଲା ସରକାରୀ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୪୩୭ରୁ ୭୬୩କୁ ବୃଦ୍ଧି ପାଇବ ଏବଂ ପୁନଃନିର୍ମାଣ ବଜେଟ୍ ୬୨୭.୧୬ କୋଟି ଟଙ୍କା ହେବ।
ଆହୁରି ମଧ୍ୟ ରାଜ୍ୟ ସରକାର ୫୯୫୮ କୋଟି ଟଙ୍କା ବିନିଯୋଗରେ କ୍ୟାପିଟାଲ ହସ୍ପିଟାଲ ପାଇଁ ବ୍ୟାପକ ବିକାଶ ଯୋଜନା ପ୍ରସ୍ତୁତ କରିଛନ୍ତି। କାର୍ଯ୍ୟକ୍ଷମ ହେବା ପରେ ଡାକ୍ତରଖାନାର ଶଯ୍ୟା ସଂଖ୍ୟା ୭୫୦ରୁ ୨୫୮୨ରେ ପହଞ୍ଚିବ ବୋଲି ସିଏମଓ କହିଛନ୍ତି।
ଏହି ୪ଟି ନୂଆ ପ୍ରକଳ୍ପ ପରେ ମୁଖ୍ୟମନ୍ତ୍ରୀ କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ପ୍ରତିଷ୍ଠାନ ଓ ହସ୍ପିଟାଲର ଚାଲିଥିବା ପୁନଃନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ।
କଟକ ଏସସିବି ମେଡିକାଲ କଲେଜର ପୁନଃନିର୍ମାଣ କାର୍ଯ୍ୟ ମଧ୍ୟ ୪୪୭୪.୪୯ କୋଟି ଟଙ୍କା ବିନିଯୋଗରେ ଚାଲିଛି। ୨୦୨୬ ଜୁନ୍ ସୁଦ୍ଧା ଏହି ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି।
ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ସରିବା ପରେ ଏସ୍ସିବି ମେଡିକାଲ କଲେଜରେ ଶଯ୍ୟା ସଂଖ୍ୟା ୩୭୯୬କୁ ବୃଦ୍ଧି ପାଇବ।
ସେହିପରି ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନ ୮୯୫.୮୯ କୋଟି ଟଙ୍କା ବିନିଯୋଗରେ ପ୍ରଥମ ପର୍ଯ୍ୟାୟ ପୁନଃନିର୍ମାଣ କାର୍ଯ୍ୟ କରୁଛି। ଏହି ଯୋଜନାରେ ଶଯ୍ୟା ସଂଖ୍ୟା ୧୧୨୭କୁ ବୃଦ୍ଧି କରାଯାଇଛି।
Also readhttps://purvapaksa.com/caste-census-may-affect-assembly-elections/