Sheikh Hasina: ପ୍ରଶ୍ନ ଉଠୁଛି, ଶେଖ୍ ହସିନାଙ୍କ ଭଳି ଜଣେ ପାକିସ୍ତାନୀ ନେତା କ’ଣ ଭାରତକୁ ପଳାଇ ପାରିବେ? ଭାରତ ଓ ପାକିସ୍ତାନ ମଧ୍ୟରେ ଏଭଳି କୌଣସି ପ୍ରତ୍ୟର୍ପଣ ଚୁକ୍ତି ଅଛି କି? ଆସନ୍ତୁ ଜାଣିବା…
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଏବେ ଭାରତରେ ରାଜନୈତି ଶରଣ ନେଇଛନ୍ତି। ବାଂଲାଦେଶରେ କ୍ଷମତା ପରିବର୍ତ୍ତନ ପରେ ସେ ଭାରତକୁ ପଳାଇ ଆସିଥିଲେ। ଏବେ ବାଂଲାଦେଶର ଅନ୍ତରୀଣ ୟୁନୁସ୍ ସରକାର ତାଙ୍କ ପ୍ରତ୍ୟର୍ପଣ ପାଇଁ ଦାବି କରୁଛନ୍ତି। ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରତ୍ୟର୍ପଣ ଚୁକ୍ତି ଅନୁଯାୟୀ ଏହା କରାଯାଉଛି। ବାଂଲାଦେଶ ସରକାର ମଧ୍ୟ ଏ ନେଇ ଭାରତ ସରକାରଙ୍କୁ ଚିଠି ଲେଖିଛନ୍ତି। ତେବେ ଏହି ଚୁକ୍ତି ଅନୁସାରେ ଶେଖ୍ ହସିନାଙ୍କୁ ଭାରତ, ବାଂଲାଦେଶକୁ ପ୍ରତ୍ୟାର୍ପଣ କରିବ କି ନାହିଁ ତାହା ଭାରତ ଉପରେ ନିର୍ଭର କରେ। ଏବେ ପ୍ରଶ୍ନ ଉଠୁଛି, ଶେଖ୍ ହସିନାଙ୍କ ଭଳି ପାକିସ୍ତାନର କୌଣସି ନେତା କ’ଣ ଭାରତରେ ରାଜନୈତିକ ଶରଣ ନେଇ ପାରିବେ କି? ଭାରତ ଓ ପାକିସ୍ତାନ ମଧ୍ୟରେ ଏଭଳି କୌଣସି ପ୍ରତ୍ୟର୍ପଣ ଚୁକ୍ତି ଅଛି କି? ଆସନ୍ତୁ ଜାଣିବା…
ପ୍ରତ୍ୟର୍ପଣ ଚୁକ୍ତି କ’ଣ?
ପ୍ରତ୍ୟର୍ପଣ ଚୁକ୍ତି ଅର୍ଥ ହେଉଛି ଯେତେବେଳେ ଗୋଟିଏ ଦେଶ ଅନ୍ୟ ଏକ ଦେଶକୁ ତା’ ମାଟିରେ ରହୁଥିବା ପ୍ରଥମ ଦେଶର ଅପରାଧୀକୁ ଅର୍ପଣ କରିଥାଏ। ଏହି ଚୁକ୍ତି ଯେଉଁ ଦେଶଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥାଏ, ସେହି ଦେଶ ପରସ୍ପରକୁ ଅପରାଧୀଙ୍କୁ ଧରିବାରେ ସହାୟତା କରିଥାନ୍ତି। ଏଥିପାଇଁ ପ୍ରତ୍ୟାର୍ପଣ ଚାହୁଁଥିବା ରାଷ୍ଟ୍ରକୁ ଅଧିକ କିଛି ପ୍ରମାଣ ଦେବାକୁ ପଡ଼େ ନାହିଁ। ଅଦାଲତ ଆଦେଶ ହିଁ ପ୍ରତ୍ୟାର୍ପଣ ପାଇଁ ଯଥେଷ୍ଟ। ତେବେ କୌଣସି ଦେଶ ଏଭଳି ଅପରାଧୀଙ୍କୁ ଫେରାଇ ଦେବ କି ନାହିଁ ତାହା ପ୍ରତ୍ୟର୍ପଣ ସର୍ତ୍ତ ଉପରେ ଅନେକ କିଛି ନିର୍ଭର କରୁଛି। ରାଜନୈତିକ ମାମଲାରେ ପ୍ରତ୍ୟର୍ପଣ ସର୍ତ୍ତ ଭିନ୍ନ ଭିନ୍ନ ହୋଇଥାଏ।
ଭାରତ-ବାଂଲାଦେଶ ମଧ୍ୟରେ ଚୁକ୍ତି
ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରତ୍ୟର୍ପଣ ଚୁକ୍ତି ରହିଛି। ୨୦୧୩ରେ ଦୁଇଦେଶ ଏହି ଚୁକ୍ତି ସ୍ୱାକ୍ଷର କରିଥିଲେ। ଏହା ଅଧୀନରେ ୨୦୨୦ରେ ଶେଖ୍ ମୁଜିବୁର୍ ରହମାନ୍ ହତ୍ୟା ମାମଲାର ଦୁଇ ଦୋଷୀଙ୍କୁ ଭାରତ ବାଂଲାଦେଶ ପ୍ରତ୍ୟର୍ପଣ କରିଥିଲା। ଏଥିସହିତ ବାଂଲାଦେଶ ମଧ୍ୟ ୟୁନାଇଟେଡ୍ ଲିବରେସନ୍ ଫ୍ରଣ୍ଟ୍ ଅଫ୍ ଆସାମର ସାଧାରଣ ସମ୍ପାଦକ ଅନୁପ ଚେତିଆଙ୍କୁ ଭାରତକୁ ହସ୍ତାନ୍ତର କରିଛି।
ପାକିସ୍ତାନ ସହ କୌଣସି ଚୁକ୍ତି ଅଛି କି?
ପାକିସ୍ତାନ ସହିତ ଭାରତର ଏପରି କୌଣସି ଚୁକ୍ତି ନାହିଁ। ବାସ୍ତବରେ ଦୁଇଦେଶ ମଧ୍ୟରେ ଏଭଳି କୌଣସି ଚୁକ୍ତି ନାହିଁ, ଯାହା ଅଧୀନରେ ଉଭୟ ଦେଶ ପରସ୍ପରର ଅପରାଧୀଙ୍କୁ ହସ୍ତାନ୍ତର କରିବାକୁ ବାଧ୍ୟ ହୁଅନ୍ତି। ଲସ୍କର-ଇ-ତୋଏବାର ପ୍ରତିଷ୍ଠାତା ହାଫିଜ ସୟିଦଙ୍କୁ ପ୍ରତ୍ୟର୍ପଣ କରିବାକୁ ଭାରତ ଦାବି କରିବା ପରେ ପାକିସ୍ତାନ ବୈଦେଶିକ ମନ୍ତ୍ରାଳୟ ଏକ ବିବୃତି ଜାରି କରିଛି। ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ପ୍ରତ୍ୟର୍ପଣ ଚୁକ୍ତି ନାହିଁ।
କୌଣସି ପାକିସ୍ତାନୀ ନେତା ଭାରତରେ ଶରଣ ନେଇପାରିବେ କି?
ଭାରତରେ କୌଣସି ପାକିସ୍ତାନୀ ନେତା ଶରଣ ନେଇପାରିବେ କି ନାହିଁ, ତାହା ପରିସ୍ଥିତି ଉପରେ ନିର୍ଭର କରିଥାଏ। ପ୍ରଥମତଃ କୌଣସି ପାକିସ୍ତାନୀ ନେତା ଭାରତରେ ଶରଣ ନେଇ ନିଜ ଉପରେ ଭାରତ ସମର୍ଥକ ବା ଭାରତୀୟ ଏଜେଣ୍ଟର ଷ୍ଟାମ୍ପ୍ ମାରିବାକୁ ଚାହିଁବେ ନାହିଁ। ତେଣୁ ପାକିସ୍ତାନୀ ନେତାଙ୍କର ରାଜନୈତିକ ଶରଣ ପାଇଁ ପ୍ରଥମ ପସନ୍ଦ ହେଉଛି ଇଂଲଣ୍ଡ କିମ୍ବା ଉପସାଗରୀୟ ରାଷ୍ଟ୍ର। ଆଗରୁ ମଧ୍ୟ ଅନେକ ପାକିସ୍ତାନୀ ନେତା ସାଉଦି ଆରବ କିମ୍ବା ଇଂଲଣ୍ଡରେ ଶରଣ ନେଇଛନ୍ତି କିନ୍ତୁ କେହି ଭାରତକୁ ଆସି ନାହାନ୍ତି। ଆଉ ଯଦି ମଧ୍ୟ କୌଣସି ପାକିସ୍ତାନୀ ନେତା ଭାରତରେ ଶରଣ ନେବାକୁ ଚାହିଁବେ ତେବେ ତାହା ତତ୍କାଳୀନ ପରିସ୍ଥିତି ଉପରେ ନିର୍ଭର କରିବ। ବାଂଲାଦେଶ ମୁକ୍ତିଯୁଦ୍ଧ କାଳରେ ତତ୍କାଳୀନ ପୂର୍ବ ପାକିସ୍ତାନ ବା ବର୍ତ୍ତମାନର ବାଂଲାଦେଶର କିଛି ବଂଗାଳୀ ନେତା ଭାରତରେ ଶରଣ ନେଇଥିଲେ।
ସେତେବେଳେ ସେମାନେ ପାକିସ୍ତାନୀ ନାଗରିକ ଥିଲେ। କିନ୍ତୁ ଭାରତର ସେମାନଙ୍କୁ ଶରଣ ଦେଇଥିଲା। କାରଣ ଥିଲା ରାଜନୈତିକ, କୂଟନୈତିକ ଓ ସାମରିକ। ଭାରତର ଲକ୍ଷ୍ୟ ଥିଲା ପାକିସ୍ତାନକୁ ଚାରିପଟୁ ଘେରିବା। ପୂର୍ବ ପାକିସ୍ତାନରେ ଗୋଟିଏ ଶକ୍ତିଶାଳୀ ବିଦ୍ରୋହୀ ଗୋଷ୍ଠୀ ସୃଷ୍ଟି କରିବା ତେଣୁ ସେତେବେଳର ସରକାର ପାକିସ୍ତାନୀ ନେତାଙ୍କୁ ଶରଣ ଦେଇଥିଲେ। ଯେମିତି ଏବେ ମଧ୍ୟ ପାକିସ୍ତାନ କିଛି ତଥାକଥିତ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ନିଜ ମାଟିରେ ଶରଣ ଦେଇଛି। ତେଣୁ ଭବିଷ୍ୟତରେ କିଛି ମଧ୍ୟ ହୋଇପାରେ।
ଯେଉଁ ସୀମାରେ ମୁହାଁମୁହିଁ ହୋଇଛନ୍ତି ପାକିସ୍ତାନ-ଆଫଗାନିସ୍ତାନ, ସେହି ଡୁରାଣ୍ଡ୍ ଲାଇନ କେତେ ବିପ୍ପଜନକ?
