ଋଷ ଉପକୂଳରେ ହୋଇଥିବା ଭୂକମ୍ପ କାରଣରୁ ବୁଧବାର ସକାଳୁ ସୁନାମି ଲହରୀ ଆମେରିକାର ପଶ୍ଚିମ ଉପକୂଳରେ ପହଞ୍ଚି ୱାଶିଂଟନ, ଓରେଗନ ଏବଂ କାଲିଫର୍ନିଆର ଉପକୂଳକୁ ପ୍ରଭାବିତ କରିଛି। ଏପର୍ଯ୍ୟନ୍ତ ସର୍ବୋଚ୍ଚ ଲହରୀ କାଲିଫର୍ନିଆର ଆରେନା କୋଭରେ ମାଡ଼ ହୋଇଥିବା ଜଣାପଡ଼ିଛି, ଯାହାକି ୧.୬ ଫୁଟ ଉଚ୍ଚତାରେ ହୋଇଥିବାର ରେକର୍ଡ କରାଯାଇଛି, ଏହା ପରେ କ୍ରିସେଣ୍ଟ ସିଟି ୧. ୫ ଫୁଟ ଏବଂ ମୋଣ୍ଟେରୀରେ ୧.୪ ଫୁଟ ଉଚ୍ଚତା ସୁନାମି ଲହରୀ ମାଡ଼ ହୋଇଛି।
ଉତ୍ତର କାଲିଫର୍ନିଆ ଉପକୂଳ ପାଇଁ ସୁନାମି ଚେତାବନୀ ଏବେ ବି ଜାରି ରହିଛି। ଏହି ସମୟରେ, କାଲିଫର୍ନିଆର ଅବଶିଷ୍ଟ ଉପକୂଳ ଅଞ୍ଚଳ – ସାନ ଫ୍ରାନ୍ସିସ୍କୋ ବେ ଏରିଆ ସମେତ ଓରେଗନ ଏବଂ ୱାଶିଂଟନର ଉପକୂଳ ପାଇଁ ସୁନାମି ଚେତାବନୀ ଜାରି ରହିଛି। ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ ପ୍ରାରମ୍ଭିକ ଲହରୀ ଆସିବା ପରେ ବିପଜ୍ଜନକ ସ୍ରୋତ ଏବଂ ଆହୁରି ବଡ ଲହରୀ କିଛି ଘଣ୍ଟା ପର୍ଯ୍ୟନ୍ତ ଜାରି ରହିପାରେ। ସରକାରୀ ସତର୍କତା ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଜାତୀୟ ପାଣିପାଗ ସେବା ଜନସାଧାରଣଙ୍କୁ ବେଳାଭୂମି, ବନ୍ଦର ଏବଂ ଘାଟରୁ ଦୂରେଇ ରହିବାକୁ ଅନୁରୋଧ କରୁଛି।
ରାତି ୧୦.୩୯ HST ସୁଦ୍ଧା, ହାୱାଇ ପାଇଁ ସୁନାମି ଚେତାବନୀରୁ ସତର୍କତାକୁ ହ୍ରାସ କରାଯାଇଛି। ପ୍ରଶାନ୍ତ ମହାସାଗର ସୁନାମି ସତର୍କତା କେନ୍ଦ୍ରର ନିର୍ଦ୍ଦେଶକ ଚିପ୍ ମ୍ୟାକ୍କ୍ରିରୀ ମଙ୍ଗଳବାର ରାତିରେ ହୋନୋଲୁଲୁ ଷ୍ଟାର-ଆଡଭାଟାଇଜରକୁ କହିଥିଲେ ଯେ “ଏହାର ସବୁଠାରୁ ଖରାପ ପ୍ରଭାବ” ଶେଷ ହୋଇଛି। ଉତ୍ତର କାଲିଫର୍ନିଆ ହେଉଛି ଆମେରିକାର ଏକମାତ୍ର ଅଞ୍ଚଳ ଯାହା ଏପର୍ଯ୍ୟନ୍ତ ସୁନାମି ଚେତାବନୀ ଅଧୀନରେ ଅଛି। ଜାତୀୟ ସୁନାମି ସତର୍କତା କେନ୍ଦ୍ରର ପ୍ରଥମ ମାପ ଦର୍ଶାଉଛି ଯେ ଆରେନା କୋଭ, ଯେଉଁଠାରେ ସୁନାମି ପ୍ରଥମେ କାଲିଫର୍ନିଆରେ ପହଞ୍ଚିଥିଲା, ସେଠାରେ ୧.୬ ଫୁଟ ଉଚ୍ଚ ତରଙ୍ଗ ଦେଖାଯାଉଛି। ଲସ୍ ଆଞ୍ଜେଲସ୍ ପାଣିପାଗ ସେବା ପକ୍ଷରୁ କୁହା ଯାଇଛି ଯେ, ପୋର୍ଟ ସାନ୍ ଲୁଇସ୍ “ଦ୍ରୁତ ଏବଂ ବିନାଶକାରୀ ତରଙ୍ଗର ସମ୍ମୁଖୀନ ହେଉଛି ଯାହା କିଛି ମିନିଟ୍ ମଧ୍ୟରେ ନିମ୍ନରୁ ଉଚ୍ଚ ଜୁଆରକୁ ପରିବର୍ତ୍ତନ ହୋଇପାରେ”। ଲୋକମାନଙ୍କୁ ସେହି ଅଞ୍ଚଳରୁ ଦୂରେଇ ରହିବାକୁ କୁହାଯାଇଛି।
