ଓଡ଼ିଶା ମନ୍ତ୍ରିମଣ୍ଡଳକୁ ନେଇ ଅନେକ ଚର୍ଚ୍ଚା ଅତୀତରେ ହୋଇଛି। ତଥାପି ୧୫ ମାସ ବିତିଗଲାଣି ନା ଏଠାରେ ସମ୍ପ୍ରସାରଣ ହେଉଛି ନା ଅଦଳ ବଦଳ। ଅର୍ଥାତ୍ ପରସ୍ପର ଭିତରେ ଆସ୍ଥା, ବିଶ୍ୱାସର ଅଭାବ ଯୋଗୁ ଏକ ସ୍ଥାଣୁ ଅବସ୍ଥା ସୃଷ୍ଟି ହୋଇଛି। ବୋଧହୁଏ ଅନ୍ୟ କୌଣସି ରାଜ୍ୟରେ ବିଜେପିର ପ୍ରଥମ ସରକାରରେ ଏପରି ଏକ ଅବସ୍ଥା ହୋଇନଥିବ ଯେମିତି ଆମ ରାଜ୍ୟରେ ଦେଖିବାକୁ ମିଳୁଛି। ଲୁହା କଅଁଳ ହେଲେ ବିଲେଇ କାମୁଡ଼ିବା ଭଳି ମନ୍ତ୍ରୀମାନେ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ପରିଚିତ ମୋହନ ଚରଣ ମାଝୀଙ୍କୁ ଷଣ୍ଢୁଆସୀ ଆକ୍ରମଣ କରିବାକୁ ପଛାଉ ନାହାନ୍ତି।
ଏହି ତାଲିକାର ଶୀର୍ଷରେ ରହିଛନ୍ତି କ୍ୟାବିନେଟ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏହାଙ୍କ ଧାରାରେ ମନ୍ତ୍ରିମଣ୍ଡଳରେ ଆହୁରି କିଛି ମନ୍ତ୍ରୀ ବି ରହିଛନ୍ତି। ଯେଉଁମାନେ ମୁଖ୍ୟମନ୍ତ୍ରୀଙ୍କୁ ଅଣଦେଖା କରୁଥିବା ଚର୍ଚ୍ଚା ହେଉଛି। ପ୍ରଶ୍ନ ଉଠୁଛି ଏମାନଙ୍କର ଏପରି ସାହସ ପଛରେ କିଏ ସେହି ବାହୁବଳୀ ନେତା? କାହା ବାହୁବଳରେ ବଳୀୟାନ ହେଉଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ଆଣ୍ଡ କମ୍ପାନୀ। ଆଜି ପଲିଟିକାଲ୍ ଭାଗବତରେ ଏ ବିଷୟକୁ ଆଲୋଚନା କରିବା ସହ ଏ ପଛର ରହସ୍ୟକୁ ବି ଉନ୍ମୋଚନ କରିବାକୁ ଚେଷ୍ଟା କରିବି।
ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ
ଗଲା ୧୫ ମାସ ହେଲାଣି ରାଜ୍ୟରେ ନୂଆ ସରକାର ଶାସନ କରୁଛି। ଓଡ଼ିଶାବାସୀଙ୍କ ପାଇଁ ଏହା ଏକ ବିଶାଳ ପରିବର୍ତ୍ତନ। ଅଢ଼େଇ ଦଶନ୍ଧିହେଲା ପ୍ରଚଳିତ ଏକ ସ୍ଥିର ଗତାନୁଗତିକ ସରକାରୀ ବ୍ୟବସ୍ଥାରୁ ବାହାରି ନୂଆ ପିଢ଼ିକୁ ସୁହାଇବା ଲାଗି ଏ ପରିବର୍ତ୍ତନ। ସରକାର ବି ରାଜ୍ୟବାସୀଙ୍କ ଭାବନା ବୁଝୀଛନ୍ତି। ଏଣୁ ଏହାକୁ ଲୋକଙ୍କ ସରକାର ବୋଲି କହୁଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ଏହି ବାଟରେ ସରକାରକୁ ପ୍ରଣୀତ କରିବାକୁ ବାଟ ଦେଖାଇଛନ୍ତି।
ସରକାର ଗଠନ ପରେ ବାରମ୍ବାର ରାଜ୍ୟ ଗସ୍ତରେ ଆସୁଛନ୍ତି। ଯେତେ କିଛି ନୂଆ ଜିନିଷର ପ୍ରବର୍ତ୍ତନ ହେଉଛି ସେଥିରେ ନିଜର ସ୍ପର୍ଶ ଦେଇ ଜଣାଇବାକୁ ଚାହୁଁଛନ୍ତି ଯେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଏବଂ ଖୋଦ ପ୍ରଧାନମନ୍ତ୍ରୀ ରାଜ୍ୟର ବିକାଶ ପାଇଁ ଚିନ୍ତିତ। ସେଥିଲାଗି ଆଜି ଦେଶରେ ସରକାରୀ ଟେଲିକମ୍ ସେବାର ମଜଭୁତିକରଣ କରି ବିଏସ୍ଏନଲ୍ ଫୋର-ଜିକୁ ଓଡ଼ିଶାରୁ ଉଦ୍ଘାଟନ କରାଯାଇଛି।
ଏହା ସମ୍ପୂର୍ଣ୍ଣ ଦେଶୀୟ ଟେକ୍ନୋଲୋଜି ଆଧାରିତ। ଓଡ଼ିଶାର ପ୍ରତିଟି ଗାଁ, ପଡ଼ା, ସାହିକୁ ଏହି ଉଦ୍ୟମ ମାଧ୍ୟମରେ ରିଅଲ ଟାଇମ୍ ଇଣ୍ଟରନେଟ ସେବା ପହଞ୍ଚାଯାଇପାରିବ। ଏହା ସୂଚୀତ କରୁଛି ଯେ କେନ୍ଦ୍ର ସରକାର ଓଡ଼ିଶାର ଗ୍ରାମାଞ୍ଚଳର ବିକାଶ ପାଇଁ ଉତ୍ସର୍ଗୀକୃତ। ଖାଲି ସେତିକି ନୁହେଁ, ଦେଶରେ ନୂଆକରି ଆରମ୍ଭ ହେଉଥିବା ସେମିକଣ୍ଡକ୍ଟର ବିପ୍ଲବରେ ଓଡ଼ିଶାକୁ ସାମିଲ କରାଇବା ଏକ ଗୁରୁତ୍ୱପୂର୍ଣ୍ଣ ଦିଗ। ଏହାକୁ ଓଡ଼ିଶାରେ ସୁଯୋଗ ଦେଇ ନୂଆ ପିଢ଼ିଙ୍କ ଭବିଷ୍ୟତ ଓ ଆତ୍ମନିର୍ଭର ଭାରତକୁ ଗୁରୁତ୍ୱ ଦେଇଛନ୍ତି।
ପୃଥ୍ୱୀରାଜ ହରିଚନ୍ଦନଙ୍କ ପଛରେ ବଡ଼ ପ୍ରଭାବ ଓ ଲବି
କିନ୍ତୁ ରାଜ୍ୟରେ ଶାସନ ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ। ଆଜି ବି ପୂର୍ବ ସରକାର ଭଳି ବାବୁମାନଙ୍କ କଥାରେ ମନ୍ତ୍ରୀମାନେ ପରିଚାଳିତ। ଆଉ ଦେଇଥିବା ନିର୍ବାଚନ ପ୍ରତିଶ୍ରୁତି ପାଣିର ଗାର। ଏହିକ୍ରମରେ ଗୋଟି ଗୋଟି କରି ମନ୍ତ୍ରୀମାନଙ୍କ ଦକ୍ଷତାକୁ ଆଲୋଚନା କରିବା। ସବୁଠାରୁ ଆଗରେ ରହିବେ ଅବକାରୀ, ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଅର୍ଥାତ୍ ଅନ୍ୟ ମନ୍ତ୍ରୀମାନଙ୍କଠାରୁ ସବୁଠାରୁ ଅଧିକ ପ୍ରଭାବଶାଳୀ ବିଭାଗ ତାଙ୍କ ପାଖରେ।
ତାଙ୍କଠାରୁ ଢେର ଅଭିଜ୍ଞ ଏବଂ ବୟୋଜ୍ୟୋଷ୍ଠ କନକ ବର୍ଦ୍ଧନ ସିଂହଦେଓ ଉପ ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ଏତେ ବିଭାଗର ଦାୟିତ୍ୱରେ ନାହାନ୍ତି। ଅର୍ଥାତ୍ ମନ୍ତ୍ରିମଣ୍ଡଳ ଦାୟିତ୍ୱ ନେବା ପୂର୍ବରୁ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପଛରେ କିଛି ବଡ଼ ପ୍ରଭାବ ଓ ଲବି ରହିଥିବା ସ୍ପଷ୍ଟ। ଅବଶ୍ୟ ସେ ପୂର୍ବତନ ଆଇନମନ୍ତ୍ରୀ ତଥା ରାଜ୍ୟପାଳ ବିଶ୍ୱଭୂଷଣଙ୍କ ପୁଅ କିନ୍ତୁ ଏଠାରେ ଯେଉଁ ଲବି କଥା ଆଲୋଚନା ହେଉଛି ତାହା ଏ ଲବିଠୁ ବି ଭୟଙ୍କର।
କିଚକ ବାହୁ ବଳେ ପୃଥ୍ୱୀରାଜ ବଳିୟାନ!
କୁହାଯାଉଛି, ମହାଭାରତରେ ବିରାଟ ଯେମିତି କିଚକ ବାହୁ ବଳରେ ରାଜା ହୋଇଥିଲା ଏବଂ ସମସ୍ତଙ୍କ ଭୟଭୀତ କରି ରଖିବାକୁ ସାହସ କରିଥିଲା ଠିକ୍ ସେମିତି ପୃଥ୍ୱୀରାଜ ହରିଚନ୍ଦନ ମନ୍ତ୍ରିମଣ୍ଡଳରେ ଅନ୍ୟକୁ ନାଲିଆଖି ଦେଖାଉଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀଙ୍କୁ ବି ଛାଡ଼ୁ ନାହାନ୍ତି। ନିକଟରେ ବିଧାନସଭାରେ ଏମିତି ଏକ ପ୍ରଶ୍ନର ଉତ୍ତର ଦେବାବେଳେ ଆଇନ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ଏଠି ସେଇ କଥାକୁ ମନେପକାଇ ଦେବାକୁ ଚାହିଁବି।
ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଦୋଷ ଲଦିଲେ
ବିଧାନସଭାରେ କଂଗ୍ରେସର ବରିଷ୍ଠ ସଦସ୍ୟ ପଚାରିଥିଲେ ରାଜ୍ୟରେ ବଢ଼ୁଥିବା ବିଚାରାଧୀନ ମାମଲାର କାରଣ କ’ଣ? ମନ୍ତ୍ରୀ ଯେଉଁ ୮ଟି କାରଣ ସେ ଏଠାରେ ଦେଇଛନ୍ତି ସେଥିରୁ ୭ଟି କାରଣରେ ମୁଖ୍ୟମନ୍ତ୍ରୀଙ୍କ ଗୃହ ବିଭାଗର ବିଫଳତାକୁ ସ୍ପଷ୍ଟ କରାଯାଇଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟରେ ଏବେ ୧୯ ଲକ୍ଷ୯୭ ହଜାର ୩୧୭ ମାମଲା ବିଚାର ଅପେକ୍ଷାରେ ପଡ଼ି ରହିଛି। ସେଥିରୁ ଫୌଜଦାରୀ ମାମଲା ସଂଖ୍ୟା ୧୬ ଳକ୍ଷ ୮୪ ହଜାର ୪୩୨ ହୋଇଥିବାବେଳେ ଦେଓ୍ୱାନୀ ମାମଲା ସଂଖ୍ୟା ହେଉଛି ୩ ଲକ୍ଷ ୧୨ ହଜାର ୮୮୫।
ମୁଖ୍ୟମନ୍ତ୍ରୀଙ୍କ ବିଭାଗର ଅବହେଳାରୁ ମାମଲା ବଢ଼ୁଛି
ତେବେ ଏପରି ପଡ଼ି ରହିବା ପଛର ପ୍ରଥମ କାରଣ ଭାବେ ମନ୍ତ୍ରୀ ଶ୍ରୀ ହରିନ୍ଦନ ମାମଲାର ବିଚାରବେଳେ ସାକ୍ଷୀ, ତଦନ୍ତକାରୀ ଅଧିକାରୀ ଓ ଡାକ୍ତର ଉପସ୍ଥିତ ନ ରହିବା ଉଲ୍ଲେଖ କରିଛନ୍ତି। ସେହିପରି ଅଦାଲତ ଦ୍ୱାରା ଜାରି ହୋଇଥିବା ଜାମିନ ବିହୀନ ଓ୍ୱାରେଣ୍ଟକୁ କାରର୍ଯ୍ୟକାରୀ ନ କରାଯିବ, ଓକିଲମାନଙ୍କ ଦ୍ୱାରା ବାରମ୍ବାର ତାରିଖ ପାଇଁ ଆବେଦନ କରାଯିବ, ତଦନ୍ତ ରିପୋର୍ଟ ନ ଆସିବା, ଅଭିଯୁକ୍ତମାନେ ଯଥା ସମୟରେ ଉପସ୍ଥିତ ନ ରହିବା, ରାସାୟନିକ ରିପୋର୍ଟ ଦାଖଲରେ ବିଳମ୍ବ ହେବା, ମୃତ୍ୟୁ ରିପୋର୍ଟ ଠିକ ସମୟରେ ଦାଖଲ ନ ହେବା ଆଦି କହିଛନ୍ତି। ଖାଲି ସେତିକି ନୁହେଁ ଦିନକୁ ଦିନ ନୂଆ ମାମଲା ଆସୁଥିବାରୁ କୋର୍ଟରେ ମାମଲା ସଂଖ୍ୟା ବଢ଼ୁଛି ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ହରିଚନ୍ଦନ।
ମଦ ଦୋକାନ କଥା କହି ମୁଖ୍ୟମନ୍ତ୍ରୀଙ୍କୁ ଅଡ଼ୁଆରେ ପକାଇଲେ ପୃଥ୍ୱୀରାଜ
ଖାଲି ସେତିକି ନୁହେଁ ଶ୍ରୀମନ୍ଦିର ବି ମନ୍ତ୍ରୀଙ୍କ ବିଭାଗ ଅଧୀନ। ମନ୍ଦିରରେ ପରିଚାଳନା କମିଟି ଗଠନଠାରୁ ଆରମ୍ଭ କରି ଶ୍ରୀମନ୍ଦିରରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସବୁକିଛିରେ ମନ୍ତ୍ରୀ ଫେଲ ମାରିଛନ୍ତି। ମନ୍ଦିର ଭିତରେ ଧାଡ଼ି ଦର୍ଶନ ପରମ୍ପରା ନ ଥିଲେ ମଧ୍ୟ କିଛି ଅଧିକାରୀଙ୍କ ପ୍ରଭାବରେ ମନ୍ତ୍ରୀ ବାରମ୍ବାର ଧାଡ଼ି ଦର୍ଶନ ପଛରେ ଧାଇଁଛନ୍ତି। ଏହା ଯେମିତି ସରକାରଙ୍କ ପ୍ରାଥମିକତା ତାହାକୁ ଦର୍ଶାଇବାକୁ ଚାହିଁଛନ୍ତି। କିନ୍ତୁ ମାସ ମାସ ବିତିଥିଲେ ମଧ୍ୟ ତାହାକୁ ଲାଗୁ କରାଯାଇପାରୁ ନାହିଁ। ସେହିପରି ଯେଉଁ ରାଜ୍ୟରେ ମଦକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ବିଜେପି ଆନ୍ଦୋଳନ ଚଳାଉଥିଲା ଆଜି ସେ ରାଜ୍ୟରେ ମଦ ଦୋକାନ ଗଳି କନ୍ଦିରେ ଖୋଲିବାକୁ ସରକାର ଯୋଜନା କରୁଛନ୍ତି।
ଏହି ଖବର ପ୍ରକାଶ ପାଇବା ପରେ ଏବେ ସାରା ରାଜ୍ୟରେ ବିଜେପି ସରକାର ବିରୋଧରେ ଜନମତ ପ୍ରକାଶ ପାଇବାରେ ଲାଗିଛି। ଏପରିକି ଦୈନିକ କବର କାଗଜ ପ୍ରଗତିବାଦୀ କାର୍ଯ୍ୟକାରୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ ମଦ ବିରୋଧୀ ଆନ୍ଦୋଳନ ପାଇୋ ଲୋକମାନଙ୍କ ସହଯୋଗ ଲୋଡ଼ିଛନ୍ତି। ଏଥିରୁ ସ୍ପଷ୍ଟ ଯେ ସାଧାରଣ ଲୋକଙ୍କୁ ଯେଉଁ ବ୍ୟବସ୍ଥା ବେଶୀ ପ୍ରଭାବିତ କରୁଛି ତାହାକୁ ସରକାର ଏତେ ଅଣଦେଖା କରୁଛନ୍ତି। କିନ୍ତୁ କାହିଁକି ଏପରି ରଣନୀତିକୁ ବାଛିଛନ୍ତି ପୃଥ୍ୱୀରାଜ? କିଏ ତାଙ୍କୁ ଏଥିରେ ସହାୟତା ଦେଉଛି? ଏହା ପଛରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ବଦ୍ନାମ କରିବାର ଷଡ଼ଯନ୍ତ୍ରର ଗନ୍ଧ ବାରି ହେଉଛି।
ଧର୍ମେନ୍ଦ୍ରଙ୍କ ଗୋଟି ସାଜିଛନ୍ତି ପୃଥ୍ୱୀରାଜ
ଆଲୋଚନା ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଲାଗି ରାଜ୍ୟ ମନ୍ତ୍ରିମଣ୍ଡଳରେ ପୃଥ୍ୱୀରାଜ ହେଉଛନ୍ତି ସର୍ବାତ୍ତମ ପସନ୍ଦ। ଅବଶ୍ୟ ତାଙ୍କ ଅନୁଗତ ଥିବା ଅନ୍ୟ ମନ୍ତ୍ରୀମାନେ ଏକାଧିକ ବିଭାଗର କ୍ଷମତା ଭୋଗ କରୁଛନ୍ତି କିନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ ବିଫଳ ବୋଲି ପ୍ରମାଣିତ କରିବା ଲାଗି ଏହି ପସନ୍ଦର ମନ୍ତ୍ରୀ ଅଧିକ କ୍ରିୟାଶୀଳ ରହିଛି। ଯେହେତୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଓ ବିଜେପିର ସଭାପତି ଧର୍ମେନ୍ଦ୍ରଙ୍କ ପ୍ରବେଶ ଉପରେ ରୋକ ଲଗାଇଛନ୍ତି ସେ କୁଆଡ଼େ ପୃଥ୍ୱୀରାଜଙ୍କ ମାଧ୍ୟମରେ ବ୍ୟବସ୍ଥାକୁ ରୋକ୍ ଲଗାଉଛନ୍ତି। ଏପରିକି ଏହି କାରଣରୁ ରାଜ୍ୟ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ବି ଅଟକି ପଡ଼ିଛି। ରାଜ୍ୟ ନେତୃତ୍ୱ ଏବଂ ସରକାର ଯେତେ ଚାହିଁଲେ ବି ନୂଆ ଲୋକ ମନ୍ତ୍ରିମଣ୍ଡଳକୁ ଆସିପାରୁ ନାହାନ୍ତି।
Youtube
କିଛିଦିନ ତଳେ ମନ୍ତ୍ରୀମାନଙ୍କ କାର୍ଯ୍ୟକୁ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ। ଏଥିରେ କମ୍ ଦକ୍ଷ ମନ୍ତ୍ରୀଙ୍କ ବିଭାଗ ବଦଳ ବା ମନ୍ତ୍ରିମଣ୍ଡଳରୁ ବାହାର କରିବା ପାଇଁ ପରାମର୍ଶ ରହିଥିବା ଆଲୋଚନା ହେଉଥିଲା। ପୁଣି ଯେଉଁମାନେ ଏକାଧିକ ବିଭାଗ ଦାୟିତ୍ୱରେ ରହିଛନ୍ତି ସେମାନଙ୍କୁ ସଙ୍କୁଚିତ କରିବାକୁ ମଧ୍ୟ ଚିନ୍ତା କରାଯାଇଥିଲା। ଏହି ତାଲିକାରେ ଆଇନ ମନ୍ତ୍ରୀଙ୍କ ନା ବି ରହିଥିବା ଚର୍ଚ୍ଚା ହୋଇଥିଲା। ଆଉ ଏହା ଜାଣିବା ପରେ ବିଶ୍ୱଭୂଷଣଙ୍କ ନନ୍ଦନ ପୃଥ୍ୱୀରାଜ ହରିଚନ୍ଦନ ନାରାଜ ରହିଥିବା ଚର୍ଚ୍ଚା ହେବାରୁ ମନ୍ତ୍ରିମଣ୍ଡଳର ସମ୍ପସାରଣ ଅଧାରୁ ପଡ଼ି ରହିଛି। ମଝିରେ ଏହି ପ୍ରକ୍ରିୟାର ଅଚଳାବସ୍ଥା ଦୂର କରିବାକୁ ରାଜ୍ୟପାଳଙ୍କଠାରୁ ଆରମ୍ଭ କରି ବିଜେପିର ବଡ଼ ବଡ଼ ନେତାମଧ୍ୟ ତାଙ୍କୁ ଭେଟିଥିବା ଆଲୋଚନା ହୋଇଛି। ହେଲେ ଏଯାଏ ସେ ପ୍ରକ୍ରିୟାର ଅଚଳାବସ୍ଥା ଦୂର ହୋଇପାରି ନାହିଁ।
ଆଇନ ମନ୍ତ୍ରୀଙ୍କ ଏଭଳି ଆଚରଣ ରାଜ୍ୟ ମନ୍ତ୍ରିମଣ୍ଡଳର ସ୍ଥାଣୁତା ପଛର କାରଣ ତା’ ନୁହେଁ, ଆହୁରି ଅନେକ ମନ୍ତ୍ରୀ ଏ ତାଲିକାରେ ରହିଛନ୍ତି।
Also readhttps://purvapaksa.com/modi-gifts-projects-worth-over-rs-60000-crore-to-odisha/
