ଟିକସଦାତାଙ୍କ ପାଇଁ ଆଶ୍ୱସ୍ତିସ୍ୱରୂପ ଆଗାମୀ ୨୦୨୫-୨୦୨୬ ବଜେଟରେ ନୂଆ ଟିକସ ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଏଥିରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟକୁ ଟିକସ ମୁକ୍ତ କରିବା ଏବଂ ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କା ମଧ୍ୟରେ ବାର୍ଷିକ ଆୟ ପାଇଁ ନୂଆ ୨୫% ଟିକସ ସ୍ଲାବ୍ ଲାଗୁ କରିବା ପାଇଁ ସରକାର ବିଚାର କରୁଥିବା ବିଜିନେସ୍ ଷ୍ଟାଣ୍ଡାର୍ଡ ରିପୋର୍ଟ ଦାବି କରିଛି। ମନି କଣ୍ଟ୍ରୋଲରେ ପ୍ରକାଶିତ ରିପୋର୍ଟରେ ଦାବି କରାଯାଇଛି ଯେ, ବିଜନେସ୍ ଷ୍ଟାଣ୍ଡାର୍ଡ୍ ଏହି ରିପୋର୍ଟ ସରକାରୀ ସୂଚନା ଆଧାରରେ ପ୍ରକାଶ କରିଛି।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଫେବ୍ରୁଆରି ୧ ତାରିଖରେ ୨୦୨୫-୨୦୨୬ ଆର୍ଥିକ ବର୍ଷପାଇଁ ବଜେଟ ଉପସ୍ଥାପନ କରିବେ। ବେତନଭୋଗୀ କରଦାତାମାନେ ବାର୍ଷିକ ବଜେଟରୁ ଉଭୟ କର ବ୍ୟବସ୍ଥା ଅଧୀନରେ ରିହାତି ଏବଂ କର ହ୍ରାସକୁ ଉତ୍ସୁକତାର ସହ ଅପେକ୍ଷା କରିଥିବା ବେଳେ ଏହି ରିପୋର୍ଟ୍ ମଧ୍ୟବିତ୍ତ ବର୍ଗ ପାଇଁ ଆଶାର କିରଣ ସାଜିଛି।
ବର୍ତ୍ତମାନ ନୂଆ ଟିକସ ବ୍ୟବସ୍ଥା ଅନୁଯାୟୀ ବାର୍ଷିକ ୭.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର ଉପରେ କୌଣସି କର ଦେବାକୁ ପଡ଼େନାହିଁ ଏବଂ ୭୫,୦୦୦ ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ଲାଗୁ କରାଯାଇଛି। ବାର୍ଷିକ ୧୫ ଲକ୍ଷ ଟଙ୍କାରୁ ଅଧିକ ଆୟ ସର୍ବୋଚ୍ଚ ୩୦% ଟିକସ ସ୍ଲାବ ଅଧୀନରେ ରହିଛି। ବିଜନେସ୍ ଷ୍ଟାଣ୍ଡାର୍ଡ ରିପୋର୍ଟରେ କୁହାଯାଇଛି ଯେ ସରକାର ପରିବର୍ତ୍ତନର ମୂଲ୍ୟାଙ୍କନ କରୁଛନ୍ତି।
ଆମେ ଉଭୟ ବିକଳ୍ପ ଉପରେ ବିଚାର କରୁଛୁ। ଯଦି ବଜେଟ ଅନୁମତି ଦିଏ, ତେବେ ଆମେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକୁ ଟିକସମୁକ୍ତ କରିବା ସହିତ ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ୨୫ ପ୍ରତିଶତ ସ୍ଲାବ୍ ଲାଗୁ କରିପାରିବୁ ବୋଲି ଜୈନକ ଅଧିକାରୀ ବିଜନେସ୍ ଷ୍ଟାଣ୍ଡାର୍ଡକୁ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଭଳି ଆୟକର ରିହାତିର ପ୍ରଭାବରେ ସରକାର ୫୦,୦୦୦ କୋଟିରୁ ୧ ଲକ୍ଷ କୋଟି ଟଙ୍କାର ରାଜସ୍ୱ କ୍ଷତିକୁ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି।
ଉଲ୍ଲେଖଯୋଗ୍ୟ, ଗ୍ଲୋବାଲ୍ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍ (ଜିଟିଆରଆଇ) ୨୦୨୫-୨୬ ବଜେଟ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ଟିକସ ସଂସ୍କାର ପାଇଁ ସୁପାରିସ କରିଛି। ମୁଦ୍ରାସ୍ଫୀତିକୁ ଦୃଷ୍ଟିରେ ରଖି ଆୟକର ଛାଡ଼ ସୀମାକୁ ୫.୭ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଥିଙ୍କ ଟ୍ୟାଙ୍କ ପରାମର୍ଶ ଦେଇଛି। ୨୦୨୫ ସୁଦ୍ଧା ସଞ୍ଚୟ ସୁଧ ପାଇଁ ୧୦,୦ ୦ ୦ ଟଙ୍କା ଛାଡ଼କୁ ୧୯,୪୫୦ ଟଙ୍କାକୁ ବୃଦ୍ଧି କରିବା ଏବଂ ବୀମା ପ୍ରିମିୟମ ଏବଂ ପିଏଫ ଯୋଗଦାନ ପାଇଁ ୧.୫ ଲକ୍ଷ ଟଙ୍କାର ହ୍ରାସକୁ ୨.୬ ଲକ୍ଷ ଟଙ୍କାକୁ ସଂଶୋଧନ କରିବା ଭଳି ସ୍ଥାୟୀ ଛାଡ଼ ଏବଂ ରିହାତିକୁ ବୃଦ୍ଧି କରିବାକୁ ଜିଟିଆରଆଇ ପ୍ରସ୍ତାବ ଦେଇଛି। କରଦାତାଙ୍କ ପାଇଁ ଲାଭର ପ୍ରକୃତ ମୂଲ୍ୟ ବଜାୟ ରଖିବା ପାଇଁ ମୁଦ୍ରାସ୍ଫୀତି ସୂଚୀଭୁକ୍ତ କର ସ୍ଲାବ୍ ଏବଂ ରିହାତିର ଆବଶ୍ୟକତା ଉପରେ ଥିଙ୍କଟ୍ୟାଙ୍କ ଗୁରୁତ୍ୱାରୋପ କରିଛି।
ଅଧିକାଂଶ ବଜାର ବିଶେଷଜ୍ଞଙ୍କ ମତରେ ଗତବର୍ଷ ଭଳି ଚଳିତ ବର୍ଷ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କ୍ୟାପିଟାଲ ଗେନ୍ ଟିକସ ବୃଦ୍ଧି କରି ନିବେଶକଙ୍କୁ ଚକିତ କରିବେ ନାହିଁ। ସେମାନେ ଏହା ମଧ୍ୟ ବିଶ୍ୱାସ କରନ୍ତି ଯେ ଅଭିବୃଦ୍ଧି ପ୍ରଭାବିତ ହୋଇଥିବା ବେଳେ ସରକାର ଉପଭୋକ୍ତା ବୃଦ୍ଧି ପାଇଁ କିଛି ଟିକସ ପଦକ୍ଷେପ ଉପରେ ବିଚାର କରିପାରନ୍ତି, କିନ୍ତୁ ବଜେଟ କେବଳ ଅଭିବୃଦ୍ଧି କିମ୍ବା ଆୟପୁନରୁଦ୍ଧାର ପାଇଁ ଉତ୍ପ୍ରେରକ ଭାବରେ କାର୍ଯ୍ୟ କରିବା କ୍ଷେତ୍ରରେ ସୀମିତ ପ୍ରଭାବ ପକାଇବ।
Also readhttps://purvapaksa.com/health-budget-for-2025-26-could-be-raised-to-tackle-many-challenges/
ସ୍ୱାସ୍ଥ୍ୟ କ୍ଷେତ୍ରରେ ରହିଛି ଅନେକ ଚ୍ୟାଲେଞ୍ଜ, ଏଥର କେତେ ବଢ଼ିବ ସ୍ୱାସ୍ଥ୍ୟ ବଜେଟ?
