ଭାସ୍କର ପରିଚ୍ଛା
ବ୍ୟାସକବି ଫକୀର ମୋହନ ସେନାପତି ସୁଢ଼ଳଦେବଙ୍କ ଉଦ୍ଦେଶ୍ୟରେ କହିଥିଲେ:
“ହେ ସୁଢ଼ଳ ମହାରାଜ କରେଁ ନମସ୍କାର |
ହିତୈଷିଣୀ ତୁମ୍ଭ ଯଶ କରୁଛି ପ୍ରଚାର |
ବାମଣ୍ଡା ରାଜ୍ୟରେ କରୁଅଛ ରାଜପଣ |
ମାତ୍ର ଜ୍ଞାନରାଜ୍ୟେ ଅଟ ନୃପତି ଆପଣ |
ହେ ରାଜନ ମାତୃଭାଷା ଉନ୍ନତି କରଣେ |
ଉତ୍ସାହିତ କରୁଅଛ ଗ୍ରନ୍ଥକର୍ତ୍ତା ଗଣେ ॥” |
ବାସୁଦେବ ସୁଢ଼ଳଦେବ (୧୮୫୦-୧୯୦୩) । ବାମଣ୍ଡାର ୨୭ତମ ରାଜା । ତାଙ୍କ ରାଜତ୍ୱ କାଳରେ ବାମଣ୍ଡାର ସର୍ବାଙ୍ଗୀନ ଉନ୍ନତି ଘଟିଥିଲା କେବଳ ନୁହେଁ ଓଡ଼ିଆ ଭାଷା ଓ ସାହିତ୍ୟର ସେ ଜଣେ ବଡ଼ ପୃଷ୍ଠପୋଷକ ଥିଲେ । ତାଙ୍କ ଶାସନ କାଳରେ ବାମଣ୍ଡା ଓଡ଼ିଶା ଇତିହାସର ସ୍ୱର୍ଣ୍ଣୀମ ଯୁଗ ଥିଲା । ସେ କୃଷି ଓ ପ୍ରଶାସନ କ୍ଷେତ୍ରରେ ଅନେକ ସୁଧାର ଓ ପରିବର୍ତ୍ତନ ଆଣିଥିଲେ। ଭୂରାଜସ୍ୱ ତାଙ୍କ ରାଜତ୍ୱକାଳରେ ଆରମ୍ଭ ହୋଇଥିଲା । ବାସୁଦେବ ବାମଣ୍ଡାର ରାଜଧାନୀ ଦେଓଗଡ଼ଠାରେ ଗୋଟିଏ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ଯାହାକି ସେତେବେଳେ କଲିକତା ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ହୋଇଥିଲା । କେବଳ ସେତିକି ନୁହେଁ ରାଜ୍ୟରେ ବହୁ ଉଚ୍ଚଶିକ୍ଷିତ ଓ ଯୋଗ୍ୟ ଶିକ୍ଷକମାନଙ୍କୁ ଆଣି ପାଠ ପଢ଼ାଯାଉଥିଲା । ବାମଣ୍ଡାର ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ସୁବିଧା ପାଇଁ ସେ ବ୍ରାହ୍ମଣୀ ନଦୀ ଦେଇ କଟକ ସହ ରାସ୍ତା ସଂଯୋଗ କରିଥିଲେ । ଅନ୍ୟ ଦେଶୀୟ ରାଜ୍ୟମାନଙ୍କ ସହ ସଡ଼କପଥରେ ସଂଯୋଗ ସାଧନ କରାଯାଇଥିଲା । ବାମଣ୍ଡାରେ ଏକ ବୃହତ୍ କରତକଳ ସ୍ଥାପନା କରି ସେ ରୋଜଗାରର ସୁଯୋଗ ସୃଷ୍ଟି କରିଥିଲେ ।
ବିଜ୍ଞାନ ଓ ପ୍ରାଦ୍ୟୋଗିକୀ କ୍ଷେତ୍ରରେ ମଧ୍ୟ ସେ ଅଗ୍ରଣୀ ଥିଲେ । ତାଙ୍କ ଦେଓଗଡ଼ଠାରେ ଏକ ଅବଜର୍ଭେଟରି, ଏକ୍ସରେ ଓ ଟେଲିସ୍କୋପ ପ୍ରତିଷ୍ଠା କରିଥିଲେ । ୧୮୯୪ମସିହାରେ ବାମଣ୍ଡାରେ ପୋଷ୍ଟ ଅଫିସ ପ୍ରତିଷ୍ଠା କରାଯାଇଥିଲା ଓ ୧୯୦୦ମସିହାରେ ବାମଣ୍ଡାକୁ ଟେଲିଫୋନ ସଂଯୋଗ କରାଯାଇଥିଲା । ବାଲ୍ୟବିବାହ ଓ ଯୌତୁକ ପ୍ରଥାର ବିଲୋପ ବ୍ୟତୀତ ଅନାଥ ଓ ବିଧବାମାନଙ୍କ ଥଇଥାନ ପାଇଁ ଆବଶ୍ୟକ ବ୍ୟବସ୍ଥା କରିଥିଲେ । ନିଶାଦ୍ରବ୍ୟର ସେ ଘୋର ବିରୋଧୀ ଥିଲେ କାରଣ ସେ ନିରାଡ଼ମ୍ବର ଜୀବନ ଯାପନ କରୁଥିଲେ । ଛତ୍ର-ଚାମରଧାରୀ ବା ଅଙ୍ଗରକ୍ଷୀ ଆଦିର ସୀମିତ ବ୍ୟବହାର କରୁଥିଲେ ବାସୁଦେବ । କଳା ଭାସ୍କର୍ଯ୍ୟର ସେ ପୃଷ୍ଠ ପୋଷକ ଏବଂ ପ୍ରଂଶସକ ଥିଲେ ।
ଓଡ଼ିଆ ଓ ସଂସ୍କୃତ ଭାଷା ସାହିତ୍ୟର ଉନ୍ନତି ପ୍ରତି ସୁଢ଼ଳଦେବଙ୍କ ପ୍ରମୁଖ ଅବଦାନ ରହିଥିଲା । ସଂସ୍କୃତ ଭାଷାରେ ଶିକ୍ଷାଦାନ ପାଇଁ ସଂସ୍କୃତ ଟୋଲମାନ ପ୍ରତିଷ୍ଠା କରିଥିଲେ ସେ । ୧୮୮୬ମସିହାରେ ଦେଓଗଡ଼ରେ ଜଗନ୍ନାଥ ବଲ୍ଲଭ ପ୍ରେସ୍ ପ୍ରତିଷ୍ଠା ହୋଇଥିଲା । ‘ସମ୍ବଲପୁର ହିତୈଷିଣୀ’ ସାପ୍ତାହିକ ସମ୍ବାଦପତ୍ର ପ୍ରଚଳନ ବ୍ୟତୀତ ତାଙ୍କ ଶାସନକାଳରେ ବାମଣ୍ଡା ଥିଲା ଓଡ଼ିଆ ସାହିତ୍ୟର ପ୍ରାଣକେନ୍ଦ୍ର । ଏହାକୁ ଲୋକମୁଖରେ “ବୁଧହଂସ କେଳିସର” କୁହାଯାଉଥିଲା । ତାଙ୍କ ଦରବାରରେ ହିଁ ରାଧାନାଥ ରାୟଙ୍କୁ’ କବିବର’ ଉପାଧି ପ୍ରଦାନ କରାଯାଇଥିଲା ।
ସୁଢ଼ଳଦେବଙ୍କ ସୁଶାସନ ଓ ସର୍ବାଙ୍ଗୀନ ଉନ୍ନତିକୁ ସ୍ୱୀକାର କରିବାକୁ ଯାଇ ୧୮୯୫ ମସିହା ମାର୍ଚ୍ଚ ୬ ତାରିଖରେ ବ୍ରିଟିଶ ସରକାରଙ୍କ ତରଫରୁ ତାଙ୍କୁ ‘Knight Commander of Indian Empire’ ଉପାଧି ପ୍ରଦାନ କରାଯାଇଥିଲା I ଏହି ଉପାଧି ହାସଲ କରିବାରେ ସେ ଥିଲେ ପ୍ରଥମ ଓଡ଼ିଆ I ଉତ୍କଳ ଗୌରବ ମଧୁସୂଦନ ରାଓ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ତାଙ୍କୁ ସଭାପତି ଭାବରେ ନିମନ୍ତ୍ରଣ କରିଥିଲେ । କିନ୍ତୁ ଅଧିବେଶନ ପୂର୍ବରୁ ହିଁ ତାଙ୍କର ପରଲୋକ ଘଟିଥିଲା I
ଏହା ହେଲା ସୁଢ଼ଳଦେବଙ୍କ ସଂକ୍ଷିପ୍ତ ପରିଚୟ।
ଏହିଭଳି ଜଣେ ମହାନ୍ ବ୍ୟକ୍ତିତ୍ଵଙ୍କ ବିଧିବଦ୍ଧ ପୂର୍ଣ୍ଣାଙ୍ଗ ଜୀବନୀ ଓଡ଼ିଆରେ ନ ଥିବାବେଳେ ସେହି ଅଭାବକୁ ପୂରଣ କରିପାରିଛି ଆଲୋଚ୍ୟ ପୁସ୍ତକ । ମୃତ୍ୟୁର ପାଖାପାଖି ଶହେ କୋଡ଼ିଏ ବର୍ଷ ପରେ ଚଣ୍ଡୀଚରଣ ବନ୍ଦୋପାଧ୍ୟାୟଙ୍କ ବଙ୍ଗଳା ଭାଷାରେ ଲିଖିତ ସୁଢ଼ଳଦେବଙ୍କ ଜୀବନୀର ଓଡ଼ିଆ ଅନୁବାଦ ପ୍ରକାଶ ପାଇବା ଏକ ବିରଳ ସାହିତ୍ୟିକ ଉଦ୍ୟମ ଏଥିରେ ଦ୍ୱିମତ ନାହିଁ।
ବାମଣ୍ଡା ରାଜପ୍ରାସାଦରେ ଥିବା ଜୀର୍ଣ୍ଣ ଗ୍ରନ୍ଥାଗାରରୁ ମୂଳ ବଙ୍ଗଳା ଜୀବନୀକୁ ଉଦ୍ଧାର କରି ଆଣି ତାହାକୁ ଓଡ଼ିଆରେ ଅନୁବାଦ କରିବା ଓ ପ୍ରକାଶ କରାଇବା ଏକ ଅସାଧାରଣ ଦକ୍ଷତା ଓ ଅଙ୍ଗୀକାରକୁ ସୂଚିତ କରୁଛି । ଏହି ଶ୍ରେୟ ପ୍ରଦୀପ କୁମାର ରାୟଙ୍କୁ ସମ୍ପୂର୍ଣ୍ଣଭାବେ ଯିବ। ଏଥିରେ ପ୍ରକାଶକ ଦେବାଶିଷ ସାମନ୍ତରାୟଙ୍କ ଉଦ୍ୟମ ବି ପ୍ରଶଂସନୀୟ ।
ଚଣ୍ଡୀଚରଣ ବାମଣ୍ଡା ରାଜାଙ୍କ ସମ୍ପର୍କରେ ଲେଖିଥିଲେ: ‘ଅକଳ୍ପନୀୟ ରାଜା ସାର୍ ବାସୁଦେବ ସୁଢ଼ଳଦେବଙ୍କ ଜୀବନ କାହାଣୀ । ପୃଥିବୀରେ ଯେ ଏଭଳି ଜଣେ ରାଜା ସଶରୀରରେ ବିଦ୍ୟମାନ ଥିଲେ, ପରବର୍ତ୍ତୀ ପ୍ରଜନ୍ମ ଏକଥା ଆଦୌ ବିଶ୍ଵାସ କରିବେ ନାହିଁ। ତେଣୁ ପରବର୍ତ୍ତୀ ପ୍ରଜନ୍ମର ସାହିତ୍ୟ ଅନୁରାଗୀ ପାଠକମାନଙ୍କ ପାଇଁ ମୁଁ ସାର୍ ବାସୁଦେବ ସୁଢ଼ଳଦେବଙ୍କ ଜୀବନୀ ରଚନା କରିଛି ।’
ସୁଢ଼ଳଦେବଙ୍କ ଉପରେ ଏହି ଜୀବନୀ ରଚନାର ପୃଷ୍ଠଭୂମି ବି ଅତି ରୋଚକ । ପ୍ରଦୀପ ରାୟ ପୁସ୍ତକର ମୁଖବନ୍ଧରେ ଲେଖିଛନ୍ତି: ‘କଲିକତା ଅବସ୍ଥାନ କାଳରେ କବିବର ରାଧାନାଥ ରାୟ ଈଶ୍ୱରଚନ୍ଦ୍ର ବିଦ୍ୟାସାଗରଙ୍କୁ ସାକ୍ଷାତ୍ କରିବା ପାଇଁ ତାଙ୍କ ବାସଭବନକୁ ଯାଇଥିଲେ । ସେଠାରେ ବିଦ୍ୟାସାଗରଙ୍କ ଜୀବନୀ ଲେଖକ ଚଣ୍ଡୀଚରଣଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ରାଧାନାଥ ଚଣ୍ଡୀଚରଣଙ୍କୁ କହିଲେ ଆପଣ ବଙ୍ଗର ବିଦ୍ୟାସାଗରଙ୍କ ଜୀବନୀ ତ ଲେଖିଛନ୍ତି । ଆପଣ ମୋ ସହିତ ଉତ୍କଳ ଚାଲନ୍ତୁ । ମୁଁ ଆପଣଙ୍କୁ ଉତ୍କଳର ବିଦ୍ୟାସାଗରଙ୍କ ସହ ପରିଚୟ କରାଇ ଦେବି । ତାଙ୍କ ସହିତ ପରିଚିତ ହେବା ପରେ ଯଦି ତାଙ୍କ ଚରିତ୍ର ଆପଣଙ୍କୁ ପ୍ରଭାବିତ କରେ ଆପଣ ନିଶ୍ଚୟ ତାଙ୍କ ଜୀବନୀ ଲେଖିବା ପାଇଁ ପ୍ରେରଣା ଅନୁଭବ କରିବେ । ରାଧାନାଥ ଚଣ୍ଡୀଚରଣଙ୍କ ବାମଣ୍ଡା ଆସିବାର ସମସ୍ତ ବନ୍ଦୋବସ୍ତ କଲେ । ବାମଣ୍ଡରେ ପହଞ୍ଚି ସୁଢ଼ଳଦେବଙ୍କ କୃତି ଓ କୀର୍ତ୍ତିଦ୍ୱାରା ଏତେ ପ୍ରଭାବିତ ହୋଇପଡ଼ିଥିଲେ ଯେ ଜୀବନୀ ଲେଖିବା ପାଇଁ ସେ ତତକ୍ଷଣାତ୍ ନିଷ୍ପତ୍ତି ନେଲେ।’
ଇଣ୍ଡିଆନ ପବ୍ଲିଶିଂ ହାଉସଦ୍ୱାରା ୧୯୧୬ରେ ଏହି ଜୀବନୀଟି ପ୍ରକାଶ ପାଇଥିଲା । ପ୍ରଦୀପ ରାୟଙ୍କ ମତରେ ଏହା ଥିଲା ବଙ୍ଗଳା ଭାଷାରେ ପ୍ରକାଶ ପାଇଥିବା ପ୍ରଥମ ଓଡ଼ିଆ ବ୍ୟକ୍ତିଙ୍କ ଜୀବନୀ । ଆହୁରି ଗୁରୁତ୍ୱପୂର୍ଣ୍ଣ ଅଥଚ ଦୁଃଖଦ ତଥ୍ୟ ହେଉଛି ଯେ, ସୁଢ଼ଳଦେବଙ୍କ ଏହି ଜୀବନୀଟି ପ୍ରକାଶ ପାଇବାର ଅଳ୍ପଦିନ ପରେ ଚଣ୍ଡୀଚରଣ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।
ତିନିଶହ ପୃଷ୍ଠାରୁ ଅଧିକ ଏହି ଅନୁଦିତ ଜୀବନୀଟି ଓଡ଼ିଆ ଜୀବନୀ ସାହିତ୍ୟ ଇତିହାସରେ ଏକ ଅଭୂତପୂର୍ବ ସଂଯୋଜନା । କୋଡ଼ିଏଟି ଅଧ୍ୟାୟ ବିଶିଷ୍ଟ ଏହି ଜୀବନୀରେ ଗଡ଼ଜାତ, ବାସୁଦେବଙ୍କ ଜନ୍ମ, ବାଲ୍ୟ, ଯୌବନ, ବିଦ୍ୟା, ଅଭିଷେକ, ପରିଣୟ, ପତ୍ନୀବିୟୋଗ, ବୈରାଗ୍ୟ, ତୀର୍ଥ ଦର୍ଶନ ଓ ଦେଶ ଭ୍ରମଣ, ରାଷ୍ଟ୍ରୀୟ ଉନ୍ନତିର ସୂଚନା, ରାଜ ପରିବାର, କୁମାରଗଣଙ୍କ ଶିକ୍ଷା ଓ ବିଦ୍ୟାଳୟ ପ୍ରତିଷ୍ଠା, ସାହିତ୍ୟ ସେବା, ମୁଦ୍ରାଯନ୍ତ୍ର ଓ ସମ୍ବାଦପତ୍ର ପ୍ରତିଷ୍ଠା, ବୋମ୍ବାଇ ଭ୍ରମଣ,ରାଜ୍ୟର ଆଭ୍ୟନ୍ତରୀଣ ଉନ୍ନତି ଓ ସୌଷ୍ଠବସାଧନ, ବ୍ୟବସାୟ ବାଣିଜ୍ୟ, ଓଡ଼ିଶା ସହିତ ଘନିଷ୍ଠ ସହଯୋଗ, ରାଜଧର୍ମ ଓ ପ୍ରଜାଧର୍ମ ପାଳନ, ଇଂରେଜ ରାଜ ଦରବାରରେ ସୁଢ଼ଳଦେବ, ସମାଜ ସଂସ୍କାର, ଦୁର୍ଭିକ୍ଷ ଓ ଦସ୍ୟୁ ଦମନ ଓ ସ୍ଵର୍ଗାରୋହଣ ଆଦି ବ୍ୟତୀତ ଅନ୍ୟାନ୍ୟ ବହୁ ଉପାଦେୟ ତଥ୍ୟ ପୁସ୍ତକରେ ରହିଛି । ବସ୍ତୁତଃ, ଉନ୍ନବିଂଶ ଶତାବ୍ଦୀ ଓ ତା’ ପୂର୍ବର ଓଡ଼ିଶାର ସମାଜ, ଅର୍ଥନୀତି, ସାମାଜିକ ରୀତିନୀତି, ବ୍ୟବସାୟ ବାଣିଜ୍ୟ, ଶିଳ୍ପ, ଶିକ୍ଷା ଓ ସାହିତ୍ୟ ଏସବୁ କଣ ଥିଲା ଏହି ଜୀବନୀଟି ତାହାର ଜୀବନ୍ତ ଦସ୍ତାବିଜ। ପୁସ୍ତକରେ ଏଭଳି କୌଣସି ବିଷୟ ନାହିଁ ଯାହାକୁ ଜୀବନୀକାର ଆଖି ବୁଜି ଦେଇଛନ୍ତି ।
ଉପସଂହାରରେ ଚଣ୍ଡୀଚରଣ ଯାହା ଲେଖିଛନ୍ତି ତାହା ପ୍ରଣିଧାନଯୋଗ୍ୟ: ‘ଆଧୁନିକ ଭାରତର ଇତିହାସରେ ବାମଣ୍ଡାଧିପତି ସାମନ୍ତରାଜ ସାର୍ ବାସୁଦେବ ସୁଢ଼ଳଦେବଙ୍କର ରାଜ୍ୟ ପାଳନ ପଦ୍ଧତିର ଅନ୍ତରାଳରେ ରାମରାଜତ୍ଵର ଆଭାସ ମିଳେ ବୋଲି ଆମର ବିଶ୍ଵାସ ।’
ଚଣ୍ଡୀଚରଣଙ୍କ ମୂଳ ବଙ୍ଗଳା ଜୀବନୀକୁ ଓଡ଼ିଆ ଅନୁବାଦ କରିବାବେଳେ ପ୍ରଦୀପ ରାୟ କୌଣସି ବି ସ୍ଥାନରେ ଅତିଶୟୋକ୍ତିର ଆଶ୍ରୟ ନେଇ ନାହାନ୍ତି । ଅନୁବାଦରେ ନାଟକୀୟତା ନାହିଁ କି ପଢ଼ିବା ସମୟରେ ଘଟଣା ଓ ତଥ୍ୟଗୁଡ଼ିକ ନୀରସ ପ୍ରତୀୟମାନ ହେବ ନାହିଁ । ଜୀବନୀଟିକୁ ଖୁବ୍ ସ୍ୱଛନ୍ଦଭାବେ ଅନୁବାଦ କରିଛନ୍ତି ପ୍ରଦୀପ ରାୟ ।
ସୁଢ଼ଳଦେବଙ୍କ ଏହି ଅନୁଦିତ ଜୀବନୀଟି ପ୍ରକାଶ ପାଇବା ପରେ ଆଉ ଏକ ଜୀବନୀର ଆବଶ୍ୟକତାକୁ ଅନୁଭବ କରିହେଉନାହିଁ । ଜୀବନୀ ପୁସ୍ତକ ପଠନରେ ଯେଉଁମାନେ ଆଗ୍ରହ ରଖନ୍ତି ସେମାନଙ୍କ ପାଇଁ ଏହା ଏକ ଅପରିହାର୍ଯ୍ୟ ଗ୍ରନ୍ଥ ।
- ସାର୍ ବାସୁଦେବ ସୁଢ଼ଳଦେବ ଜୀବନୀ
- ମୂଳ ବଙ୍ଗଳା: ଚଣ୍ଡୀଚରଣ ବନ୍ଦୋପାଧ୍ୟାୟ
- ଓଡ଼ିଆ ଅନୁବାଦ: ପ୍ରଦୀପ କୁମାର ରାୟ
- ଆଦିତ୍ୟ ଭାରତ
- ମୂଲ୍ୟ-୩୮୦ଟଙ୍କା
- କଟକ
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର। ସେ ଓଡ଼ିଶା ଅନେକ ଖବର କାଗଜରେ କାମ କରିଛନ୍ତି। ଉଭୟ ଇଂରାଜୀ ଓ ଓଡ଼ିଆରେ ଅନେକ ପୁସ୍ତକ ରଚନା କରିଛନ୍ତି।)
Also readhttps://purvapaksa.com/book-review-past-events-in-the-glasses-of-the-present/