ଅନସୂୟା ପଣ୍ଡା
ରାତି ପାହିଲେ ସକାଳ, ଏତ ଚିରନ୍ତନ ସତ୍ୟ l ଅନ୍ଧାର ରାତିର କରାଳତା ସକାଳର ନୂଆ ସୂର୍ଯ୍ୟର ନୂଆ ଆଶା ସହିତ ସଜାଡି ହୋଇଯାଏ l ପୁରୁଣାକୁ ଭୁଲି ନୂଆ କିଛି କରିବାର ଅନେକ ପ୍ରତିଶ୍ରୁତି ସହ ଆସିଥାଏ ସକାଳ ଓ ତା’ ସହ ଅନେକ ସମ୍ବାଦକୁ ଏକାଠି କରିଥାଏ ତାଜା ଖବର କାଗଜ ! ଦିନ ଯାଇ ରାତି ହୁଏ ଓ ନୂଆ ଖବର ପୁରୁଣା ହୋଇଯାଏ l ପୁଣି ନୂଆ ସମ୍ବାଦର ଖୋଜା ଚାଲେ l ହେଲେ ସବୁ ରାତି ପାହିଲେ ଯେ ସକାଳ ହୁଏ ତାହା ନୁହେଁ ! କିଛି ରାତିର ସକାଳ ବି ଆମ ଉପରେ ନିର୍ଭର କରେ l ଅହୁରି ମଧ୍ୟ, ପୁରୁଣାକୁ ସଜାଡ଼ିବାକୁ ସୁସଂଯତ ମାନସିକ ପ୍ରସ୍ତୁତି ଓ ଉତ୍ସାହ ଆବଶ୍ୟକ ହୋଇଥାଏ l ଏମିତି ଏକ ଜଣାଶୁଣା ସତ୍ୟତା ଉପରେ ଆଲୋକପାତ କରିଛନ୍ତି ଲେଖକ, ସ୍ତମ୍ଭକାର, ଅଭିଜ୍ଞ ସାମ୍ବାଦିକ ଓ ସମ୍ପାଦକ ଭାସ୍କର ପରିଚ୍ଛା l
“ଦୁଇ ପଦ” କଥା ଛଳରେ ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଇଂରାଜୀ ପ୍ରଫେସର ଯତୀନ୍ଦ୍ର କୁମାର ନାୟକ ଏ ପୁସ୍ତକଟିରେ ଉଲ୍ଲେଖ କରିଛନ୍ତି: ‘ଅନେକ ଦିନ ତଳେ ଲେଖାଯାଇଥିବା ସ୍ତମ୍ଭଗୁଡ଼ିକୁ ଏକାଠି ପଢ଼ିଲେ ଅତୀତ ଓ ବର୍ତ୍ତମାନ ମଧ୍ୟରେ ଥିବା ଗଭୀର କିନ୍ତୁ ଅଦୃଶ୍ୟ ସମ୍ପର୍କ ଆଖିରେ ପଡ଼େ ଓ ଇତିହାସକୁ ଭଲଭାବେ ବୁଝିବାକୁ ସୁଯୋଗ ଦିଏ l ଗୋଟିଏ ବାକ୍ୟରେ ସେ କହିଛନ୍ତି ସ୍ତମ୍ଭକାରମାନେ ବର୍ତ୍ତମାନ ମୁହୂର୍ତ୍ତର ଇତିହାସ ଲେଖିଥାନ୍ତି l
“ରାତି ପାହିଲେ ସକାଳ” ପୁସ୍ତକ ଆମକୁ ବର୍ତ୍ତମାନର ଚଷମା ପିନ୍ଧି ଇତିହାସର ଖୁବ୍ ସହଜ, ସାବଲୀଳ ଓ ରୋଚକ ନାଟକୀୟ ରୂପାନ୍ତରକୁ ଉପଲବ୍ଧି କରିବାର ସୁଯୋଗ ଦେଇଛି l ନୂଆ ସକାଳ ସହ ପୁରୁଣା ହୋଇଯାଉଥିବା ଖବରସବୁକୁ ଏକାଠି କରିଥିବା ଏହି ସଂକଳନ ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ବ୍ୟବସାୟ, ସାହିତ୍ୟ, ଶ୍ରଦ୍ଧାଞ୍ଜଳି, ବୈଷୟିକ ଜ୍ଞାନ, ତତ୍କାଳିକ ଘଟଣା, ଆନ୍ତର୍ଜାତିକ ସ୍ଥିତି, ରାଜନୀତି, ପ୍ରଶାସନ, ଗଣତନ୍ତ୍ର ଆଦି ବିଷୟ ସବୁ ପାଠକଙ୍କ ସାମ୍ନାରେ ଏକାଠି କରିଛି । ଏହା ନିଶ୍ଚିତଭାବେ ମୋ ପରି ଅନେକ ପାଠକଙ୍କ ମନ ଜିଣିବ ଏଥିରେ ସନ୍ଦେହ ନାହିଁ l
‘ବିଷୟ ଯାହା ବି ହୋଇଥାଉ ନା କାହିଁକି ତାହା ଲେଖାଯିବା ଦରକାର l କଳ ନ ଖୋଲିଲେ ପାଣି କେବେବି ଆସିବ ନାହିଁ l’ ଆମେରିକୀୟ ଗାଳ୍ପିକ ଲୁଇ ଏଲ ଇମୋରଙ୍କ କଥାରେ ଓ “ଲେଖକ ଛୋଟ ହେଉ କି ବଡ଼ ହେଉ ପୁସ୍ତକଟିଏ ପ୍ରକାଶନ ପଛରେ ତାର ଏକ ଉତ୍ସାହ ଥାଏ, ଉଦ୍ଦୀପନା ଥାଏ l ନିଜ ସୃଷ୍ଟିକୁ ପୁସ୍ତକ ଆକାରରେ ଦେଖିବାର ମୋହ କିଛିଟା ନିଆରା “- ଲେଖକଙ୍କ ଏ ଦୁଇ ଉକ୍ତିରେ ମୁଁ ସହମତ l
ପାରିପାର୍ଶ୍ଵିକ ଘଟଣା ବିଷୟରେ କେବେ ଲେଖାଯାଇଥିବା ଘଟଣାଗୁଡ଼ିକ ଯେ ଏବେବି ଖୁବ୍ ଜୀବନ୍ତ ଓ ଚଳମାନ ସେଥିରୁ କେତୋଟି ବିଷୟ ଆଲୋଚନା କରାଯାଉ l
ଆଲେଖ “ବିଚରା ସାମ୍ବାଦିକ”ରେ ଲେଖକଙ୍କ କହିବା ଅନୁସାରେ ସାମ୍ବାଦିକତା ସମାଜର ଚତୁର୍ଥ ସ୍ତମ୍ଭ ଯାହା ସମାଜରେ ଯେକୌଣସି ପରିବର୍ତ୍ତନ ଆଣିପାରିବ, ସରକାର ବଦଳେଇ ପାରିବ ଓ କ୍ଷମତାଶାଳୀଙ୍କୁ ମୋଡ଼ି ଦେଇ ଦେଶ ଚଳେଇ ପାରିବ l ଅଧିକନ୍ତୁ, ସାମ୍ବାଦିକତା ଏକ ବୃତ୍ତି ନୁହେଁ ସତ୍ୟକୁ ଜାଣିବା ଓ ଖୋଜିବାର ଏକ ଅଭିଯାନ l ହେଲେ ଏବେ ମିଡିଆର ପ୍ରତିଯୋଗିତାର ଶିକାରର ବଶବର୍ତ୍ତୀ ହୋଇ ସାମ୍ବାଦିକତା ଏକ ସାଧାରଣ ବୃତ୍ତି ପରି ଯାହା ବିକାଳୁ ହୋଇଯାଇଛି ଯେଉଁଠି ମିଶନ ମନୋବୃତ୍ତି କମ, କ-ମିଶନ ମନୋଭାବ ବେଶି l ଲେଖକ ଖୁବ୍ ସୁନ୍ଦର ବ୍ୟାଖ୍ୟା କରିଛନ୍ତି ଓ ଚିନ୍ତା ପ୍ରକଟବି କରିଛନ୍ତି ଦୁର୍ନୀତି ପରଦାର ଫାଶ ଫିଟାଉଥିବା ସାମ୍ବାଦିକ ଯେବେ ଦୁର୍ନୀତିରେ ଲିପ୍ତ ହୁଏ ତାକୁ ଧରିବ କିଏ ?
ସାମ୍ବାଦିକତାରେ ପେଶାଦାର ଓ ଅନୁଭବି ବ୍ୟକ୍ତି କମ ଓ ଅଣକୁଶଳୀ, ସାମ୍ବାଦିକତା ନାଁ’ରେ ଟାଇମ ପାସ୍, ସତ ଖବର ପରିବର୍ତ୍ତେ ଯେଉଁଠୁ ଅଧିକ ପଇସା ମିଳୁଛି ତାକୁ ମସଲା ଦେଇ ଲେଖି ଜନସମାଜକୁ ଦ୍ୱନ୍ଦ୍ୱରେ ପକାଇବା ଏବେ ସାଧାରଣ ହୋଇଗଲାଣି l ଏସବୁ ପାଇଁ ଲେଖକ ବୈଷୟିକ ଜ୍ଞାନ ବା ଟେକନୋଲୋଜିକୁ ଦାୟୀ କରିଛନ୍ତି l
ଲୋକଟିଏ ଅଫିସ ଯିବା ବାଟରେ ଦେଖିଲା ଯିଏ ତାକୁ ଦେଖୁଛି ସେ ହସୁଛି l ସେ ଭାବିଲା ସେ କିଛି ଖରାପ ଦେଖାଯାଉଛି ନା ଯିଏ ଆଜି ତାକୁ ଭେଟୁଛନ୍ତି ସମସ୍ତେ ପାଗଳ ହୋଇଯାଇଛନ୍ତି ? ଶେଷକୁ ବାଧ୍ୟ ହୋଇ ଗୋଟେ ଆଠବର୍ଷର ଛୋଟ ଝିଅ ପାଖେ ସାଇକେଲ ରଖି ସେ ପଚାରିଲା, “ଆରେ ମା’ ତୁ ସତ କହିବୁ କାହିଁକି ହସୁଥିଲୁ, ଝିଅଟି ଫି କିନା ହସିଦେଇ କହିଲା କାରଣ ଆପଣ ହସୁଥିଲେ ବୋଲି !” କେଉଁଠି ଥରେ ପଢ଼ିଥିଲି- ସ୍ମାଇଲ ଇଜ୍ କଣ୍ଟାଜିଅସ । ଯାହା ଗୋଟିଏ ଓଠରୁ ଅନ୍ୟ ଓଠକୁ ସଞ୍ଚରି ଯାଏ l
“ହସ ପାଇଁ ଏଲିଜି” ଆଲେଖରେ ଲେଖକ ନିଜେ ସ୍ୱୀକାର କରିଛନ୍ତି ‘ହସ ଏକ ମାନସିକ ଅବସ୍ଥାର ପ୍ରତିଫଳନ l ହସ ମଣିଷକୁ ସୁସ୍ଥ ରଖେ, ଦୀର୍ଘଜୀବୀ କରେ l ସାଟିସଫେକ୍ସନ ଉଇଥ ଲାଇଫ୍ ଇଣ୍ଡେକ୍ସ ବା ଜୀବନ ସନ୍ତୁଷ୍ଟ ସୂଚାଙ୍କ ସୂଚେଇ ଦିଏ ଏସିଆ ମହାଦେଶ ତଥା ଭାରତ ସଂସ୍କୃତି, ମୂଲ୍ୟବୋଧ, ପାରିବାରିକ ଅତ୍ମୀୟତା ଥିବା ସତ୍ତ୍ୱେ ପାଶ୍ଚାତ୍ୟ ରାଷ୍ଟ୍ରମାନେ ଅନ୍ୟ ଅପେକ୍ଷା ଖୁସି l ଏମିତିକି ଆମେ ଓଡ଼ିଆମାନେ ବି ହର୍ଷିତ ନୋହୁଁ l ହସ ଗୋଟିଏ ଜାତିର ପ୍ରାରବ୍ଧ l ଜବରଦସ୍ତ କଲେ ଗୋଟେ ଜାତି ହସିପାରେନା l’ ଚମତ୍କାର ଲେଖନୀ ଶୈଳୀ, ପ୍ରତିଟି ବାକ୍ୟ କିଛି ନୂଆକଥା, ଜୀବନର କିଛି ଗୁଢ଼ ରହସ୍ୟ ବିଷୟରେ ସୂଚାଇ ଦିଏ !
ରାଜନୀତି ଏବେ ସେବେ ଓ ସବୁବେଳେ ବାଜେନୀତି ରହି ଆସିଛି l ରାଜକୀୟ ଉପାୟରେ ଲୋକଙ୍କ ମନ ଜିଣି ନୁହେଁ ବରଂ ଜଣେ ଜଣଙ୍କ ପାଖରୁ ଝାମ୍ପ ମାରି ଛଡ଼େଇ ନେଲେ ହିଁ ରାଜନୀତିରେ ଜିତାପଟ ମାରିପାରିବ l ଯେତେ ଗର୍ହିତ ଦୋଷ କଲେବି ରାଜନୀତିରେ କ୍ଷମା ବୋଲି ଶବ୍ଦର ପ୍ରଚଳନ ନାହିଁ, ମୁଣ୍ଡ ନୋଇଁବାର ନାହିଁ, କେବଳ ନିଜକୁ ଅନ୍ୟଠାରୁ ଶ୍ରେଷ୍ଠ ପ୍ରମାଣ କରି ଗାଦି ହାସଲ କରିବାର ହିଁ ଅଛି l ଯଦି କେବେ ରାଜନୀତିରେ କ୍ଷମା ମଗାଯାଏ ତେବେ ତାପଛରେ ଅନ୍ୟ ଏକ ବଡ଼ ରାଜନୀତି ଲୁଚି ରହିଥାଏ- ଏହି ସତ୍ୟଟି “କ୍ଷମା ରାଜନୀତି” ନିବନ୍ଧଟିରେ ପ୍ରାଞ୍ଜଳଭାବେ ଲେଖକ ବୁଝେଇଛନ୍ତି l ସେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ପାଇଁ ବ୍ରିଟେନ ସରକାର ଭାରତ ଆଗରେ ହେଉ କି ହିରୋସୀମା ନାଗାସାକି ବୋମା ମାଡ଼ ପାଇଁ ଆମେରିକା ଜାପାନ ଆଗରେ କି ଦ୍ଵିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନର ସୈନ୍ୟମାନେ କୋରିଆ, ଚୀନ ଓ ଫିଲିପାଇନ୍ସ ମହିଳାଙ୍କୁ ଦେଇଥିବା ଯୌନନିର୍ଯାତନା ପାଇଁ କ୍ଷମା ମାଗିଲେ ସେ ପୁରୁଣା କ୍ଷତି ଭରିଯିବନି ,ଖାଲି ମନକୁ କାଣିଚାଏ ଶାନ୍ତି କେବଳ ମିଳିବ ! କୁହାଯାଏ କ୍ଷମାହିଁ ଉପଯୁକ୍ତ ଦଣ୍ଡ l କ୍ଷମାଦ୍ୱାରା ମଣିଷ ନିଜକୁ ଶାନ୍ତି ଦିଏ ହେଲେ କ୍ଷମା ମାଗିବାକୁ ଜଣକୁ ବାଧ୍ୟ କରିବା- ହେ ତୋର ସେ ଭୁଲ ପାଇଁ ମୋତେ ଭୁଲ ମାଗେ !- ଜାଣ ଏହା ଏକ ରକମ ପ୍ରତିହିଂସା ବ୍ୟତୀତ ଅନ୍ୟକିଛି ନୁହେଁ ଯାହା ଲେଖକ ଅନ୍ୟ ଏକ ଲେଖାରେ ବୁଝେଇବାକୁ ଚେଷ୍ଟା କରିଛନ୍ତି l
“କର୍ମେ ଜୀଏଁ ନାରୀ” ଆଲେଖଟି ସଂସାରରେ ମହିଳାମାନେ କୋଉ କାମକୁ ଏଭଳି ପ୍ରଶ୍ନ ନ କରି ବରଂ ମହିଳାମାନେ ଯେଉଁସବୁ କାମ କରୁଛନ୍ତି ତା’ର ମୂଲ୍ୟାୟନ ହେବା ଦରକାର ବୋଲି ଆମକୁ ଚେତାଇ ଦେଉଛି l
“ରାତି ପାହିଲେ ସକାଳ” ଶୀର୍ଷକ ନିବନ୍ଧଟିରେ ଲେଖକ ବର୍ଣ୍ଣନା କରିଛନ୍ତି ମଣିଷ କେଉଁ ପ୍ରକାରେ ଜାଗ୍ରତ ହୁଏ ତାହା ବଡ଼କଥା ନୁହେଁ ବଡ଼କଥା ହେଉଛି କେବେ ଜାଗ୍ରତ ହେଉଛି l ସତ କହିଲେ, ମଣିଷକୁ ଜାଗ୍ରତ ହେବା ପାଇଁ କୌଣସି ତାରିଖ ବୟସ, ନିୟମ, ସଂକଳ୍ପ ନୁହେଁ ପରିବର୍ତ୍ତନ ପାଇଁ ନିଜ ଭିତରେ ଚେତନା ଦରକାର l ହେଲେ ଏବେ ଆମେ ନିଜର ପରିବର୍ତ୍ତନ ଅପେକ୍ଷା ଅନ୍ୟକୁ ପରିବର୍ତ୍ତନ ପାଇଁ ବେଶି ଚେଷ୍ଟିତ ! ଲିଓ ଟଲଷ୍ଟୟଙ୍କ ଶବ୍ଦରେ, “ଏଭରିୱାନ ଥିଙ୍କସ୍ ଅଫ୍ ଚେଞ୍ଜିଙ୍ଗ ଦ ୱାରଲ୍ଡ ,ବଟ ନୋ ୱାନ ଥିଙ୍କସ୍ ଅଫ୍ ଚେଜିଙ୍ଗ ହିମସେଲ୍ଫ ।”
ଏସବୁ ଛଡ଼ା, ଅବସର ଚିନ୍ତା, ୭0+, ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଏମବିଇ, ଶ’: ଶତାର୍ଦ୍ଧ ସ୍ମରଣ, ଶିଳ୍ପାୟନର ଅଭିଶାପ, ଇତିହାସରେ ଉଇଣ୍ଡୋ ‘୯୮’, ରାୟବାହାଦୁର ନନ୍ଦ କିଶୋର, ଭଲ ରାଜ୍ୟ ଖରାପ ରାଜ୍ୟ, ମହିଳା ସାମ୍ବାଦିକତା, ଇମେଜ ଟ୍ରାପ ( ନ୍ୟୁଜ ବ୍ରେକ୍ ପାଇଁ ଲାଇଭ ଇମେଜ ଟ୍ରାପର ଭୟାବହତା ), ସ୍ୱାଧୀନତା ଓ ଧର୍ମ ପରିବର୍ତ୍ତନ, ଓବିସି ଅଳିଆ, ଲରେନ୍ସ ଓ ଯୌନ ସ୍ୱାଧୀନତା, ଲରି ବେକର, ଆଇଏସ ମ୍ୟାନେଜର, ରାଜନୀତି ଓ ଆତଙ୍କବାଦ, ଜେହାଦିଙ୍କ ସହ କାରବାର, ସିଡନୀ ଶେଲଡନ, ମହାଜନୋ ଯେନ ଗତଃ ସ ପନ୍ଥା, ଏକ ଆନ୍ଦୋଳନର କାହାଣୀ, କୋରିଆ: ଇତିହାସ ଓ ଭୂଗୋଳ, ଦୁଷ୍ଟ ଲୋକଙ୍କ ଜରା ନିବାସ, ପରିଣୀତା ଦେଖିବା ପରେ, ତେଲୁଗୁ ରାଜ୍ୟରେ ଓଡ଼ିଆ ଭାଷା, ବସନ୍ତ ଭାବନା ଏସବୁ ଲେଖାଗୁଡ଼ିକ କାଳଜୟୀ। ପୁରୁଣା ଲେଖା ହେଲେବି ସମୟ ଉପଯୋଗୀ l
ଲେଖକଙ୍କ ଜ୍ଞାନର ବ୍ୟାପକତା, ପରିପ୍ରକାଶ କରିବାର ଶୈଳୀ, ଉପସ୍ଥାପନାରେ ଆଳଙ୍କାରିକତାର ପ୍ରମାଣ ଦିଏ ଏହି ପୁସ୍ତକ ।ଏହାଛଡ଼ା ଅନେକ ଲେଖା ଦେଶର ସାମାଜିକ, ରାଜନୈତିକ, ଓ ଆର୍ଥିକ ଅବସ୍ଥାରେ ସଚେତନତା ଆଣିବା ସହ,ଏ ସବୁରେ ପରିବର୍ତ୍ତନ ଆଣିବାର ଆଭାସ ଦିଏ l ଲେଖକଙ୍କ ଲେଖା ଓ ଲେଖନୀର ଉତ୍ତରୋତ୍ତର ଉନ୍ନତି ସହ “ରାତିପାହିଲେ ସକାଳ” ପୁସ୍ତକର ବିପୁଳ ଜନାଦୃତି କାମନା କରୁଛି l
- ରାତି ପାହିଲେ ସକାଳ
- ମୂଲ୍ୟ-୨୮୦ ଟଙ୍କା
- ଭାସ୍କର ପରିଚ୍ଛା
- ବ୍ଲାକ୍ ଇଗଲ ବୁକ୍ସ
- ଭୁବନେଶ୍ୱର
କାର୍ଡଗୁଡ଼ି, ବାଙ୍ଗାଲୋର
Also readhttps://purvapaksa.com/bjd-allowed-to-adani-buy-lands/