ତଥାପି ଲୁଚୁନି: ମେଳି ବଢ଼ୁଛି, ଯୁବ ନେତାଙ୍କ ଭରସା ପାଉନି
ଗତ କିଛିଦିନ ହେଲା ବିଜୁ ଜନତା ଦଳରେ ଚାଲିଥିବା ମେଳି ରୂପକ ବିଦ୍ରୋହ ପ୍ରଶମିତ ହେଉନି। କ୍ଷମତାରେ ଥିବାବେଳେ ଦଳର ସଭାପତି ତଥା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ଯେମିତି ମୁସ୍କିଲ୍ ହେଉଥିଲା ଏବେବି ସେହି ପରମ୍ପରା ଲାଗି ରହିଛି। କୌଣସି ନିର୍ବାଚିତ ପ୍ରତିନିଧି ଚାହିଁଲେ ବି ସିଧାସଳଖ ସଭାପତି ନବୀନ ପଟ୍ଟନାୟକଙ୍କ ପାଖରେ ପହଞ୍ଚିବା ମୁସ୍କିଲ ହେଉଛି। ଦଳରେ ନେତାଏଁ କେଉ୍ୟଠି ଏକାଠି ହେଲେ ଯାଇ ତାହା ନକରାତ୍ମକଭାବେ ସଭାପତି ନବୀନ ପଟ୍ଟନାୟକଙ୍କ କାନକୁ ଆସୁଛି। ଆଉ ଏ କାନକୁହାରେ ମାଧ୍ୟମ ହୋଇଛନ୍ତି ପ୍ରଣବ ପ୍ରକାଶ ଦାସ ଓରଫ ବବି। ଏମିତି ଅଭିଯୋଗ ଏବେ ବିଜେଡିର ଦ୍ୱିତୀୟ ପିଢ଼ି ନେତାଙ୍କ ଭିତରେ ପ୍ରତିଧ୍ୱନୀତ ହେବା ପରେ ପ୍ରଶ୍ନ ଉଠୁଛି ବବି ସାଜିଛନ୍ତି କି ପାଣ୍ଡିଆନ୍ଙ୍କ ମୋହରା!
ପୁଣି ଗତକାଲି ରାତିରେ ହୋଇଛି ମେଳି। ପୂର୍ବତନ ମନ୍ତ୍ରୀ ତଥା ବିଜୁ ଅନୁଗତ କାଳିନ୍ଦୀ ବେହେରାଙ୍କ ପୁଅ ଚନ୍ଦ୍ର ସାରଥିଙ୍କ ବାସଭବନରେ ଏହି ମେଳି ହୋଇଥିଲା। ହୁଏତ ଏହା ରାଜନୀତିକ ହୋଇ ନ ଥାଇପାରେ କିନ୍ତୁ ଅନେକ ସମବୟସ୍କ ରାଜନେତା ଏକାଠି ହେବା ପରିସ୍ଥିତିକୁ ଚହଲାଇବା ସ୍ୱାଭାବିକ। ବୈଠକ ବିଳମ୍ବିତ ରାତିଯାଏ ଚାଲିଥିଲା। ହେଲେ କେହି ହେଲେ ଏ ବିଷୟରେ ଗଣମାଧ୍ୟମକୁ କିଛି କହିବା ପାଇଁ ଉଚିତ ଭାବି ନାହାନ୍ତି। ସଭାପତିଙ୍କ ଆଦେଶକୁ ଉଲ୍ଲଂଘନ କରି ଏହି ନେତାମାନଙ୍କ ମେଳି କିନ୍ତୁ ବିଦ୍ରୋହକୁ ସୂଚାଇଛି।
ଯାହା ସୂଚନା ମିଳିଛି ଏଣିକି ଏହି ଯୁବାବର୍ଗ ଆଉ ପାଣ୍ଡିଆନ୍ଙ୍କ ବାଡ଼କୁ ଆରୋପ କରିବେ ନାହିଁ। ଏବେ ସମସ୍ତ ଆରୋପ କେନ୍ଦ୍ରୀଭୂତ ହୋଇଛି ଅଶୋକ ଦାସ ସୁପୁତ୍ର ବବି ଓରଫ ପ୍ରଣବ ପ୍ରକାଶ ଦାସଙ୍କ ଉପରେ। ସାଂସଦ ହେବା ପାଇଁ ସମ୍ବଲପୁରରେ ଲଢ଼ି ଧର୍ମେନ୍ଦ୍ରଙ୍କଠାରୁ ପରାଜିତ ହୋଇଥିବା ବବି ଏବେ ଦଳର କୌଣସି ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ନାହାନ୍ତି। ଯେମିତି ଭୈରବ କାର୍ତ୍ତିକେୟନ ପାଣ୍ତିଆନ୍ ଦଳରେ ଥାଇ ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଛନ୍ତି ଠିକ୍ ସେମିତି। ସେ ଦଳର ଅନେକ ବରିଷ୍ଠ ଉପସଭାପତିଙ୍କ ମଧ୍ୟରୁ ଜଣେ। ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବା ତେବେ କାହିଁକି ଏ ଯୁବ ନେତା, ବିଧାୟକମାନେ ‘ବବି’ଙ୍କୁ ବଳିର ଛେଳି କରୁଛନ୍ତି?
ଉତ୍ତର ପୂରା ସ୍ପଷ୍ଟ। ଯେତିକି ସୂଚନା ପହଞ୍ଚୁଛି ସେହି ଅନୁସାରେ ବବି ଏବେ କବାଟ ସାଜିଛନ୍ତି। ଅର୍ଥାତ୍ ସଭାପତି ନବୀନ ପଟ୍ଟନାୟକ ଓ ନେତାଙ୍କ ଭିତରେ ସେ ହେଉଛନ୍ତି କବାଟ ସଦୃଶ। ଯଦି ସେ ଅନୁମତି ଦେବେ ତେବେ ଯାଇ ବିଧାୟକଙ୍କୁ ନବୀନଙ୍କ ଦର୍ଶନ ମିଳିବ। ନ ହେଲେ ନବୀନ ନିବାସକୁ ବି ପ୍ରବେଶ ମନା।
ଆପଣମାନେ ଜାଣିଥିବେ, ପୂର୍ବ ଅଭିଯୋଗ ଅନୁସାରେ ଶାସନରେ ଥିବାବେଳେ ବରିଷ୍ଠ ନେତା ଓ ମନ୍ତ୍ରୀମାନେ ବି ନବୀନ ପଟ୍ଟନାୟକଙ୍କୁ ଦେଖା କରିବା ହେଲେ ପ୍ରଥମେ ପାଣ୍ଡିଆନ୍ଙ୍କ ଅନୁମୋଦନର ଆବଶ୍ୟକତା ପଡ଼ୁଥିଲା। ସେହି ହେତୁ ଅସନ୍ତୋଷ ବଢ଼ିଥିଲା। କିନ୍ତୁ ପାଣ୍ଡିଆନ୍ କି ନବୀନ ଏହି ଅସନ୍ତୋଷକୁ ଖାତିର କରିଲେ ନାହିଁ। ଫଳରେ ବିଜେଡିର ଅବସ୍ଥା କ’ଣ ହେଲା ତାହା ଆପଣମାନେ ଜାଣିଛନ୍ତି।
ଆଜି ସେ ରୋଷକୁ ପ୍ରଶମିତ କରିବା ପାଇଁ ନବୀନ ସ୍ପଷ୍ଟ କହିଛନ୍ତି ଯେ, ପାଣ୍ଡିଆନ୍ ଦଳର କୌଣସି ବ୍ୟାପାର ବୁଝୁ ନାହାନ୍ତି। ଏଣୁ କୌଣସି ପ୍ରସଙ୍ଗରେ ତାଙ୍କୁ ଦାୟୀ କରିବା ଅନୁଚିତ। ପୁଣି ଯେଉଁମାନେ ପାଣ୍ଡିଆନ୍ଙ୍କୁ ଇଙ୍ଗିତ ବି କଲେ ତାଙ୍କୁ ଦଳରେ କଡ଼ା କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ପଡ଼ିଛି। ନିକଟରେ ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀଙ୍କ ଉପରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ତାହାର ପ୍ରମାଣ।
ଏଣୁ ଯୁବ ନେତାମାନେ ଆଉ ସେ ଦୁଃସାହସ କରିବାକୁ ଚାହୁଁ ନାହାନ୍ତି। କିନ୍ତୁ ଦଳକୁ ଦୁଇଭାଗ କରାଯାଉଛି ବୋଲି ସେମାନଙ୍କ ଅଭିଯୋଗ। ଗୋଟିଏ ପଟେ ପାଣ୍ଡିଆନ୍ଙ୍କ ସମର୍ଥକ ଆଉ ଗୋଟିଏ ପଟେ ପାଣ୍ଡିଆନ୍ଙ୍କ ବିରୋଧୀ। ଆଉ ଏ ଭିତରେ ମୋହରା ହୋଇଛନ୍ତି ବବି। ଅର୍ଥାତ୍ ବବି ନିଷ୍ପତ୍ତି ନେଉଛନ୍ତି କିଏ ଭିଟୋ ପାଓ୍ୱାରର ସମର୍ଥକ ଆଉ କିଏ ନୁହଁନ୍ତି। ଏଣୁ ବିବିଙ୍କ ବିରୋଧରେ ବିଷୋଦ୍ଗାର ପାଇଁ ପ୍ରସ୍ତୁତି ଚାଲିଛି। ଏଇଠୁ ଗୋଟିଏ କଥା ସ୍ପଷ୍ଟ ଯେ, ବିଜେଡିରେ ବିଦ୍ରୋହୀଙ୍କ ଲକ୍ଷ୍ୟ ଯଦିଓ ସମାନ ରହିଛି କିନ୍ତୁ ରଣନୀତିରେ ପରିବର୍ତ୍ତନ ହୋଇଛି।
ଆପଣମାନେ ପ୍ରଶ୍ନ ପଚାରିପାରନ୍ତି କୌଣସି ବିଧାୟକ ବା ପୂର୍ବତନ ବିଧାୟକଙ୍କ ଘରେ ବୈଠକ କରିବା କ’ଣ ଭୁଲ୍? ମୁଁ ବି ତାହା ଆପଣଙ୍କୁ ସୂଚାଇବାକୁ ଚାହୁଁ ନାହିଁ। କିନ୍ତୁ ଯେଉଁ ନେତାମାନେ ଗତକାଲି ଏକାଠି ହୋଇଥିଲେ ସେମାନେ ପୂର୍ବରୁ ଅନେକ ଥର ଏକାଠି ହୋଇଛନ୍ତି। ଦୁଇଥର କ୍ୟାମେରା ସାମ୍ନାରେ ସୋସାଲ୍ ମିଡିଆାରେ ଚର୍ଚ୍ଚିତ ବି ହୋଇଛନ୍ତି। ଥରେ କୌଣସି ହୋଟେଲରେ ଏମାନେ ବସିଥିଲେ। ଆଉ ଥରେ ସେଇ ଚନ୍ଦ୍ର ସାରଥୀଙ୍କ ଘରେ। ଆଉ ଏହା ହେଉଛି ତୃତୀୟ ବୈଠକ। ଏହା ପୂର୍ବରୁ ଆଉ ବୈଠକ ହୋଇଥାଇପାରେ କିନ୍ତୁ ଆମ ପାଖରେ ସେ ସୂଚନା ପହଞ୍ଚି ନାହିଁ।
ସେତେବେଳେ ଏହି ବୈଠକକୁ ନେଇ ବିଜେଡିରେ ତୁମୁଳକାଣ୍ଡ ହୋଇଥିଲା। କିଛିଦିନ ପରେ ବରିଷ୍ଠମାନେ ମଧ୍ୟ ହୋଟେଲରେ ଏକାଠି ହୋଇଥିଲେ। ଦଳର ଏତେବଡ଼ ପ୍ରାସାଦ ଭଳି ଅତ୍ୟାଧୁନିକ କାର୍ଯ୍ୟାଳୟ ଥାଉ ଥାଉ ହୋଟେଲରେ ବୈଠକ କରିବା ନେଇ ପ୍ରଶ୍ନ ଉଠିଥିଲା। ସଭାପତି ମଧ୍ୟ ଏହାକୁ ନିନ୍ଦା କରିଥିଲେ। ଏପରିକି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ଏପରି ବୈଠକ କରିବାକୁ ବାରଣ ମଧ୍ୟ କରିଥିଲେ ଓ ଚେତାବନୀ ମଧ୍ୟ ଦେଇଥିଲେ।
ନବୀନ ପଟ୍ଟନାୟକଙ୍କ ବାରଣକୁ ଦଳର ବରିଷ୍ଠ ନେତାମାନେ ପ୍ରଥମେ ଭାଙ୍ଗିଛନ୍ତି। ନିକଟରେ ପ୍ରତାପ ଦେବଙ୍କ ଘରେ ଏକ ଦଳୀୟ ବୈଠକ ବସିଥିଲା। ଏହି ବୈଠକ ବି ସଭାପତିଙ୍କ ପୂର୍ବ ଆଦେଶର ବିରୋଧୀ ବୋଲି ବିଧାୟକ ସୁନୀଲ ମହାନ୍ତି ଅଭିଯୋଗ କରିଛନ୍ତି। ମିଡିଆ ଚର୍ଚ୍ଚା ଅନୁସାରେ ପ୍ରତାପ ଦେବ ହେଉଛନ୍ତି ପାଣ୍ଡିଆନ୍ଙ୍କ ଅନୁଗତ। ପୁଣି ସେ ପୁରୀ ଜିଲ୍ଲା ବିଜେଡିର କୌଣସି ଅଙ୍ଗ ପ୍ରତ୍ୟଙ୍ଗ ନୁହନ୍ତି। ଏଣୁ ତାଙ୍କ ଘରେ ପୁରୀ ଜିଲ୍ଲାର ରାଜନୀତିକ ବୈଠକ ବସିବା ପୁରୀର ବିଧାୟକଙ୍କୁ ବଡ଼ ବିବାଦୀୟ ବୟାନ ଦେବାକୁ ବାଧ୍ୟ କରିଥିଲା। ଏହି ଅବସରରେ ବିଧାୟକ ସୁନୀଲ ମହାନ୍ତି ମଧ୍ୟ ଏହାକୁ ନେଇ ଗଣମାଧ୍ୟମରେ ସିଧାସଳଖ ସଭାପତିଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଉପସ୍ଥାପନ କରିଥିଲେ। ହେଲେ ସେ ନେଇ ବିଜେଡି ପକ୍ଷରୁ ଏ ପର୍ଯ୍ୟନ୍ତ କିଛି ଅଫିସିଆଲ୍ ମନ୍ତବ୍ୟ ବ୍ୟକ୍ତ କରାଯାଇନାହିଁ।
ଏବେ ସେହି ଆଳରେ ଦ୍ୱିତୀୟ ପିଢ଼ି ଏକାଠି ହୋଇଛନ୍ତି। ସେମାନଙ୍କ ଅଭିଯୋଗ ହେଉଛି ଦଳରେ ଫାଟ ସୃଷ୍ଟି ପାଇଁ ଉଦ୍ୟମ ଜୋରଦାର ହେଉଛି। ଯେଉଁମାନେ ପାଣ୍ଡିଆନ୍ଙ୍କ ଅନୁଗତ ବୋଲି ବିଚାର କରାଯାଉଛି ସେମାନଙ୍କୁ ପ୍ରାଧାନ୍ୟ ଦିଆଯାଉଛି। ଆଉ ଯେଉଁ ସଦସ୍ୟ, ବିଧାୟକ ହେଲେବି ପାଣ୍ଡିଆନ୍ଙ୍କ ଅନୁଗତ ନୁହନ୍ତି ବୋଲି ବିଚାର କରାଯାଉଛି ତାଙ୍କୁ ବିରୋଧ କରାଯାଉଛି। ବିଶେଷ କରି ନିଜକୁ ବିଜୁ ଅନୁଗତ ବୋଲାଉଥିବା ନେତାଙ୍କ ପୁଅମାନେ ଏହି ତାଲିକାରେ ରହିଛନ୍ତି। ସେମାନଙ୍କ କହିବା କଥା ହେଉଛି ଦଳ ଏବେ ଠିକଣା ଭାବେ ସରକାରଙ୍କ କାର୍ଯ୍ୟକଳାପକୁ ସମୀକ୍ଷା କରୁନାହିଁ। ସମାଲୋଚନା କରିବାକୁ ଶକ୍ତି ପାଉ ନାହିଁ। କଂଗ୍ରେସ ଏହାର ଫାଇଦା ନେଉଛି। ଏଣୁ ଦଳକୁ ଶକ୍ତ କରିବାକୁ ହେଲେ ନବୀନଙ୍କ ସହ ଆଲୋଚନା ଦରକାର। ହେଲେ ଯେଉଁ ଆଲୋଚନା ସରକାରରେ ଥିବାବେଳେ ବି ହୋଇପାରୁନଥିଲା ତାହା କ’ଣ ଏବେ ହେବ? ଆପଣମାନେ କୁହନ୍ତୁ।