ଆଖି ବୁଜିଲା ହାତୀ ଛୁଆ । ଭୁବନେଶ୍ବର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସାଧୀନ ହାତୀ ଛୁଆର ମୃତ୍ୟୁ ହୋଇଛି । ତା ବୟସ ୫ରୁ ୬ ବର୍ଷ ହେବ । ତା ଅଣ୍ଟାରେ ଗଭୀର ଆଘାତ ଲାଗିଥିଲା । କରଞ୍ଜିଆ ବନଖଣ୍ଡ ଅଧିନସ୍ଥ ପୋକାମୁଣ୍ଡା ଗାଁରେ ଥିବା ଏକ ମୋରମ ଖଣିରେ ଉକ୍ତ ହାତୀ ଛୁଆଟି ଖସି ପଡିଥିଲା । ଚଳିତ ମାସ ୬ ତାରିଖରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରୁ ଉଦ୍ଧାର ହୋଇ ନନ୍ଦନକାନନ ଆସିଥିଲା ଏହି ହାତୀ ଛୁଆ । ହାତୀ ଶାଳର ଏକ ସ୍ବତନ୍ତ୍ର କୋଠରୀରେ ନନ୍ଦନକାନନ ଓ ଓୟୁଏଟି ପ୍ରାଣୀ ଚିକିତ୍ସକଙ୍କ ତତ୍ବାବଧାନରେ ହାତୀ ଛୁଆକୁ ରଖାଯାଇ ଚିକିତ୍ସା କରାଯାଉଥିଲା । ଅବସ୍ଥା ଏତେ ସଙ୍କଟାପନ୍ନ ଥିଲା ଯେ ତାକୁ ଏକ କ୍ରେନ୍ ସାହାଯ୍ୟରେ ଉଠାଯାଇ ଚିକିତ୍ସା ପାଇଁ ଅଣାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ ଗତକିଛି ଦିନ ତଳେ ନନ୍ଦନକାନନରେ ଅସୁସ୍ଥ ଥିବା ବାଘୁଣୀ ରୂପାର ଛୁଆର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ବାଘ ଛୁଆଟି ଅସୁସ୍ଥ ଥିବାରୁ ତାକୁ ନନ୍ଦନକାନନ ଚିକିତ୍ସାଳୟର ଜନ୍ତୁ ଲାଳନପାଳନ କେନ୍ଦ୍ରରେ ଚିକିତ୍ସା ଚାଲିଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଥିଲା । ନନ୍ଦନକାନନର ଧଳା ବାଘୁଣୀ ରୂପା ଗତ ବର୍ଷ ନଭେମ୍ବର ୨ ତାରିଖରେ ତାର ତୃତୀୟ ଗର୍ଭରୁ ୪ ଶାବକ ଜନ୍ମ ଦେଇଥିଲା । ଜନ୍ମ ପରେ ସମସ୍ତ ଛୁଆଙ୍କୁ ଗ୍ରହଣ କରିଥିଲା ରୂପା ।
Also read https://purvapaksa.com/union-budget-2025-parliaments-longest-and-shortest-budget-speeches/